Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉଦଘାଟନ ଉତ୍ସବ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଆଜି ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଏଥିରେ ୭୦୦ ରୁ ଉର୍ଦ୍ଧ୍ଵ ଚାଷୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୋଗଦାନ କରିଥିଲେ। ଏହି ମେଳାରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମ୍ପୂର୍ଣ୍ଣ ବିକାଶ ଦ୍ୱାରା ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା।

ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ତାଙ୍କ ସଂଭାଷଣରେ ମୁଖ୍ୟତଃ ଚାଷୀଭାଇ ଓ ଭଉଣୀ ମାନଙ୍କ ରୋଜଗାର ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ପାଳନର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ମେଳାରେ ଉପସ୍ଥିତ ଚାଷୀଗଣ ବୈଜ୍ଞାନିକ ଏବଂ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ସହିତ ଭେଟି ସେମାନଙ୍କଠାରୁ ବିଶେଷ ଜ୍ଞାନକୌଶଳ ସମ୍ପର୍କରେ ଆଦାନପ୍ରଦାନ କରିଥିଲେ।  ଜୀବନ୍ତପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଷ୍ଟଲରେ ବିଶେଷ ଆୟୋଜନଦ୍ୱାରା ଚାଷୀଗଣ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁବିଧା ପ୍ରାପ୍ତ ହେଲେ।

ବିଶେଷ କରି ବାୟୋଫ୍ଲକ ଏବଂ ଇ ସି ବ୍ରଏଲର ଫାର୍ମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବିଭିନ୍ନ ସଂସ୍ଥା ଯେପରିକି ସିଫା, ମିଶନ ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମେଳାରେ ଷ୍ଟଲ ଆୟୋଜନ କରିଥିଲେ। ଏହି ଷ୍ଟଲ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ ଏବଂ ବ୍ୟବହାରିକ କୌଶଳ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଅଗ୍ରଣୀ ଚାଷୀ ମାନଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ସେମାନଙ୍କର ପରିଶ୍ରମ ଓ ଆଗ୍ରହକୁ ସମାନ ଦେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ମେଳାରେ ଆମୂଳଚୂଳ ଭାବେ ସଂଶ୍ଲିଷ୍ଟ ରହି ବିଭିନ୍ନ ଷ୍ଟଲଗୁଡିକ ବୁଲି ଦେଖିବା ସହିତ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମେଳାରେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବୀଦତ୍ତ ମାଝୀ ଉକ୍ତ ସଭାରେ ସ୍ୱାଗତ ଭାଷଣ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ମେଳା ଯେ ନିକଟ ଭବିଷ୍ୟତରେ ଖୋର୍ଦ୍ଧା ଜିଲ୍ଲାରେ ମସ୍ତ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀ ମାନଙ୍କର ଆୟ ଦ୍ବିଗୁଣିତ କରିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ। ସର୍ବଶେଷରେ ଉପ ମତ୍ସ୍ୟ ନିର୍ଦ୍ଦେଶକ, ପୁରୀ ମଣ୍ଡଳ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜଗଦୀଶ ଚନ୍ଦ୍ର ପଣ୍ଡା ମଂଚାସୀନ ଅତିଥି ଏବଂ ଉପସ୍ଥିତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥରେ ବେଗୁନିଆ ବିଧାୟକ ତଥା ଜିଲ୍ଲା ପରିଷଦ ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଅତିରିକ୍ତ ଜିଲ୍ଲାପାଶ୍ରୀ ପ୍ରଧାନ ପ୍ରାରମ୍ଭିକ ଭାଷଣ ରଖିଥ‌ିବା ବେଳେ ଉପ-ଜିଲ୍ଲାପାଳ ଶ୍ରୀ ସେଠୀ କାର୍ଯକ୍ରମକୁ ଆଗେଇ ନେଇଥିଲେ। ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଦୁର୍ଗା ପୂଜା ଏବଂ ଗଜଲକ୍ଷ୍ମୀ ପୂଜା କମିଟି ର ସଭ୍ୟମାନେ ଉକ୍ତ ଆଲୋଚନାରେ ଭାଗ ନେଇଥିଲେ। ପୂଜାକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଦୁର୍ଗାପୂଜା ୨୦.୧୦.୨୦୨୩ ରୁ ଆରମ୍ଭ ହୋଇ ୨୪.୧୦. ୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ପୂଜା ମଣ୍ଡପକୁ ସି. ସି. ଟି. ଭି . ଯୋଗାଇ ଦେବାକୁ, ପୋଷ୍ଟରରେ ଜରୁରୀ ତଥା ଗୁରୁତ୍ଵପୂର୍ଣ୍ଣ ଫୋନ ନମ୍ବର , ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ନିମିତ୍ତ ପୋଲିସ ନିଯୋଜନ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାର୍କିଂ ର ବ୍ୟବସ୍ଥା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ହାବେଳି ପଡିଆରେ ରାବଣ ପୋଡି ଦିନ ବ୍ୟାରିକେଡିଙ୍ଗ ର ବ୍ୟବସ୍ଥା ସହ ସନ୍ଧ୍ୟା ୭.୦୦ ଟା ରୁ ରାତି ୧୦.୦୦ ଟା ଭିତରେ ଉକ୍ତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା। ବୁଲା ଗାଈ ଗୋରୁ, ବୁଲା କୁକୁରଙ୍କୁ ନିୟନ୍ତ୍ରଣରେ ରଖିବାକୁ, ଖାଦ୍ୟ ପଦାର୍ଥ ର ମାନ ନିର୍ଦ୍ଧାରଣ,ଭଷାଣୀ ଦିନ ମଦ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଠେଲା ଗାଡ଼ି, ଉଠା ଦୋକାନି ଙ୍କ ଉଚ୍ଛେଦ ପାଇଁ ପୌର ପରିଷଦ ଙ୍କୁ କୁହାଯାଇଛି।

ତା ୨୫.୧୦. ୨୦୨୩ ରିଖ ଦିନ ଭଷାଣୀ ରହୁଥ‌ିବାରୁ ଅପରାହ୍ନ ୫.୦୦ ଟାରୁ ରାତି ୧୦.୦୦ଟା ଭିତରେ ଟି. ଏଲ. ସି. ରୋଡ଼ ନିକଟସ୍ଥ “ଖଣି ପୋଖରୀ”ରେ ମୂର୍ତ୍ତି ସବୁ ବିସର୍ଜନ କରାଯିବାକୁ ସ୍ଥିର କରାଯାଇଛି। ସେଠାରେ ବ୍ୟାପକ ଆଲୋକିକରଣ, ପୁଷ୍କରିଣୀ ଭିତର ଏବଂ ବାହାର ପରିସର ସଫା ରଖିବାକୁ , ରାସ୍ତାଘାଟ ମରାମତି , ବିଦ୍ୟୁତ ବିଭାଗ କୁ ୨୨ ଫୁଟ ଉର୍ଦ୍ଧ୍ବରେ ବିଦ୍ୟୁତ ତାରକୁ ସଂଯୋଗୀକରଣ ପାଇଁ ଅନୁରୋଧ କରାଯାଇଥିଲା।

ଭଷାଣୀ ସମୟରେ ଡି. ଜେ. ଅତି କମ ଶବ୍ଦ ବିଶିଷ୍ଟ ବଜାଇବାକୁ ଅନୁରୋଧ କରାଯିବାସହ କିଛି ମୂର୍ତ୍ତିଙ୍କୁ ୨୭ ତାରିଖ ଦିନ ବିସର୍ଜନ କରିବା ପାଇଁ ଉକ୍ତ ବୈଠକରେ ସ୍ଥିର କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧାକୁ ଓଡ଼ିଶାର ପ୍ରଥମ ସବୁଜ ଶିଳ୍ପାଞ୍ଚଳ କରିବା ପ୍ରୟାସ: ଗଛ ଲଗାଇ ଶୁଭାରମ୍ଭ କଲେ ବିଧାୟକ ଜ୍ୟୋତିରେନ୍ଦ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ଇଣ୍ଡଷ୍ଟ୍ରିଆଲ ଆସୋସିଏସନ ତରଫରୁ କରାଯାଇଥିବା କାଳୀପୂଜାର ଅନ୍ତିମ ଦିବସରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ବରୁଣେଇ ଶିଳ୍ପାଞ୍ଚଳ ସଂଘର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ଓଡ଼ିଶାର ପ୍ରଥମ ସବୁଜ ଶିଳ୍ପାଞ୍ଚଳ କରିବା ପାଇଁ ଶିଳ୍ପସଂଘ ତରଫରୁ କରାଯାଇଥିବା ପ୍ରୟାସକୁ ବିଧାୟକ ଶ୍ରୀଯୁକ୍ତ ମିତ୍ର ଫଳଗଛ ଲଗାଇ ଶୁଭାରମ୍ଭ କରିଥିଲେ।

ଓଡ଼ିଶାର ଅଗ୍ରଗଣ୍ୟ ଶିଳ୍ପସଂଘ ମାନଙ୍କର ମୁଖ୍ୟମାନେ ଏହି ଅଭିଯାନରେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ। ଜିଲ୍ଲା ଶିଳ୍ପସଂଘର ସଭାପତି ବଟକୃଷ୍ଣ ଓଝା, ସମ୍ପାଦକ ଅମୀୟ କୁମାର ମହାଲିକ, ଆଇୱାର ପୂର୍ବତନ ସମ୍ପାଦକ ମହେନ୍ଦ୍ର କୁମାର ପାତ୍ର, ଓସେମ ତରଫରୁ ପ୍ରଦୀପ୍ତ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବରୁଣେଇ ଶିଳ୍ପ ସଂଘର ସଭାପତି ଶିବନାରାୟଣ ମିଶ୍ର ପରିଚାଳନା କରିଥିଲେ। ସଂଘର ଉପଦେଷ୍ଟା ଅଶୋକ କୁମାର ଶର୍ମା, ଉପସଭାପତି ସୀତାକାନ୍ତ ସାହୁ, ସମ୍ପାଦିକା ସବିତା ଶତପଥୀ, ବରିଷ୍ଠ କର୍ମକର୍ତ୍ତା ଦିଲ୍ଲୀପ କୁମାର ମିଶ୍ର, ପ୍ରଦୋଶ କୁମାର ମହାପାତ୍ର, ଶ୍ୟାମସୁନ୍ଦର ମହାରଣା, ସନ୍ତୋଷ କୁମାର ନାୟକ, ଅଞ୍ଜନ କୁମାର ମୁୁଦୁଲି ସକ୍ରିୟ ସହଯୋଗ କରିଥିଲେ। ସଂଘର ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ।