Categories
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ସମସ୍ୟା ସମାଧାନ ପାଇଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଖରିଫ୍ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ଠିକ୍ ପରିଚାଳନା ପାଇଁ ପ୍ରତି ବ୍ଲକ୍‌ରେ ତିନିଜଣ ଲେଖାଏଁ ନୋଡ଼ାଲ୍ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସେମାନେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଗଲେ ସମାଧାନ କରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭି.ସି. ବୈଠକରେ ଜଣାଇଥିଲେ।

ଚଳିତ ବର୍ଷ ଏପ୍‌.ଏ.କୁୟ ଧାନ କୁଇଣ୍ଟାଲ୍ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାରେ ଟଙ୍କା ଜମା ହେବ। ଚଳିତ ଖରିଫ୍ ଋତୁ ଧାନ ୧୩୯୬୪୮ ଜଣ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଧାନ ନିର୍ଦ୍ଧାରିତ ୩୮୯ ପାକ୍‌ସ ଏବଂ ୬୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହିତ ଟ୍ୟାଗ କରାଯାଇ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ବେଳେ ଗୋଟିଏ ମାତ୍ର ପାଣିପଞ୍ଚାୟତ ଅଂଶଗ୍ରହଣ କରିବ। ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଯେମିତି କୌଣସି ସ୍ଥାନରେ ବି ବିଶୃଙ୍ଖଳା ଯେପରି ଦେଖାନଯାଏ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ତଥ୍ୟ ଉପସ୍ଥାପନ କରି ଯାହାର ଯାହା ସମସ୍ୟା ରହିଛି ସେ ସବୁ ସମାଧାନ କରିବା ଦିଗରେ ପ୍ରବର୍ତ୍ତାଇ ଥିଲେ।

ବୈଠକରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢ଼ୀ, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡ଼ିଭିଜନ ବିଶ୍ୱ ରଂଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ, ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଧାନ ସଂଗ୍ରହ ପାଇଁ ହେବ ଅନଲାଇନ ପଞ୍ଜୀକରଣ, ଜଗତସିଂହପୁର ଓ ରାହାମା ଆର୍.ଏମ୍.ସି ରେ ହେବ କର୍ମଚାରୀଙ୍କ ପ୍ରଶିକ୍ଷଣ

ରମେଶ ମହାନ୍ତି
ଜଗତସିଂହପୁର: ଖରିଫ୍ ଋତୁ ପାଇଁ କୃଷକ ମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକମାନଙ୍କର ଅନ୍ ଲାଇନ୍‌ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଚାଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଜଗତସିଂହପୁର ଜିଲ୍ଲାରେ କୃଷକମାନଙ୍କର ଅନ୍‌ଲାଇନ ପଞ୍ଜିକରଣ କରାଯିବା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କ ମଧ୍ୟରେ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଶିବିର ଜଗତସିଂହପୁର ଆର.ଏମ୍‌.ସି ଏବଂ ରାହାମା ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ତା ୨୭.୭.୨୦ ରିଖ ଠାରୁ ତା ୩୧.୭.୨୦ ରିଖ ମଧ୍ୟରେ ଅନୁଷ୍ଠିତ ହେବ।

ପ୍ରାପ୍ତ ସୂଚନା ଅନୁଯାୟୀ ଜଗତସିଂହପୁର ଆର.ଏମ୍‌.ସି ସମ୍ମିଳନୀ କକ୍ଷରେ ୨୭ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜଗତସିଂହପୁର ବ୍ଲକର ୧୬ ଗୋଟି ସମବାୟ ସମିତି ଏବଂ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ବିରିଡି ବ୍ଲକର ୬ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ।

ସେହିପରି ୨୮ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ବାଲିକୁଦା ବ୍ଲକର ୨୧ ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ନାଉଗାଁ ବ୍ଲକର ୬ ଗୋଟି ସମବାୟ ସମିତି, ୨୯ ତାରିଖ ଦିବା ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ଏରସମା ବ୍ଲକର ୧୬ଗୋଟି ସମବାୟ ସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ କୁଜଙ୍ଗ ବ୍ଲକର ୧୬ଗୋଟି ସମବାୟ ସମିତି, ୩୦ ତାରିଖ ଦିବା ୧୧ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ରଘୁନାଥପୁର ବ୍ଲକର ୯ ଗୋଟି ସମବାୟସମିତି, ଅପରାହ୍ନ ୩ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ ତିର୍ତୋଲ ବ୍ଲକର ୧୫ ଗୋଟି ସମବାୟ ସମିତିର କ୍ଷେତ୍ରୀୟ କର୍ମଚାରୀଙ୍କର ପ୍ରଶିକ୍ଷଣ ରାହାମା ଆର.ଏମ.ସିରେ ଅନୁଷ୍ଠିତ ହେବ।

ଜଗତସିଂହପୁର ଓ ରାହାମା ନିୟନ୍ତ୍ରିତ ବଜାର କମିଟିର ସେକ୍ରେଟାରୀମାନେ କୃଷକମାନଙ୍କ ଅନ୍ ଲାଇନ୍ରେ ଜିଷ୍ଟ୍ରେସନ୍ ସଂପର୍କରେ ମାଇକ୍‌,ଫ୍ଲେକ୍ସ ବ୍ୟାନର ମାଧ୍ୟମରେ କୃଷକ ମାନଙ୍କୁ ସଚେତନ କରିବା ପାଇଂ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଅନୁଯାୟୀ ସାମାଜିକ ଦୂରତା, ସାନିଟାଇଜେସନ୍ ଓ ମାକ୍ସ ବ୍ୟବହାର ମୁତାବକ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ, ମାର୍କେଟିଙ୍ଗ ଇନିସ୍‌ପେକ୍ଟର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସେଣ୍ରାଲ କୋଅପରେଟିଭ୍ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗଦେବେ।