Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରି ତିନି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଖଣି ପାଣ୍ଠି ନେଇଯିବା ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶାହା କମିଶନ ବସି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଖଣି କମ୍ପାନୀଙ୍କ ଉପରେ ବିପୁଳ ଜୋରିମାନା ହୋଇଥିଲା। ଏହି ବିପୁଳ ଜୋରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନୀମାନେ ବୁଦ୍ଧି କରି ଆଇବିଏମ୍ ଦ୍ୱାରା ଏହାର ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାରଣ ରିହାତି ପାଇଥିଲେ।

ମାତ୍ର ଏହା ପରେ ମଧ୍ୟ ଏହି ଅର୍ଥ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହେଲା ପରେ ଏହି ଅର୍ଥ ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଏହାକୁ ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ବିଶେଷକରି ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରିବା ସହ ଏହି ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ସୁପ୍ରିମକୋର୍ଟର ଗାଇଡ଼ ଲାଇନ୍ ଉଲଂଘନ କରି ଏହି ଅର୍ଥକୁ ଜୁନ୍ ୧୧ ଏପ୍ରିଲ ଓ ସେପ୍ଟେମ୍ବରରେ କୌଣସି କାରଣ ନଦର୍ଶାଇ ପଇସା ଉଠାଇନେଇ ୧୪ ସେପ୍ଟେମ୍ବରରେ ଏହାକୁ ରେଗୁଲାରାଇଜ କଲେ। ନିର୍ଦ୍ଦିଷ୍ଟ ଭାବେ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଗଲା। ଲୋକଙ୍କ ଜୀବିକା ପାଇଁ ଅର୍ଥ ଖର୍ଚ୍ଚ କରାନଯାଇ ଏଲ୍ ଆଣ୍ଡ ଟି ଭଳି ବଡ଼ କମ୍ପାନୀକୁ ୨୨୦୦ କୋଟିର ଠିକା ଦିଆଯାଇ ଅଗ୍ରୀମ ୬୦୦ କୋଟି ଦିଆଗଲା।

ଆଜି ଲୋୟର ପିଏମ୍‌ଜିରେ ଏହି ବିସଙ୍ଗତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନସ୍ଥଳରେ ବିଶିଷ୍ଟ ଆଡ଼ଭୋକେଟ ଶିବାନନ୍ଦ ରାୟ, କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ସାହୁ, ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶୈଳଜ ରବି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯଦି ଏହି ଅର୍ଥକୁ ଆଦିବାସୀଙ୍କ ମଧ୍ୟରେ ସିଧାସଳଖ ବଣ୍ଟା ଯାଇଥାନ୍ତା, ତେବେ ଘରପିଛା ୨୦ ହଜାର ଟଙ୍କା ପଡ଼ିଥାନ୍ତା। କିନ୍ତୁ ସରକାର ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନକୁ ମାନିଲେ ନାହିଁ। କେନ୍ଦୁଝର ନାଗରିକ ମଞ୍ଚର କିରଣ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାର କେଉଁ ଉଦ୍ଦେଶ୍ୟରେ ଏତେ ବିପୁଳ ଅର୍ଥରାଶି ନିର୍ଦ୍ଦିଷ୍ଟ ତିନୋଟି ଜିଲ୍ଲାବାସୀଙ୍କ ଅର୍ଥ ଉଠାଇନେଲେ ସେ କଥା କେଉଁଠାରେ ସ୍ପଷ୍ଟ କରିନାହାଁନ୍ତି।

ଆଗାମୀ ଦିନରେ ଏହାକୁ ନେଇ ନ୍ୟାୟାଳୟରେ ମକଦ୍ଦମା କରାଯିବ ବୋଲି ବରିଷ୍ଠ ଆଡ଼ଭୋକେଟ ଶିବାନନ୍ଦ ରାୟ କହିଥିଲେ। ଶୈଳଜ ରବି ଆଶ୍ଚର୍ଯ୍ୟପ୍ରକଟ କରି ଏଭଳି ଘଟଣା କିଭଳି ଘଟୁଛି ବୋଲି କହିଥିଲେ? ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ନିମାଇଁ ରାୟ ଆଗାମୀ ଦିନରେ କ୍ଷତିଗ୍ରସ୍ତ ତିନୋଟି ଜିଲ୍ଲାର ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ମଧୁମିତା ସାମଲ, କଳ୍ପନା ମହାନ୍ତି, ଅପର୍ଣ୍ଣା ନାୟକ, ଭୁବନେଶ୍ୱର ଛାତ୍ର ସଂଗଠନ ସଭାପତି ଅମିତ ଜେନା, ଯଶୋବନ୍ତ ଦାସ, ସତ୍ୟଜିତ ମହାନ୍ତି, ଅମରଜିତ ସ୍ୱାଇଁ, ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।