Categories
Uncategorized

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ବାଦ୍ୟଯନ୍ତ୍ର ବିଭାଗରେ ବଂଶୀ, ହାରମୋନିୟମ୍‌, ମୃଦଙ୍ଗ ଆଦିରେ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ହିନ୍ଦୁସ୍ତାନୀ ଲୋକାଲ୍‌ ଓ କର୍ଣ୍ଣାଟକୀ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା। ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ଓଡ଼ିଶୀ, କୁଚୁପଡ଼ି, ଭାରତନାଟ୍ୟମ୍‌ ଆଦି ସାମିଲ୍‌ ରହିଥିଲା।

ଏହି ପ୍ରତିଯୋଗିତାରେ ୧୩ ବର୍ଷଠାରୁ ୩୫ ବର୍ଷ ବୟସ ମଧ୍ୟରେ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶିର ପୁରସ୍କାର ମଧ୍ୟ ଦିଆଯାଇଛି।

ଏହି ମହୋତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧା , ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)