Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଲହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ, ନର୍ଲା ଓ ଭବାନୀପାଟଣା ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ଉପରେ ମତ ଦେଇଥିଲେ।

ସାଂସଦ ଶ୍ରୀ ପଣ୍ଡା ଗତ ଖରିଫରେ ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀ ମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ଏହି ବିଷୟକୁ ନେଇ ଜିଲ୍ଲାପାଳ ସମସ୍ତ ମିଲର ନିଜର ଏଜେଣ୍ଟ ଓ ଷ୍ଟାଫ୍ ଙ୍କ ତାଲିକା ସି ଏସ୍ ଓ ଙ୍କୁ ଦେବେ ଓ ସେମାନଙ୍କୁ ଆଇ ଡି କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ।

ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ମଣ୍ଡିରେ ଦଲାଲର ପ୍ରବେଶକୁ କଟକଣା ଲଗାଯାଇ କଟଣି ଛଟଣୀ ଯୋଗୁଁ ଚାଷୀ କିଭଳି ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି ନିଜ ମଣ୍ଡିଗସ୍ତ ଅନୁଭୂତିକୁ ପ୍ରକାଶ କଲେ ଏବଂ ସେଭଳି ମିଲର ଦ୍ଵାରା ସଂଯୋଗ ହୋଇଥିବା ଟ୍ରାନ୍ସପୋର୍ଟ ୟୁନିଆନର ଟ୍ରକ୍ ମାନଙ୍କ ଅନିୟମିତ ଚାଳନା ଯୋଗୁ ଚାଷୀମାନେ ଅନେକ ମଣ୍ଡିରେ ସପ୍ତାହ ପର୍ଯ୍ୟନ୍ତ ଧାନ ବିକ୍ରୟରେ ଅସୁବିଧା ଭୋଗ କରୁଛନ୍ତି ଓ ଅନେକ ଟୋକନ୍ ସୀମା ସମାପ୍ତ ହୋଇଯିବ ଭୟରେ କମ୍ ଦରରେ ଦଲାଲକୁ ବିକ୍ରି କରୁଛନ୍ତି ଏହାକୁ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ସାଂସଦ ଶ୍ରୀ ପଣ୍ଡା ଅଭାବୀ ବିକ୍ରିକୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ପ୍ରମୁଖ ଆର୍ ଏମ ସି ମଣ୍ଡି ବର୍ଷ ସାରା ଖୋଲିବାକୁ ପ୍ରସ୍ତାବ ଦିଆଯାଉ ବୋଲି କହିଥିଲେ। ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା ଓ ଜିଲ୍ଲାପାଳଙ୍କୁ କ୍ଷମତା ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରସାଶନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ଚଳିତ ବର୍ଷ ଏଫ୍ ଏ କ୍ୟୁ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୯୮୩୩୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି।ଚଳିତ ଖରିଫ ଋତୁ ରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଖରିଫ ୨୦୨୨-୨୩ ରେ ଭବାନୀପାଟଣା ଓ ଧର୍ମଗଡ ସବ ଡିଭିଜନ ରେ ୭୪ ଟି ପାକ୍ସ,୧୭୫ ଟି ଧାନ ସଂଗ୍ରହ କେନ୍ଦ୍ର,୩୩ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ।

ଏହା ବ୍ୟତୀତ ଧାନ ବିକ୍ରୟ ପାଇଁ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ଜୁନାଗଡ ବିଧାୟକ ତଥା ସାଂସଦ କେତେକ ସ୍ଥାନ ର ଅନ୍ତର୍ଭୁକ୍ତ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ରେ ପ୍ରତ୍ୟେକ ସ୍ତରର ଚାଷୀଙ୍କୁ ଗୁରୁତ୍ଵ ଦିଆ ଯାଉ ନ ଥିବାରୁ ଚାଷୀଙ୍କ ସମସ୍ୟା ଠିକ ଭାବରେ ଉପସ୍ଥାପନ କରାଯାଇ ପାରୁନଥିବା ଚାଷୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଉଚିତ୍ ମର୍ଯ୍ୟାଦା ଦିଆ ଯାଉ ନ ଥିବା ଏବଂ ମିଲର୍ସ ମାନଙ୍କୁ ସୁହାଇବା ଭଳି କାମ କରାଯାଉ ଥିବା ଏପରିକି ରେଜୁଲେଶନ ର କୌଣସି କାର୍ଯ୍ୟକାରୀ ହେଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଭାରେ ଚାଷୀ ପ୍ରତିନିଧି ଦୀପ୍ତି ରଞ୍ଜନ ପ୍ରହରାଜ, ବିଶିଷ୍ଟ ଚାଷୀ ପ୍ରଶାନ୍ତ ପଟ୍ଟଯୋଶୀ, ମିଲର ସଭାପତି ନଳିନୀ ପଟ୍ଟଯୋଶୀ, ମହେଶ ଅଗ୍ରୱାଲ, ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚଳିତ ୩୦ ଅଗଷ୍ଟ ସୁଦ୍ଧା ୮୮୧ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ ହୋଇଛି, କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି । ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍ ପରିମାଣର ଧାନ (୭୫୯.୩୨ ଲକ୍ଷ ମେଟ୍ରିକ ଟନ ଖରିଫ ଫସଲ ଏବଂ ୧୨୧.୯୮ ଲକ୍ଷ ମେଟ୍ରିକ ଟନ୍ ରବି ଫସଲ ସାମିଲ ରହିଛି) କିଣାଯାଇଛି ।

୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ସହିତ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ ଲାଭବାନ ହୋଇଛନ୍ତି ।

୨୦୨୨-୨୩ ରବି ବିପଣନ ଋତୁ ସମୟରେ ଗହମ କ୍ରୟ

୨୦୨୨-୨୩ ରବି ବିପଣନ ଋତୁରେ ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍ ଗହମ କିଣାଯାଇଛି । ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ବାରା ପ୍ରାୟ ୧୭.୮୩ ଲକ୍ଷ ଚାଷୀ ଲାଭାନ୍ବିତ ହୋଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଧାନ ବିକ୍ରୀ ଅର୍ଥ ପ୍ରଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀଙ୍କ ତାଗିଦ୍

ଭୁବନେଶ୍ୱର: ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ବୈଠକ କରିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆୟୋଜିତ ଏହି ବୈଠକରେ ଖରିଫ ଧାନ ସଂଗ୍ରହ ସଂପର୍କରେ ଏ ସଂପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଛନ୍ତି । ଚଳିତ ଖରିଫରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍‌-୧୯ ମହାମାରୀ ସତ୍ବେ ରାଜ୍ୟର ଚାଷୀକୂଳଙ୍କ କଠିନ ପରିଶ୍ରମ ଯୋଗୁଁ ଭଲ ଧାନ ଅମଳ ହେବାର ଆଶା ରହିଛି ।

ତେଣୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟରେ ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯେପରି ତତ୍ପରତା ଓ ନିଷ୍ଠା ପ୍ରଦର୍ଶନ କରନ୍ତି ସେଥିପ୍ରତି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେବା ସହିତ ଏଥିରେ ଖିଲାଫ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନସଂଗ୍ରହ କ୍ଷେତ୍ରରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କହିଛନ୍ତି ।

ଚଳିତ ଖରିଫରେ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସ ୨୦୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର ଖରିଫ ବିପଣନ ଋତୁ ୨୦୨୧-୨୨ ବର୍ଷ ପାଇଁ ମୋଟ ୭୭ ଲକ୍ଷ ମେଟି୍ରକ୍‌ ଟନ୍‌ ଉଭୟ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥି ମଧ୍ୟରୁ ୬୩ ଲକ୍ଷ ମେଟି୍ରକ୍‌ ଟନ୍‌ ଖରିଫ ଧାନ ସଂଗ୍ରହ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଖରିଫରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେକର୍ଡ ୬୩ ଲକ୍ଷ ମେଟି୍ରକ୍‌ ଟନ୍‌ ଧାନ ମୋଟ ୧୧ ଲକ୍ଷ ୯୧ ହଜାର ପଂଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କଠାରୁ ସଂଗୃହୀତ ହୋଇଥିଲା । ଧାନସଂଗ୍ରହର ମୂଲ୍ୟ ବାବଦକୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧୧ ହଜାର ୭୪୯ କୋଟି ଟଙ୍କା ପଇଠ କରାଯାଇଥିଲା ।

ସେହିପରି ଚଳିତ ଖରିଫ ଧାନ ବିକି୍ର ନିମନ୍ତେ ରାଜ୍ୟରେ ୧୫ ଲକ୍ଷ ୭୪ ହଜାରରୁ ଅଧିକ ଚାଷୀ ସେମାନଙ୍କ ନାମ ପଂଜୀକୃତ ଓ ଯାଞ୍ଚ କରିଛନ୍ତି । ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ପ୍ରକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ଚାଷୀଙ୍କ ଧାନଚାଷ ଜମି ସଂପର୍କରେ ବ୍ୟାପକ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସ୍ୱରୂପ ପାଇଲଟ୍‌ ପ୍ରକଳ୍ପ ଭାବରେ ସାଟେଲାଇଟ୍‌ ମାଧ୍ୟମରେ ୭ଟି ଜିଲ୍ଲାରେ ଚାଷୀଙ୍କ ପ୍ରକୃତ ଧାନଜମି ଚାଷର ତଥ୍ୟ ସଂଗ୍ରହ କରାଯାଉଅଛି । ଏଥି ସହିତ ନିର୍ଭୁଲ ଚାଷୀ ପଂଜୀକରଣ ନିମନ୍ତେ ଶତପ୍ରତିଶତ କ୍ଷେତ୍ର ପରିଦର୍ଶନ, ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଜମିଜମା ରେକର୍ଡ, ଜଳସେଚିତ ଜମିର ପରିମାଣ ଆଦି ସଂପର୍କରେ ଯାଞ୍ଚ କରାଯାଇଥିଲା । ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ଧାନସଂଗ୍ରହ କରାଯାଉଥିବା ପରିପ୍ରେକ୍ଷୀରେ ଚାଷୀଙ୍କ ଆଧାର କାର୍ଡ ସଂଯୋଗ ଓ ଧାନ ସଂଗ୍ରହ କେନ୍ଦ୍ରରେ ଉତ୍ତମ ଇଣ୍ଟରନେଟ୍‌ ଭିତ୍ତିଭୂମିର ସଂଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଚଳିତ ଖରିଫରେ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅର୍ଥ ପ୍ରେରଣ ଦିଗରେ ପବ୍ଲିକ୍‌ ଫାଇନାନ୍‌ସିଆଲ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମକୁ ଲାଗୁ କରାଯାଇଛି । ଧାନସଂଗ୍ରହର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥପ୍ରେରଣର ବ୍ୟବସ୍ଥା କରାଯାଇଛି । ଧାନସଂଗ୍ରହ ବାବଦକୁ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ଶୁଣାଣି କରି ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏଥି ନିମନ୍ତେ ଏକ କଲ୍‌ ସେଣ୍ଟର ଓ ସମନ୍ୱିତ ଭଏସ୍‌ ରେକର୍ଡିଂର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରରେ ଧାନ ଗ୍ରେଡିଂ ମେସିନ୍‌ ଆଦିର ବ୍ୟବସ୍ଥା କରିବା ସହିତ କୋଭିଡ୍‌ ମାର୍ଗଦର୍ଶିକା ଓ ମାସ୍କ ପରିଧାନକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ସଂପୃକ୍ତ ଜିଲ୍ଲାରେ କେବେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ସେ ବିଷୟରେ ସ୍ଥିର କରିବେ ଓ ଧାନସଂଗ୍ରହ ତାରିଖ ଚାଷୀମାନଙ୍କ ଅବଗତି ନିମନ୍ତେ ବ୍ୟାପକ ପ୍ରଚାର କରିବେ । ଅଣପଂଜୀକୃତ ଚାଷୀମାନଙ୍କ ଧାନ ଯେପରି ମଣ୍ଡିକୁ ନ ଆସିବ ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଚଳିତ ଖରିଫରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୨୦୧୬ଟି ପ୍ୟାକସ୍‌ ଏବଂ ଲ୍ୟାମ୍ପସ୍‌, ୨୫୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୪ଟି ପାଣିପଂଚାୟତ ଦ୍ୱାରା ୩୮୪୦ଟି ମଣ୍ଡି ମାଧ୍ୟମରେ ଧାନସଂଗ୍ରହ କରାଯିବ । ଧାନସଂଗ୍ରହ କେନ୍ଦ୍ରରୁ ମିଲରମାନେ ଯେପରି ସେହିଦିନ ସଂପୂର୍ଣ୍ଣ ଧାନ ଉଠାଣ କରିବେ ଓ ମଣ୍ଡିରେ ଯେପରି ଧାନ ପଡ଼ି ନରହେ ସେଥି ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଏଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ମଣ୍ଡିରେ ସମସ୍ତ ପୂର୍ବପ୍ରସ୍ତୁତି କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ସମସ୍ତ ଆର୍‌ଡିସି, ଜିଲ୍ଲାପାଳ, ନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ଦାଶ, ଏଫ୍‌ସିଆଇ ଏବଂ ଓସାମା ବୋର୍ଡର ଅଧିକାରୀଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ ପ୍ରମୁଖ ଯୋଗଦେଇଥିଲେ ।