Categories
ଆଜିର ଖବର ଜାତୀୟ ଖବର

ରାଜ୍ୟରେ ଖଣି ଓ ଖଣିଜ କାରବାରକୁ ନେଇ କେନ୍ଦ୍ର ଖଣି ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭାରତୀୟ ବୈଜ୍ଞାନିକ ସର୍ବେକ୍ଷଣ(ଜିଏସଆଇ)ର ମହାନିର୍ଦ୍ଦେଶକ ଜନାର୍ଦ୍ଦନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ଜିଏସଆଇ, ନାଲକୋ, ଆଇବିଏମ ଭଳି କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ, ଖଣି ଓ ଭୂବୈଜ୍ଞାନିକ ନିର୍ଦ୍ଦେଶାଳୟ, ଓଡ଼ିଶା ଖଣି ନିଗମ (ଓଏମସି), ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଜେଏସଡବ୍ଲୁ, ଜେଏସପିଏଲ, ବେଦାନ୍ତ, ଏଏମଏନଏସ, ଆସୋଚାମ୍‌, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଟାଟା ଷ୍ଟିଲ, ଫିକି, ଫିମି, ୟୁସିସିଆଇଏଲ, ସିଆଇଆଇ ଭଳି ଶିଳ୍ପାନୁଷ୍ଠାନ ଓ ଶିଳ୍ପ ସଂଘର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇ ସେମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ନିଜର ମତ ରଖିଥିଲେ।

ଓଡ଼ିଶାରେ ଖଣି ଖନନ ଓ ଖଣିଜ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ବିଚାର ବିମର୍ଶ କରାଯାଇଥିଲା। କେନ୍ଦ୍ର ଖଣି ସଚିବ ବିଭିନ୍ନ ସଂସ୍ଥାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସଂସ୍ଥା ଦ୍ୱାରା ଖଣିଜ ଉତ୍ତୋଳନ କାର୍ଯ୍ୟକୁ ବଢ଼ାଇବା ଏବଂ ଏନଏମଇଟି ପାଣ୍ଠିର ଉପଯୋଗ କରିବା, ଖଣିଗୁଡ଼ିକର ନିଲାମୀ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା, ନିଲାମ ହୋଇଥିବା ଖଣିଗୁଡ଼ିକୁ ଠିକ୍‌ ସମୟରେ କାର୍ଯ୍ୟକ୍ଷମ କରିବା ଏବଂ ଦୀର୍ଘସ୍ଥାୟୀ ଖଣି ଖନନ ସହିତ ଉତ୍ପାଦନ ବଢ଼ାଇବା ପାଇଁ ମିଳିତ ପ୍ରୟାସ ଲାଗି ଆହ୍ୱାନ କରିଥିଲେ।

ଦେଓରଞ୍ଜନ କୁମାର ସିଂ ନିଜ ବକ୍ତବ୍ୟରେ ଖଣି ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବିଭିନ୍ନ ଏଜେନ୍ସିର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ଓଡ଼ିଶାରେ ଖଣି କ୍ଷେତ୍ରର ବିକାଶ ପାଇଁ ଖଣି ମନ୍ତ୍ରଣାଳୟ ଏବଂ ରାଜ୍ୟର ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ସଚିବ ଆଶ୍ୱାସନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅଧୀନରେ ୨,୫୨,୯୯୫ ପ୍ରକଳ୍ପକୁ ମଞ୍ଜୁରି

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଗଠନ କରାଯାଇଛି। ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମ୍‌ଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମ୍‌ଏଫର ପ୍ରବର୍ତ୍ତନ କରାଯାଇଥିଲା। ସଂଶୋଧିତ ଆଇନରେ ଧାରା ୯ବି’ର ପ୍ରବର୍ତ୍ତନ କରାଯାଇ ଏହି ଡିଏମ୍‌ଏଫ ସୃଷ୍ଟି ହୋଇଥିଲା। ଏହି ନ୍ୟାସ ଏକ ବିନା ଲାଭ ଯୁକ୍ତ ସଂସ୍ଥା ଯାହା ଖଣି ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାମାନଙ୍କରେ ରହିଛି। ଖଣି ଯୋଗୁଁ  କ୍ଷତିଗ୍ରସ୍ତ ଅଞ୍ଚଳ ଓ ଜନସାଧାରଙ୍କ ସ୍ୱାର୍ଥରକ୍ଷା ଓ ସୁବିଧା କରିବା ହେଉଛି ଏହି ପ୍ରତିଷ୍ଠାନର ଲକ୍ଷ୍ୟ।

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମ୍‌ଏଫ ସମ୍ବଳିତ ପାଣ୍ଠିକୁ ନେଇ ତ୍ୱରାନ୍ୱିତ ହୋଇଥାଏ। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୬୩୫୩୪.୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୩୭୪୨୨. ୯୪କୋଟି ଟଙ୍କା  ଖର୍ଚ୍ଚ ହୋଇଛି। ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୨, ୫୨, ୯୯୫ ପ୍ରକଳ୍ପ ମଧ୍ୟରୁ ଏପର୍ଯ୍ୟନ୍ତ ୧,୩୩,୧୪୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନା ଗଣରାଜ୍ୟର ଉତ୍ପାଦକତା ବିକାଶ ମନ୍ତ୍ରଣାଳୟର ଖଣିଜ ନୀତି ସଚିବାଳୟ ମଧ୍ୟରେ ସହଯୋଗ ସମ୍ବନ୍ଧୀୟ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଏହି ବୁଝାମଣାପତ୍ର ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ଉପଲବ୍ଧ କରାଇବ।

ଲିଥିୟମ ଉତ୍ତୋଳନ, ଖନନ ଏବଂ ଲାଭ ହାସଲ କରିବା, ବେସ ମେଟାଲ କ୍ଷେତ୍ରରେ ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରିବାର ସମ୍ଭାବନା ଖୋଜିବା, ଆପୋସ ଲାଭ ନିମନ୍ତେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଖଣିଜ, ବୈଷୟିକ ଏବଂ ବୈଜ୍ଞାନିକ ସୂଚନା, ବିଚାର ଓ ଜ୍ଞାନର ବିନିମୟ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ ତଥା ଖଣିଜ ଗତିବିଧି କ୍ଷେତ୍ରରେ ନିବେଶ ଓ ବିକାଶକୁ ପ୍ରୋତ୍ସାହନ ସମେତ ଖଣିଜ ଅନ୍ବେଷଣ ଓ ବିକାଶକୁ ପ୍ରୋତ୍ସାହନ ନିମନ୍ତେ ସହଯୋଗ ଜରିଆରେ ଗତିବିଧିକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ଏହା ଜରିଆରେ ନବୋନ୍ମେଷର ଲକ୍ଷ୍ୟ ହାସଲ କରାଯାଇପାରିବ।