Categories
ଆଜିର ଖବର ଜାତୀୟ ଖବର

ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ : ଶ୍ରମିକଙ୍କୁ 125 ଦିନର କାର୍ଯ୍ୟ ଯୋଗାଇବେ ସରକାର

ନୂଆଦିଲ୍ଲୀ : କରୋନା ଓ ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଏହି ଶ୍ରମିକମାନେ ଏବେ ନିଜ ନିଜ ଘରକୁ ବାହୁଡିଛନ୍ତି । ଏପରି ସମୟରେ ସେମାନଙ୍କ ପାଖରେ ରୋଜଗାର ଏବେ ବିକଟ ସମସ୍ୟା ଭାବେ ଉଭା ହୋଇଛି । ପ୍ରବାସୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୋଦି। ବିହାର ଖଗଡ଼ିଆ ଜିଲ୍ଲା ଡେଲିହାର ଗାଁରୁ ଯୋଜନାର ଶୁଭାରମ୍ଭ କରାଯାଉଛି। ଏହି ଅଭିଯାନର ଶୁଭାରମ୍ଭ ସମୟରେ ଅନ୍ୟ ପାଞ୍ଚୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି କେନ୍ଦ୍ରୀୟ ମନ୍ତ୍ରୀମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି ।

ପ୍ରବାସୀମାନଙ୍କ ରୋଜଗାର ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାଟି 6ଟି ରାଜ୍ୟର 116ଟି ଜିଲ୍‌ଲାରେ କାର୍ଯ୍ୟକାରୀ କରାଯିବ ।  ଏଥିପାଇଁ ପଚାଶ ହଜାର କୋଟିର ବ୍ୟୟ ବରାଦ ରହିଛି । ଏହି ଯୋଜନାରେ 25ଟି ପ୍ରୋଜେକ୍ଟ ରହିଛି। ଅଭିଯାନ ଅନୁସାରେ ଯେଉଁ ଜିଲ୍ଲା ଓ ରାଜ୍ୟଗୁଡ଼ିକରେ 25 ହଜାରରୁ ଅଧିକ ପ୍ରବାସୀ ଫେରିଥିବେ କେବଳ ସେହି ଜିଲ୍ଲଗୁଡ଼ିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏହି ଯୋଜନା ଆଧାରରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ 125 ଦିନର କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି । ତେବେ ଏହି ଯୋଜନାରେ ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ଓଡ଼ିଶା ଆଦି ରାଜ୍ୟ ସାମିଲ୍‌ ରହିଛନ୍ତି । ସେହିପରି ଓଡ଼ିଶାର ଚାରୋଟି ଜିଲ୍‌ଲା ସାମିଲ୍‌ ହୋଇଛନ୍ତି । (ଏଜେନ୍ସି)