Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଓ ୨୦ ପ୍ରତିଶତ ଚିନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଝୋଟ ବର୍ଷ ୨୦୨୩-୨୪ (ଜୁଲାଇ ୧, ୨୦୨୩ରୁ ୩୦ ଜୁନ୍, ୨୦୨୪) ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ପାଇଁ ସଂରକ୍ଷଣ ନିୟମକୁ ଅନୁମୋଦନ କରିଛି। ଝୋଟ ବର୍ଷ ୨୦୨୩-୨୪ ପାଇଁ ଅନୁମୋଦିତ ହୋଇଥିବା ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ଅନୁଯାୟୀ ଖାଦ୍ୟଶସ୍ୟର ଶତ ପ୍ରତିଶତ ସଂରକ୍ଷଣ ଏବଂ ୨୦ ପ୍ରତିଶତ ଚିନିକୁ ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ।

ବର୍ତ୍ତମାନର ପ୍ରସ୍ତାବରେ ସଂରକ୍ଷଣ ନିୟମ ଭାରତରେ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନର ହିତକୁ ଆହୁରି ସୁରକ୍ଷିତ କରିବ, ଯାହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅନୁରୂପ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଝୋଟ ପ୍ୟାକେଜିଂ ସାମଗ୍ରୀରେ ପ୍ୟାକେଜିଂ ପାଇଁ ସଂରକ୍ଷଣ ଦେଶରେ ଉତ୍ପାଦିତ କଞ୍ଚା ଝୋଟର ପ୍ରାୟ ୬୫% (୨୦୨୨-୨୩ରେ) ବ୍ୟବହାର କରାଯାଏ । ଜେପିଏମ୍ ଆଇନର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସରକାର ଝୋଟ ମିଲ୍ ଓ ଆନୁସଙ୍ଗିକ ୟୁନିଟ୍‌ରେ ନିୟୋଜିତ ୪ ଲକ୍ଷ ଶ୍ରମିକଙ୍କୁ ଆଶ୍ୱସ୍ତି ଦେବା ସହ ପ୍ରାୟ ୪୦ ଲକ୍ଷ କୃଷକ ପରିବାରର ଜୀବିକା ନିର୍ବାହରେ ସହାୟକ ହେବେ। ଏହାବ୍ୟତୀତ ଏହା ପରିବେଶ ସୁରକ୍ଷାରେ ସହାୟକ ହେବ କାରଣ ଝୋଟ ପ୍ରାକୃତିକ, ଜୈବ-ଅବକ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାରଯୋଗ୍ୟ ଫାଇବର ଏବଂ ତେଣୁ ଏହା ସମସ୍ତ ସ୍ଥାୟିତା ମାନଦଣ୍ଡ ପୂରଣ କରେ।

ଝୋଟ ଶିଳ୍ପ ସାଧାରଣତଃ ଭାରତର ଜାତୀୟ ଅର୍ଥବ୍ୟବସ୍ଥା ଏବଂ ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ପୂର୍ବାଞ୍ଚଳ, ବିଶେଷ କରି ପଶ୍ଚିମବଙ୍ଗରେ ଏହା ଅନ୍ୟତମ ପ୍ରମୁଖ ଶିଳ୍ପ ।

ଜେପିଏମ୍ ଆଇନ ଅଧୀନରେ ସଂରକ୍ଷଣ ନିୟମ ଅନୁଯାୟୀ ଝୋଟ କ୍ଷେତ୍ରରେ ୪ ଲକ୍ଷ ଶ୍ରମିକ ଏବଂ ୪୦ ଲକ୍ଷ କୃଷକଙ୍କୁ ସିଧାସଳଖ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଜେପିଏମ୍ ଆଇନ ୧୯୮୭ ଝୋଟ କୃଷକ, ଶ୍ରମିକ ଏବଂ ଝୋଟ ସାମଗ୍ରୀ ଉତ୍ପାଦନରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିଥାଏ। ଝୋଟ ଶିଳ୍ପର ମୋଟ ଉତ୍ପାଦନର ୭୫% ହେଉଛି ଝୋଟ ବସ୍ତା, ଯେଉଁଥିରୁ ୮୫% ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏ)କୁ ଯୋଗାଣ କରାଯାଏ ଏବଂ ଅବଶିଷ୍ଟ ସିଧାସଳଖ ରପ୍ତାନି/ବିକ୍ରୟ କରାଯାଏ।

ଭାରତ ସରକାର ପ୍ରତିବର୍ଷ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ପ୍ରାୟ ୧୨,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣନ୍ତି, ଯାହା ଫଳରେ ଝୋଟ କୃଷକ ଏବଂ ଶ୍ରମିକଙ୍କ ଉତ୍ପାଦ ପାଇଁ ନିଶ୍ଚିତ ବଜାର ସୁନିଶ୍ଚିତ ହୋଇଥାଏ।

ଝୋଟ ବସ୍ତାର ହାରାହାରୀ ଉତ୍ପାଦନ ପ୍ରାୟ ୩୦ ଲକ୍ଷ ବେଲ୍ସ (୯ ଲକ୍ଷ ମେଟ୍ରିକ୍ ଟନ୍) ଏବଂ ଝୋଟ କୃଷକ, ଶ୍ରମିକ ଓ ଝୋଟ ଶିଳ୍ପରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଝୋଟ ବସ୍ତାର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ବର୍ଷ ରାଜ୍ୟରୁ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ହେଲା ଉତ୍ପାଦନ

ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନ୍‌ରୁ ଊର୍ଦ୍ଧ୍ୱ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା।

ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍ ଟନ ହେବାବେଳେ ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଉତ୍ପାଦନର ଆକଳନ କରାଯାଇଛି।

ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଡାଲିଜାତୀୟ ଶସ୍ୟ ଉତ୍ପାଦନ ମଧ୍ୟରେ ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ, କୋଳଥ ୯୧ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ମଟର ୨୯ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ମସୁର ୭ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ବରଗୁଡ଼ି ୬୮ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ୍ ଟନ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ରେ ବିତରଣ ପାଇଁ ଆବଶ୍ୟକ ଅତିରିକ୍ତ ଖାଦ୍ୟଶସ୍ୟର ଚାହିଦା ପୂରଣ କରିବା ଲାଗି କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ହୋଇ ରହିଛି। ୧ ଅକ୍ଟୋବର, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୦୫ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ରୀୟ ପୁଲରେ ଗଚ୍ଛିତ ରହିଛି। ଏହି ପରିମାଣ ବଫର ଷ୍ଟକ ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ।

ଏନଏଫଏସଏ ଅଧୀନରେ ଆବଶ୍ୟକ ଚାହିଦାକୁ ପୂରଣ କରିବା ପରେ, ଅନ୍ୟ କଲ୍ୟାଣମୂଳକ ଯୋଜନା ଏବଂ ପିଏମଜିକେଏୱାଇର ସପ୍ତମ ପର୍ଯ୍ୟାୟ ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ ବିତରଣ କରିବା ପରେ ମଧ୍ୟ ୧ ଏପ୍ରିଲ ୨୦୨୩ ସୁଦ୍ଧା କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ପରିମାଣରେ ଷ୍ଟକ ଉପଲବ୍ଧ ରହିବ ଯାହାକି ବଫର ସର୍ତ୍ତାବଳୀ ଠାରୁ ଅଧିକ ଏବଂ ଅତିରିକ୍ତ ହୋଇଥିବ। ସବୁ ଆବଶ୍ୟକତା ପୂରଣ କରିବା ପରେ ୧ ଏପ୍ରିଲ ୨୦୨୩ ସୁଦ୍ଧା ଆନୁମାନିକ ୧୧୩ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୨୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ରହିଥିବ। ଏହା ବଫର ସର୍ତ୍ତାବଳୀ/ପରିଚାଳନା ଆବଶ୍ୟକତା ଯଥାକ୍ରମେ ୭୫ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୧୩୬ ଲକ୍ଷ ମେଟ୍ରିକ ଟନ ଚାଉଳ ଠାରୁ ଯଥେଷ୍ଟ ଅଧିକ।

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ ଖରିଫ ଧାନ କ୍ରୟ ଆରମ୍ଭ ହୋଇସାରିଛି। ୧୬ ଅକ୍ଟୋବର ୨୦୨୨ ସୁଦ୍ଧା ପ୍ରାୟ ୫୮ ଲକ୍ଷ ମେଟ୍ରିକ ଟନ ଧାନ (୩୯ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯାଇ ସାରିଛି। ଏହି ପରିମାଣ ୨୦୨୧-୨୨ ଖରିଫ ବିପଣନ ଋତୁରେ କିଣାଯାଇଥିବା ଧାନ ତୁଳନାରେ ଯଥେଷ୍ଟ ଅଧିକ। ଦେଶରେ ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହୋଇଛି ଏବଂ ଧାନ ଫସଲ ଅମଳ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି।

ଚଳିତ ୨୦୨୨-୨୩ ଖରିଫ ବିପଣନ ଋତୁରେ, ୭୭୧ ଲକ୍ଷ ମେଟ୍ରିକ ଟନ ଧାନ (୫୧୮ ଲକ୍ଷ ମେଟ୍ରିକ ଟନ ଚାଉଳ) କିଣାଯିବ ବୋଲି ଆକଳନ କରାଯାଇଛି। ରବି ଧାନକୁ ମିଶାଇଲେ, ସମ୍ପୂର୍ଣ୍ଣ ୨୦୨୨-୨୩ ଖରିଫ ବିପଣନ ଋତୁରେ ୯୦୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଏପ୍ରିଲ ୨୦୨୩ ପରଠାରୁ ଗହମ କ୍ରୟ ଆରମ୍ଭ ହେବ। ଦେଶରେ ଏ ବର୍ଷ ଭଲ ବୃଷ୍ଟିପାତ ହୋଇଥିବାରୁ ପରବର୍ତ୍ତୀ ରବି ଋତୁରେ ଗହମ ଉତ୍ପାଦନ ଏବଂ କ୍ରୟ ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି।

‘‘ନ୍ୟୁଟ୍ରି ସେରେଲ୍ସ’’ କୁହାଯାଉଥିବା ମୋଟା ଶସ୍ୟର ଉଚ୍ଚ ପୋଷକ ତତ୍ତ୍ୱକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୨୨-୨୩ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅଧୀନରେ  ୧୩.୭୨ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୨୧-୨୨ ଖରିଫ ବିପଣନ ଋତୁରେ ସରକାର ୬.୩୦ ଲକ୍ଷ ମେଟ୍ରିକ ଟନ୍‌ ମୋଟା ଶସ୍ୟ କିଣିଥିଲେ।

କୋଭିଡ – ୧୯ କାରଣରୁ ଦେଶର ଗରିବ ଲୋକମାନଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଗରିବଙ୍କ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପିଡିଏସ ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ମିଳୁଥିବା ଖାଦ୍ୟଶସ୍ୟ ବ୍ୟତୀତ ପିଏମଜିକେଏୱାଇ ଅଧୀନରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଏଥିପାଇଁ ମୋଟ୍‌ ୧୧୨୧ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପିଏମଜିକେଏୱାଇ ଅଧୀନରେ ଆବଣ୍ଟନ କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ମୋଟ୍‌ ୩.୯୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି। ଏଭଳି ବିପୁଳ ପରିମାଣରେ ଖାଦ୍ୟଶସ୍ୟ ସାଧାରଣ ଲୋକଙ୍କ ଯୋଗାଇ ଦିଆଯିବା ସହିତ ରପ୍ତାନି ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଛି, ଯାହାଫଳରେ ଏସବୁ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟ ତୁଳନାରେ ଘରୋଇ ବଜାରରେ ଦରଦାମ ବୃଦ୍ଧିକୁ ସ୍ଥିର ରଖାଯିବା ସମ୍ଭବ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଦେଇଛି। କେନ୍ଦ୍ର କ୍ୟାବିନେଟରେ ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଥିଲା।

ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମାଗଣାରେ ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। ଲୋକଙ୍କୁ ଆସନ୍ତା ଦୁଇ ମାସ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇବ। ଆସନ୍ତା ମେ’ ଏବଂ ଜୁନ ମାସରେ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏଥିରେ ଦେଶର ୮୦ କୋଟି ଲୋକ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ବଣ୍ଟନ କରାଯିବ। ଏହି ଯୋଜନାରେ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଥିଲେ। ଏହା ଦ୍ଵାରା ତିନିମାସ (ଏପ୍ରିଲରୁ ଜୁନ୍‌) ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇଥିଲା। ପରେ ଏହି ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।