Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶଙ୍ଖ ଫୁଙ୍କିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା

ଭୁବନେଶ୍ବର: ଆଜି ଶଙ୍ଖ ଫୁଙ୍କିଛନ୍ତି କଂଗ୍ରେସର ପୂର୍ବତନ ନେତା ଗଣେଶ୍ବର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ବାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଗଣେଶ୍ବର ଶଙ୍ଖଭବନକୁ ତାଙ୍କର କର୍ମୀଙ୍କୁ ନେଇ ବିରାଟ ପଟୁଆର କରି ଆସିଥିଲେ। ଏଥିରେ ଗଣେଶ୍ବର ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବଦ କରିଥିଲେ। ତେବେ ଗଣେଶ୍ବର ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ହାତ ଛାଡିଲେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା, ଜାଣନ୍ତୁ କେଉଁ ଦଳରେ ହେବେ ସାମିଲ

ଭୁବନେଶ୍ବର: ଶେଷରେ କଂଗ୍ରେସକୁ ବାଏ ବାଏ କରିଛନ୍ତି ବରିଷ୍ଠ ନେତା ଗଣେଶ୍ବର ବେହେରା। ସେ ଆଜି କଂଗ୍ରେସ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗଣେଶ୍ବର ହେଉଛନ୍ତି କେନ୍ଦ୍ରାପଡାର ଜଣେ ପରିଚିତ ନେତା। ତାଙ୍କର ସେହି ଜିଲ୍ଲାରେ ଭଲ ସଂଗଠନ ରହିଛି।  ତାଙ୍କର ଇସ୍ତଫା ପରେ କେନ୍ଦ୍ରାପଡା ରାଜନୀତି ବେଶ ସରଗରମ ହୋଇପଡିଛି।

ଇସ୍ତଫା ପରେ ସେ କହିଛନ୍ତି ଯେ, କଂଗ୍ରେସରେ କିଛି ହୋଇପାରିବ ନାହିଁ। କ୍ଷମତାକୁ ଆସିବାକୁ ହେଲେ ଦଳ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୋତେ କଂଗ୍ରେସ ଦୁଇଥର ବିଧାୟକ କରିଛି, ମନ୍ତ୍ରୀ ମଧ୍ୟ କରିଛି। ହେଲେ ବର୍ତ୍ତମାନ ସେହି ଦଳରେ ରହି ସେବା କରିପାରୁ ନାହିଁ। ସେଥିପାଇଁ ଦୁଃଖିତ ବୋଲି ଗଣେଶ୍ବର କହିଛନ୍ତି। ତେବେ ସେ ଖୁବ ଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କେନ୍ଦ୍ରାପଡାରେ ଗର୍ଜ୍ଜିଲା କଂଗ୍ରେସ, ମାଟି ପାଇଁ ଜେଲ ଚାଲ ଅଭିଯାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡା ପ୍ରତି ଅବହେଳା ପ୍ରତିବାଦରେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରାଯାଇଥିଲା। କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା, ମୁନିସିପାଲଟିରେ ସିଟି ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାରର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

ରାଜ୍ୟ ସରକାର ଇତି ମଧ୍ୟରେ ୧୫ଗୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ ମଧ୍ୟ କେନ୍ଦ୍ରାପଡାକୁ ଅଣଦେଖା କରି ଚାଲିଛନ୍ତି। ଜିଲ୍ଲା ସଦର ମହକୁମାର ଚିକିତ୍ସାଳୟ ଗତ ୨୦୨୩ ଜାନୁୟାରୀରେ ମିନିସିପାଲଟି ବାହାରକୁ ସ୍ଥାନାନ୍ତରିତ ହେତୁ ପୌରବାସୀ ତଥା ପଡୋସୀ କେନ୍ଦ୍ରାପଡା ଓ ଡେରାବିଶର ପ୍ରାୟ ୧ଲକ୍ଷ ଲୋକ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଥି ନିମନ୍ତେ ଦୀର୍ଘ ୫୪ ଦିନ ବ୍ୟାପି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣ ଧାରଣା ଦିଆଯାଇଥିଲା।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପୌରହିତ୍ୟ କରି କହିଥିଲେ ଯେ, ସେ ଏବଂ କଂଗ୍ରେସ ଦଳ କେନ୍ଦ୍ରାପଡାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଦାବି ପୂରଣ ପର‌୍ୟ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। କେନ୍ଦ୍ରାପଡା ବାସୀଙ୍କୁ ପ୍ରତିଶ୍ରୁତି ଦେଇ ଶ୍ରୀ ବେହେରା କହିଥିଲେ ଯେ “ମୋତେ ବିଧାନସଭା ପଠାନ୍ତୁ, ବିଧାନ ସଭାରୁ କେନ୍ଦ୍ରାପଡାର ସ୍ୱର ଶୁଣନ୍ତୁ।

‘ମାଟି ପାଇଁ ଜେଲ ଚାଲ’ ଆନ୍ଦୋଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା କଂଗ୍ରେସ ସଭାପତି ଲୋକାନାଥ ମହାରଥୀ, ବରିଷ୍ଟ କଂଗ୍ରେସ ନେତା ରତିିକାନ୍ତ କାନୁନଗୋ, ଯୁବ ନେତା ତଥା ଯୁବ ଇଂ ସିଦ୍ଧାର୍ଥ ସ୍ୱରୁପ ଦାସ, ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।