Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଘୋଷଣା କଲେ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ଯୁବ ଓ ଆଶାୟୀ ପାରା ଆଥଲେଟ୍‌ (ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌)ମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଘୋଷଣା କରିଛନ୍ତି। ଏହା  ଡିସେମ୍ବର ୧୦ରୁ ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି, ‘‘ମୁଁ ଗର୍ବର ସହ ଘୋଷଣା କରୁଛି ଯେ ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଅନୁଷ୍ଠିତ ହେବ। ୩ଟି ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଷ୍ଟାଡିୟମରେ ମୋଟ ୭ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ।’’

ଦେଶରେ ପାରା କ୍ରୀଡ଼ାର ବିକାଶ ଦିଗରେ ସରକାରଙ୍କ ପ୍ରୟାସ ଦିଗରେ ଏହି ଘୋଷଣା ଏକ ବଡ଼ ପଦକ୍ଷେପ ଏବଂ ଏହି ପ୍ରତିଯୋଗିତା ପ୍ରତିଭାବାନ ପାରା ଆଥଲେଟ୍‌ମାନଙ୍କୁ ଚିହ୍ନଟ କରିବାରେ ସହାୟକ ହେବ, ଯେଉଁମାନଙ୍କୁ ସାଇ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଉପଯୁକ୍ତ ସହଯୋଗରେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅଧିକ ସହାୟତା ପ୍ରଦାନ କରାଯିବ।

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଛନ୍ତି, ଖେଲୋ ଇଣ୍ଡିଆ ଯୋଜନା ଭାରତୀୟ କ୍ରୀଡ଼ା ପାଇଁ ଏକ ଯୁଗାନ୍ତକାରୀ ଯୋଜନା ସାବ୍ୟସ୍ତ ହୋଇଛି। ଖେଲୋ ଇଣ୍ଡିଆ ଗେମ୍ସ ଏହି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ୨୦୧୮ ରୁ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସ ଆୟୋଜନ କରାଯାଇଛି । ୫ଟି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ୩ଟି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ସଫଳତାର ସହ ଆୟୋଜନ କରାଯାଇଛି।

ଏହି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ମଧ୍ୟରୁ ଆମେ ପ୍ରାୟ ୧୦୦୦ ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅଲିମ୍ପିକ୍ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ଆଗାମୀ ଅଲିମ୍ପିକ୍ସରେ ଭାଗ ନେଉଥିବା ପାରା ଆଥଲେଟମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସର୍ଭିସେସ୍‌ ସ୍ପୋର୍ଟସ୍‌ କଣ୍ଟ୍ରୋଲ ବୋର୍ଡ ସମେତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୩୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଥିରେ ପାରା ଆଥଲେଟିକ୍ସ, ପାରା ସୁଟିଂ, ପାରା ଆର୍ଚରୀ, ପାରା ଫୁଟବଲ, ପାରା ବ୍ୟାଡମିଣ୍ଟନ, ପାରା ଟେବୁଲ ଟେନିସ ଏବଂ ପାରା ଭାରୋତ୍ତୋଳନ ସମେତ ୭ଟି ବିଭାଗରେ ପାରା ଆଥଲେଟ୍‌ମାନେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଇଜି ଷ୍ଟାଡିୟମ, ତୁଘଲକାବାଦର ସୁଟିଂ ରେଞ୍ଜ ଏବଂ ଜେଏଲଏନ ଷ୍ଟାଡିୟମ ଭଳି ୩ଟି ସାଇ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ନିକଟରେ ହାଙ୍ଗଝୌଠାରେ ଶେଷ ହୋଇଥିବା ଏସୀୟ ପାରା ଗେମ୍ସରେ ଅଭୂତପୂର୍ବ ୧୧୧ ପଦକ ଜିତିଥିବା ଭାରତୀୟ ପାରା ଆଥଲେଟଙ୍କ ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଜୋର୍‌ ଦେଇ କହିଛନ୍ତି, ଖେଲୋ ଇଣ୍ଡିଆ ପାରା ଗେମ୍ସ ବାର୍ଷିକ ଆୟୋଜନ ହେଉଥିବା ପ୍ରତିଯୋଗିତାରେ ପାରା ଆଥଲେଟମାନଙ୍କୁ ନିରନ୍ତର ଅଭ୍ୟାସ ପ୍ରଦାନ କରିବାକୁ ଲକ୍ଷ୍ୟ ରଖଛି।

‘‘କିଛି ସପ୍ତାହ ତଳେ ଆମର ପାରା କ୍ରୀଡ଼ାବିତ୍‌ମାନେ ହାଙ୍ଗଝୌ ଏସୀୟ ପାରା ଗେମ୍ସ ଅଭିଯାନକୁ ଅଭୂତପୂର୍ବ ୧୧୧ ପଦକ ସହ ଶେଷ କରି ଇତିହାସ ରଚିଥିଲେ, ଯାହା କି କୌଣସି ପ୍ରମୁଖ ଅନ୍ତର୍ଜାତୀୟ ବହୁ-କ୍ରୀଡ଼ା ଇଭେଣ୍ଟରେ ଦେଶ ପାଇଁ ସବୁଠାରୁ ବଡ଼ ସଫଳତା। ବର୍ତ୍ତମାନ ପାରା ଗେମ୍ସର ଲଗାତାର ଆୟୋଜନ ଏବଂ ପାରା ଅଲିମ୍ପିକ୍ କ୍ରୀଡ଼ା ପାଇଁ ଅଧିକ ପ୍ରତିଭା ବିକାଶ ସୃଷ୍ଟି କରିବା ଆମର ପ୍ରମୁଖ ଏଜେଣ୍ଡା। ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଦିଗରେ ଆଉ ଏକ ବଡ ପଦକ୍ଷେପ,’’ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

୨୦୧୮ ପରଠାରୁ ମୋଟ ୧୧ଟି ଖେଲୋ ଇଣ୍ଡିଆ ଗେମ୍ସ ସଫଳତାର ସହ ଆୟୋଜନ କରାଯାଇଛି। ଏଥିରେ ୫ଟି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୩ଟି ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଏବଂ ୩ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନ୍ତର୍ଭୁକ୍ତ। ଶ୍ରୀ ଠାକୁର କହିଛନ୍ତି ଯେ ଏହି କ୍ରୀଡ଼ା ଗୁଡ଼ିକ ସମଗ୍ର ଦେଶରେ ପ୍ରତିଭାଙ୍କୁ ଚିହ୍ନଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସମ୍ମାନଜନକ ବହୁ-ଶୃଙ୍ଖଳା ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନରେ ସହାୟକ ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କଲେ ଓଡ଼ିଶା କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ଏଚ୍‌ପିସିର ସାତ ଜଣ କ୍ରୀଡ଼ାବିତ୍ ଚମତ୍କାର ପ୍ରଦର୍ଶନ କରି ମୋଟ ସାତଟି ମେଡାଲ୍ ଜିତିଛନ୍ତି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ ପରଫରମାନ୍ସ ସେଂଟର୍‌ର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ୍‌ସ କହିଛନ୍ତି ଯେ, “ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ କ୍ରୀଡ଼ାବିତ୍‌ମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ତାଲିମ ସମୟରେ ସେମାନେ ନିଜ ଭିତରେ ଯଥା ସମ୍ଭବ ଉନ୍ନତି ଆଣିବାକୁ ଉଦ୍ୟମ କରିଥିଲେ ଯାହା ସେମାନେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି । ଆମର ସାତ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସମସ୍ତେ ବିଜେତା ଭାବେ ପୋଡିୟମ୍ ଦଖଲ କରି ପ୍ରତ୍ୟାବର୍ତନ କରିଛନ୍ତି ।’’

ନିକଟରେ ରାଂଚିରେ ଶେଷ ହୋଇଥିବା ସିନିୟର ଫେଡେରେସନ୍ କପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଜ୍ଞା ପ୍ରଶାନ୍ତୀ ସାହୁ ଏଠାରେ ୧୩.୬୩ ସେକେଣ୍ଡ୍ ସହ ୧୦୦ ମିଟର ବାଧାଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଚମତ୍କାର ପ୍ରତ୍ୟାବର୍ତନ କରିଛନ୍ତି । ଅଭିଷେକ ଦଳବେହେରା ୧୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନରେ ରହିବା ସହିତ ଚଳିତ ମାସରେ ଭୁବନେଶ୍ୱରରେ ହେବାକୁ ଥିବା ଆନ୍ତଃ-ରାଜ୍ୟ ଦୌଡ଼କୁଦ ଚାମ୍ପିଅନ୍‌ସିପ୍ ପାଇଁ ସେ ଯୋଗ୍ୟତା ସମୟ ମଧ୍ୟ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ।

କ୍ରୀଡ଼ାବିତ ପ୍ରଜ୍ଞା ସାହୁ କହିଛନ୍ତି ଯେ, “ସିନିୟର ଫେଡେରେସନ୍ କପ୍‌ରେ ମୋ ପ୍ରଦର୍ଶନ ପରେ ଏହି ବିଜୟ ମୋ ପାଇଁ ନିହାତି ଜରୁରୀ ଥିଲା, କାରଣ ସେଠାରେ ମୁଁ ଅଳ୍ପକେ ମେଡାଲ୍‌ରୁ ବଂଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲି। ଦ୍ରୁତ ଆରମ୍ଭ କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ତାହାକୁ ହାସଲ କରିବାରେ ସଫଳ ହୋଇଥିବାରୁ ମୁଁ ବେଶ ସନ୍ତୁଷ୍ଟ। ଉଚ୍ଚ ପ୍ରଦର୍ଶନ ଜାରି ରଖିବା ଏବଂ ପରବର୍ତୀ ପ୍ରତିଯୋଗିତା ପାଇଁ ତାଲିମ ନେବା ଲାଗି ଏହି ସ୍ୱର୍ଣ୍ଣ ପଦକ ମୋତେ ଉତ୍ସାହିତ କରିବ। ଆମ ପ୍ରଶିକ୍ଷକଙ୍କ ମୋ ଉପରେ ବିଶ୍ୱାସ ରହିଛି ଏବଂ ନିରନ୍ତର ପ୍ରଦର୍ଶନ ଜାରି ରଖିବାକୁ ମୁଁ ସୁନିଶ୍ଚିତ କରିବାକୁ ଚାହୁଛି।’’

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ସଂସ୍କରଣରେ ସାରା ଦେଶର ଶ୍ରେଷ୍ଠ ୨୦୫ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦୦ କ୍ରୀଡ଼ାବିତ୍‌ଙ୍କୁ ୨୧ ପ୍ରକାର ବିଭିନ୍ନ କ୍ରୀଡ଼ାରେ ୨୭ଟି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ଦେଖିବାକୁ ମିଳିଥିଲା । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଏଚ୍‌ପିସିର କ୍ରୀଡ଼ାବିତ୍‌ମାନେ ହେଉଛନ୍ତି:

ପ୍ରଜ୍ଞା ପ୍ରଶାନ୍ତୀ ସାହୁ ୧୩.୬୩ ସେକେଣ୍ଡ୍‌୍ ସହିତ ମହିଳା ୧୦୦ ମିଟର ବାଧାଦୌଡ଼ରେ ଜିତିଛନ୍ତି ସ୍ୱର୍ଣ୍ଣ

ସୁସ୍ମିତା ଟିଗା ୧୦:୪୨.୪୩ ସମୟ ସହିତ ମହିଳା ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ଜିତିଛନ୍ତି ସ୍ୱର୍ଣ୍ଣ

ମନିଷା ମେରେଲ୍ ମହିଳା ଲମ୍ବ ଡିଆଁରେ ୬ ମିଟର ଡିଆଁ ସହିତ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ଲାଲୁ ପ୍ରସାଦ ଭୋଇ ଓ ଅଭିଷେକ ଦଳବେହେରାଙ୍କୁ ପୁରୁଷ ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ରୌପ୍ୟ (୧୦.୬୦) ଓ ବ୍ରୋଞ୍ଜ (୧୦.୭୨) ପଦକ

ସ୍ୱାଧୀନ ମାଝି ୨.୧୧ ମିଟର ଡିଆଁ ସହ ପୁରୁଷ ଉଚ୍ଚ ଡିଆଁରେ ଜିତିଛନ୍ତି ରୌପ୍ୟ

ମୌମିତା ମଣ୍ଡଳ ୫.୮୭ ମିଟର ଡେଇଁ ମହିଳା ଲମ୍ବ ଡିଆଁରେ ଜିତିଛନ୍ତି ରୌପ୍ୟ ପଦକ

ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର ଏକ ମିଳିତ ସହଯୋଗିତା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍‌ସ ହାଇ-ପରଫରମାନ୍ସ ସେଂଟର ଭାରତର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶ୍ୱ ସ୍ତରୀୟ ପ୍ରଶିକ୍ଷଣ, ଉପକରଣ, କ୍ରୀଡ଼ା ଔଷଧ ଓ ଥଇଥାନ ଭଳି ବ୍ୟାପକ ସହଯୋଗ ପ୍ରଦାନ କରୁଛି। ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ୫୦ରୁ ଅଧିକ କ୍ରୀଡ଼ାବିତ୍ ପ୍ରଶିକ୍ଷଣ ହାସଲ କରୁଥିବା ବେଳେ ଏହି କେନ୍ଦ୍ର ଶୁଭାରମ୍ଭ ହେବା ପରଠାରୁ ଚମତ୍କାର ଫଳାଫଳ ପ୍ରଦାନ କରୁଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଲଂଚ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ( ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡା) ୨୦୨୨ (କେଆଇୟୁଜି ୨୦୨୧)ର ଲୋଗୋ, ଜର୍ସି, ମାସ୍କଟ ଏବଂ ସଂଗୀତ ଲଞ୍ଚ କରିବେ।

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ତୃତୀୟ ସଂସ୍କରଣ ମେ ୨୩ ରେ ଆରମ୍ଭ ହୋଇ ଜୁନ୍ ୩ ପର୍ଯ୍ୟନ୍ତ ଚାଲିବ; ଉଦଘାଟନୀ ସମାରୋହ ମେ ମାସ ୨୫ ତାରିଖରେ ଲକ୍ଷ୍ନୌର ବାବୁ ବନାରସୀ ଦାସ ବିଶ୍ୱ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଯୁବ ବ୍ୟାପାର ତଥା କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରମାଣିକ, ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

କେଆଇୟୁଜିର ଆଗାମୀ ସଂସ୍କରଣରେ ସାରା ଦେଶର ୨୦୦+ ବିଶ୍ୱ ବିଦ୍ୟାଳୟରୁ ୪୭୦୦ ରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ଏବଂ ମୋଟ ଅଂଶଗ୍ରହଣ ୭୦୦୦ ରୁ ଅଧିକ ହେବ। ଏହି ସଂସ୍କରଣରେ ୨୧ ପ୍ରକାରର ଖେଳ ଖେଳାଯିବ, ଯାହା ବିଶ୍ୱ ବିଦ୍ୟାଳୟ ଖେଳ ଇତିହାସରେ ସର୍ବାଧିକ। ରୋଇଂ ମଧ୍ୟ ପ୍ରଥମ ଥର ପାଇଁ ଏଥିରେ ସାମିଲ୍ କରାଯାଉଛି।

ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଖେଳ ଅନୁଷ୍ଠିତ ହେବ। ନୂଆଦିଲ୍ଲୀ ଠାରେ ଡକ୍ଟର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଶୁଟିଂ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରଥମ ଥର ପାଇଁ ରୋଇଂ ଭଳି ଜଳ କ୍ରୀଡା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ଏକ ଅଂଶ ବିଶେଷ ହେବ। କର୍ଣ୍ଣାଟକ ଠାରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ ସ୍ତରୀୟ କ୍ରୀଡାର ପୂର୍ବ ସଂସ୍କରଣର ଦୁଇଟି ଖେଳ ଭାବରେ ଦୁଇଟି ସ୍ୱଦେଶୀ କ୍ରୀଡ଼ା ମାଲଖମ୍ବ ଏବଂ ଯୋଗାସନକୁ ଅନ୍ତର୍ଭୁକ୍ତ କରା ଯାଇଥିଲା ଏବଂ ସେଗୁଡିକ ଏହି ସଂସ୍କରଣର ମଧ୍ୟ ଅଂଶ ହେବ। ଖେଳର ସିଧା ପ୍ରସାରଣ ଡିଡି ସ୍ପୋର୍ଟସ୍ ଏବଂ ଓଟିଟି ପ୍ଲାଟଫର୍ମରେ ହେବ।

Categories
ଆଜିର ଖବର ଜାତୀୟ ଖବର

ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ମିଳିଛି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ‘କ୍ରୀଡା’ ଏକ ରାଜ୍ୟ ବ୍ୟାପାର ହୋଇ ଥିବାରୁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ମୁଖ୍ୟ ରୂପରେ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ଉପରେ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସେମାନଙ୍କ ଉଦ୍ୟମକୁ ମଧ୍ୟ ସହଯୋଗ କରିଥାନ୍ତି। ଅବଶ୍ୟ ଏହି ମନ୍ତ୍ରଣାଳୟ ଏକ କେନ୍ଦ୍ରୀୟ ଯୋଜନା ଅର୍ଥାତ୍ ‘ଖେଲୋ ଇଣ୍ଡିଆ – କ୍ରୀଡ଼ାର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ’ ଯୋଜନା ଚଳାଇଛି, ଯାହା କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ସର୍ଗୀକୃତ ଅଟେ।

ଖେଲୋ ଇଣ୍ଡିଆ ଯୋଜନାର “କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନୟନ” ଯୋଜନା ଅନ୍ତର୍ଗତ ସମଗ୍ର ଦେଶରେ ୨୯୮ଟି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ମନ୍ତ୍ରଣାଳୟ ସାରା ଦେଶରେ ବିଭିନ୍ନ କ୍ରୀଡା ବିଭାଗରେ କ୍ରୀଡ଼ାବିତ୍ ମାନଙ୍କୁ ମଧ୍ୟ ସମର୍ଥନ କରିଥାଏ, ଯାହା ଖେଳ ପଡିଆ ଗୁଡିକର ବିକାଶ, ସାମୁଦାୟିକ ପ୍ରଶିକ୍ଷଣର ବିକାଶ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଖେଲୋ ଇଣ୍ଡିଆ କେନ୍ଦ୍ର ଗୁଡିକର ସ୍ଥାପନା କରିବା, ବାର୍ଷିକ ଜାତୀୟ ପ୍ରତିଯୋଗିତାର (ଖେଲୋ ଇଣ୍ଡିଆ ଗେମ୍ସ) ଆୟୋଜନ, ପ୍ରାଥମିକ କ୍ରୀଡା ବିଭାଗରେ ଦକ୍ଷ କ୍ରୀଡ଼ାବିତ୍ ମାନଙ୍କ ଚିହ୍ନଟ, କ୍ରୀଡା ଏକାଡେମୀ ଗୁଡିକର ସ୍ଥାପନା, ବିଭିନ୍ନ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଗୁଡିକ ମାଧ୍ୟମରେ ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା, କ୍ରୀଡ଼ା କ୍ଷେତ୍ରରେ ମହିଳା ମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ଉଗ୍ରବାଦ ତଥା ଆତଙ୍କବାଦ ପ୍ରଭାବିତ ଅଂଚଳ ଗୁଡିକରେ ଯୁବକ ମାନଙ୍କ ସକାରାତ୍ମକ ଅଂଶଗ୍ରହଣ ପାଇଁ କ୍ରୀଡା ପ୍ରତିଯୋଗିତା ଗୁଡିକର ଆୟୋଜନ, ପ୍ରୋତ୍ସାହନ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ମଧ୍ୟରେ କ୍ରୀଡା ଏବଂ ଗ୍ରାମୀଣ ଏବଂ ସ୍ୱଦେଶୀ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥାଏ।

ରାଷ୍ଟୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ (ଆର୍ୱାଇଏସ୍କେ) ଯୋଜନା ହେଉଛି ଏକ ଚାଲୁଥିବା କେନ୍ଦ୍ରୀୟ ଯୋଜନା, ଯାହାକି ମାନବ ସମ୍ବଳ ବିକାଶ ଉପରେ ବିଭାଗୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ ଏବଂ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗଙ୍କ ପରାମର୍ଶ ଅନୁସାରେ ନିଆ ଯାଇଥିବା ଯୁକ୍ତିଯୁକ୍ତ ଅଭ୍ୟାସରେ ଏକ ଛତ୍ର ଯୋଜନା ଭାବରେ ପ୍ରସ୍ତୁତ କରା ଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯେ ଏକ ଛତ୍ର ଯୋଜନା ଅନ୍ତର୍ଗତ ବିଭିନ୍ନ ଯୋଜନା ଗୁଡିକର ମିଶ୍ରଣ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଯୋଜନାର ପ୍ରଶାସନିକ ସଂରଚନାକୁ ଫଳପ୍ରଦ ଭାବରେ ବ୍ୟବହାର କରିବା। ଆର୍ୱାଇଏସ୍କେ ଯୋଜନା ଅଧୀନରେ ଥିବା ୭ ଟି ଉପ- ଯୋଜନା ଗୁଡ଼ିକ ହେଉଛି:

୧. ନେହେରୁ ଯୁବା କେନ୍ଦ୍ର ସଂଗଠନ
୨. ଜାତୀୟ ଯୁବ ଦଳ
୩. ଯୁବ ଏବଂ କିଶୋର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ
୪. ଅନ୍ତର୍ଜାତୀୟ ସହଯୋଗ
୫. ଯୁବ ହଷ୍ଟେଲ
୬. ସ୍କାଉଟିଙ୍ଗ୍ ଏବଂ ଗାଇଡ୍ ସଂସ୍ଥାଗୁଡ଼ିକୁ ସହାୟତା
୭. ଜାତୀୟ ଯୁବ ନେତା କାର୍ଯ୍ୟକ୍ରମ

ନେହରୁ ଯୁବା କେନ୍ଦ୍ର ସଂଗଠନ (ଏନ୍ୱାଇକେଏସ୍) ହେଉଛି ମନ୍ତ୍ରଣାଳୟ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି, ଯାହା ୨୯ ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ କାର୍ଯ୍ୟାଳୟ ଏବଂ ୬୨୩ ଜିଲ୍ଲା ସ୍ତରୀୟ ନେହରୁ ଯୁବା କେନ୍ଦ୍ର ମାଧ୍ୟମରେ ସାରା ଦେଶରେ ବ୍ୟାପି ରହିଛିି। ଆର୍ୱାଇଏସ୍କେର ନିମ୍ନଲିଖିତ ଉପ ଯୋଜନା ଗୁଡିକୁ ଏନ୍ୱାଇକେଏସ୍ ମାଧ୍ୟମରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକର ଯୋଜନା ସହିତ ସେମାନଙ୍କର ବଜେଟ୍ ସହାୟତା ଏବଂ ସ୍ୱେଚ୍ଛାକୃତ ଭିତ୍ତିରେ କାର୍ଯ୍ୟକାରୀ କରାଯାଏ।

ନ୍ୟାସନାଲ ୟୁଥ୍ କର୍ପସ (ଏନ୍ୱାଇସି): ଏନ୍ୱାଇକେଏସ୍ର ବିସ୍ତାରିତ ଶାଖା ଭାବରେ କାର୍ଯ୍ୟ କରିବା ଏବଂ ଏନ୍ୱାଇକେଏସ୍ର କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏନ୍ୱାଇକେଏସ୍ କାର୍ଯ୍ୟାଳୟ ଏବଂ ୟୁଥ୍ କ୍ଲବ୍ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବା ନିମନ୍ତେ ଦେଶର ପ୍ରତ୍ୟେକ ବ୍ଲକ୍ରେ ଦୁଇ ଜଣ ଜାତୀୟ ଯୁବ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତି ମାସରେ ସ୍ୱେଚ୍ଛାସେବୀ ମାନଙ୍କୁ ଦେୟ ଭାବେ ୫,୦୦୦ ଟଙ୍କା ପ୍ରଦାନ କରାଯାଏ।

ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମଧ୍ୟ ପ୍ରଦେଶକୁ ୫ମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆୟୋଜକ ଭାବରେ ଘୋଷଣା

ଦିଲ୍ଲୀ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆଗାମୀ ସଂସ୍କରଣ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ। ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ପ୍ରଦାନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତା ୨୦୨୩ ର ଜାନୁୟାରୀ ୩୧ ତାରିଖରୁ ୧୧ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି।

ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ, ନିଶିଥ ପ୍ରମାଣିକ; ମଧ୍ୟ ପ୍ରଦେଶ ରାଜ୍ୟର କ୍ରୀଡା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ; କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ; ଭାରତୀୟ କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତଥା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମଧ୍ୟ ପ୍ରଦେଶ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହାନ କହିଥିଲେ ଯେ, “ମଧ୍ୟ ପ୍ରଦେଶକୁ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଆୟୋଜନ କରିବାର ସୁଯୋଗ ପ୍ରଦାନ କରି ଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ଆମେ ଏହାକୁ ସବୁଠାରୁ ସ୍ୱତନ୍ତ୍ର ଖେଲୋ ଇଣ୍ଡିଆ ଗେମ୍ସରେ ପରିଣତ କରିବାକୁ ପ୍ରତିଜ୍ଞା କରୁଛୁ ଏବଂ ଆମର ‘ଅତିଥି ଦେବୋ ଭବ’ ର ଦର୍ଶନକୁ ଆଖି ଆଗରେ ରଖି ଆମେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବୁ।

“ଆମ ମଧ୍ୟ ପ୍ରଦେଶରେ ବନ୍ଧୁକ ଚାଳନା ଏବଂ ଜଳ କ୍ରୀଡା ଏକାଡେମୀ ଗୁଡିକ ପରି ବିଶ୍ୱ ସ୍ତରୀୟ କ୍ରୀଡା ଷ୍ଟାଡିୟମ ଅଛି। ଅନେକ ପ୍ରକାରର ଅନ୍ୟାନ୍ୟ ସୁବିଧା ମଧ୍ୟ ଆଗକୁ ପ୍ରଦାନ କରାଯିବାର ଯୋଜନା ରହିଛି। ଭିତ୍ତିଭୂମି କ୍ଷେତ୍ରରେ ବୃଦ୍ଧି ପାଉଥିବା ବିକାଶ ଏବଂ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଆୟୋଜନ କରିବାର ସୌଭାଗ୍ୟ ସହିତ ମୁଁ ନିଶ୍ଚିତ ଯେ ମଧ୍ୟ ପ୍ରଦେଶରେ ଆଗକୁ ଏକ କ୍ରୀଡ଼ା ବିପ୍ଳବ ଘଟିବ” ବୋଲି ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱଦେଶୀ ଖେଳ ପୁଣି ଥରେ ଆଗାମୀ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ (କେଆଇୱାଇଜି)ର ଏକ ଅଂଶ ବିଶେଷ ହେବ ବୋଲି ଉଲ୍ଲେଖ କରି ଅନୁରାଗ ସିଂହ ଠାକୁର କହିଥିଲେ ଯେ “ଅଲିମ୍ପିକ୍ କ୍ରୀଡା ଏବଂ ସ୍ୱଦେଶୀ କ୍ରୀଡାକୁ ସମାନ ଢଙ୍ଗରେ ସମର୍ଥନ କରିବା ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ଥିଲା। ମୁଁ ମଧ୍ୟ ପ୍ରଦେଶକୁ ଧନ୍ୟବାଦ ଦେଉଛି, ଯେଉଁଠାରେ ମଲ୍ଲଖମ୍ବ ଖେଳକୁ ରାଜ୍ୟ କ୍ରୀଡାର ମାନ୍ୟତା ପ୍ରଦାନ କରା ଯାଇଛି।”

“କ୍ରୀଡା ଏକ ରାଷ୍ଟ୍ର ବିଷୟ। ମୁଁ ଖୁସି ଯେ ମଧ୍ୟ ପ୍ରଦେଶ ପରି ରାଜ୍ୟମାନେ ଆମର କ୍ରୀଡା ପାରିବେଶିକ ବ୍ୟବସ୍ଥା ଗଠନରେ ନିଜେ ଅଂଶ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, “ ସମସ୍ତ ରାଜ୍ୟ ଏଥିରୁ ଶିକ୍ଷାଲାଭ କରିବା ଉଚିତ ଏବଂ ଏହା ବୁଝିବା ଉଚିତ ଯେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ପାଇଁ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପଡିବ। ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଖେଳ ମହାକୁମ୍ବ ଏବଂ ମୁଖ୍ୟମନ୍ତ୍ରୀଙ୍କ କପ୍ (ମଧ୍ୟ ପ୍ରଦେଶ) ଭଳି କ୍ରୀଡା କାର୍ଯ୍ୟକ୍ରମ ଗୁଡିକର ଭୂମିକାକୁ ସେ ବହୁତ ପ୍ରଶଂସା କରିଥିଲେ। ଅନୁରାଗ ସିଂହ ଠାକୁର ଏହା ମଧ୍ୟ ଦୋହରାଇ ଥିଲେ ଯେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଦେଶରେ କ୍ରୀଡା ଏବଂ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିଛି। ଏହି କାରଣରୁ ଗତ ଥର ହରିୟାଣା ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ୧୨ ଟି ଜାତୀୟ ରେକର୍ଡ ଭାଙ୍ଗିଛି ବୋଲି ସେ ସୂଚନା ଦେଇଥିଲେ।

ତାଙ୍କର ଶୁଭେଚ୍ଛା ଜଣାଇ ନିଶିଥ ପ୍ରମାଣିକ ଆହୁରି ମଧ୍ୟ କହିଥିଲେ ଯେ, “ମଧ୍ୟ ପ୍ରଦେଶ ସରକାର ବର୍ଷ ବର୍ଷ ଧରି ଖେଳାଳି ମାନଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରି ଆସିଛନ୍ତି। ପ୍ରତ୍ୟେକ ରାଜ୍ୟ ଏଥିରୁ ଏକ ଉଦାହରଣ ନେବା ଉଚିତ ଯେ ଖେଳାଳି ମାନଙ୍କୁ ସେମାନଙ୍କର ସଫଳତାର ଶିଖରରେ ପହଂଚିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ କିପରି ରୂପ ନେଉଛି। ମୁଁ ନିଶ୍ଚିତ ଯେ ‘ମହାକାଳଙ୍କ ଭୂମି’ ରେ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ସବୁଠାରୁ ସ୍ୱତନ୍ତ୍ର ହେବ।”

ଯଶୋଧାରା ରାଜେ କହିଥିଲେ ଯେ, ଭାରତରେ କ୍ରୀଡା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ସରକାର କାର୍ଯ୍ୟ କରିଛନ୍ତି। ଭାରତୀୟ ଖେଳାଳି ମାନେ ସାରା ବିଶ୍ୱରେ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ବିଶେଷ କରି ଆମର ଝିଅ ମାନେ ପଦକ ଜିତି କ୍ରୀଡ଼ା କ୍ଷେତ୍ରରେ ଭାରତର ଗର୍ବ ଗୌରବକୁ କ୍ରମାଗତ ଭାବରେ ବୃଦ୍ଧି କରୁଛନ୍ତି ବୋଲି ସେ କହିଥିଲେ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଆଗାମୀ ସଂସ୍କରଣରେ ସମୁଦାୟ ୨୭ ଟି ଶୃଙ୍ଖଳା (କ୍ରୀଡା) ପ୍ରଦର୍ଶିତ ହେବ; ଏହି ଖେଳର ଇତିହାସରେ ପ୍ରଥମ ଥର ପାଇଁ ଜଳ କ୍ରୀଡା ଅନ୍ତର୍ଭୁକ୍ତ ହେବ। ଚିରାଚରିତ ଭାବେ ଆୟୋଜିତ ହେଉଥିବା କ୍ରୀଡା ଏବଂ ସ୍ୱଦେଶୀ ଖେଳ ସହିତ କାନୋ ସ୍ଲାଲୋମ୍, କାୟାକିଂ, କାନୋଇଂ ଏବଂ ରୋଇଂ ଭଳି ନୂତନ ଶୃଙ୍ଖଳା ମଧ୍ୟ ଏଥିରେ ପ୍ରଦର୍ଶିତ ହେବ। ଏହି ଖେଳ ମଧ୍ୟ ପ୍ରଦେଶର ଆଠଟି ସହର, ଯଥା: ଭୋପାଳ, ଇନ୍ଦୋର, ଉଜ୍ଜୟିନୀ, ଗ୍ୱାଲିଅର, ଜବଲପୁର, ମାଣ୍ଡଲା, ଖାର୍ଗୋନ (ମହେଶ୍ୱର) ଏବଂ ବାଲାଘାଟ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ବିଶ୍ୱ ସାଇକେଲ ଦିବସ: କେନ୍ଦ୍ରମନ୍ତ୍ରୀ ଆରମ୍ଭ କଲେ ଦେଶବ୍ୟାପୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେଠାରେ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ କିରନ୍ ରିଜିଜ୍ଜୁ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଂସଦ ସଦସ୍ୟ ଡକ୍ଟର ହର୍ଷବର୍ଦ୍ଧନ, ସଂସଦ ସଦସ୍ୟ ମନୋଜ ତିୱାରୀ, ସଂସଦର ସଦସ୍ୟ ରାମେଶ ବିଧୁରୀ, ଯୁବବ୍ୟାପାର ବିଭାଗ ସଚିବ ସଞ୍ଜୟ କୁମାର,କ୍ରୀଡା ସଚିବ ସୁଜାତା ଚର୍ତୁର୍ବେଦୀ ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିବା ସାଇକେଲ ରାଲିର ନେତୃତ୍ୱ ଅନୁରାଗ ଠାକୁର ନେଇଥିଲେ। ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ସାଂସଦଗଣ ତାଙ୍କ ସହ ଯୋଗଦେଇଥିଲେ। ଦିଲ୍ଲୀର ଏହି ୭.୫ କିଲୋମିଟର ଦୀର୍ଘ ରାଲିରେ ୧୫ଶହ ବ୍ୟକ୍ତି ଯୋଗ ଦେଇଥିଲେ। ଦେଶରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶହେରୁ ଅଧିକ ସ୍ଥାନ ଓ ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରୁ ଏନୱାଇକେଏସ୍ ଆୟୋଜନ କରିଥିଲା। ପ୍ରତ୍ୟେକ ରାଲିରେ ୭୫ଜଣ ଲେଖାଏଁ ପ୍ରତିଯୋଗୀ ୭.୫ କିଲୋମିଟର ଦୂର ଅତିକ୍ରମ କରିଥିଲେ। ପତାକା ଦେଖାଇ ରାଲିର ଶୁଭାରମ୍ଭ ପୂର୍ବରୁ ଅନୁରାଗ ଠାକୁର ସମବେତ ବ୍ୟକ୍ତିଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସମଗ୍ର ଦେଶରେ ସାଇକେଲ ରାଲି ଆୟୋଜନ ପାଇଁ ଏକ ଅନନ୍ୟ ପଦକ୍ଷେପ ନେଇଛି। ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବାବେଳେ ସୁସ୍ଥ ଭାରତ ଗଠନ ସଂକଳ୍ପ ନେଇ ଏହି ରାଲି ଆୟୋଜିତ ହେଉଛି। ଶାରୀରିକ ଦକ୍ଷତା ନିମନ୍ତେ ଦୈନନ୍ଦିନ ଜୀବନରେ ସାଇକେଲ ଚଳାଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଶ୍ରୀ ଠାକୁର କହିଥିଲେ ଯେ “ଦେଶର ଜନସାଧାରଣ ଶାରୀରିକ ଦକ୍ଷତା ଅଭିଯାନରେ ଯୋଗଦେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ କରନ୍ତି। ଫିଟ ଇଣ୍ଡିଆ ଅଭିଯାନରେ ସାଇକେଲ ଚାଳନା ଏକ ବିରାଟ ଭୂମିକା ଗ୍ରହଣ କରିପାରିବ। ବିଶ୍ୱ ସାଇକେଲ ଦିବସ ଅବସରରେ ସମସ୍ତେ ସେମାନଙ୍କ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ଏକ ଅଂଶ ଭାବେ ବିବେଚନା କରିବାକୁ ଆମେ ସ୍ପଷ୍ଟ ବାର୍ତ୍ତା ଦେଉଛୁ। ସାଇକେଲ ଚାଳନା ଆପଣମାନଙ୍କୁ ସୁସ୍ଥ ରଖିବ ଏବଂ ଏକ ସୁସ୍ଥ ଭାରତ ଗଠନ ମଧ୍ୟ ସହାୟକ ହେବ।”

ଶ୍ରୀ ଠାକୁର ଆହୁରି କହିଥିଲେ ଯେ ସାଇକେଲ ଚାଳନା ଦ୍ୱାରା ଫିଟ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ, କ୍ଲିନ ଇଣ୍ଡିଆ ଓ ହେଲ ଦି ଇଣ୍ଡିଆ ମୁଭମେଣ୍ଟ ସବୁ ହାସଲ କରିହେବ। ଏହା ପ୍ରଦୂଷଣ ସ୍ୱର ମଧ୍ୟ ହ୍ରାସ କରିବ। ସାଇକେଲ ଚଳାଇ ଆମେ ନିଜକୁ ସୁସ୍ଥ ରଖିବା ସହ ଦେଶକୁ ଫିଟ୍ ଇଣ୍ଡିଆର ବାର୍ତ୍ତା ଦେବା। ମନସୁଖ ମାଣ୍ଡଭ୍ୟ ଓ କିରନ୍ ରିଜିଜ୍ଜୁଙ୍କ ଉଦାହରଣ ଦେଇ ଏହି ମନ୍ତ୍ରୀଗଣ କିପରି ସାଇକେଲକୁ ତାଙ୍କର ଯାତ୍ରାର ମାଧ୍ୟମ କରି ଅନ୍ୟମାନଙ୍କୁ ଉତ୍ସାହିତ କରୁଥିବା କହିଥିଲେ।

ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଇଣ୍ଡିଆ @୭୫ ଅଂଶ ବିଶେଷ ଭାବେ ଆଜି ସମଗ୍ର ଦେଶରେ ବିଶ୍ୱ ସାଇକେଲ ଦିବସ ଆୟୋଜନ କରିଛନ୍ତି। ଆଜାଦୀ କା ଅମ୍ରିତ ମହୋତ୍ସବର ଆରମ୍ଭ ୧୨ ମାର୍ଚ୍ଚ, ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏହି ମହୋତ୍ସବର ପରିକଳ୍ପନା ‘ପିଲର ଅଫ ଆକ୍ସନ ଆଣ୍ଡ ରିଜଲଭ @୭୫’ ଅଧୀନରେ କରିଛି।

Categories
ବିଶେଷ ଖବର

ଭବ୍ୟ ଉଦଘାଟନୀ ସମାରୋହ ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ୨୦୨୧ର ଶୁଭାରମ୍ଭ

ବେଙ୍ଗାଲୁରୁ : ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା (କେଆଇୟୁଜି-୨୦୨୧)ର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଭର୍ଚୁଆଲ ମାଧ୍ୟମରେ ନିଜର ବାର୍ତ୍ତା ଦେଇଛନ୍ତି।

କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ, କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ କହିଥିଲେ ଯେ, ଦେଶର ଗ୍ରାମାଞ୍ଚଳ ସ୍ତରରୁ କ୍ରୀଡ଼ା ଗତିବିଧିକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ ଏ କ୍ଷେତ୍ରରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଦୃଢ଼ ପ୍ରୟାସ କରିବା ଆବଶ୍ୟକ। ସମସ୍ତଙ୍କ ପ୍ରୟାସ ବଳରେ ଭାରତର କ୍ରୀଡ଼ା ସମ୍ଭାବନା ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିବ ବୋଲି ସେ କହିଥିଲେ। ଉପରାଷ୍ଟ୍ରପତି କହିଥିଲେ ଯେ କଲେଜରେ ନାମଲେଖା ଏବଂ ବିଭିନ୍ନ ବିଭାଗରେ ପଦୋନ୍ନତି ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ଅତିରିକ୍ତ ମାର୍କ ଦିଆଯିବା ଆବଶ୍ୟକ। ଏଭଳି ପ୍ରୋତ୍ସାହନ ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସହାୟକ ହୋଇପାରିବ।

ସ୍ବଦେଶୀ ଏବଂ ଗ୍ରାମୀଣ କ୍ରୀଡ଼ାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପ୍ରତି ପ୍ରାଥମିକତା ଦେବା ଲାଗି ଉପରାଷ୍ଟ୍ରପତି ସବୁ ଅଂଶୀଦାରମାନଙ୍କୁ ଆହ୍ବାନ କରିଥିଲେ। ପ୍ରଥମ ଥର ପାଇଁ ଚଳିତ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭରେ ଯୋଗାସନ ଏବଂ ମାଲଖମ୍ବ ଭଳି ୨୦ଟି ସ୍ବଦେଶୀ କ୍ରୀଡ଼ା ବର୍ଗରେ ପ୍ରତିଯୋଗିତା ହେଉଥିବାରୁ ଉପରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ। ଏହା ପେସାଦାରମାନଙ୍କ ପାଇଁ ଗର୍ବ। ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ। କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ। ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ। ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ। ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଦେଶର ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ୪ହଜାରରୁ ଅଧିକ କ୍ରୀଡ଼ାବିତ୍‌ମାନଙ୍କୁ ସ୍ବାଗତ କରିଥିଲେ। ସେ କହିଥିଲେ ଯେ ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବା ଆମ ପାଇଁ ଗର୍ବର ବିଷୟ। ବେଙ୍ଗାଲୁରୁରେ ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଯୋଗ ଦେବା ଖୁସିର କଥା। କେଆଇୟୁଜି ୨୦୨୧ ଆମକୁ ନିଜର ଆତିଥେୟ ପ୍ରମାଣିତ କରିବା ଏବଂ ଆମ ଦେଶ ଓ ସଂସ୍କୃତିର ରାଷ୍ଟ୍ରୀୟ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରିବା ଲାଗି ଏକ ଅବସର। ଖେଲୋ ଇଣ୍ଡିଆ ମିଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର କ୍ରୀଡ଼ା ଜଗତକୁ ଏକ ନୂତନ ଉତ୍ସାହ ଏବଂ ମାର୍ଗ ପ୍ରଦର୍ଶନ କରିଛନ୍ତି ବୋଲି ଶ୍ରୀ ବୋମ୍ମାଇ କହିଥିଲେ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ, ପ୍ରଥମ କେଆଇୟୁଜି କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ଉତ୍ସାହର ଭାବନା ଜାଗ୍ରତ କରିଥିଲା। କିନ୍ତୁ ଏହାପରେ କୋଭିଡ ମହାମାରୀ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଥିଲା। ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୧ ଆୟୋଜନ କରିବା ଲାଗି ଆମମାନଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ପୁଣିଥରେ ଆମେ ସମସ୍ତେ ଏକାଠି ହେବାର ସୁଯୋଗ ପାଇଛୁ ଏବଂ ଯୁବକମାନଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । କର୍ଣ୍ଣାଟକରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ପ୍ରତିଯୋଗିତାରେ ୨୦୦ରୁ ଅଧିକ ବିଶ୍ବ ବିଦ୍ୟାଳୟର ୪ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆୟୋଜକ ଜୈନ ବିଶ୍ବବିଦ୍ୟାଳୟ ସେ ପରିଦର୍ଶନ କରିଥିଲେ । ସେଠାରେ ୫୦୦ରୁ ଅଧିକ ଉତ୍ସାହୀ କ୍ରୀଡ଼ାବିତ୍‌ଙ୍କୁ ଭେଟିଥିଲେ। ଏଠାରେ ବିଶ୍ବସ୍ତରୀୟ ଶ୍ରେଷ୍ଠ କ୍ରୀଡ଼ା ସୁବିଧା ଯୋଗାଇ ଦିଆଯାଇଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଠାକୁର ସନ୍ତୋଷ ବ୍ୟକ୍ତ କରିଥିଲେ।

ରବିବାର, ୨୪ ଏପ୍ରିଲ ୨୦୨୨ରେ ବେଙ୍ଗାଲୁରୁର ଶ୍ରୀ କାନ୍ତୀରବା ଇନଡୋର ଷ୍ଟାଡିୟମରେ ଦ୍ବିତୀୟ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ୨୦୨୧ର ଭବ୍ୟ ଉଦଘାଟନୀ ସମାରୋହ ଆୟୋଜନ କରାଯାଇଥିଲା। କର୍ଣ୍ଣାଟକର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଧାରିତ କାର୍ଯ୍ୟକ୍ରମ ପରିବେଷଣ, ମାଲଖମ୍ବ, ଯୋଗାସନ ପ୍ରଦର୍ଶନ ଏବଂ ଚମତ୍କାର ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା।

ଆୟୋଜନ ଜୈନ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଲିମ୍ପିକ ମାନକ ସମୟ ସହ ତୁଳନୀୟ ସଫଳତା ହାସଲ କରିଥିବା ସର୍ବକନିଷ୍ଠ ଭାରତୀୟ ସନ୍ତରଣ କ୍ରୀଡ଼ାବିତ୍‌ ଶ୍ରୀହରି ନଟରାଜ ସବୁ କ୍ରୀଡ଼ାବିତଙ୍କ ପାଇଁ କେଆଇୟୁଜି ୨୦୨୧ର ଶପଥ ପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ। କିମ୍ବଦନ୍ତୀ କ୍ରୀଡ଼ାବିତ୍‌ ବିମଳ କୁମାର, ଅଞ୍ଜୁ ବବି ଜର୍ଜ, ରୀତ ଆବ୍ରାହମ, ଅଶ୍ବିନୀ ନଚ୍ଚପ୍ପା, ମାଳତୀ ହୋଲ୍ଲା, ବିଆର ବୀଡ଼ୁ, ଏବି ସୁବାୟା, ଏସଭି ସୁନୀଲ, ଭିଆର ରଘୁନାଥ ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ। କେଆଇୟୁଜି ୨୦୨୧ର ସ୍ବାଗତ ସଙ୍ଗୀତ ପରିବେଷଣ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କଡ଼ା ସୁରକ୍ଷା ସତ୍ତ୍ବେ ବହୁସଂଖ୍ୟାରେ କ୍ରୀଡ଼ା ପ୍ରେମୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମକୁ ସିଧାସଳଖ ଉପଭୋଗ କରିଥିଲେ। ଉଦଘାଟନୀ ସମାରୋହ ଡିଡି ସ୍ପୋର୍ଟସ, ଅଲ୍‌ ଇଣ୍ଡିଆ ରେଡିଓ ଏବଂ ରେଡିଓ ସିଟୀରେ ପ୍ରସାରଣ କରାଯାଇଥିଲା।

Categories
ବିଶେଷ ଖବର

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି। ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ। ଏହା ପେସାଦାରମାନଙ୍କ ପାଇଁ ଗର୍ବ। ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ। କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ। ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ। ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ। ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ। ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ।

ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ନୂତନ ଭାରତର ଯୁବପିଢ଼ି ଏବଂ ସେମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧ୍ବଜାବାହକ। ସେ କହିଥିଲେ ଯେ ଯୁବସୁଲଭ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଜି ଦେଶର ନୀତି ନିର୍ଦ୍ଧାରଣ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଫିଟନେସକୁ ଦେଶ ପ୍ରଗତିର ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରୟାସ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ରହିଥିବା ପୁରୁଣାକାଳିଆ ଚିନ୍ତାଧାରା ଦୂର ହେଉଛି।

ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ଉପରେ ଗୁରୁତ୍ବାରୋପ କରାଯିବା, କ୍ରୀଡ଼ା ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ, ପାରଦର୍ଶୀ ଚୟନ ପ୍ରକ୍ରିୟା, କ୍ରୀଡ଼ା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ବୃଦ୍ଧି ଭଳି ପଦକ୍ଷେପ ନୂତନ ଭାରତର ପରିଚୟ ପାଲଟିଛି। ଏସବୁ ପ୍ରୟାସ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବା ସହିତ ନୂତନ ଭାରତରେ ନିଷ୍ପତ୍ତି ନେବାର ମୂଳଦୁଆ ପାଲଟିଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶରେ ଏବେ ନୂଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଉଛି। ସ୍ବତନ୍ତ୍ର କ୍ରୀଡ଼ା ବିଶ୍ବ ବିଦ୍ୟାଳୟ ନିର୍ମାଣ ଜାରି ରହିଛି। ଯୁବ କ୍ରୀଡ଼ା ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କର ସୁବିଧା ଏବଂ ସ୍ବପ୍ନ ପୂରଣ କରିବା ଲାଗି ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସାମର୍ଥ୍ୟ ଦେଶର ଶକ୍ତି ବଢ଼ାଇଥାଏ। କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ। ଟୋକିଓ ଅଲିମ୍ପିକ୍ସ ପ୍ରତିନିଧି ଦଳ ସହ ନିଜର ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଦେଶ ପାଇଁ କିଛି କରିବାର ଉତ୍ସାହ ସେତେବେଳେ ସେ କ୍ରୀଡ଼ାବିତ୍‌ଙ୍କ ମୁଖମଣ୍ଡଳରେ ଦେଖିପାରିଥିଲେ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ଦେଶ ପାଇଁ ଖେଳିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ବାନ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସ

ନୂଆଦିଲ୍ଲୀ: ଭାରତ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ ର ଅପେକ୍ଷା କରୁଛି। ତେଣୁ ଖେଳରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ଯେ ଡିଡି ସ୍ପୋର୍ଟସ ଏପ୍ରିଲ୍ ୨୪ ତାରିଖ ୨୦୨୨ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଓ ମୋବାଇଲରେ ଲାଇଭ ଦେଖାଇବ।

ଭାରତରେ ଖେଳ ସଂସ୍କୃତିକୁ ପୁନର୍ଜିବିତ କରିବା ପାଇଁ ଖେଲୋ ଇଣ୍ଡିଆ ଗେମ୍‌ସର ଅଂଶ ଭାବରେ ୨୦୨୦ରେ ଆରମ୍ଭ କରାଯାଇଥିଲା, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସର ଦ୍ବିତୀୟ ଆୟୋଜନ ଏପ୍ରିଲ ୨୪ ତାରିଖରୁ ମେ ୩ ତାରିଖ ୨୦୨୨ ପର୍ଯ୍ୟନ୍ତ କରାଯାଉଛି, ଯାହାର ଉଦ୍‌ଘାଟନ ସମାରୋହ ଏପ୍ରିଲ ୨୪ ତାରିଖରେ କରାଯିବ ଏବଂ ଉଦ୍‌ଯାପନୀ ସମାରୋହ ମେ ୩ ତାରିଖରେ କରାଯିବ।

ଭାରତରେ ବିଭିନ୍ନ ଖେଳ ପାଇଁ ଏକ ସଶକ୍ତ ଭିତ୍ତିଭୂମି ସୁବିଧା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି  ଗେମ୍‌ସ ଏକ ଜାତୀୟ ସ୍ତରର ଅନେକ ଖେଳର ବାର୍ଷିକ ଆୟୋଜନ ଅଟେ ଯେଉଁଥିରେ ସାରା ଦେଶରୁ ବିଭିନ୍ନ ଖେଳର ଆଥଲେଟ୍‌ ବିଭିନ୍ନ ଖେଳରେ ପ୍ରତିଯୋଗୀତା କରିଥାନ୍ତି। ଏହା ଦେଶର ସବୁଠାରୁ ବଡ଼ ବିଶ୍ବବିଦ୍ୟାଳୟ ସ୍ତରର ଖେଳ ପ୍ରତିଯୋଗୀତା ଯାହାର ଉଦ୍ଦେଶ୍ୟ ହେଉଛି ଅଲମ୍ପିକ୍ ଏବଂ ଏସିଆ ଖେଳ ପାଇଁ ୧୮ ରୁ ୨୫ ବର୍ଷ ବୟସର ଆଥଲେଟ ମାନଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ପ୍ରଶିକ୍ଷିତ କରିବା ଅଟେ।

ଭାରତୀୟ ଖେଳ ପ୍ରାଧୀକରଣର ସହଯୋଗରେ, ଡିଡି ସ୍ପୋର୍ଟସ ଏହି ଆୟୋଜନରେ ବିଭିନ୍ନ ଖେଳର ବ୍ୟାପକ କଭରେଜ୍ ପାଇଁ ବିସ୍ତୃତ ବ୍ୟବସ୍ଥା କରିଛି ଯେଉଁଥିରେ ୧୭୫ ରୁ ଅଧିକ ବିଶ୍ବବିଦ୍ୟାଳୟର ୩୮୦୦ ରୁ ଅଧିକ ଆଥଲେଟ୍‌ ଭାଗ ନେବାର ଆଶା କରାଯାଉଛି। ଆଥଲେଟିକ୍‌ସ, ଭଲିବଲ୍, ସନ୍ତରଣ, ବାସ୍କେଟବଲ୍‌, ଭାରତ୍ତୋଳନ, କୁସ୍ତି, କବାଡ଼ି, କରାଟେ ଏବଂ ଯୋଗାସନକୁ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ କରାଯିବ। ଏହା ସହିତ ଜୁଡୋ, ଟେନିସ୍, ମଲଖମ୍ବା, ତୀରନ୍ଦାଜ, ତଲୱାରଚାଳନା, ଫୁଟବଲ, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ, ହକି, ସୁଟିଂ ଓ ବକ୍ସିଂର ରେକର୍ଡ଼ ହୋଇଥିବା ଫର୍ମାଟକୁ ପ୍ରସାରଣ କରାଯିବ। ଏହି ଆୟୋଜନରେ ୨୦ ଟି ଖେଳକୁ ସାମିଲ୍ କରାଯାଉଛି, ଯେତେବେଳେ ଏହାର ପୂର୍ବ ଆୟୋଜନରେ ୧୮ ଟି ଖେଳକୁ ସାମିଲ୍ କରାଯାଇଥିଲା। ଏହି ଆୟୋଜନରେ ପ୍ରଥମ ଥର ଦୁଇଟି ସ୍ବଦେଶୀ ବିଷୟ – ଯୋଗାସନ ଓ ମଲଖମ୍ବ କୁ ପ୍ରଥମ ଥର ସାମିଲ୍ କରାଯାଇଛି।

ଟିଭି ପ୍ରସାରଣ ବ୍ୟତୀତ ଦର୍ଶକଙ୍କ ପାଇଁ ଅନେକ ଖେଳ ସିଧା ପ୍ରସାରଣ ପାଇଁ ଡିଡି ସ୍ପୋର୍ଟସ ର ୪ ଲାଇଭ୍ ଷ୍ଟ୍ରିମ୍ ପ୍ରସାର ଭାରତୀ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ଏକ ସଙ୍ଗରେ ଉପଲବ୍ଧ ହେବ। ଇଂରାଜୀ ଓ ହିନ୍ଦୀ କମେଣ୍ଟ୍ରି ଏବଂ ଆକର୍ଷକ ଗ୍ରାଫିକ୍‌ସ ସହିତ ଏହାକୁ ପ୍ରସାରଣ କରାଯିବ।

ଖେଳର ପ୍ରସାରଣ ଡିଡି ସ୍ପୋର୍ଟସରେ ପ୍ରତିଦିନ ସକାଳ ୯ ରୁ ସନ୍ଧ୍ୟା ୬ ଘ. ପର୍ଯ୍ୟନ୍ତ ଲାଇଭ୍/ ଡେଫରଡ୍‌ ଲାଇଭ୍ ଆଧାରରେ କରାଯିବ। ଏହାପରେ ଅଧ ଘଣ୍ଟାର ହାଇଲାଇଟ୍‌ସ / ପରିସଂଖ୍ୟାନ ଆଧାରିତ ସୋ ଏବଂ ଯୁବ ପ୍ରତିଭା ମାନଙ୍କ ଉପରେ ଆଉ ଏକ ଅଧ ଘଣ୍ଟାର ସୋ ହେବ।

ଦୈନିକ ହାଇଲାଇଟ୍‌ସ ଏବଂ ମହତ୍ତ୍ବପୂର୍ଣ୍ଣ କାର୍ଯ୍ରକ୍ରମ ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଡିଡି ସ୍ପୋର୍ଟସ ଏବଂ ଡିଡି ନ୍ୟାସନାଲ୍‌ରେ ଉଦ୍‌ଘାଟନ ଓ ଉଦ୍‌ଯାପନୀ ସମାରୋହର ସିଧା ପ୍ରସାରଣ କରାଯିବ।

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍‌ସ ୨୦୨୧ ରେ ପ୍ରତିଦିନର ତାଜା ସୂଚନା ସହିତ ସମସ୍ତ ଅପଡେଟ୍ ପାଇଁ ଡିଡି ସ୍ପୋର୍ଟସ (@ddsportschannel) ଏବଂ ଅଲ୍ ଇଣ୍ଡିଆ ରେଡିଓ ସ୍ପୋର୍ଟସ (@akashvanisports) ର ଟ୍ବିଟର ହ୍ୟାଣ୍ଡେଲରେ ସାମିଲ୍ ହୁଅନ୍ତୁ।

ଉପରେ ଦର୍ଶା ଯାଇଥିବା ପ୍ରସାର ଭାରତୀ ସ୍ପୋର୍ଟସ ୟୁଟ୍ୟୁବ ଚ୍ୟାନେଲରେ ୪ ଲାଇଭ୍ ଷ୍ଟ୍ରିମ୍ ଦେଖିବା ପାଇଁ, ନିମ୍ନରେ ଦିଆ ଯାଇଥିବା କ୍ୟୁଆର କୋଡକୁ ସ୍କାନ କରନ୍ତୁ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ 12 କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ 8ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ 8ଟି ଏଭଳି କେନ୍ଦ୍ରକୁ ବଛାଯାଇଛି । ଏହାଛଡା ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ।

ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ 12.02 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 4 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍‌ ରିଜିଜୁ କହିଛନ୍ତି ।

ଏହି ଷ୍ଟାଡିୟମର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ସେଥିରେ ଭିତ୍ତିଭୂମି ଉନ୍ନୟନ, କ୍ରୀଡା ବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବ ସମ୍ବଳ ବା ଫିଜିଓଥେରାପିଷ୍ଟ ତଥା ସାମର୍ଥ୍ୟ ଓ ବ୍ୟବସ୍ଥା ବିଶେଷଜ୍ଞ  ଆଦି ଏଥିରେ ଅନ୍ତର୍ଭୁକ୍ତ। ଏହି ବିକାଶ ଯୋଜନାରେ କ୍ରୀଡାବିତ୍‌ମାନଙ୍କୁ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ ଏବଂ ଏକାଡେମୀରେ ହାଇପରଫର୍ମାନ୍ସ ମ୍ୟାନେଜରମାନଙ୍କ ଜରିଆରେ କ୍ରୀଡା ବିଜ୍ଞାନ ଏବଂ ପ୍ରଦର୍ଶନ ପରିଚାଳନା କ୍ଷେତ୍ରରେ ଉତ୍ତମମାନ ନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାଦେଶିକ ସହଯୋଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା କ୍ରୀଡା ଭିତ୍ତିଭୂମିର ବିକାଶ କାର୍ଯ୍ୟ ଅଂଶୀଦାରୀଭିତ୍ତିରେ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି। ମୋଟାମୋଟିଭାବେ ଏହି ଯୋଜନାର ଲକ୍ଷ୍ୟ ହେଲା ସମଗ୍ର ଦେଶରେ ଏକ ଦୃଢ ଓ ବ୍ୟବସ୍ଥିତ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରିବା।

ପ୍ରତ୍ୟେକ କ୍ରୀଡା ଉତ୍କର୍ଷ କେନ୍ଦ୍ରରେ ଅଲିମ୍ପିକ୍‌ ଖେଳକୁଦକୁ ପ୍ରୋତ୍ସାହତ କରାଯିବ । ପ୍ରତ୍ୟେକ ରାଜ୍ୟ ଉତ୍କର୍ଷ କେନ୍ଦ୍ରରେ ସର୍ବାଧିକ 3 ପ୍ରକାର ଏଭଳି ଖେଳକୁ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସମଗ୍ର ଦେଶରେ ଏହି ଉକ୍ରର୍ଷ କେନ୍ଦ୍ର ମାଧ୍ୟମରେ 14ଟି ଅଲିମ୍ପିକ୍‌ କ୍ରୀଡା ପାଇଁ ଅଭ୍ୟାସ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ଯେ ଦେଶରେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଅଲିମ୍ପିକ୍‌ ପଦକ ଜିତିବା ଭଳି କ୍ରୀଡାବିତ୍‌ ସୃଷ୍ଟି କରିବା ଏହାର ଲକ୍ଷ୍ୟ।  କ୍ରୀଡାବିତ୍‌ଙ୍କ ଅଭ୍ୟାସ ପାଇଁ ଏସବୁ କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ ଏବଂ ଅଭ୍ୟାସ ପାଇଁ କ୍ରୀଡାବିତ୍‌ଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

2028ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ କ୍ରୀଡାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ରହେ ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।