Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଲାଶୁଣି ସଂରକ୍ଷିତ ହିକପାଲି ଗାଁରୁ ୩ କେଜି ଶୁଖା ବାରହା ମାଂସ ସହ ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡର କିସିଣ୍ଡା ଥାନା ଅଂଚଳର ବିଭିନ୍ନ ଗ୍ରାମ ଜଙ୍ଗଲ ମାନଙ୍କରେ ଅବାଧରେ ଜନ୍ତୁ ଶିକାର ହେଉଥିବା ବେଳେ ଜଣେ ପରେ ଜଣେ ଶିକାରୀ ବନବିଭାଗ ହାତରେ ଧରାପଡି ଜେଲ୍ ଯାଉଥିବା ଜଣା ପଡିଛି। ଦିନକୁ ଦିନ ଶିକାରୀ ମାନଙ୍କର ପ୍ରାଦୁର୍ଭାବରେ ବନବିଭାଗର କର୍ମଚାରୀମାନେ ନାକେଦମ୍ ହୋଇପଡୁଛନ୍ତି। ତଥାପି ଶିକାରୀମାନଙ୍କୁୁ ସଫଳତାର ସହ ଧରି କୋର୍ଟ ଚାଲାଣ କରୁଛନ୍ତି ବନବିଭାଗର କର୍ମଚାରୀମାନେ। ଏହା ସତ୍ତ୍ୱେ ବାମରା ବନ୍ୟପ୍ରାଣୀ ବନଖଣ୍ଡରେ ଶିକାରୀମାନେ ନିର୍ଭୟରେ ବୁଲୁଛନ୍ତି ଓ ବାରହା, ହରିଣ ଓ କୁଟୁରା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି। ବାରହା ମାଂସ ରଖିଥିବା ଅଭିଯୋଗରେ କିସିଣ୍ଡା ବନ୍ୟପ୍ରାଣୀ ବିଭାଗର ହିକପାଲିରୁ ବାରହା ମାଂସ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ କିସିଣ୍ଡା ଥାନା ହିକପାଲି ଗ୍ରାମର ଜନୈକ ବ୍ୟକ୍ତି ବାରହା ମାଂସ ଶିକାର କରି ତାକୁ ଶୁଖାଇ ରଖିଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନବିଭାଗର ଏକ ଟିମ୍ ସେଇ ଗ୍ରାମକୁ ଯାଇ ଡିଲେଶ୍ୱର ବେହେରାଙ୍କ ଘରେ ଚଢଉ କରିଥିଲା। ଚଢଉ ସମୟରେ ତା ଘରୁ ୩ କେଜି ଶୁଖିଲା ବାରହା ମାଂସ ଜବତ କରିବା ସହ ଏକ ଟାଙ୍ଗିଆକୁ ମଧ୍ୟ ଜବତ କରିଥିଲା। ବାରହା ମାଂସ ରଖିବା ଅଭିଯୋଗରେ ଡିଲେଶ୍ୱର ବେହେରାକୁ ବନବିଭାଗ ଗିରଫ କରି ଆଣିଥିଲା। ଆଜି ଅଭିଯୁକ୍ତ ଡିଲେଶ୍ୱର ବେହେରାକୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ କହିଛି।

ଏହି ଚଢଉରେ କିସିଣ୍ଡା ରେଞ୍ଜ ଅଧିକାରୀ ରବିନ୍ କିସ୍‌କୋ, ଫରେଷ୍ଟର ଭୁବନେଶ୍ୱର ପାଣି, ହିକପାକି ବିଟ୍ ର ଫରେଷ୍ଟ ଗାର୍ଡ ନିହାର ରଞନ ବଡପଣ୍ଡା ତଥା ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସୂଚନା ଥାଉକି ଗତ ନଭେମ୍ବର ମାସ ୧୧ ତାରିଖରେ, ଖଲାଶୁଣି ଅଭୟାରଣ୍ୟର ହିକପାଲି ବିଟ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳା ପକାଇ ବାରହା ମାରି ତାର ମାଂସକୁ କାଟୁ ଥିବା ସମୟରେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଇ ଜଙ୍ଗଲକୁ ଯାଇ ଚଢଉ କରିଥିଲା। ଚଢଉ କରି ସେମାନଙ୍କ ପାଖରୁ ୨୧ କେଜି ବାରହା ମାଂସ ସହ ଟାଙ୍ଗିଆ , କଟୁରୀ ଆଦି ଜବତ କରିଥିଲା। କିସିଣ୍ଡା ଥାନା ଜେମାଯୁରୀ ଗ୍ରାମର ସୁରେଶ ଖାଲକୋ (୪୨) ଏବଂ ଭଗବାନ କିସାନ (୨୬) ଙ୍କୁ କୋର୍ଟଚାଲାଣ କରିଥିଲା ବନବିଭାଗ।