Categories
ବିଶେଷ ଖବର

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବା ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ। ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି। ଏହି ମହାନ  ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟ ଶାସନ ସଚିବ ଓ ‘‘୫-ଟି’’ ସଚିବଙ୍କ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ  “୫-ଟି” ସଚିବ ଏଠାରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍‌ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍‌ଚୀ ଏବଂ ହସ୍‌ପିଟାଲ୍‌ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍‌ପିଟାଲ୍‌ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍‌ଚୀଙ୍କ ସହ ଧର୍ମିଣୀ ତଥା ମୋ ସ୍କୁଲ୍‌ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଉପସ୍ଥିତ ଥିଲେ।

ଡାକ୍ତରଖାନା ତରଫରୁ ଡଃ ସାଇନାଥ ଏହାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାତ୍ର ଏକ ବର୍ଷ ତିନି ମାସ ମଧ୍ୟରେ ଏହି ଡାକ୍ତରଖାନାର ନିର୍ମାଣକାର୍ଯ୍ୟ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ଲାଗି ଆମକୁ ଉତ୍ସାହିତ କରିବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପ୍ରଥମେ ଦୁରତା ଓ ଆନୁଷଙ୍ଗିକ ଆବଶ୍ୟକତା ଦୃଷ୍ଟିରୁ ଯଦିଓ ଆମେ ଏଠାରେ ଡାକ୍ତରଖାନା ସ୍ଥାପନ ପାଇଁ କୁଣ୍ଠିତ ଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାରେ ଏକ ଅତ୍ୟାଧୂନିକ କ୍ୟାନ୍‌ସର ହସ୍ପିଟାଲ୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ପ୍ରତିବଦ୍ଧତା ଏଦିଗରେ ଆମକୁ ଉତ୍ସାହିତ କରିଥିଲା। ୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ତଳ ଫ୍ଲୋର ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। ପ୍ରତି ଫ୍ଲୋର ୧୫ ହଜାର ବର୍ଗ ଫୁଟ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ  ତଥା ସେମାନଙ୍କ ଆଟେଣ୍ଡାଣ୍ଟ ଆଦିଙ୍କ ଯାତାୟତ ପାଇଁ ଯଥେଷ୍ଟ ସ୍ଥାନ ରହିଛି। ଓଡ଼ିଶା ରାଜ୍ୟ ସରକାର, ଆର୍କିଟେକ୍ଟ ଓ ସବୁ ମହଲରୁ ସହଯୋଗ ଯୋଗୁଁ ଡାକ୍ତରଖାନା କାର୍ଯ୍ୟ ସଫଳତାର ସହ ଆରମ୍ଭ ହେବାକୁ ଯାଉଛି।

ଏଠାରେ କର୍କଟ ରୋଗ ଚିକିତ୍ସା ସଂପର୍କିତ ମେଡକାଲ ଅଂକୋଲୋଜି, ରେଡିଏସନ ଅଂକୋଲୋଜି, ସର୍ଜିକାଲ ଅଂକୋଲୋଜି ଆଦି ବିଭିନ୍ନ ବିଭାଗ ପ୍ରସ୍ତୁତ କରାଯାଉଛି। ଏହି ଡାକ୍ତରଖାନା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଚିକିତ୍ସା ପାଇବେ ବୋଲି ଡକ୍ଟର ସାଇନାଥ ପ୍ରକାଶ କରିଥିଲେ।

ପୂର୍ବପ୍ରସ୍ତୁତି ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।  ଏହି ହସ୍‌ପିଟାଲ୍‌ରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି। ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଏଥିରେ ଯୋଗଦେଇ ହସ୍‌ପିଟାଲ୍‌ର ମୁଖ୍ୟ ଆର୍କିଟେକ୍‌ଟ୍‌ ସୁନ୍ଦର ରମଣ ଡାକ୍ତରଖାନା ନିର୍ମାଣ ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାର ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ମୁଖ୍ୟ ଶାସନ ସଚିବ ଜେନା ହସ୍‌ପିଟାଲ୍‌ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା ନେଇ ଯାହା ସହାୟତା ଆବଶ୍ୟକ ରହିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଇସ୍ରୋକୁ ସହାୟତା ନିମିତ୍ତ ସ୍ଥାପନ କରାଯିବ ନୂଆ ଗବେଷଣା କେନ୍ଦ୍ର

ନୂଆଦିଲ୍ଲୀ: ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡ. ସିଂହ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ୨୦୨୨ ମସିହାରେ ମହାକାଶ ଗବେଷଣା କ୍ଷେତ୍ରରେ କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି।

ସେଗୁଡିକୁ ମଧ୍ୟରେ ରହିଛି – ବ୍ୟବସାୟିକ ଉଦ୍ଦେଶ୍ୟରେ ଗୋଟିଏ ଏବଂ ଭୂପୃଷ୍ଠ ନିରୀକ୍ଷଣ ଉଦ୍ଦେଶ୍ୟରେ ଗୋଟିଏ ପିଏସଏଲଭି ମହାକାଶକୁ ପଠାଯିବା, ଦୁଇଟି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି, ଗୋଟିଏ ଜିଏସଏଲଭି ଉପଗ୍ରହ ରକେଟ ପସ୍ତୁତି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଜି-ସାଟ ୨୪ ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି। ଅନ୍ୟ ଏକ ଉପଗ୍ରହ ଉତକ୍ଷେପଣ ରକେଟ ଜିଏସଏଲଭି-ଏମକେ ୩ ମଧ୍ୟ ସ୍ୱତନ୍ତ୍ର ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ। ଏଥିପାଇଁ ବର୍ତ୍ତମାନ ରହିଥିବା ମହାକାଶ ଗବେଷଣା ଇନକ୍ୟୁବେସନ କେନ୍ଦ୍ର ଏବଂ ଆଞ୍ଚଳିକ ଏକାଡେମିଆ କେନ୍ଦ୍ରକୁ ବର୍ଷକୁ ସର୍ବାଧିକ ୨ କୋଟି ଲେଖାଏଁ ଟଙ୍କା ପୂର୍ବ ପ୍ରଚଳିତ ନୀତିନିୟମ ଭିତ୍ତିରେ ଦିଆଯିବ।

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବୈଦେଶିକ ସଂସ୍ଥାମାନଙ୍କର ସହଯୋଗ ଭିତ୍ତିକ ପ୍ରକଳ୍ପ ପାଇଁ ସରକାର ଆଗ୍ରହୀ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଭୂପୃଷ୍ଠ ନିରୀକ୍ଷଣ କାର୍ଯ୍ୟକ୍ରମ, ଭୂପୃଷ୍ଠ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ମିଳିତ ଗବେଷଣା ନିମିତ୍ତ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଯୁକ୍ତରାଷ୍ଟ୍ର ଆମେରିକାର ନାସା ସଂଗଠନ ସହିତ ମିଶି “ନାସା-ଇସ୍ରୋ ସିନ୍ଥେଟିକ ଆପାରେଟର ରାଡାର” ନାମରେ ଭୂପୃଷ୍ଠର ବିଜ୍ଞାନ ଭିତ୍ତିକ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।