Categories
ବିଶେଷ ଖବର ରାଜ୍ୟ ଖବର

ଖବରକାଗଜ ହକରମାନଙ୍କୁ ହକ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଇଲେ ୬୦୦୦ ଟଙ୍କା ଲେଖାଏଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି ।

ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି।

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକ ମାନଙ୍କୁ ଖବର କାଗଜ ଯୋଗାଇଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସହାୟତା ସହିତ ହକର ମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ହକର ମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯିବ।

ସୂଚନାଯୋଗ୍ୟ ଯେ ଦୁର୍ଘଟଣାଜନିତ ସଂପର୍ଣ୍ଣ ଅକ୍ଷମତା ଯୋଗୁ ହକର ମାନଙ୍କୁ ଦେଢ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡିଶାରେ ପ୍ରଗତୀର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକର ମାନେ ଏହାଦ୍ବାରା ଉପକୃତ ହେବେ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।

କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଶ୍ରୀ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଥିଲେ ଯେ ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ, ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ହକର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ।

ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ ଭାରତ ଏବଂ ଦିଲ୍ଲୀ ହେଲଥ୍।

ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ, ଏହି ତିନୋଟି ଖବରକାଗଜ ବିଓସିରେ ଜାଲ କାଗଜ ପତ୍ର ଦେଇ ବିଜ୍ଞାପନ ହାସଲ ପାଇଁ ଯୋଗ୍ୟ ହୋଇଛନ୍ତି। ବିଓସିକୁ ଦେଇଥିବା କାଗଜପତ୍ରରୁ ଜଣାପଡିଲା ଯେ ଏହି ଖବରକାଗଜର ସର୍କୁଲେସନ ସଂଖ୍ୟା ହେଲା ଦୈନିକ ଦେଢ ଲକ୍ଷ। ପ୍ରତି ଖବରକାଗଜର ପୃଷ୍ଠା ସଂଖ୍ୟା ହେଲା ଆଠ। ହେଲେ ସିବିଆଇ ଯାଞ୍ଚ ପରେ ଅବଗତ ହେଲା ଯେ, ଏହି ଖବରକାଗଜ ସର୍କୁଲେସନ ସଂଖ୍ୟା ମାତ୍ର 150 ଖଣ୍ଡ।

ସେହିପରି ଏମାନେ 2017 ମସିହାରେ ବିଓସିକୁ ଜଣାଇଥିଲେ ଯେ, ଅର୍ଜୁନ ଟାଇମସ ଖବରକାଗଜର ପବ୍ଲିସର ହେଉଛନ୍ତି ଅଶୋକ କୁମାର ଏବଂ ମାଲିକ ହେଉଛନ୍ତି ହରିସ୍ ଲାମ୍ବା। ଏହି ପେପର ନୂଆଦିଲ୍ଲୀର ଡଲଫିନ ପେକ୍ଟୋଗ୍ରାଫି ପ୍ରେସର ଛପାଯାଉଛି। ହେଲେ ସିବିଆଇ ଏହି ପ୍ରେସ ଯାଞ୍ଚ କରିବା ପରେ ସେଠାରେ ଏହି ପେପର ଛପାଯାଉ ନ ଥିବାର ଜାଣିବାକୁ ପାଇଲେ। ହେଲେ ଅର୍ଜୁନ ଟାଇମସ ଦୈନିକ 25 ହଜାର 8ଶହ କପି ଛପାଯାଉଛି ବୋଲି ବିଓସିକୁ ରିପୋର୍ଟ ଦିଆଯାଇଥିଲା।

ହିସାବରୁ ଜଣାପଡିଛି ଯେ, ଏହି ଖବରକାଗଜ ଗତ 3 ବର୍ଷରେ 62 ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ନେଇଛି। ଏହା ସଂପୂର୍ଣ୍ଣ ଜାଲ ଖବରକାଗଜ ଜଣାପଡିବା ପରେ ସିବିଆଇ ଏମାନଙ୍କ ବିରୋଧରେ ମାମଲା ଋଜୁ କରିଛି। ଏପରିକି ବିଓସିର କେତେକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ ହୋଇଛି। ଏମାନେ ବିଓସି ଅଧିକାରୀଙ୍କୁ ହାତ କରି ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ କରାଇଥିବାର ସିବିଆଇ ଜାଣିବାକୁ ପାଇଛି।