Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି।

ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦିଆଯାଇଛି। ଅନୁରୂପ ଭାବେ ୫ ଗୋଟି ଫୁଡ ଷ୍ଟଲ କୁ ୧୯ ଶହ ଟଙ୍କାର ଜରିମାନା ମଧ୍ୟ ପଡିଥିବାର ସିଡ଼ିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିପରି ଭାବେ ଏକାଧିକ ଫୁଡ ଷ୍ଟଲରେ ମଦ ଚଢ଼ାଉ ବି କରାଯାଇଥିବା ଜଣାପଡିଛି। ପରିଶେଷରେ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ ଏବଂ ସ୍ୱଛତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ଏହିପରି ଚଢ଼ାଉ ଆଗାମୀ ଦିନରେ ବାଣପୁର-ବାଲୁଗାଁ ଅଞ୍ଚଳରେ ଜୋରଦାର ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ କୁ ବାଣପୁର ବାସି ସ୍ୱାଗତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।