Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଉପଭୋକ୍ତାଙ୍କ ବିବାଦର ଆଶୁ ସମାଧାନ କରିବେ ମଧ୍ୟସ୍ଥି, ସରକାର ଦେଲେ ପ୍ରଶିକ୍ଷଣ

ଭୁବନେଶ୍ୱର:  ନୂତନ ଉପଭୋକ୍ତା ଅଧିନିୟମ ୨୦୧୯ରେ ମଧ୍ୟସ୍ଥତା କେନ୍ଦ୍ର ସ୍ଥାପନ ମାଧ୍ୟମରେ ଉପଭୋକ୍ତା ବିବାଦର ସମାଧାନ ଏକ ସମୟୋଚିତ ପଦକ୍ଷେପ । ଏହାଦ୍ୱାରା ଉପଭୋକ୍ତା ବିବାଦର ସହଜରେ ଓ ତୁରନ୍ତ ସମାଧାନ ହୋଇପାରିବ ଏବଂ ଉପଭୋକ୍ତା ମାମଲା ବହୁପରିମାଣରେ ହ୍ରାସ ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟସ୍ଥତାମାନଙ୍କ ପ୍ରଶିକ୍ଷଣ ଶିବିରରେ କହିଛନ୍ତି ।

ଆଜି କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଏବଂ ସେଣ୍ଟର ଫର କନ୍‌ଜୁ୍ୟମର ଲ ପକ୍ଷରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ମଧ୍ୟସ୍ଥତା ଏବଂ ମିଳାମିଶା କେନ୍ଦ୍ର ‘ସମାଧାନ’ର ସହାୟତାରେ ମଧ୍ୟସ୍ଥିମାନଙ୍କ ପାଇଁ ଆୟୋଜିତ ଛଅଦିନିଆ ପ୍ରଶିକ୍ଷଣ ତଥା ଦିଗ୍‌ଦର୍ଶନ ଶିବିରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମଧ୍ୟସ୍ଥତା କେନ୍ଦ୍ର ଉପଭୋକ୍ତା ବିବାଦ ସମାଧାନ ଦିଗରେ ଏକ ଉତ୍ତମ ବିକଳ୍ପ ପନ୍ଥା ଭାବରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ଏକ ପ୍ରାଚୀନ ପନ୍ଥା ଏବଂ ପୁରାଣରେ ନାରଦ ମୁନି ଜଣେ ସଫଳ ମଧ୍ୟସ୍ଥି ଭାବେ ସୁନାମ ଅର୍ଜନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କର ମଧ୍ୟସ୍ଥତାର କଳା ସଂପର୍କରେ ପୂର୍ଣ୍ଣ ଦକ୍ଷତା ହାସଲ କରିବା ସହିତ ଉପଭୋକ୍ତା ଅଧିନିୟମ ସଂପର୍କରେ ଜ୍ଞାନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ ଅନୁଯାୟୀ ଯେଉଁସବୁ ବିବାଦଗୁଡ଼ିକ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ସମାଧାନ କରିହେବ, ସେଗୁଡ଼ିକ ଯେପରି ମଧ୍ୟସ୍ଥତା ଦ୍ୱାରା ସମାଧାନ ହୋଇ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କୁ ନ୍ୟାୟ ମିଳିପାରିବ ସେଥି ନିମନ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଅନୁସୂଚିତ ଜନଜାତିବହୁଳ ଜିଲ୍ଲାରେ ଯେଉଁଠି ଉପଭୋକ୍ତାମାନେ ଅଧିନିୟମ ସଂପର୍କରେ ଅଧିକ ସଚେତନ ନୁହଁନ୍ତି, ସେଠାରେ ମଧ୍ୟସ୍ଥତା କେନ୍ଦ୍ରଗୁଡ଼ିକ ଉପଭୋକ୍ତାମାନଙ୍କ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ମଧ୍ୟସ୍ଥତା ପ୍ରଶିକ୍ଷଣ ଶିବିର ଦକ୍ଷ ମଧ୍ୟସ୍ଥି ସୃଷ୍ଟି କରିବାରେ ଉପାଦେୟ ସାବ୍ୟସ୍ତ ହେବ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଉଦ୍ୟମରେ ଏପରି ଏକ ଶିବିର ଆୟୋଜନ କରାଯାଇଥିବାରୁ ମନ୍ତ୍ରୀ ସ୍ୱାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଡିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୪୫ ଘଣ୍ଟିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ, କୁଳସଚିବ ପ୍ରଫେସର ଯୋଗେଶ ପ୍ରତାପ ସିଂ, ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜୋନ୍‌ ମିଶ୍ର, ଉପଭୋକ୍ତା ବିଶାରଦ ଡ. ମୟଙ୍କ ତିୱାରୀ, ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଆଡ୍‌ଭୋକେଟ୍‌ ଶ୍ରୀମତୀ ବୀଣା ରାଲିଙ୍କ ସମେତ ବହୁ ଖାଉଟି ବିଶାରଦ ଏବଂ ମଧ୍ୟସ୍ଥିମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାର ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ

ଭୁବନେଶ୍ୱର: ଆଜିକାଲି ଉପଭୋକ୍ତାମାନେ ପ୍ରତି ଜାଗାରେ, ପ୍ରତି ମୁହୂର୍ତ୍ତରେ ଠକେଇର ଶିକାର ହେବାରେ ଲାଗିଛନ୍ତି। ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉପଭୋକ୍ତାମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଚେତନତା ପାଇଁ କାମ କରୁଥିବା ଅନେକ ସାମାଜିକ ସଂଗଠନ ଏଥିପାଇଁ କାମ କରୁଥିବା ସତ୍ତ୍ୱେ ସଠିକ ଭାବରେ ଲୋକ ସଚେତନତା ହୋଇପାରୁ ନଥିବାରୁ ସାଧାରଣ ଜନତା ଠକେଇର ଶିକାର ହେଉଥିବା ପ୍ରତିଦିନର ଖବରକାଗଜ ଓ ମିଡ଼ିଆରେ ଶୀର୍ଷ ମଣ୍ଡନ କରୁଛି।

ଏଭଳି ପରିସ୍ଥିତିରୁ ସୁଧାର ଆଣିବା ଲକ୍ଷ୍ୟରେ ଅଖିଳ ଭାରତୀୟ ଗ୍ରାହକ କଳ୍ୟାଣ ପରିଷଦ, ଓଡ଼ିଶା ଶାଖା ଦୃଢ ପଦକ୍ଷେପ ନେବାର ଶପଥ ନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ କେଦାର ଲେନରେ ଥିବା ଉତ୍କଳ ଖଦୀ ମଣ୍ଡଳ (ମହାତ୍ମା ଗାନ୍ଧୀ ଭବନ) ପରିସରରେ ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛି।

ଉକ୍ତ କାର୍ଯ୍ୟାଳୟକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ଲୋକସଭା ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଓ ଖଦୀ ମଣ୍ଡଳର ସଭାପତି ତଥା ସଂଗଠନର ରାଜ୍ୟ ସଭାପତି ବର୍ଷିୟାନ ଗାନ୍ଧିବାଦୀ ନେତା ବୈଷ୍ଣବ ଚରଣ ଦାସଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସହ ବିଶ୍ୱ ଉପଭୋକ୍ତା ଅଧିକାର ସପ୍ତାହ ପାଳନ ଉପଲକ୍ଷେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ, ଓଡ଼ିଶା ଶାଖା ଓ ଭାରତୀୟ ମାନକ ବ୍ୟୁରୋର ମଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା।

ଏହି ସଭାରେ ମାନ୍ୟବର ସାଂସଦ, ମାନ୍ୟବର ମନ୍ତ୍ରୀ, ସଂଗଠନର ରାଜ୍ୟ ସଭାପତି, ଭାରତୀୟ ମାନକ ବ୍ୟୁରୋ ଓଡ଼ିଶା କାର୍ଯ୍ୟାଳୟର ନିର୍ଦ୍ଦେଶକ ଦିବେନ୍ଦୁ ଚକ୍ରବର୍ତ୍ତୀ, ସମାଜସେବୀ ଚିଦାମ୍ବିକା ଖଟୁଆ, ସମାଜସେବୀ ଲୋରା ମହାପାତ୍ର, ସଂଗଠନର ମୁଖ୍ୟ କାର୍ଯ୍ୟକାରୀ ସଭାପତି ଅଶୋକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଉକ୍ତ ସଭାକାର୍ଯ୍ୟ ପ୍ରାରମ୍ଭରେ ସଂଗଠନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ପରେ ରାଜ୍ୟ ସାଧାରଣ ସମ୍ପାଦକ ସୁନାକର ବେହେରା, ସଂଗଠନର ଭିତ୍ତିଭୂମି ଓ ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସଂଗଠନର ରାଜ୍ୟ ସଭାପତି ବୈଷ୍ଣବ ଚରଣ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆଗେଇ ଚାଲିଥିଲା।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଉପଭୋକ୍ତାଙ୍କ ଅଧିକାର ସମ୍ପର୍କରେ ଉପସ୍ଥିତି ବିଭିନ୍ନ ଜିଲ୍ଲା, ବ୍ଲକସ୍ତରରୁ ଆସିଥିବା ଉପଭୋକ୍ତା କର୍ମୀମାନଙ୍କୁ ମାର୍ଗଦର୍ଶନ କରିବା ପରେ ଏ ଦିଗରେ କାର୍ଯ୍ୟ କରି ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିବା ୮ଜଣ ଉପଭୋକ୍ତା କର୍ମୀଙ୍କୁ ମାନ୍ୟବର ସାଂସଦ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସଂଗଠନର କାର୍ଯ୍ୟାଳୟ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସ୍ୱାଇଁଙ୍କ ଫୋନ ନଂ-୯୮୬୧୮୬୯୯୨୭ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରାଙ୍କ ଫୋନ୍ ନଂ-୯୨୩୮୦୫୮୧୨୯ ନମ୍ବରରେ ଯୋଗାଯୋଗ କରି ସମସ୍ୟା ସମାଧାନର ମାର୍ଗଦର୍ଶନ ନେଇପାରିବେ ବୋଲି ଘୋଷଣା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସମାଜସେବୀ ମନୋରଞ୍ଜନ ମହାନ୍ତି, ସଂଗଠନର ଜିଲ୍ଲା ସଭାପତି ପ୍ରଳୟ ପଟ୍ଟନାୟକ, ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ମହେନ୍ଦ୍ର ମହାପାତ୍ର, ଉତ୍କଳ ଖଦୀ ମଣ୍ଡଳର ତତ୍ତ୍ୱାବଧାରକ ପ୍ରଭାସ କୁମାର ସେଠୀଙ୍କ ସମେତ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଓଡ଼ିଶା ମହିଳା ମଣ୍ଡଳର ରାଜ୍ୟ ସଭାନେତ୍ରୀ ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରି କାର୍ଯ୍ୟକୁ ସଫଳତାର ସହ ଆଗେଇ ନେଇଥିଲେ। ସଭା ଶେଷରେ ସଂଗଠନର ରାଜ୍ୟ କୋଷାଧ୍ୟକ୍ଷ ଯଶୋବନ ରାଉତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।