କବି ରମାକାନ୍ତ ମିଶ୍ର
ଅପୂର୍ବ ବାସ୍ନାର କବି ରଙ୍ଗାଜୀବ ଗଙ୍ଗାଧର ଓ ଏକଦା ଓଡ଼ିଆ ଉପନ୍ୟାସର ରାଜା କାହ୍ନୁଚରଣଙ୍କୁ କିଏ ନ ଜାଣେ ! ଆମ ଅସ୍ମିତାର ଏହି ଦୁଇ କୀର୍ତ୍ତିସ୍ତମ୍ଭଙ୍କ ଜୀବନର ଦୁଇଟି ଘଟଣା ବିଷୟରେ ଶୁଣିଥିବା କଥା ବଖାଣୁଛି। କେଉଁଠୁ ବା କେଉଁ ସୂତ୍ରରୁ ଶୁଣିଛି,ଆଜି ସ୍ପଷ୍ଟ ମନେ ପଡୁନାହିଁ। ଯଦି ଆପଣଙ୍କ ଜାଣିବାରେ ଏଥିରେ କିଛି ତଥ୍ୟଗତ ଭୁଲ୍ ଥାଏ,ସୂଚିତ କରିବେ ଓ ସୁଧାରି ଦେବେ।
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଦ୍ୟ କବି ଜୀବନର ସମୟ। ସେତେବେଳେ ଲୁଗା ବୁଣି ବିକ୍ରି କରିବା ଥିଲା କବିଙ୍କର ସଂସାର ଚଳାଇବାର ଏକମାତ୍ର ପନ୍ଥା। କିଛି କିଛି କବିତା ଲେଖୁଥାଆନ୍ତି। ତାଙ୍କର ଗୁଣମୁଗ୍ଧ ଶ୍ରୋତାମାନେ ତାଙ୍କୁ ବହୁ ସମୟରେ କବି ବୋଲି ସମ୍ବୋଧନ କରୁଥାଆନ୍ତି। ତାଙ୍କର ଏ ଲୋକପ୍ରିୟତା ତତ୍କାଳୀନ ସ୍ଥାନୀୟ ଜମିଦାର ସହି ପାରିଲେ ନାହିଁ।
କିଛି ଅଂପାକ୍ତେୟ ଲୋକଙ୍କୁ ସେ କବିଙ୍କୁ ଅପମାନ ଦେବାପାଇଁ ନିଯୁକ୍ତ କଲେ। ସେହି ବୋଲକରାମାନେ ଗଙ୍ଗାଧରଙ୍କର ଦାଣ୍ଡବାରଣ୍ଡାରେ ଠିଆ ହୋଇ ନିରନ୍ତର ତାଙ୍କୁ ଅଶ୍ରାବ୍ୟ,ଅସଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। କବି ଗାଧୋଇବା ପାଇଁ ନଈକୁ ଯିବାପାଇଁ ବା ଅନ୍ୟାନ୍ୟ କାମ ପାଇଁ ବାହାରକୁ ବାହାରିଲେ ସେହି ଲୋକମାନେ ତାଙ୍କ ପଛେ ପଛେ ଗୋଡାଇ ଗୋଡାଇ କଟୁ ଭାଷାରେ ତାଙ୍କୁ ଭର୍ତ୍ସନା କରନ୍ତି।
କବିଙ୍କ ପ୍ରଶଂସକମାନେ ଏଥିରେ ବହୁତ ଦୁଃଖିତ ହେଲେ କିନ୍ତୁ ସେ ସମୟର ଜମିଦାରମାନଙ୍କର ଅମାପ କ୍ଷମତା ଓ ଅତ୍ୟାଚାରିତାକୁ ଡରି ଜମିଦାରଙ୍କୁ କିଛି କହିବାର ସାହସ ଜୁଟାଇ ପାରିଲେ ନାହିଁ। ସେମାନେ ଗଙ୍ଗାଧରଙ୍କୁ ଦିନେ ପଚାରିଲେ,” କବି,ଆପଣଙ୍କୁ ସେମାନେ ଏତେ କଦର୍ଯ୍ୟ ଭାଷାରେ ଗାଳି ଦେଉଛନ୍ତି, ଆପଣଙ୍କୁ କଣ କଷ୍ଟ ହେଉ ନାହିଁ, ଅନ୍ତରକୁ ବାଧୁନାହିଁ, ଆପଣ ସେମାନଙ୍କୁ କିଛି କହୁନାହାନ୍ତି କାହିଁକି ?
” ଗଙ୍ଗାଧର ସ୍ମିତ ହସି ଉତ୍ତର ଦେଲେ, ” ଦେଖନ୍ତୁ, ଭୁଲିଆ (ତନ୍ତୀର ସମ୍ବଲପୁରୀ ଭାଷାରୂପ) କୁଳରେ ମୋର ଜନ୍ମ ..ଲୁଗା ବୁଣି ପେଟ ପୋଷେ..ସରସ୍ବତୀଙ୍କ ପ୍ରସାଦରୁ କଣ ପଦେ ଅଧେ ଲେଖେ ଯାହାକୁ ଶୁଣି ଆପଣମାନେ ଖୁସି ହୁଅନ୍ତି, ଏହା ମୋର ପରମ ସୌଭାଗ୍ୟ। ମୋର ଏପରି ସାମର୍ଥ୍ୟ ନାହିଁ ଯେ ମୋ ଦ୍ବାରା କାହାର କିଛି ଉପାର୍ଜ୍ଜନ ବା ଉପକାର ହୋଇପାରିବ, ଯଦି ମୋତେ ଗାଳି ଦେଇ କିଛି ଲୋକଙ୍କର ଅନ୍ନସଂସ୍ଥାନ ହୋଇପାରୁଛି, ଆନନ୍ଦର କଥା, ପରୋକ୍ଷରେ ଏହାଠାରୁ ବଳି ମୁଁ ଅଧିକ ପୁଣ୍ୟ କଣ ଅର୍ଜ୍ଜନ କରିପାରିଥାନ୍ତି ! ମୋର ତ ଖୁସି ହେବା କଥା..ଦୁଃଖ କାହିଁକି କରିବି !”
ମଣିଷକୁ ଏତିକି ଭଲ ପାଇଲେ, ଏତିକି ବିନୟ ହୃଦୟରେ ଧାରଣ କଲେ ଜଣେ
ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ରେ ଜୀବନ
ବା
ମୁଁ ଯେ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ପଥେ ଶୁଖିଗଲେ ପାପତାପରେ
ହୋଇ ଶିଶିର ଖସିବି ତା’ ପରେ..
ପରି ପଦମାନ ଲେଖିପାରେ..ମୁହୂର୍ତ୍ତଟିଏରେ
ଅନନ୍ତ ସମୟକୁ ପ୍ରତ୍ୟକ୍ଷ କରାଇ ଦେଇ ପାରେ
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି କଟକ ସହରର ପଟାପୋଲ ଅଞ୍ଚଳରେ ରହୁଥାଆନ୍ତି। ସେତେବେଳେ ସେଠି ଏକ ନାଳ/ନର୍ଦ୍ଦମା ଉପରେ ଏକ ଦଦରା ପଟା ପୋଲ ଥିଲା।ଯେଉଁଥିରେ ଅତି ସତର୍କତାର ସହିତ ନାଳ ଟପିବାକୁ ପଡୁଥିଲା।
ନଗରପାଳିକା ପକ୍ଷରୁ ସେ ସ୍ଥାନରେ କୌଣସି ବତୀଖୁଣ୍ଟ ନ ଥିବାରୁ ରାତିବେଳା ସେ ଜାଗାଟି ଅନ୍ଧାର ରହୁଥିଲା, କେହି ଲୋକ ଅନ୍ଧାରରେ ଭଙ୍ଗା ପୋଲରେ ଯାଇ ଆହତ ହେବାର ବା ନାଳ ଭିତରକୁ ଖସି ପଡିବାର ସମ୍ଭାବନା ରହୁଥିଲା। କାହ୍ନୁଚରଣଙ୍କର ସେତେବେଳକୁ ପରିଣତ ବୟସ। ରାତିସାରା ସେ ଲଣ୍ଠନଟିଏ ଜାଳି ମାସ ମାସ ପୋଲମୁଣ୍ଡରେ ଜଗି ବସୁଥିଲେ। କାଳେ କେହି ଆସୁଥିବ,ଖସି ପଡିବ !
ଏମିତି ଲଣ୍ଠନଟିଏ ଯାହା ଛାତି ଭିତରେ ଦିନରାତି ଜଳୁ ନ ଥିବ, କରୁଣାର ସ୍ନିଗ୍ଧ ଆଲୁଅ ଲହଡି ଭାଙ୍ଗୁ ନ ଥିବ ସିଏ କଣ ଶାସ୍ତି, ଝଞ୍ଜା, ତୁଣ୍ଡବାଇଦ ଭଳିଆ ବହି ଲେଖି ଆମ ମନକୁ ତରଳାଇ ପାଣି କରି ଦେଇ ପାରିବ !
( ଲେଖକ ରମାକାନ୍ତ ମିଶ୍ର ହେଉଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ କବି ତଥା ଲେଖକ, ସେ ହାସ୍ୟରସାତ୍ମକ କବିତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। )