Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହେବେ ରଜଗୀତ ‘ବନସ୍ତେ ଡାକିଲା ଗଜ..’ ରେ ଏହିପରି ରହିଛି ଆହୁରି ୩୭ଟି ମଜାଳିଆ ପଦ

ଭୁବନେଶ୍ବର, ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ମାନ୍ୟତା ହାସଲ କରିଆସିଛି।
ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ ଭାବେ ଜଡିତ।
ସଂପୂର୍ଣ୍ଣ ରଜ ଗୀତ
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।
ଶଙ୍ଖ ମଲମଲ ଗିନା, ଦରଦ ଜାଣେଲୋ ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧରେ ଲୋ, ଆଖି ଥିଲା ଏଣେ ତୋର ।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ,ଭାଙ୍ଗି ଦେବି ତୋର ଗାଲ।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ଲୋ, ଦେଖାଉଛୁ କେତେ ବେଲି ।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ରେ, ସେ ସିନା ମୋମନ ରଜା ।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, ଦିଶୁଥାଏ ଝଟଝଟ ।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଁ ।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।
ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ ।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉ ରେ, ଅଛି କି ତୋ ଭରଷାରେ ।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବେ ରେ, ମନ ଜାଣି ଖଞ୍ଜି ଦେବ ।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।
ଅଦିନେ ପଣସ ସିଠା, ବଚନରେ ଯାର ନଥଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚା ଲୋ, ନ ଦେବ ପଛଘୁଞ୍ଚା ।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା ଲୋ, ମତେ କଲା ଲୋକହସା ।
ଜାରା ମାରିଦେଲା ବାଣ ଯାହାଠାରେ ଯାର ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।
କାଳୀଗାଇ ଧୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆଲୋ, ତୋଫା ହେବଟି ଧୁଳିଆ ।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।
Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ମନ ଖରାପ କରନ୍ତୁ ନାହିଁ, ଲକଡାଉନ ସମୟରେ ମଧ୍ୟ ପାଳନ କରିପାରିବେ ଗଣପର୍ବ ରଜ, ଜାଣନ୍ତୁ କିପରି ?

ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆରମ୍ଭ ହେଉଛି 14 ତାରିଖରେ ଏବଂ ଶେଷ ହେଉଛି 16 ତାରିଖରେ। ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି।

ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ କରିବେ ରଜ।

ପୋଡପିଠା

ରଜର ସବୁଠାରୁ ସ୍ବାଦିଷ୍ଟ କଥାଟି ହେଲା ପୋଡପିଠା। ଓଡିଆ ଘରେ କେବଳ ରଜଦିନ ଏହି ପୋଡପିଠା ତିଆରି କରାଯାଏ। ବର୍ଷସାରା ଏହି ସ୍ବାଦିଷ୍ଠ ପିଠାର ମହକ ମିଳେ ନାହିଁ। ତେଣୁ ଲକଡାଉନରେ ମଧ୍ୟ ଆପଣ ଏହିପିଠା କରି ଏହାର ସ୍ବାଦ ନେଇପାରିବେ। ଲକଡାଉନ ହୋଇଥିଲେ ମଧ୍ୟ ସବୁସ୍ଥାନରେ ଦିନ 11 ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହୁଛି। ସେଥିପାଇଁ ଆପଣ ପୋଡପିଠା ପାଇଁ ଆବଶ୍ୟକ ଜିନିଷ କିଣି ରଖନ୍ତୁ। ରଜ ପୂର୍ବଦିନ ଏହା ପ୍ରସ୍ତୁତ କରନ୍ତୁଷ ରଜଦିନ ସକାଳୁସକାଳୁ ସ୍ନାନ ସାରି ଠାକୁରଙ୍କୁ ମୁଣ୍ଡାଇ ମାରି ପୋଡପିଠାର ମଜ୍ଜା ନିଅନ୍ତୁ।

ରଜପାନ

ରଜପାନ ହେଉଛି ରଜର ଏକ ଏକ ମଜାଦାର ଉପହାର। ଏହିଦିନ ଏହି ସ୍ବତନ୍ତ୍ର ପାନର ଚାହିଦା ରହିଥାଏ। ଏଥିପାଇଁ ପାନଦୋକାନୀମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଭଳିକି ଭଳି ସମଲା ପକାଇ ଏହି ପାନ ପ୍ରସ୍ତୁତ କରିଥାନ୍ତି। ହେଲେ ଏଥର ଲକଡାଉନ ଯୋଗୁଁ ପାନଦୋକାନ ବନ୍ଦ ରହିବ। ତେବେ ତା ପୂର୍ବରୁ ଆପଣ ପାନ ଓ ମସଲା ଆଣି ରଜର ଏହି ନିଆର ସ୍ବାଦକୁ ଅନୁଭବ କରିପାରିବେ।

ରଜଦୋଳି, ପୁଚିଖେଳ

ସାଧାରଣତଃ ଦୋଳି, ପୁଚିଖେଳ ରଜ ସମୟରେ ଏକ ବଡ ଖେଳ ଭାବେ ପରିଚିତ। ସେଥିପାଇଁ ଘରର ଝିଅମାନେ ଏହିଦିନ ବାହାରକୁ ଆସି ରଜ ଦୋଳି ଖେଳିଥାନ୍ତି। ହେଲେ ଲକଡାଉନ ଯୋଗୁଁ ବାହାରେ ରଜଦୋଳି ନ ଖେଳିଲେ ମଧ୍ୟ ଘରେ ଯଦି ସୁବିଧା ଅଛି ତେବେ ଏହା ଖେଳା ଯାଇପାରେ। ତେବେ ସାବଧାନ ଯଦି ସେପରି ସୁବିଧା ନାହିଁ ତେବେ ଏହି ଖେଳରୁ ଦୂରେଇ ଯାଇ ପୁଚି ଖେଳର ମଜା ନେଇ ହେବ। କାରଣ ପୁଚି ଖେଳ ହେଉଛି ଏହି ରଜର ଅନ୍ୟତମ ବିଶେଷତ୍ବ। ବିଶ୍ବାସ ରହିଛି ଝିଅମାନେ ଏହିଦିନ ପୁଛି ଖେଳିଲେ ସେମାନେ ଭବିଷ୍ୟତରେ ଗର୍ଭଧାରଣ ପାଇଁ କଷ୍ଟ ଅନୁଭବ କରିବେ ନାହିଁ। ପୁଚି ରଜର ଏକ ଉପାଦାନ ହୋଇଥିଲେ ମଧ୍ୟ ଏହା ଶାରୀରିକ ବ୍ୟାୟମ ବୋଲି କୁହାଯାଏ।

ସେହିପରି ରଜ ତିନିଦିନରେ ତାସ, ଲୁଡୁ, ପଶା ଖେଳ ମଧ୍ୟ ଅନ୍ୟତମ ଆକର୍ଷଣ। ତେବେ ଏହି ଖେଳ ସଂପୂର୍ଣ୍ଣ ଭାବେ ଘରୋଇ ଖେଳ ହୋଇଥିବାରୁ ଘରେ ପରିବାର ସହିତ ଖେଳିବାରେ କିଛି ଅସୁବିଧା ନାହିଁ।