Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଲକ୍ଷ୍ମୀପୂଜା ଭସାଣି ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଗଜ ଲକ୍ଷୀ ପୂଜା ଭସାଣି ଯେପରି ଖୋରଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି ଆସନ୍ତା ୧୬ ତାରିଖରେ ଭସାଣି ଯାତ୍ରା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ମେଢ ଯିବା ରାସ୍ତାରେ ବିଦ୍ୟୁତ ତା’ରକୁ ଉଚ୍ଚ ସ୍ଥାନରେ ରଖିବା, ପଲ୍ଲା ଛକ ଠାରୁ ନୂଆ ବସଷ୍ଟାଣ୍ତ ପର୍ଯ୍ୟନ୍ତ ରାସ୍ତା ମରାମତି, ପୂଜା ମଣ୍ତପ ଗୁଡିକ ସମ୍ମୁଖରୁ ଗାଡି ଅବରୋଧ ହଟେଇବା ସଂପର୍କରେ ଆଲୋଚନା ହୋଇଥିଲା। ଦିନ ଓ ରାତ୍ରି ସମୟରେ ଦୁଇଥର ସହର ସଫା କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଡାକବାଜି ଯନ୍ତ୍ର ବଜେଇବା ଏବଂ ଶୋଭାଯାତ୍ରା ନିମନ୍ତେ ଅନୁମତି ନେବା ନିମନ୍ତେ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ତଥା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଇପସିତ ସାହୁ, ଏସଡିପିଓ ଦିଲ୍ଲିପ କୁମାର ଦାସ, ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ନାୟକ, ଆକାଶ କୁମାର ଗୁପ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗା ଓ ଲକ୍ଷ୍ମୀପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଆସନ୍ତା ଦୁର୍ଗା ପୂଜା, ରାବଣ ପୋଡି, ଗଜ ଲକ୍ଷୀ ପୂଜା ଏବଂ ଭସାଣି ଯେପରି ଖୋର୍ଦ୍ଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମସ୍ତ ପୂଜା ବିଧି ବିଧାନ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ଏ ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ।

ରାବଣ ପୋଡି, ମେଳଣ ଓ ଭସାଣି ନେଇ ଯାଗା ଚିହ୍ନଟ କରିବାକୁ ଉପ ଜିଲ୍ଲାପାଳ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଏସଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯିବ। ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି, ଆଲୋକୀକରଣ, ସଫେଇ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ବିଶଦ ଭାବେ ଆଲୋଚନା କରାଯିବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିଭଳି ଶାନ୍ତିଶୃଙ୍ଖଳା, ବିଭିନ୍ନ ମିଠା ଓ ଜଳଖିଆ ଦୋକାନରେ ଖାଦ୍ୟମାନ ପରୀକ୍ଷା, ରାସ୍ତା ପାର୍ଶ୍ବ ଦୋକାନରେ ଖାଦ୍ୟ ଅପମିଶ୍ରଣ ଯାଞ୍ଚ,ସ୍ବାସ୍ଥ୍ୟ, ଆମ୍ବୁଲାନ୍ସ ବ୍ୟବସ୍ଥା ସଜାଗ ରଖିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପ୍ରତ୍ୟେକ ପୂଜା ମଣ୍ତପରେ ସିସିଟିଭି ଲଗେଇବା ଉପରେ ପୂଜା କମିଟିକୁ ପରାମର୍ଶ ଦିଆଯାଇଛି। ପାର୍ବଣ ସମୟରେ ଲୋକମାନେ ଅଳଙ୍କାର କିଣୁଥିବାରୁ ବିଭିନ୍ନ ଗହଣା ଦୋକାନରେ ଓଜନ ମାପ ସଠିକ ଥିବା ନେଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ପୂଜା ମଣ୍ତପ ଏବଂ ବିସର୍ଜନ ଶୋଭାଯାତ୍ରା ବେଳେ ଉଚ୍ଚ ଶଦ୍ଦ ସମ୍ପର୍ଣ୍ଣ ଡାକବାଜି ଯନ୍ତ୍ର ନବଜାଇବା ସହ ସ୍କୁଲ, ମେଡିକାଲ ନିକଟରେ କମ ଶଦ୍ଦ ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି। ଲକ୍ଷୀପୂଜା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଭସାଣି ହେବ। ଏଥିରେ ପ୍ରାୟ ୩୧ଟି ମେଢ ସ୍ଥାନ ପାଇବ । ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନେଇ ଶ୍ରେଷ୍ଠ ମେଢକୁ ଭସାଣି ପରଦିନ ପୁରସ୍କୃତ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଛି।

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ବୈଠକର ବିବରଣୀ ପାଠ କରିଥିଲେ। ଖୋର୍ଦ୍ଧା ପୌରଧ୍ୟକ୍ଷା କନକ ଲକ୍ଷୀ ମହାନ୍ତି ସମସ୍ତଙ୍କ ସହଯୋଗ ଲୋଡିଥିବା ବେଳେ ତହସିଲଦାର ତଥା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଇପସିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର ସଭାପତି, ସଂପାଦକ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।