Categories
ଆଜିର ଖବର ସଂସ୍କୃତି

୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହେଲା ଗୀତିନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପରେ ୧୩୯ତମ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ କଳା ସଂସ୍କୃତି ପରିଷଦ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଗୀତିନାଟ୍ୟ ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଆଜି ବିଶିଷ୍ଟ ଅତିଥି ଭାବେ ସିନେ କଳାକାର ତଥା ମଂଚ ଅଭିନେତା ଅଶ୍ରୁମୋଚନ ମହାନ୍ତି, ନାଟ୍ୟ ଗବେଷକ ଡ. ସୁବୋଧ ପଟ୍ଟନାୟକ, ଓଡ଼ିଶା ସଂଗୀତ ନାଟକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଜେନା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋୟୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ପ୍ରକଳ୍ପ ସଂଯୋଗ ଶ୍ରୀ ମାଳବିଶୋୟୀ ଲୋକକଳା ମଧ୍ୟରେ ଗୀତିନାଟ୍ୟକୁ ସାମିଲ କରାଯାଇ ଗଣକବିଙ୍କ ଜୟନ୍ତୀରେ ପ୍ରତିବର୍ଷ ତିନିଦିନ ଗୀତିନାଟ୍ୟ ପରିବେଷଣ କରାଯିବା ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଗଣକବିଙ୍କ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ହେବା ସହ ପାରମ୍ପାରିକ ଗୀତିନାଟ୍ୟଧାରାକୁ ବଞ୍ଚାଇ ରଖିବାରେ ସହାୟକ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ର କୋଠପଦାସ୍ଥିତ ବିନାୟକ କ୍ଲବ୍‌ର କଳାକାରମାନଙ୍କ ଦ୍ୱାରା ସ୍ୱର୍ଗତ ବୈଷ୍ଣବ ପାଣିଙ୍କ ଲିଖିତ ଗୀତିନାଟ୍ୟ ‘କର୍ଣ୍ଣବଧ’ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତାକାଲି ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ର ନଳବଣ୍ଟାସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ନାଟ୍ୟକଳା ସଂସଦର କଳାକାରମାନଙ୍କ ଦ୍ୱାରା ପ୍ରହଲ୍ଲାଦ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି ।