Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁର ବିଭିନ୍ନ ଖାଦ୍ୟ ଦୋକାନଗୁଡିକ ଉପରେ ଅଚାନକ ଚଢାଉ, ହେଲା କାର୍ଯ୍ୟାନୁଷ୍ଠାନ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ଦୋକାନୀମାନେ ଅପମିଶ୍ରିତ ଏବଂ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏ ନେଇ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ।

ସିଡ଼ିଏମଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସଂନ୍ଧ୍ୟାରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ଼ ଅଧିକାରୀ ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ବାଣପୁର-ବାଲୁଗାଁ ଅଞ୍ଚଳର ୨୫ ଗୋଟି ହୋଟେଲ, ରେସ୍ତୁରା ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପାଖାପାଖି ୪୦ କେଜି ବାସି ଖାଦ୍ୟ, ଖାଦ୍ୟ ରଙ୍ଗ ଏବଂ ନିମ୍ନମାନର ଖାଦ୍ୟ ଆଦିକୁ ନଷ୍ଟ କରାଯାଇଥିଲା। ତତସହିତ ୮ ହାଜର ୫୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ ହୋଇଥିବାର ଜଣାପଡିଛି।

ସେହିପରି ଭାବେ ସମସ୍ତ ଦୋକାନୀମାନଙ୍କୁ ନିଜ ନିଜ ଦୋକାନରେ ସ୍ୱଛତା ବଜାୟ ରଖିବା ସହ ଉନ୍ନତ ମାନର ଖାଦ୍ୟ ବିକ୍ରି ପାଇଁ ତାଗିଦ କରିଥିଲେ ଉକ୍ତ ଅଧିକାରୀ। ତେବେ ଉକ୍ତ ଚଢ଼ାଉ ଦେଖି ବହୁ ଖାଦ୍ୟ ଦୋକାନି ଦୀର୍ଘ ସମୟ ଯାଏଁ ସେମାନଙ୍କ ଦୋକାନକୁ ବନ୍ଦ ରଖିଥିବାର ଦେଖାଯାଇଥିଲା।

ତେବେ ଏହିପରି ଛଦ୍ମ ଚଢ଼ାଉ ଆଗକୁ ମଧ୍ୟ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ସିଡ଼ିଏମଓ କହିଛନ୍ତି।