Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ଜାତୀୟ ପ୍ରେସ ଦିସବ ପାଳିତ

ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ। ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ମାନଙ୍କ ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତାକୁ ସରକାର ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଗଣମାଧ୍ୟମ ସେତୁ ଭାବେ କାର୍ଯ୍ୟ କରୁଛି। ଦଳଗତ ମନୋଭାବ ରଖି କାମ କଲେ ଗଣତନ୍ତ୍ରର ସୁଫଳ ଆହୁରି ବ୍ୟାପକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ କହିଲେ ଯେ କରୋନା ମହାମାରୀ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବା ତଥା ପ୍ରତି ମୁହୂର୍ତ୍ତର ଖବର ଦେବା ସାମ୍ବାଦିକତାର ଗାରିମା ବୃଦ୍ଧି କରିଛି। ଉଚିତ, ମୂଲ୍ୟବୋଧ ସମ୍ପୂର୍ଣ୍ଣ, ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ସେ କହିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଫଳ ସର୍ବବ୍ୟାପି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ଗଣମାଧ୍ୟମର କ୍ରମବିକାଶ ଓ ଲୋକାଭିମୁଖି ହେବାର କାରଣ ସଂପର୍କରେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାଗ୍ରତ ପ୍ରହରୀ ଭାବେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅତିରଞ୍ଜିତ ଓ କାମଳ ସାମ୍ବାଦିକତା ସମାଜ ପାଇଁ ହିତକର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ, ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦର ଚାହିଦା ସର୍ବଦା ଥିବା କଥା ସେ କହିଥିଲେ।

ସାମ୍ବାଦିକ ଓ ବୁଦ୍ଧିଜିବୀ ପ୍ରମୁଖ ଉକ୍ତ ଆଲୋଚନାରେ ଭାଗନେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ। ଆଜି କଟକଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଦିନିକିଆ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା (ବାର୍ତ୍ତାଳାପ)ରେ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି।

କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନି କହିଥିଲେ, ଦୂରଦୃଷ୍ଟିକୁ କାର୍ଯ୍ୟରେ ପରିଣତ ନକଲେ ଏହା ଦିବାସ୍ୱପ୍ନ ହୋଇ ରହିଯାଉଥିବା ବେଳେ ଦୂରଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ଯତ୍ନବାନ ହେଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ। ବାର୍ତ୍ତାକୁ କାର୍ଯ୍ୟକ୍ରମର ରୂପରେଖ ଦେଲେ, ତାହା ପରିବର୍ତ୍ତନ ବା ସଂସ୍କାର ଆଣିପାରିବ ବୋଲି ସେ କହିଥିଲେ।

ଏଥିରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଦୈନିକ ଖବରକାଗଜ ସମାଜର ସମ୍ପାଦକ କାନନ ବିହାରୀ ଦାଶ କହିଥିଲେ ଯେ ଗଣମାଧ୍ୟମ ସ୍ୱାଧୀନ ହେବା ସହ ଲୋକଙ୍କୁ ଦାୟିତ୍ୱସମ୍ପନ୍ନ ଭାବେ ସଠିକ ତଥ୍ୟ ପରିବେଷଣ କରିବା ଆବଶ୍ୟକ। ଗଣମାଧ୍ୟମ ପ୍ରତିନିଧି ଚାପରେ ରହିବା ସତ୍ତ୍ୱେ ତଥ୍ୟ ତା ବାଟରେ ଯିବା ଆବଶ୍ୟକ ଓ ତୃଣମୂଳ ସ୍ତରର ସଫଳତା ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର ହେବା ଦରକାର ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ କଟକ ଜିଲ୍ଲା ପରିଷଦର ସିଡ଼ିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମ୍ବର କୁମାର କର କହିଥିଲେ, କିଛିଟା ବାଧ୍ୟବାଧକତା ଦୃଷ୍ଟିରୁ କେତେକ ସମସ୍ୟା ଲୋକ ଲୋଚନକୁ ଆସିପାରୁ ନଥିବାବେଳେ, ତାହାକୁ ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ।

ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ କିପରି ସୁଦୃଢ଼ ହେବ ତାହା ବାର୍ତ୍ତାଳାପର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ। ଡ. ଦାଶ ବର୍ତ୍ତାଳାପ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।
ସୁନାମଧନ୍ୟ କ୍ରୀଡାବିତ ତଥା ଅଲିମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ଓ ଫିଟ ଇଣ୍ଡିଆ ଯୋଜନା ଦ୍ୱାରା ତୃଣମୂଳସ୍ତରରୁ ଦେଶରେ ଉତ୍ତମ କ୍ରୀଡାବିତ ସୃଷ୍ଟି ହେବାର ସୁଯୋଗ ପାଇଛନ୍ତି ଓ ଗଣମାଧ୍ୟମର ପ୍ରୋତ୍ସାହନ କ୍ରୀଡାବିତଙ୍କୁ ସଫଳତା ହାସଲ କରିବାରେ ପ୍ରେରଣାଦାୟୀ ହୋଇଛି ବୋଲି କହିଥିଲେ।

ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନତା ନେଇ ଗଣମାଧ୍ୟମର ଦାୟୀତ୍ୱ ସମ୍ପର୍କରେ ଆଲୋଚନା କରିଥିବାବେଳେ, କଟକ ଅଗ୍ରଣୀବ୍ୟାଙ୍କ ପ୍ରବନ୍ଧକ ରାଜେଶ ବେହେରା ମୁଦ୍ରା, ସୁକନ୍ୟା ସମୃଦ୍ଧି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଅଟଳ ପେନସନ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଉପାଦେୟତା ନେଇ ସୂଚନା ଦେଇଥିଲେ।

କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ପାଣ୍ଠି ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ସ୍ୱଚ୍ଛ ଭାରତ, ଉଜ୍ୱଳା ଓ ପିଏମ ଜନଧନ ଯୋଜନାର ହିତାଧିକାରୀମାନେ ସେମାନେ କିପରି ଏହି କଲ୍ୟାଣକାରୀ ଯୋଜନାର ସୁଫଳ ଯାଇଛନ୍ତି ତାହା ବର୍ଣ୍ଣନା କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ ୧୦୦ ରୁ ଊର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ମତ ବିନିମୟ କରିଥିଲେ।