Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଲ୍ଲାସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି: ଡିସେମ୍ବର ୩୦ରୁ ଖୋର୍ଦ୍ଧାରେ ଆରମ୍ଭ ହେବ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ ଚାଉଳ ଅଥବା ଏକ ଲକ୍ଷ ୧୫ ହଜାର ୫୭୩ ମେଟିକ୍ ଟନ ଧାନ ସଂଗ୍ରହ କରାଯିବା ଲକ୍ଷଧାର୍ଯ୍ୟ କରାଯାଇଛି। ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ ପାଇଁ ୨୦୬୦ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରୁ ୧୭ ଜଣ ମିଲର ଏଥିରେ ଭାଗ ନେବେ।

ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି। ପ୍ରତ୍ୟେକ ଧାନ ମଣ୍ତିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ପରାମର୍ଶ ଦେଇଛନ୍ତି। ସମସ୍ତ ମଣ୍ତିରେ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରିବାକୁ ସେ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କେ ମୁର୍ମୁ, ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା, ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ସାହୁ, ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ବାଳ, ସମବାୟ ସମିତି ସମୂହ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଧାନ ସଂଗ୍ରହପାଇଁ ପଞ୍ଜିକରଣ ପକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବୈଠକ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କ ଆଗୁଆ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଗୁନିଆପଡା ବ୍ଲକ ଓଏଲମ କକ୍ଷରେ ସୋସାଇଟ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀମାନେ ସେମାନଙ୍କ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତିରେ କେଉଁଭଳି ଭାବେ ପଞ୍ଜିକରଣ କରିବେ ସେଥିପାଇଁ ସମ୍ପାଦକମାନେ ଚାଷୀଙ୍କୁ ସହଯୋଗ କରିବେ। ସେମାନଙ୍କ ଠାରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରି ଏହାକୁ ତୁରନ୍ତ ପଞ୍ଜିକରଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ବିଗତ ବର୍ଷ ବେଗୁନିଆପଡା ବ୍ଲକରେ ୬୦୦୩ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପାଇଁ ବର୍ତ୍ତମାନ ସୁଦ୍ଧା ୩୦୦୦ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ କହିଥିଲେ।

ଏଥିସହ ବ୍ଲକରେ ପଞ୍ଜିକରଣ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ସମବାୟ ସମିତିର ସମ୍ପାଦକ ମାନଙ୍କୁ କହିଥିଲେ ଯୋଗାଣ ଅଧିକାରୀ। ପଞ୍ଜିକରଣ ପାଇଁ ଚାଷୀଙ୍କ ଠାରୁ ଗ୍ରହଣ କରୁଥିବା ଫର୍ମ ନିର୍ଭୁଲ ଭାବେ ପୂରଣ କରିବା ସହ ବର୍ଷ ୨୦୨୦/୨୧ ପାଇଁ କାଟିଥିବା ସିସ୍ତୂକୁ ଗ୍ରହଣ କରିବା ପାଇଁ କହିଥିଲେ ତହସିଲଦାର। ଏଥିସହ ବର୍ତ୍ତମାନ କରୋନା ମହାମାରୀର ସମୟ ଚାଲିଥିବା ଯୋଗୁଁ ସମ୍ପାଦକ ମାନେ ସମବାୟ ସମିତିରେ ସାନିଟାଇଜର ଓ ଚାଷୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ କହିବାକୁ କହିଥିଲେ ବିଡ଼ିଓ। ନିଜେ ଗ୍ଳୋବ୍ସ ଓ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟ କରିବା ପାଇଁ କହିଥିଲେ ବିଡ଼ିଓ। ଏହି ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଯୋଗାଣ ଅଧିକାର ଏବଂ ସମବାୟ ସମିତି ସମ୍ପାଦକ ମାନେ ଉପସ୍ଥିତ ଥିଲେ।