Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସୃଷ୍ଟି କଲା ୫.୫ ଲକ୍ଷରୁ ଅଧିକ ଶ୍ରମ ଦିବସ

ଭୁବନେଶ୍ବର, ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ ।

ଏସବୁ ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ ଏଥିପାଇଁ ନିଯୁକ୍ତି ଦେଇଛି । ରାଜ୍ୟ ସରକାରମାନଙ୍କ ସହ ନିବିଡ ସହଯୋଗ ଓ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଏହା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯେପରି ଏହିସବୁ ପ୍ରକଳ୍ପରେ କାମ ପାଆନ୍ତି ଏବଂ ସେମାନଙ୍କୁ ମଜୁରି ପ୍ରଦାନରେ ଯେପରି ଅନିୟମିତତା ନ ହୁଏ ତାହା ଦେଖିବା ପାଇଁ ରେଳବାଇ ମନ୍ତ୍ରୀ ଗୋୟଲ ଜୋନସ୍ତରୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନାରେ ରେଳବାଇ ବିଭିନ୍ନ ପ୍ରକାର ପ୍ରକଳ୍ପକୁ ଚିହ୍ନଟ କରି କାର‌୍ୟ୍ୟକାରୀ କରୁଛି । ସେଥିମଧ୍ୟରେ ଲେବଲ କ୍ରସିଂ ପାଇଁ ଆପ୍ରୋଚ ରୋଡ଼ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳଧାରଣା ମଧ୍ୟରେ ଓ ପାଶ୍ୱର୍ରେ ଥିବା ଜଳପଥ, ଫୁକାର ଓ ନାଳଗୁଡିକର ମରାମତି ଓ ସଫେଇ, ରେଳ ଷ୍ଟେସନକୁ ସଂଯୋଗପଥ ନିର୍ମାଣ ଓ ତାହାର ମରାମତି ତଥା ରକ୍ଷଣାବେକ୍ଷଣ, ରେଳପଥର ଏମ୍ବାକ୍‌ମେଣ୍ଟକୁ ପ୍ରଶସ୍ତ କରିବା କାର‌୍ୟ୍ୟ, ରେଳବାଇ ଜମିରେ ଆବଶ୍ୟକସ୍ଥଳେ ବୃକ୍ଷରୋପଣ ଏବଂ ରେଳପଥର ଏମ୍ବାକ୍‌ମେଣ୍ଟ/କଟିଂ ଓ ବ୍ରିଜର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ବ୍ୟାପକଭାବେ କର୍ମନିଯୁକ୍ତି ଦେବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ କାମ ଯୋଗାଇଦେବା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି ଆଣିବା। କୋଭିଡ ମହାମାରୀ ଯୋଗୁଁ ବହୁ ସଂଖ୍ୟକ ଶ୍ରମିକ ବିଦେଶରୁ ଫେରିଆସି ନିଜର ଗାଁ ଗଣ୍ଡାରେ ରହିଥିବାବେଳେ ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି। ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମ ନିର୍ମାଣ କରିବାକୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ଘେନି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

୧୨୫ ଦିନ ପାଇଁ ଏହି ଅଭିଯାନ କାର‌୍ୟ୍ୟକାରୀ ହେଉଛି। ଏଥିରେ ୨୫ ପ୍ରକାର କାମ ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଝାଡଖଣ୍ଡରେ ଅଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ଥିବାରୁ ଏହି ୬ଟି ରାଜ୍ୟରେ ଏହାକୁ କାର‌୍ୟ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୫୦ ହଜାର କୋଟି ଟଙ୍କାର ସମ୍ବଳ ଯୋଗାଣ ବ୍ୟବସ୍ଥା କେନ୍ଦ୍ର ସରକାର କରିଛନ୍ତି।

କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଯୋଜନା କାର‌୍ୟ୍ୟକାରୀ ହେଉଛି । ଏଥିରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିଚ୍ଛନ୍ନତା, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ନୂଆ ଓ ଅକ୍ଷୟ ଶକ୍ତି, ବର୍ଡର ରୋଡ୍‌ସ, ଟେଲିକମ୍ ଓ କୃଷି ଆଦି ମନ୍ତ୍ରଣାଳୟ ଓ ବିଭାଗ ଅନ୍ତର୍ଭୁକ୍ତ।