Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଂଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଗଂଜାମ ଏବଂ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ  ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀର ବଡ଼ ଆଗୁଳରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ତଳୀ ହିଞ୍ଜିଳିର କଞ୍ଚୁଡୁରେ ଆୟୋଜିତ ସଭାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଶେଷରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ ଏକ ସଭାରେ ଯୋଗ ଦେବେ। ଅପରାହ୍ନରେ ସେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ, ନିଜ ନିର୍ବାଚନ ମଣ୍ଡଳୀରେ କରିବେ ବହୁ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ବିଜୁସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ବଣ୍ଟନର ଶୁଭାରମ୍ଭ କରିବେ। ସେଥିପାଇଁ ସେ ଦିନିକିଆ ଗଂଜାମ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନିଜ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।

ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳ ୧୦ଟାରେ ମା’ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଭିଡିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫ଟି କାଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପଯ୍ୟବେକ୍ଷଣ କରିଥିଲେ। ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ଏହି ସ୍ମାର୍ଟ କ୍ଲାସ ରୁମ୍ କାଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, Hygenic toilet, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ। ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମର ବିକାଶ କରାଯାଉଛି। ଏଥିରେ ପିଲାଙ୍କ ପାଇଁ କମ୍ପୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି ।

ଏହାପରେ ୫ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ମନ୍ଦିରର ପ୍ରସାଦ ସେବନ ହଲ୍‌, Interpetation Complex, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅପରାଜିତା ଷଡ଼ଙ୍ଗୀଙ୍କ ଗଂଜାମ ଗସ୍ତ: ବିଜେପିର ଛାମୁଆ ନେତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପ୍ରମିଳା ଗଡ଼ରେ ଅପରାଜିତାଙ୍କ ଲୋକପ୍ରିୟତାର ଗୋଟିଏ ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଥିଲା ଦୁଇଦିନ ତଳେ ଆସିକା ସହରରେ। ଭାରତର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୪ ଘଣ୍ଟିଆ ଆସିକା ରହଣୀ ଭିତରେ ସେ ନିଜ ଦକ୍ଷତା, ରଣକୌଶଳ, ଅନୁଭବ, ସମାର୍ଥ୍ୟର ଗୋଟିଏ ଗୋଟିଏ କାର୍ଯ୍ୟକ୍ରମକୁ ସଂପାଦନ କରି ଭୁବନେଶ୍ୱର ଫେରିଗଲେ। କିନ୍ତୁ ଭାରତୀୟ ଜନତା ପାର୍ଟିର କୌଣସି ଗଂଜାମ ଜିଲ୍ଲାର ଆଗଧାଡ଼ିର ନେତା, ପ୍ରମୁଖ ପଦବୀଧାରୀ ଏବଂ ସଂଗଠକଙ୍କ ଉପସ୍ଥିତି ନଥିବା ଦେଖି ସାରା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ।

କାହା ଭୟରେ କାହା ଚାପରେ ବିଜେପିର ଦୁଇ ଜିଲ୍ଲା ସଭାପତି ଏବଂ ସଂସଦୀୟ ଓ ବିଧାନସଭା ଆସନର ପ୍ରାର୍ଥୀମାନେ ସହଯୋଗ କରିବାକୁ ଆସିଲେ ନାହିଁ। ଏହା ମଧ୍ୟ ବିଜେପି ବିଚାରର ଗୋଟିଏ ଗୋଟିଏ ଦୁର୍ବଳ ନୀତିକୁ ପଦାରେ ପକାଇ ଦେଇଛି। ରାଜନୀତି କମ୍ କିନ୍ତୁ ସଂଗଠନ ଓ କାର୍ଯ୍ୟକ୍ରମ ଅଧିକ ବିଶ୍ୱାସ କରୁଥିବା ଏଇ ନାରୀନେତ୍ରୀ ଗଂଜାମ ଆସିଥିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ ବିବ୍ରତ ହୋଇ ଏପରି କିଛି ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ୍ କରିଥିବା ନେଇ ସାଧାରଣରେ ଚର୍ଚ୍ଚା।

ଗଂଜାମ ଫେରିଯିବା ପୂର୍ବରୁ ସେ ଗୋଟିଏ କଥା କହିଥିଲେ, ମୋ ପାଇଁ ରାଜନୀତିର ପରିଭାଷା ବୁଝିବା କୌଣସି ଆବଶ୍ୟକତା ନାହିଁ । ମୁଁ ଜଣେ ସାଂସଦ ଭାବରେ ମୋ ଦଳର ଆସ୍ଥା ଓ ବିଶ୍ୱାସକୁ ମଜବୁତ୍ କରିବା ପାଇଁ ଚେଷ୍ଠା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ମନ୍ତ୍ର ସବ୍‌କା ସାଥ୍ ସବ୍‌କା ବିଶ୍ୱାସକୁ ଆଗ୍ରହର ସହ ଗ୍ରହଣ କରି ମୁଁ ମୋର କାର୍ଯ୍ୟ କରୁଛି। ‘ସମର୍ଥ’ ସଂଗଠନ ବରିଷ୍ଠ ନାଗରିକଙ୍କ ପ୍ରତି ସମର୍ପିତ ଏହା ସହ ଆଧ୍ୟାତ୍ମିକ ବିଚାରକୁ ମଜବୁତ୍ କରିବା ପାଇଁ ସମର୍ଥ।

‘ଅଜିତା’ ଦ୍ୱାରା ମହିଳା ସଶକ୍ତିକରଣ ଏବଂ ୟୁଥ୍ ଫର ଆକ୍ସନ୍ ଯୁବ ସମାଜ ମଧ୍ୟରେ ସଚେତନତାର ବାର୍ତ୍ତା ଯିବ। ଅପରାଜିତା ଷଡ଼ଙ୍ଗୀଙ୍କ ଏଇ କାର୍ଯ୍ୟକ୍ରମ ସଂଚାଳନରେ ଜୀବନ ପ୍ରସାଦ ସାହୁ, ସାମର୍ଥର ରାଜ୍ୟ ସଂପାଦକ କାହ୍ନୁଚରଣ ଦାସ, ୟୁଥ୍ ଫର୍ ଆକସନର ସଂଯୋଜକ ଦେବାଶିଷ ନାୟକ ରାଜ୍ୟ ମୁଖ୍ୟ ପରିଚାଳନା କରିଥିଲେ। ଚା’ ଖଟିରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା ସମୟରେ ଆସିକା ସହରର ଐତିହ୍ୟ ସଂପର୍କରେ ଆଲୋଚନା ହୋଇଥିଲା। ଡା. ସାଗର ରଂଜନ ତ୍ରିପାଠୀ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସିନେମା, କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅବଦାନ ସଂପର୍କରେ ଅପରାଜିତାଙ୍କୁ ବୁଝାଇଥିଲେ।

ବ୍ରହ୍ମପୁରରୁ ଡ. ସୁବାଷ ଚନ୍ଦ୍ର ସାହୁ, ପ୍ରଦୀପ ମିଶ୍ର, ସୁବାସିନୀ ପଟ୍ଟନାୟକ ପ୍ରମୁଖ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହେଁ ଛାମୁଆ ସଂଗଠନର ଦୁର୍ବଳ ଚିତ୍ର ଦେଖି ବିସ୍ମୟ ପ୍ରକାଶ କରିଛନ୍ତି। ଅପରାଜିତା ହୃଦୟ ଜିତି ଫେରିଗଲେ କିନ୍ତୁ ବିଜେପିର ଗଂଜାମ ଜିଲ୍ଲାର ପ୍ରମୁଖ ଦୁର୍ବଳ ନୀତି ନିଶ୍ଚୟ ଆଗାମୀ ଦିନରେ ଅନୁଶୀଳନ ହେବ।