Categories
ବିଶେଷ ଖବର ରାଜ୍ୟ ଖବର

ଯୁବ ବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧଳା ଟିସାର୍ଟକୁ କଳା ପ୍ୟାଣ୍ଟ, ପାଣ୍ଡିୟାନ ମଧ୍ୟ ବାଦ ପଡି ନାହାଁନ୍ତି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀମାନେ ଦେଖି ତାଜୁବ ହୋଇଛନ୍ତି। ସେମାନେ ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ହାତ ମିଳାଇଛନ୍ତି। ହେଲେ ସେତେବେଳେ ସେମାନେ ଏମିତି ଆଶ୍ଚର୍ଯ୍ୟ ପ୍ରକଟ କରି ନ ଥିଲେ। ଆଜି ନବୀନ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିବା ପରେ ସମସ୍ତେ ତାଙ୍କୁ ଦେଖି ତାଜୁବ ହୋଇଛନ୍ତି।

ଏହାର କାରଣ ହେଲା ଯେ, ଆଜି ନବୀନ ପଟ୍ଟନାୟକ ଏକ ଭିନ୍ନ ବେଶରେ କଳିଙ୍ଗ ଷ୍ଟାଣ୍ଡିୟମରେ ପ୍ରବେଶ କରିଥିଲେ। ସେ ପୁରା ଯୁବ ବେଶରେ ଷ୍ଟାଣ୍ଡିୟମରେ ଘୁରି ବୁଲିଥିଲେ। ପୁରା ଖେଳାଳୀ ମୁଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ଧଳା ସ୍ପୋର୍ଟସ ଟିସାର୍ଟ ସହିତ କଳା ପ୍ୟାଣ୍ଟ ଆଉ ଗୋଡରେ ଚପଲ। ଏପରି ବେଶରେ କେହି କେବେ ଦେଖି ନ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଣ୍ଡିୟମ ଗସ୍ତରେ ଯାଇଥିଲେ। ଅବସର ଥିଲା ସେଠାକାର କ୍ରୀଡା ଭିତ୍ତିଭୂମି ଦେଖିବା ସହ ହକି ଖେଳାଳିଙ୍କ ସହିତ ଆଲୋଚନା କରିବା। ସେଠାରେ ପୂର୍ବରୁ ହକି ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା ଖେଳାଳୀ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ପୁରା ହକି ଖେଳାଳୀଙ୍କ ପରି କଥାବାର୍ତ୍ତା କରିବା ସହିତ ଫଟୋ ଉଠାଇଥିଲେ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୁରା ଖେଳାଳୀ ମୁଡରେ ଥିଲେ। ସେ ମଧ୍ୟ ହକି ଇଣ୍ଡିଆର କଳା ଟିସାର୍ଟ ସହିତ କଳା ପ୍ୟାଣ୍ଟ ଏବଂ କଳା ସ୍ପୋର୍ଟସ ଜୋତା ପିନ୍ଧି ମଇଦାନକୁ ଓହ୍ଲାଇ ଥିଲେ। ଉଭୟ ନବୀନ ଏବଂ ପାଣ୍ଡିୟାନଙ୍କୁ ସମସ୍ତେ ଦେଖି ତାଜୁବ ହୋଇ ପଡିଥିଲେ। ଷ୍ଟାଣ୍ଡିୟମରେ କେହି ଲୋକ ନ ଥିଲେ, ନଚେତ ତାଳି ମାରି ଉଭୟଙ୍କୁ ସମସ୍ତେ ବେଶ୍ ସ୍ବାଗତ କରିଥାଆନ୍ତେ।

ଆଜି ନୁହେଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଛି। ଏକାଦା ସେ କଳା ଟିସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧି ଜଗିଂ କରୁଥିବାର ପରିଲକ୍ଷିତ ହୋଇଥିଲା। ସେହିପରି ଥରେ ସେ ପୂଜା ପୋଷାକ ପିନ୍ଧି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁ ଥିବାରୁ ମଧ୍ୟ ଦେଖାଯାଇଛି। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅଛି। ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି।