Categories
ବିଶେଷ ଖବର ସ୍ବାସ୍ଥ୍ୟ

ବର୍ତ୍ତମାନ କେବଳ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି ଅଧିକ ଆକ୍ରାନ୍ତ, ରାଜ୍ୟ ସରକାର ଦେଲେ ସୂଚନା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-କୋଭିଡ୍‌ ହସ୍‌ପିଟାଲ୍‌ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍‌ ଡି୍ରଲ୍‌ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟୁର୍ବେଦିକ୍‌ ମେଡିକାଲ୍‌ କଲେଜସ୍ଥିତ ଜିଲ୍ଲା କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି ହସ୍‌ପିଟାଲ୍‌ଠାରେ ୨ଟି ମକ୍‌ ଡି୍ରଲ୍‌ ଅନୁଷ୍ଠିତ ହୋଇଛି। ଏହି ଡି୍ରଲ୍‌ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ପୂର୍ଣ୍ଣାଙ୍ଗ ଦଳ ସହ ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଏହିଭଳି ମକ୍‌ ଡ୍ରିଲ୍‌ କରିବା ନିମନ୍ତେ ଯୋଜନା କରାଯାଉଛି।

2-ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଥିବା ପ୍ରତିନିଧି ଦଳ ବିଭିନ୍ନ ସ୍ଥାନ ଭ୍ରମଣ କରିଛନ୍ତି। ସେମାନେ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌, ବ୍ରହ୍ମପୁରରେ ଅଧିକ କୋଭିଡ୍‌ ପରୀକ୍ଷଣ, ଜିଲ୍ଲାରେ ଅଧିକ କୋଭିଡ୍‌-୧୯ ଚିକିତ୍ସା ସୁବିଧା, ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ନିୟମାବଳୀର ଅନୁପାଳନ ଏବଂ ବଫର ଅଞ୍ଚଳଗୁଡ଼ିକରେ ରୋଗ ନିରୀକ୍ଷଣ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି।

3-ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ଗୁଡ଼ିକକେବଳ କ୍ୱାରାଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି।

4-ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର/ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ପୌର ପରିଷଦମାନଙ୍କୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସେବା ପରିଚାଳନା କରୁଥିବା ଦଳଗୁଡ଼ିକୁ ନିୟୋଜିତ କରାଯାଇଛି।

5-ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୧,୬୧୯ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୬୭,୫୩୫ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି।

6-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୫୬୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୫,୮୧,୯୧୫ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

7-ଆଜି ରାଜ୍ୟର ୪୮୫୭ ଗ୍ରାମ ପଞ୍ଚାୟତରେ ୩,୧୭,୭୮୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୩୨,୫୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

8-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୦ରୁ ମଇ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୭ଟି ମାମଲା ଦାୟର କରାଯାଇଛି। ସେଥିରୁ ୨୩ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ଗୁଜବ ପ୍ରଚାର ପାଇଁ ଏବଂ ୨ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୪୩ ଜଣଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ କରୋନା ମୁକାବିଲା ଟିମକୁ କଲେ ଉତ୍ସାହିତ, ସରପଞ୍ଚଙ୍କ ସହ କଥା ହେଲେ 5ଟି ସଚିବ ଭି.କେ ପାଣ୍ଡିୟାନ୍

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ବିସ୍ତାରକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ସାହିତ ବାର୍ତ୍ତା ଚିଅର୍ ଅପ୍ ଇୟୋର ଟିମ୍ ପ୍ରଦାନ କରିଛନ୍ତି ଫାଇଭ୍ ଟି ସଚ୍ଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍। ପ୍ରାରମ୍ଭରୁ ଗଞ୍ଜାମ ଜିଲ୍ଲା  କରୋନା ମୁକାବିଲାରେ ସଫଳତା ପ୍ରଦର୍ଶନ କରିଆସିଛି । ପର୍ଯ୍ୟାୟ କ୍ରମେ ଏହା ଗ୍ରୀନ୍ ରୁ ଅରେଞ୍ଜ ଏବଂ ରେଡ୍ ଜୋନ୍ ହୋଇଯାଇଛି। ଏହି ଆହ୍ବାନକୁ ଧର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ କୁ ଫାଇଭ ଟି ସଚିବ ତାରିଫ୍ କରିଛନ୍ତି । ଏଥିରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ସାମିଲ୍ ହେବେ ବୋଲି ପ୍ରକାଶ କରିଛନ୍ତି।

ଓଡିଶାରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଥିଲେ। କରୋନା ଲକ୍ ଡାଉନ୍ ପାଇଁ କର୍ମ ସଂସ୍ଥାନ ବନ୍ଦ ହୋଇଯିବାରୁ ସେମାନଙ୍କର ଦୁର୍ଦ୍ଦଶା ବଢିଯାଇଥିଲା। ମଇ ୩ ତାରିଖ ପରେ ଲକ୍ ଡାଉନ୍ କଟକଣା କୋହଳ ମଧ୍ୟରେ ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଯାନରେ ପ୍ରତ୍ୟାବର୍ତ୍ତନ କରିବା ଅପେକ୍ଷା ରେଳବ୍ୟବସ୍ଥା ଅଧିକ ସୁରକ୍ଷିତ ଥିବାରୁ କେବଳ ରେଳରେ ପ୍ରବାସୀମାନେ ଫେରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରବାସୀମାନଙ୍କ ଦୁର୍ଦ୍ଦଶାକୁ ନଜରରେ ରଖି ସେମାନଙ୍କୁ ଭିଟାମାଟିକୁ ଫେରାଇ ଅଣାଯିବ।

ଗଞ୍ଜାମ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଯେଉଁ ପ୍ରବାସୀ ମାନଙ୍କର କିଛି ଲକ୍ଷଣ ଦେଖାଯାଉଛି ତାଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ଜନସାଧାରଣଙ୍କଠାରୁ ଦୂରେଇ ରଖିବା ସହିତ ଉପଯୁକ୍ତ ଚିକିତ୍ସା କରାଯାଉଛି। କାହାର କିଛି ଲକ୍ଷଣ ଦେଖାଦେଲେ ସ୍ବତଃ ପ୍ରବୃତ୍ତ ଭାବରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସଚିବ କହିଛନ୍ତି। ପ୍ରତ୍ୟେକ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭୋଜିଭାତ ପରି ଖାଇବାପିଇବା କରିବା, ମନୋରଞ୍ଜନ ଏବଂ ଅନ୍ତେବାସୀମାନେ ଶ୍ରମଦାନ କରି କିଛି ଅର୍ଥ ଉପାର୍ଜନ କରିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି।

ଏହା ସହିତ ସଚିବ ମଧ୍ୟ ଧରାକୋଟ ବ୍ଲକ୍, କବିସୂର୍ଯ୍ୟ ନଗର ବ୍ଲକ୍, ପୋଲସରା ବ୍ଲକ୍, ଆସ୍କା ବ୍ଲକ୍, ଖଲ୍ଲିକୋଟ ବ୍ଲକ୍, କୁକୁଡାଖଣ୍ଡି ବ୍ଲକ୍ ଓ ହିଞ୍ଜିଳି ବ୍ଲକ୍ ର ସରପଞ୍ଚ ମାନଙ୍କ ସହିତ ବ୍ୟକ୍ତିଗତ ବାର୍ତ୍ତାଳାପ କରିଥିଲେ। ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ମୁକାବିଲାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛି। ପୂର୍ବରୁ ଓଡିଶା ସରକାର ବିଦେଶ ଫେରନ୍ତା, ନିଜାମୁଦ୍ଦିନ୍ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତି ମାନଙ୍କର ସଫଳ କରୋନା ମୁକାବିଲା କରିପାରିଛନ୍ତି। ସରପଞ୍ଚମାନଙ୍କ ଉଦାରତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଫେରନ୍ତା ମାନଙ୍କ କରୋନା ମୁକାବିଲା ସଫଳତାର ସହିତ କରାଯାଇପାରିବ ବୋଲି ସଚିବ କହିଥିଲେ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ସ୍ବତନ୍ତ୍ର ଅଧିକାରୀ ପି.ଅନ୍ବେଷା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ସମସ୍ତ ସରପଞ୍ଚ  ଯୋଗଦେଇଥିଲେ।