Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଜପତି ଜିଲ୍ଲାବାସୀଙ୍କୁ ଦଶହରା ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିବାସୀଙ୍କୁ ଦେବେ ଦଶହରା ଭେଟି। ମୁଖ୍ୟମନ୍ତ୍ରୀ ଆଜି ଗଜପତି ଗସ୍ତରେ ଯାଉଛନ୍ତି। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ  ହେଲିକାପ୍ଟର ଯୋଗେ ଯାଇ ପୂର୍ବାହ୍ନ ୧୧ଟାରେ ଗଜପତି ଷ୍ଟାଡିୟମରେ ପହଞ୍ଚିବେ। ସେ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ୪୯୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବେ। ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ।

ପରେ ୧୧ଟା ୨୨ ମିନିଟରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ନବୀନ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକରେ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।