Categories
ଆଜିର ଖବର ରାଜ୍ୟ ଖବର

ସୁଚିତ୍ରା ସାରସ୍ବତ ସମ୍ମାନ ଘୋଷିତ

ରେଢାଖୋଲ (କନ୍ଦର୍ପ ବେହେରା): ସାହିତ୍ୟ, ସଂସ୍କୃତିଧର୍ମୀ ଫିଚର ପତ୍ରିକା ‘ସୁଚିତ୍ରା’ ର ସାରସ୍ବତ ସମ୍ନାନ ପାଇଁ ସାରସ୍ବତ ସାଧକ ମାନଙ୍କର ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶାର ଖ୍ୟାତନାମା ସାରସ୍ୱତ ସାଧକଙ୍କୁ ‘ସୁଚିତ୍ରା ସାରସ୍ୱତ ସମ୍ମାନ – ୨୦୨୩ ‘ରେ ସମ୍ମାନୀତ କରାଯିବାକୁ ସ୍ଥିର କରାଯାଇଛି।

ମମତା ପଟ୍ଟନାୟକ (ଭୁବନେଶ୍ବର) ଙ୍କୁ “ସାରସ୍ବତ ସାଧନା ସମ୍ମାନ୨୦୨୩”, ଗଳ୍ପ ପାଇଁ ଲକ୍ଷ୍ମୀ ଚାନ୍ଦ (ଭୁବନେଶ୍ବର), କବିତା ପାଇଁ ପିନାକୀ ମିଶ୍ର (କେନ୍ଦୁଝର), ପ୍ରବନ୍ଧ ପାଇଁ ସୁଜିତ କୁମାର ପୃଷେଠ (ବରଗଡ) ଓ ଶିଶୁସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମଙ୍ଗରାଜ (ପୁରୀ) ଏହି ସମ୍ମାନ ପାଇବେ। ସେହିପରି ହରିହର ସାହୁ (ସମ୍ବଲପୁର)ଙ୍କୁ କବିପୀତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ ଓ କୁଳମଣି ମେହେର(ଅନୁଗୋଳ)ଙ୍କୁ “ଯୁବ ପ୍ରତିଭା ସମ୍ମାନ” ପ୍ରଗତି ବଳ (ପୁରୀ)ଙ୍କୁ ସୁଚିତ୍ରା “ପ୍ରଚ୍ଛଦପଟ୍ଟ ଶିଳ୍ପୀ” ସମ୍ମାନ ପ୍ରଦାନ କରାଯିବ ା ଆସନ୍ତା ଜାନୁଆରୀ ମାସରେ ସୁଚିତ୍ରା ର ବାର୍ଷିକ ଉତ୍ସବରେ ସମସ୍ତ ସାରସ୍ବତ ସାଧକ ମାନଙ୍କୁ ଏକ ବର୍ଣ୍ନାଢ୍ୟ ଉତ୍ସବରେ ସମ୍ମାନୀତ କରାଯିବ ଏବଂ ବିଶିଷ୍ଟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂପାଦକ କନ୍ଦର୍ପ ବେହେରା ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ା

Categories
ଆଜିର ଖବର ରାଜ୍ୟ ଖବର

ପରୀକ୍ଷାରେ ରଚନା ପଡିଥିଲା ‘କଫିଚାଷ’, ପିଲାଟିକୁ ଦିଶିଲା ‘କପିଚାଷ’, ତାପରେ..

ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡିଥିଲା “କଫିଚାଷ”। କିନ୍ତୁ ପ୍ରଶ୍ନପତ୍ରରେ ‘ଫ’ ର ଫଳାଟି ଝାପସା ହୋଇ ଯାଇଥିବାରୁ ପରୀକ୍ଷାର୍ଥୀ ଭାବିନେଲା ବୋଧହୁଏ ରଚନା ପଡିଛି “କପିଚାଷ”। ସେ କପିଚାଷ ଉପରେ ସମ୍ପୂର୍ଣ୍ଣ ରଚନା ଲେଖି ଦେଇଥିଲା ଯାହା ପରୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ ଯାହା ଲେଖିଥିଲା ତାହା ହେଲା ….

କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ଚାଷ ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ।

ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଇଥିବା ବେଳେ ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ : – ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତଥିବା ଜଳବାୟୁରେ ଚାଷ କରାଯାଇଥାଏ …. ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରମାନେ ଚାଷ କରିଥାନ୍ତି।
ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ କରି ମେଧାବୀ ଛାତ୍ରମାନେ ଯେଉଁଫଳ ପାଆନ୍ତି ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ବାରା ମିଳିଥାଏ।

ବିହନ: – ଏହାର ଅନେକ କିସମର ବିହନ ମିଳିଥାଏ। ଯଥା ଟେଷ୍ଟପେପରିଆ … ପସିବୁଲିଆ … ଚିରକୁଟିଆ … ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ : – ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲା … ପରୀକ୍ଷକ .. ଇନ୍ ଭିଜିଲେଟର୍ … କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢା ହେଡ୍ ମାଷ୍ଟର। ବେଳେ ବେଳେ Squard କୀଟ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି।

ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ Shirt କଲର୍ ଭିତରେ .. ହାତ Folding ଭିତରେ .. ବେଲଟ୍ ତଳ .. ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ।

ଲାଭ :- ବର୍ଷସାରା ବୁଲି .. ପଢାପଢି ନକରି ଏହି ଚାଷ ଦ୍ବାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି। ଅତି ସନ୍ତର୍ପଣରେ ଏହି ଚାଷ କରି ନ ପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରି ଦେଇଥାଆନ୍ତି ଓ ବେଳେ ବେଳେ ଚାଷୀ କିଛି ଫଳ ଆମଦାନୀ କରି ନ ପାରି ଆତ୍ମହତ୍ୟା କରି ଥିବାର ବି ଦେଖାଯାଇ ଥାଏ।

ପରୀକ୍ଷକ ରଚନାଟି ପଢିସାରି କେତେ ମାର୍କ ଦେବେ ବୋଲି ଚିନ୍ତା କରୁ କରୁ ଭାବିଲେ ଅନ୍ତତଃ ପିଲାଟି ଏଇ ରଚନାଟି କପି ନ କରି ମନରୁ ଲେଖିଛି !

( ଏହା ଏକ ସଂଗୃହିତ କାଳ୍ପନିକ ଗପ )