Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷର ଶୁଭାରମ୍ଭ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଖୋର୍ଦ୍ଧା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ବେହେରାଙ୍କ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୨ ଟି ରଥର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ସକାଳ ୧୦ ଘଟିକାରେ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଜନର ଯନ୍ତ୍ରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।

ଏହି ରଥର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଚାର କରିବା। ଜଳସେଚନର ସୁଚାରୁରୂପେ ପରିଚାଳନା ଏବଂ ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ତାହା ସରକାରଙ୍କର ଏକ ସୁନ୍ଦର ପ୍ରୟାସ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ ୫୫୦ ଗୋଟି ପାଣି ପଞ୍ଚାୟତ ଗଠନ ହୋଇଛି। ସେସବୁ ହେଲା: ଖୋର୍ଦ୍ଧା ଡିଭିଜନ-୨୨, ପ୍ରାଚୀ ଡିଭିଜନ-୧୫, ମାଇନର ଇରିଗେସନ ଡିଭିଜନ ୧୧୪, ଓଏଲଆଇସି, ଭୁବନେଶ୍ବର- ୩୩୯ ଟି ରହିଛି। ସେଥିମଧ୍ୟରୁ ୫୨୧ ଟି ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ଖାଲିଥିବା ଖୋର୍ଦ୍ଧା ଡିଭିଜନ-୧୦, ପ୍ରାଚୀ ଡିଭିଜନ-୦୫, ମାଇନର ଇରିଗେସନ ଡିଭିଜନ ୧୪ ଟି ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଉତକ୍ଷିପ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି। ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀରେ ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି। ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି।

ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇଥିଲା। କିନ୍ତୁ ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା। ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟିଯାଇଥିଲା। ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇପାରୁନାହିଁ। ରାସ୍ତରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇପାରିନଥିଲା।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ। ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।

ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।