Categories
ବିଶେଷ ଖବର

ମହିଳା ସଶକ୍ତିକରଣ ଉପରେ ଆୟୋଜିତ ଜି୨୦ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ମହିଳା ସଶକ୍ତିକରଣ ଉପରେ ଜି -୨୦ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାର ପ୍ରତିଷ୍ଠା ଦିବସରେ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ଗାନ୍ଧିନଗରକୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦର ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭଳି ସମସ୍ୟାଗୁଡିକ ପାଇଁ ଜରୁରୀ ଏବଂ ନିରନ୍ତର ସମାଧାନ ଖୋଜିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀଙ୍କ ଜୀବନଶୈଳୀର ସରଳତା ଏବଂ ଗାନ୍ଧୀ ଆଶ୍ରମରେ ସହନଶୀଳତା, ଆତ୍ମର୍ନିଭରଶୀଳତା ଏବଂ ସମାନତା ବିଷୟରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ଯେ କେହି ଦେଖିପାରିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏହା ପ୍ରେରଣାଦାୟକ ବୋଲି ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ ଦାଣ୍ଡି କୁଟୀର ସଂଗ୍ରହାଳୟ ପରିଦର୍ଶନ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଏବଂ ଗାନ୍ଧୀଜୀଙ୍କ ପ୍ରସିଦ୍ଧ ସୂତାକଟା ଚରଖା କିମ୍ବା ଚରଖା ନିକଟସ୍ଥ ଏକ ଗାଁରେ ଗଙ୍ଗାବେନ୍ ନାମକ ଜଣେ ମହିଳାଙ୍କୁ ମିଳିଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ଗାନ୍ଧିଜୀ ଖଦି ପିନ୍ଧିବା ଆରମ୍ଭ କରିଥିଲେ ଯାହା ଆତ୍ମର୍ନିଭରଶୀଳତା ଏବଂ ସହନଶୀଳତାର ପ୍ରତୀକ ପାଲଟିଥିଲା।

ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ସେତେବେଳେ ବିଶ୍ୱ ସମୃଦ୍ଧ ହୁଏ, ସେମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇଥାଏ ଏବଂ ସେମାନଙ୍କର ଶିକ୍ଷା ବିଶ୍ୱକୁ ଆଗକୁ ନେଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ନେତୃତ୍ୱ ଅନ୍ତର୍ଭୂକ୍ତିକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ସ୍ୱର ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମହିଳା ସଶକ୍ତିକରଣର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ମହିଳା ନେତୃତ୍ୱାଧୀନ ବିକାଶ ଆଭିମୁଖ୍ୟ ଏବଂ ଭାରତ ଏହି ଦିଗରେ ବହୁତ ଅଗ୍ରଗତି କରୁଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯଦିଓ ସେ ଜଣେ ସରଳ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି ସେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ନେତୃତ୍ୱ ନେଉଛନ୍ତି ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ବାହିନୀର ସେନାମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ କୁହାଯାଉଥିବା ଏହି ଦେଶରେ ଭାରତୀୟ ସମ୍ବିଧାନ ଦ୍ୱାରା ମହିଳାଙ୍କ ସମେତ ସମସ୍ତ ନାଗରିକଙ୍କୁ “ଭୋଟ ଦେବାର ଅଧିକାର” ସମାନ ଭାବରେ ପ୍ରଦାନ କରାଯାଇଛି ଏବଂ ସମାନତା ଆଧାରରେ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ର୍ନିବାଚିତ ମହିଳା ପ୍ରତିନିଧୀମାନେ ଅର୍ଥନୈତିକ, ପରିବେଶ ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ଏଜେଣ୍ଟ ଅଟନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ର୍ନିବାଚିତ ପ୍ରତିନିଧୀଙ୍କ ମଧ୍ୟରୁ ୪୬% ହେଉଛନ୍ତି ମହିଳା ଯାହା ୧.୪ ନିୟୁତ। ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାମାନଙ୍କର ଅଂଶଗ୍ରହଣ ମଧ୍ୟ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱୟଂ ସହାୟକା ଗୋଷ୍ଠି ଏବଂ ନିର୍ବାଚିତ ମହିଳା ପ୍ରତିନିଧିମାନେ ମହାମାରୀ ସମୟରେ ସହାୟତା ପାଇଁ ଆଗକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ସଫଳତାର ଉଦାହରଣ ଦେଇଛନ୍ତି ଏବଂ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ ଏବଂ ସଂକ୍ରମଣ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତର ୮୦% ରୁ ଅଧିକ ନର୍ସ ଏବଂ ଧାଈ ମଧ୍ୟ ମହିଳା ଅଟନ୍ତି। ମହାମାରୀ ସମୟରେ ସେମାନେ ଆମର ଆଗ ଧାଡିର ସୁରକ୍ଷାକର୍ମୀ ଥିଲେ ଏବଂ ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି।

ମହିଳା ନେତୃତ୍ୱାଧୀନ ବିକାଶ ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନ ମନ୍ତ୍ର ମୁଦ୍ରା ଯୋଜନା ଅନ୍ତର୍ଗତ ମାଇକ୍ରୋ ସ୍ତରୀୟ ୟୁନିଟକୁ ସହାୟତା କରିବା ପାଇଁ ପ୍ରାୟ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରାୟ ୭୦% ମହିଳାଙ୍କୁ ମଞ୍ଜୁର କରାଯାଇଛି। ସେହିଭଳି ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ୮୦% ମହିଳା ହିତାଧିକାରୀ ନୂତନ ପ୍ରକଳ୍ପ ପାଇଁ ବ୍ୟାଙ୍କ ଋଣ ପାଇଛନ୍ତି। ସ୍ୱଚ୍ଛ ରନ୍ଧନ ଇନ୍ଧନ ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଉପରେ ଆଲୋକପାତ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ପ୍ରାୟ ୧୦୦ ନିୟୁତ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରୁ ଶିଳ୍ପ ତାଲିମ କେନ୍ଦ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି, ଭାରତରେ ଏସଟିଇଏମ୍‍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ସ୍ନାତକୋତ୍ତରର ପ୍ରାୟ ୪୩ ପ୍ରତିଶତ ଏବଂ ମହାକାଶ ବିଜ୍ଞାନର ଏକ ଚତୁର୍ଥାଂଶ ହେଉଛନ୍ତି ମହିଳା। ସେ କହିଛନ୍ତି, ଚନ୍ଦ୍ରଯାନ, ଗଗନୟାନ ଏବଂ ମିଶନ ମଙ୍ଗଳ ଭଳି ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମର ସଫଳତା ପଛରେ ଏହି ମହିଳା ବୈଜ୍ଞାନିକମାନଙ୍କର ପ୍ରତିଭା ଏବଂ ପରିଶ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ପୁରୁଷଙ୍କ ଅପେକ୍ଷା ଅଧିକରୁ ଅଧିକ ମହିଳା ଉଚ୍ଚଶିକ୍ଷାରେ ନାମ ଲେଖାଉଛନ୍ତି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବେସାମରିକ ବିମାନରେ ମହିଳା ପାଇଲଟଙ୍କ ମଧ୍ୟରେ ଭାରତରେ ସର୍ବାଧିକ ପ୍ରତିଶତ ଥିବାବେଳେ ଭାରତୀୟ ବାୟୁସେନାରେ ମହିଳା ପାଇଲଟମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଆମର ସମସ୍ତ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କୁ ସମ୍ମୁଖ ଅଞ୍ଚଳ ଏବଂ ଯୁଦ୍ଧ ପ୍ଲାଟଫର୍ମରେ ନିୟୋଜିତ କରାଯାଉଛି।

ଗ୍ରାମୀଣ କୃଷି ପରିବାରର ମେରୁଦଣ୍ଡ ଏବଂ କ୍ଷୁଦ୍ର ବ୍ୟବସାୟୀ ଏବଂ ଦୋକାନୀ ଭାବରେ ମହିଳାମାନଙ୍କ ପ୍ରମୁଖ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଅଭିନବ ସମାଧାନର ଚାବି ମହିଳାମାନଙ୍କ ହାତରେ ରହିଛି। ସେ ମନେ ପକାଇ ଦେଇଥିଲେ ଯେ ଅଷ୍ଟାଦଶ ଶତାବ୍ଦୀରେ ଅମ୍ରିତା ଦେବୀଙ୍କ ନେତୃତ୍ୱରେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ ଅନିୟମିତ କାର୍ଯ୍ୟକୁ ରୋକିବା ପାଇଁ “ଚିପ୍‍କୋ ଆନ୍ଦୋଳନ” ଆରମ୍ଭ କଲାବେଳେ ମହିଳାମାନେ ଭାରତରେ ପ୍ରଥମ ପ୍ରମୁଖ ଜଳବାୟୁ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଅନ୍ୟ ଅନେକ ଗ୍ରାମବାସୀଙ୍କ ସହ ପ୍ରକୃତି ପାଇଁ ନିଜ ଜୀବନ ଦେଇଥିଲେ। ‘ମିଶନ୍ ଲାଇଫ୍‍ – ପରିବେଶ ପାଇଁ ଜୀବନଶୈଳୀ’ ପାଇଁ ଭାରତର ମହିଳାମାନେ ମଧ୍ୟ ବ୍ରାଣ୍ଡ୍ ଆମ୍ବାସାଡର ହୋଇଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ହ୍ରାସ, ଉଦ୍ଧାର, ପୁନଃ ବ୍ୟବହାର, ଏବଂ ପୁନଃ ଉଦ୍ଦେଶ୍ୟ ପାଇଁ ସେମାନଙ୍କର ପାରମ୍ପାରିକ ଜ୍ଞାନ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନେ ସୌର ପ୍ୟାନେଲ ଏବଂ ଲାଇଟ୍ ତିଆରିରେ ସକ୍ରିୟ ଭାବରେ ତାଲିମ ନେଉଛନ୍ତି। ଦକ୍ଷିଣ ବିଶ୍ୱର ଅଂଶୀଦାର ଦେଶମାନଙ୍କ ସହ ସହଯୋଗ କରିବାରେ ସଫଳ ହୋଇଥିବା “ସୋଲାର ମାମା” ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ଭାରତରେ ମହିଳା ଉଦ୍ୟୋଗୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ଉଦ୍ୟୋଗୀମାନେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ କହିଥିଲେ ଯେ ଦଶନ୍ଧି ପୂର୍ବରୁ ୧୯୫୯ ମସିହାରେ ମୁମ୍ବାଇର ସାତ ଜଣ ଗୁଜୁରାଟୀ ମହିଳା ଏକତ୍ରିତ ହୋଇ ଏକ ଐତିହାସିକ ସମବାୟ ଆନ୍ଦୋଳନ ସୃଷ୍ଟି କରିଥିଲେ – ଶ୍ରୀ ମହିଳା ଗୃହ ଉଦ୍ୟୋଗ ଯାହା ଲକ୍ଷ ଲକ୍ଷ ମହିଳା ଏବଂ ସେମାନଙ୍କ ପରିବାରର ଜୀବନକୁ ବଦଳାଇ ଦେଇଛି। ଶ୍ରୀ ମୋଦୀ ସେମାନଙ୍କର ସବୁଠାରୁ ପ୍ରସିଦ୍ଧ ଉତ୍ପାଦ ଲିଜତ ପାମ୍ପଡ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ଗୁଜୁରାଟର ଖାଦ୍ୟ ତାଲିକାରେ ନିଶ୍ଚିତ ରହିବ! ସେ ଦୁଗ୍ଧ କ୍ଷେତ୍ରର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ କେବଳ ଗୁଜୁରାଟରେ ଏହି କ୍ଷେତ୍ରରେ ୩.୬ ନିୟୁତ ମହିଳା ଜଡିତ ଥିବା ସୂଚନା ଦେଇଛନ୍ତି। ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଭାରତରେ ପ୍ରାୟ ୧୫% ୟୁନିକର୍ଣ୍ଣ ଷ୍ଟାର୍ଟଅପରେ ଅତି କମରେ ଜଣେ ମହିଳା ପ୍ରତିଷ୍ଠାତା ଅଛନ୍ତି ଏବଂ ଏହି ମହିଳା ନେତୃତ୍ୱାଧୀନ ୟୁନିକର୍ଣ୍ଣର ମିଳିତ ମୂଲ୍ୟ ୪୦ ବିଲିୟନ ଡଲାରରୁ ଅଧିକ। ଏକ ପ୍ଲାଟଫର୍ମ ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେଉଁଠାରେ ସଫଳତା ହାସିଲ କରିଥିବା ମହିଳାମାନେ ଆଦର୍ଶ ଭାବେ ଉଭା ହେବେ। ସେହି ପ୍ରତିବନ୍ଧକଗୁଡିକୁ ହଟାଇବା ଦିଗରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ଯାହା ବଜାର, ବିଶ୍ୱର ମୂଲ୍ୟ ଶୃଙ୍ଖଳା ଏବଂ ଭଲ ଆର୍ଥିକ ସ୍ଥିତିରେ ପହଞ୍ଚିବାକୁ ସେମାନଙ୍କୁ ରୋକିଥାଏ। ଏଥି ସହିତ ଏହା ନିଶ୍ଚିତ କରିଥାଏ ଯେ ଯତ୍ନ ଏବଂ ଘରୋଇ କାର୍ଯ୍ୟର ବୋଝକୁ ଏକା ସମୟରେ ତୁଲାଇଥାନ୍ତି।

ଏହି ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମହିଳା ଉଦ୍ୟୋଗ, ନେତୃତ୍ୱ ଏବଂ ଶିକ୍ଷା ଉପରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଧ୍ୟାନକୁ ପ୍ରଶଂସା କରିବା ସହ ମହିଳାମାନଙ୍କ ପାଇଁ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ “ଟେକ୍‍-ଇକ୍ୟୁଟି ପ୍ଲାଟଫର୍ମ” ର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ “ମହିଳା ସଶକ୍ତିକରଣ” ଉପରେ ଏକ ନୂତନ କାର୍ଯ୍ୟ ଗୋଷ୍ଠି ଗଠନ କରାଯାଉଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଗାନ୍ଧିନଗରରେ ଅକ୍ଲାନ୍ତ ପରିଶ୍ରମ ସମଗ୍ର ବିଶ୍ୱରେ ମହିଳାମାନଙ୍କୁ ଅପାର ଆଶା ଏବଂ ଆତ୍ମବିଶ୍ୱାସ ଦେବ।

Categories
ବିଶେଷ ଖବର

ଗୁଜରାଟର ଗାନ୍ଧିନଗର ଠାରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍‌ପ୍ରେରିତ କରିବା’। ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ ପ୍ରଦର୍ଶିତ କରେ, ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି  ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ।

ଏହି ଅବସରରେ ଉଦ୍ୟୋଗ ଜଗତର ନେତାମାନେ  ନିଜର ମତ ରଖିଥିଲେ। ଏସ୍‌ଇଏମ୍‌ଆଇର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଅଜିତ ମିନୋଚା କହିଛନ୍ତି ଯେ ଭାରତର ଇତିହାସରେ ପ୍ରଥମ ଥର ପାଇଁ ଭୂ- ରାଜନୀତି, ଘରୋଇ ରାଜନୀତି ଏବଂ ଘରୋଇ ଗୁପ୍ତ କ୍ଷମତା ସେମିକଣ୍ଡକ୍ଟର ଉତ୍ପାଦନରେ ଖେଳାଳୀ ହେବା ପାଇଁ ଭାରତ ସପକ୍ଷରେ ଏକଜୁଟ ହୋଇ ଯାଇଛନ୍ତି । ସେ କହିଛନ୍ତି ମାଇକ୍ରୋନ୍ ଦ୍ୱାରା କରାଯାଇଥିବେ  ନିବେଶ ଭାରତରେ ଇତିହାସ ସୃଷ୍ଟି କରୁଛି ଏବଂ ଅନ୍ୟ ମାନଙ୍କ ଅନୁସରଣ ପାଇଁ ମଞ୍ଚ ସ୍ଥିର କରିବ।  ସେ କହିଛନ୍ତି ଯେ , ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ବୁଝୁଥିବା ନେତୃତ୍ୱ ହିଁ ବର୍ତ୍ତମାନର ବ୍ୟବସ୍ଥାକୁ ଭିନ୍ନ କରିଥାଏ। ସେ କହିଛନ୍ତି ଯେ ଏସିଆର ଇତିହାସରେ ସେମିକଣ୍ଡକ୍ଟର କ୍ଷେତ୍ରରେ  ଭାରତ ପରବର୍ତ୍ତୀ ଶକ୍ତି କେନ୍ଦ୍ର ହେବ।

ନିକଟରେ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସହ ସିଇଓ ଏଏମଡିଙ୍କର ବୈଠକକୁ ଶ୍ରୀ ମାର୍କ ପେପରମାଷ୍ଟର, ଇଭିପି ଏବଂ ସିଟିଓ ଏଏମ୍‌ଡି ମନେ ପକାଇଛନ୍ତି। ଆସନ୍ତା ୫ ବର୍ଷରେ ଏଏମ୍‌ଡି ପ୍ରାୟ ୪୦୦ ମିଲିୟନ୍ ଡଲାର ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଏମ୍‌ଡି ଏହାର ଗବେଷଣା ଏବଂ ବିକାଶ  କ୍ଷମତା ସମୂହକୁ ବୃଦ୍ଧି କରିବ। ସେ କହିଛନ୍ତି ଯେ, “ଆମେ ବେଙ୍ଗାଲୁରୁ ଠାରେ ଆମର ସର୍ବ ବୃହତ ଡିଜାଇନ କେନ୍ଦ୍ର ନିର୍ମାଣ କରିବୁ।

ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଆପ୍ଲାଏଡ୍ ମ୍ୟାଟେରିଆଲର ଅଧ୍ୟକ୍ଷ ଡଃ ପ୍ରଭୁ ରାଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଜଭୁତ ଦୃଷ୍ଟିକୋଣରୁ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଉାଦ୍ୟାଗ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ , ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଭାରତର ଉଜ୍ଜ୍ୱଳ ସମୟ । କୌଣସି କମ୍ପାନୀ କିମ୍ବା ଦେଶ ଏକାକୀ ଏହି କ୍ଷେତ୍ରର ଆହ୍ୱାନ ଗୁଡିକ ଦୂର କରି ପାରିବେ ନାହିଁ । ଏହି କ୍ଷେତ୍ରରେ ସହଯୋଗୀ ଭାଗିଦାରୀ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି ନୂତନ ସହଯୋଗୀ ମଡେଲ ଆମକୁ ଏହି କ୍ଷେତ୍ରର ଅନୁକ୍ରମଣିକା ହେବାରେ ସକ୍ଷମ କରିପାରେ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, “ଭାରତର ସେମିକଣ୍ଡକ୍ଟର ଦୃଷ୍ଟିକୋଣରେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବିବେଚନା କରି ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।”

କ୍ୟାଡେନ୍ସର ଅଧ୍ୟକ୍ଷ  ତଥା ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ କହିଛନ୍ତି ଯେ ଭାରତରେ ସେମିକଣ୍ଡକ୍ଟରରେ ପୁଞ୍ଜି ବିନିଯୋଗ କରିବା ପ୍ରକୃତରେ ଭଲ । ସରକାର ସମଗ୍ର ପାରିବେଶିକ ବ୍ୟବସ୍ଥାରେ ନିବେଶ କରୁଛନ୍ତି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ବିଶେଷଜ୍ଞମାନେ ଏହା ଅନୁଭବ କରୁଛନ୍ତି ଯେ ଗୁଜରାଟ ହେଉଛି ଭାରତର ସିଲିକନ୍ ଉପତ୍ୟକା ପାଇଁ ଉପଯୁକ୍ତ ସ୍ଥାନ । ସେ ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ  ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି । “ଆମେ ଦେଖିଛୁ ଗତ ଦଶନ୍ଧିରେ ଭାରତ କିପରି ପରିବର୍ତ୍ତିତ ହୋଇଛି ଏବଂ ଯୁବ ଭାରତୀୟ ମାନଙ୍କର ଆକାଂକ୍ଷା ପ୍ରକୃତରେ ଅଧିକ ।

ମାଇକ୍ରୋନ ଟେକ୍ନୋଲୋଜିର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା ଭାରତକୁ ଏକ ବିଶ୍ୱ ସେମିକଣ୍ଡକ୍ଟର କେନ୍ଦ୍ରରେ ପରିଣତ କରିବା ପାଇଁ ବିଶ୍ୱ ଦୃଷ୍ଟିକୋଣ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଜରାଟ ରାଜ୍ୟରେ ମେମୋରି ପାଇଁ ଏକ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷା ସୁବିଧା ସ୍ଥାପନ କରି ଶ୍ରୀ ମେହରୋତ୍ରା ଗର୍ବ ଅନୁଭବ କରି କହିଛନ୍ତି ଯେ ଏହି ପ୍ରକଳ୍ପ ଆସନ୍ତା ବର୍ଷରେ ସମୁଦାୟ ମଧ୍ୟରେ ୧୫,୦୦୦ ଅତିରିକ୍ତ ଚାକିରି ସହିତ ପ୍ରାୟ ୫୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ରାଜ୍ୟରେ ସେମିକଣ୍ଡକ୍ଟର ଉଦ୍ୟୋଗ ପ୍ରତିଷ୍ଠା କରିବାରେ ସହଯୋଗ କରି ଥିବାରୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବସୃଜନ, ବ୍ୟବସାୟ ଅଭିବୃଦ୍ଧି ଏବଂ ସାମାଜିକ ପ୍ରଗତିର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ  ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁ କାରଣରୁ ଉପଯୁକ୍ତ ଫଳାଫଳ ସମ୍ମୁଖକୁ ଆସିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଡିଜିଟାଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଏକ ପ୍ରକୃତ ପରିବର୍ତ୍ତନଶୀଳ ଶକ୍ତି ସୃଷ୍ଟି କରୁଛି ଯାହା ସକାରାତ୍ମକ ପ୍ରଗତି ଜାରି ରଖିବ” ।

ଫକ୍ସକନ୍‌ର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁ ତାଇୱାନ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିର ମହିଷ ଭାବନା, ଯାହା କୌଣସି ଅଭିଯୋଗ ନକରି କଠିନ ପରିଶ୍ରମ କରିବାର କ୍ଷମତା ଅଟେ , ତାହା ଉପରେ ଆଲୋକପାତ କରିଛନ୍ତି ଏବଂ ଭାରତରେ ମଧ୍ୟ ସମାନ ଭାବନା ପ୍ରୟୋଗ କରା ଯାଇପାରିବ ବୋଲି କହିଛନ୍ତି । ଭାରତ ସରକାରଙ୍କ ଉଚ୍ଚ ‘କହିବା – କରିବା’ ଅନୁପାତକୁ ଦର୍ଶାଇ ଶ୍ରୀ ଲିୟୁ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଅନେକ ବର୍ଷ ପୂର୍ବେ ତାଇୱାନ ଭଳି ଆହ୍ୱାନକୁ ଦୂର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ କହିଛନ୍ତି ।

ସେମି କଣ୍ଡକ୍ଟର ଶିଳ୍ପକୁ ଆଗେଇ ନେବା ପାଇଁ ଭାରତ ସରକାରଙ୍କ ଇଚ୍ଛା ଶକ୍ତି ଏବଂ ଦୃଢ଼ ସଙ୍କଳ୍ପ ଉପରେ ଶ୍ରୀ ଲିୟୁ ତାଙ୍କର ବିଶ୍ୱାସ ଏବଂ ଆଶା ରହିଛି ବୋଲି କହିଛନ୍ତି । “ଆଇଟି’  ର ଆଇ’ ପାଇଁ ଇଣ୍ଡିଆ (ଭାରତ) ଏବଂ ତାଇୱାନ ପାଇଁ  ଟି’ ବୋଲି ଶ୍ରୀ ଲିୟୁ କହିଛନ୍ତି ।  ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପରେ ତାଇୱାନ ଭାରତର ସବୁଠାରୁ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ହେବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସେମିକନ୍ ଭଳି କାର୍ଯ୍ୟକ୍ରମ ସଫ୍ଟୱେୟାର ଅପଡେଟ୍ ପରି ହୋଇଥାଏ , ଯେଉଁଠାରେ ବିଶେଷଜ୍ଞ ଏବଂ ଉଦ୍ୟୋଗର ନେତୃତ୍ୱ ସମୂହ ପରସ୍ପର ସହ ସାକ୍ଷାତ କରନ୍ତି ଏବଂ ଅଭିଜ୍ଞତା ବଂଟନ କରନ୍ତି । ଆମ ସମ୍ପର୍କର ସମନ୍ୱୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସ୍ଥାନରେ ଲାଗିଥିବା ପ୍ରଦର୍ଶନୀକୁ ଶ୍ରୀ ମୋଦୀ ଦେଖିଥିଲେ ଏବଂ ଏହି କ୍ଷେତ୍ରର ଉଦ୍ଭାବନ ଏବଂ ଶକ୍ତିରେ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ, ବିଶେଷ କରି ଯୁବ ପିଢ଼ିକୁ ଚାଲିଥିବା ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଏବଂ ନୂତନ ଟେକ୍ନୋଲୋଜିର ଶକ୍ତି ବୁଝିବାକୁ ଅନୁରୋଧ କରିଥିଲେ ।

ଗତ ବର୍ଷ ସେମିକନର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମିକଣ୍ଡକ୍ଟର ଶିଳ୍ପରେ ଭାରତରେ ପୁଞ୍ଜି ବିନିଯୋଗ ବିଷୟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ ପ୍ରଶ୍ନଗୁଡ଼ିକ ଏକ ବର୍ଷ ମଧ୍ୟରେ ‘ଭାରତରେ କାହିଁକି ବିନିଯୋଗ କରିବା’ ରୁ ‘ଭାରତରେ କାହିଁକି ନିବେଶ କରିବା ନାହିଁ’ ରେ ପରିବର୍ତ୍ତନ ହୋଇଛି । ଯ ସେ ଭାରତ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇ ଥିବାରୁ ସେମାନଙ୍କୁ ସମ୍ମାନିତ କରି , “ଶିଳ୍ପପତିଙ୍କ ଉଦ୍ୟମ କାରଣରୁ ଏହି ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି’  ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ମତ  ଦେଇଛନ୍ତି ଯେ ଶିଳ୍ପପତିମାନେ ନିଜର ଭବିଷ୍ୟତ ଏବଂ ସ୍ୱପ୍ନ ସହିତ ଭାରତର ଆକାଂକ୍ଷା ଏବଂ ସାମର୍ଥ୍ୟକୁ ଯୋଡିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “ଭାରତ ନିରାଶ କରେ ନାହିଁ” । ଏକବିଂଶ ଶତାବ୍ଦୀର ଭାରତରେ ପ୍ରଚୁର ସୁଯୋଗକୁ ଶ୍ରୀ ମୋଦୀ ସୂଚାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଦେଶର ଗଣତନ୍ତ୍ର, ଜନସଂଖ୍ୟା ଏବଂ ଲାଭାଂଶ  ଭାରତରେ ବ୍ୟବସାୟକୁ ଦୁଇ ଗୁଣା ଏବଂ ତିନି ଗୁଣା କରିବ ।

ଏହାର ହୃଦୟରେ ଅଭିବୃଦ୍ଧି ସହିତ ମୋର୍ ନିୟମକୁ ଅନୁସରଣ କରେ । ସେ କହିଛନ୍ତି ଯେ , ଆମେ ଭାରତର ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ ଉତ୍ପାଦନ କ୍ଷେତ୍ରରେ ସମାନ ଅଭିବୃଦ୍ଧିର ସାକ୍ଷୀ ଅଟୁ । ବିଶ୍ୱ ଇଲେକ୍ଟ୍ରୋନିକ୍ ଉତ୍ପାଦନରେ ଭାରତର ଅଂଶ ବହୁଗୁଣିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ୨୦୧୪ ରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୩୦ ବିଲିୟନ ଡଲାରରୁ କମ୍ ଥିଲା, ଯାହା ଆଜି ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି । ଗତ ୨ ବର୍ଷରେ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଉପକରଣ ଗୁଡିକର ରପ୍ତାନି ଦ୍ୱିଗୁଣିତ ହୋଇଛି ।

୨୦୧୪  ପରେ ଭାରତରେ ବୈଷୟିକ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ଭାରତରେ କେବଳ ଦୁଇଟି ମୋବାଇଲ୍ ଉତ୍ପାଦନ ୟୁନିଟ୍ ଥିବାବେଳେ ଆଜି ଏହି ସଂଖ୍ୟା ୨୦୦ ରୁ ଅଧିକ ହୋଇ ଯାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୬ କୋଟିରୁ ୮୦ କୋଟି ପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ଆଜି ୨୫ କୋଟିରୁ ୮୫ କୋଟିରୁ ଅଧିକ ହୋଇଛି । ଏହି ପରିସଂଖ୍ୟାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହା କେବଳ ଭାରତର ଅଗ୍ରଗତି ନୁହେଁ ବରଂ ଦେଶରେ ବ୍ୟବସାୟ ବୃଦ୍ଧି ପାଇଁ ଏକ ସୂଚକ ଅଟେ । ଶ୍ରୀ ମୋଦୀ ସେମିକନ୍ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧିର ଲକ୍ଷ୍ୟରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ।

“ବିଶ୍ୱ ଆଜି ଉଦ୍ୟୋଗ ୪.୦ ବିପ୍ଳବକୁ ଦେଖୁଛି” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ବିଶ୍ୱର ଯେକୌଣସି ଶିଳ୍ପ ବିପ୍ଳବର ଆଧାର ହେଉଛି ସେହି ନିର୍ଦ୍ଦିଷ୍ଟ କ୍ଷେତ୍ରର ଲୋକ ମାନଙ୍କର ଆକାଂକ୍ଷା । ପ୍ରଧାନମନ୍ତ୍ରୀ  ଉଦ୍ୟୋଗ ୪.୦ ବିପ୍ଳବ ଏବଂ ଭାରତୀୟ ଆକାଂକ୍ଷା ମଧ୍ୟରେ ଏକ ଅନୁରୂପ ଚିତ୍ର ଆଙ୍କି କହିଛନ୍ତି ଯେ, “ଅତୀତରେ ଶିଳ୍ପ ବିପ୍ଳବ ଏବଂ ଆମେରିକୀୟ ସ୍ୱପ୍ନର ସମାନ ସମ୍ପର୍କ ଥିଲା” । ସେ କହିଛନ୍ତି ଯେ ଭାରତୀୟ ଆକାଂକ୍ଷା ହେଉଛି ଭାରତର ବିକାଶର ଏକ ପ୍ରେରଣା ଶକ୍ତି ।

ନିକଟରେ ହୋଇଥିବା ରିପୋର୍ଟ ଉପରେ ସେ ମତ ଦେଇ କହିଛନ୍ତି ,  ଯେଉଁଥିରେ ଦର୍ଶାଯାଇଛି ଯେ ଦାରିଦ୍ର‌୍ୟ ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ଯାହା ଫଳରେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀର ଆବିର୍ଭାବ ହେଉଛି । ବୈଷୟିକ ଅନୁକୂଳ ପ୍ରକୃତି ଏବଂ ପ୍ରଯୁକ୍ତି ବିଦ୍ୟା ଗ୍ରହଣ ପାଇଁ ଭାରତୀୟ ଲୋକ ମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶସ୍ତା ଡାଟା ଦର, ଗୁଣାତ୍ମକ ଡିଜିଟାଲ୍ ଭିତ୍ତିଭୂମି ଏବଂ ଗ୍ରାମ ଗୁଡିକରେ ବିଦ୍ୟୁତ୍ ଯୋଗାଣ ଡିଜିଟାଲ୍ ଉତ୍ପାଦର ବ୍ୟବହାରକୁ ବୃଦ୍ଧି କରିବାରେ ଲାଗିଛି । ସ୍ୱାସ୍ଥ୍ୟ ହେଉ, କୃଷି ହେଉ କିମ୍ବା ଲଜିଷ୍ଟିକ୍ସ ହେଉ, ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ,  ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହୁଏତ ଏକ ଆବଶ୍ୟକ ଗୃହ ଉପକରଣ ବ୍ୟବହାର କରିନାହାଁନ୍ତି , କିନ୍ତୁ ପରସ୍ପର ସହ ସଂଯୁକ୍ତ ସ୍ମାର୍ଟ ଉପକରଣ ଗୁଡିକର ବ୍ୟବହାର କରିବାକୁ ଯାଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ଛାତ୍ର ଜନସଂଖ୍ୟା ହୁଏତ ପୂର୍ବରୁ ସାଇକେଲ ବ୍ୟବହାର କରିନଥାନ୍ତେ, କିନ୍ତୁ ସେମାନେ ଆଜି ସ୍ମାର୍ଟ ଇଲେକ୍ଟ୍ରିକ୍ ବାଇକ୍ ବ୍ୟବହାର କରିବାକୁ ପ୍ରାଥମିକତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବୃଦ୍ଧି ପାଉଥିବା ନବ- ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ଆକାଂକ୍ଷାର ଶକ୍ତି ପାଲଟିଛି ।  ସେ କହିଛନ୍ତି ଯେ ଚିପ୍ ତିଆରି ଶିଳ୍ପ ସୁଯୋଗରେ ପରିପୂର୍ଣ୍ଣ ଏକ ବଜାର ଏବଂ ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଯେଉଁମାନେ ଶୀଘ୍ର ଆରମ୍ଭ କରନ୍ତି ସେମାନେ ଅନ୍ୟ ମାନଙ୍କ ତୁଳନାରେ ପ୍ରଥମ ପର୍ଯ୍ୟାୟ ଲାଭ କରିବାକୁ ବାଧ୍ୟ ଅଟନ୍ତି ।

ମହାମାରୀର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ରୁଷ – ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ଆବଶ୍ୟକ । ସେ କହିଛନ୍ତି, “ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଅପେକ୍ଷା କିଏ ଅଧିକ ବିଶ୍ୱସ୍ତ ଅଂଶୀଦାର ହୋଇ ପାରିବ ? ଭାରତ ଉପରେ ବୃଦ୍ଧି ପାଉଥିବା ବିଶ୍ୱାସକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । “ଏକ ସ୍ଥିର, ଦାୟିତ୍ୱସମ୍ପନ୍ନ ଏବଂ ସଂସ୍କାର ଭିତ୍ତିକ ସରକାର ଥିବାରୁ ନିବେଶକମାନେ ଭାରତ ଉପରେ ବିଶ୍ୱାସ କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହେଉ ଥିବାରୁ ଉଦ୍ୟୋଗ ଜଗତର ଭାରତ ଉପରେ ବିଶ୍ୱାସ ରହିଛି । ଏଠାରେ ଟେକ୍ନୋଲୋଜି ବୃଦ୍ଧି ପାଉଥିବାରୁ ବୈଷୟିକ କ୍ଷେତ୍ର ଭାରତରେ ବିଶ୍ୱାସ କରେ । ଆମର ଏକ ବୃହତ ପ୍ରତିଭା ଭଣ୍ଡାର ଥିବାରୁ ସେମିକଣ୍ଡକ୍ଟର ଉଦ୍ୟୋଗ ଭାରତ ଉପରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି । “ଦକ୍ଷ ଇଞ୍ଜିନିୟର୍ ଏବଂ ଡିଜାଇନର୍ ମାନେ ଆମର ଶକ୍ତି । ଯିଏ ଦୁନିଆର ସବୁଠାରୁ ସ୍ଫୁର୍ତ୍ତିଶୀଳ ଏବଂ ସମନ୍ୱିତ ବଜାରର ଅଂଶ ହେବାକୁ ଚାହୁଁଛନ୍ତି,  ସେମାନେ ଭାରତ ଉପରେ ବିଶ୍ୱାସ ରଖିଛନ୍ତି । ଯେତେବେଳେ ଆମେ ଆପଣଙ୍କୁ ଭାରତରେ ତିଆରି କରିବାକୁ କହିବୁ, ଏହା ମଧ୍ୟ ଅନ୍ତର୍ଭୁକ୍ତ କରେ , “ଚାଲ, ଭାରତ ପାଇଁ ତିଆରି କରିବା, ବିଶ୍ୱ ପାଇଁ ତିଆରି  କରିବା ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତ ଏହାର ବିଶ୍ୱସ୍ତରୀୟ ଦାୟିତ୍ୱକୁ ବୁଝେ ଏବଂ ବନ୍ଧୁ ଦେଶମାନଙ୍କ ସହିତ ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଉପରେ କାର୍ଯ୍ୟ କରୁଛି । ସେଥିପାଇଁ ଭାରତ ଏକ ସ୍ଫୁର୍ତ୍ତିଶୀଳ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ କରୁଛି । ନିକଟରେ ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରା ଯାଇଥିଲା । ଏହା ବ୍ୟତୀତ, ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ୍ ବିଲ୍ ମଧ୍ୟ ସଂସଦରେ ଆଗତ ହେବାକୁ ଯାଉଛି । ଏକ ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାକୁ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ନବୀକରଣ କରାଯାଉଛି । ସେ ସୂଚନା ଦେଇଛନ୍ତି ଯେ ଭାରତରେ ୩୦୦ ରୁ ଅଧିକ ପ୍ରତିଷ୍ଠିତ କଲେଜ ଚିହ୍ନଟ କରାଯାଇଛି ଯେଉଁଠାରେ ସେମିକଣ୍ଡକ୍ଟର ଉପରେ ପାଠ୍ୟକ୍ରମ ଉପଲବ୍ଧ ହେବ । ଚିପ୍ସ ଟୁ ଷ୍ଟାର୍ଟଅପ୍ ପ୍ରୋଗ୍ରାମ ଇଞ୍ଜିନିୟର ମାନଙ୍କୁ ସାହାଯ୍ୟ କରିବ । “ଆକଳନ କରାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମ ଦେଶରେ ଏକ ଲକ୍ଷରୁ ଅଧିକ ଡିଜାଇନ ଇଞ୍ଜିନିୟର ସୃଷ୍ଟି  ହେବାକୁ ଯାଉଛନ୍ତି । ଭାରତର ବୃଦ୍ଧି ପାଉଥିବା ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ମଧ୍ୟ ସେମିକଣ୍ଡକ୍ଟର କ୍ଷେତ୍ରକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏକ କଣ୍ଡକ୍ଟର ଏବଂ ଇନସୁଲେଟରର ଅନୁରୂପ ପ୍ରଦାନ କରି , ଯେଉଁଠାରେ ଇନସୁଲେଟର ମାଧ୍ୟମରେ ନୁହେଁ, କଣ୍ଡକ୍ଟର ମାଧ୍ୟମରେ ଶକ୍ତି ଯାଇପାରିବ ବୋଲି ମତ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଭଲ ଶକ୍ତି ପରିଚାଳକ ହେବା ପାଇଁ ଭାରତ ପ୍ରତ୍ୟେକ ଚେକ୍ ବକ୍ସକୁ ଟିକ୍ କରୁଛି । ଏହି କ୍ଷେତ୍ର ପାଇଁ ବିଦ୍ୟୁତର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତର ସୌର ଶକ୍ତି ସ୍ଥାପିତ କ୍ଷମତା ଗତ ଦଶନ୍ଧିରେ ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି ଏବଂ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତାର ଏକ ନୂତନ ଲକ୍ଷ୍ୟ ଏହି ଦଶନ୍ଧି ଶେଷ ସୁଦ୍ଧା ହାସଲ କରିବାକୁ ସ୍ଥିର ହୋଇଛି । ସୌର ପିଭି ମଡ୍ୟୁଲ୍‌, ସବୁଜ ହାଇଡ୍ରୋଜେନ୍ ଏବଂ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ପାଇଁ ନିଆ ଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ମଧ୍ୟ ସେ କହିଥିଲେ । ସେ କହିଛନ୍ତି ଯେ ଭାରତରେ ଚାଲିଥିବା ନୀତି ସଂସ୍କାର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥା ନିର୍ମାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନୂତନ ଉତ୍ପାଦନ ଶିଳ୍ପ ପାଇଁ କାର୍ଯ୍ୟକାରୀ ହୋଇଥିବା ଅନେକ ଟିକସ ଛାଡ ବିଷୟରେ ସେ ସୂଚନା ଦେଇଛନ୍ତି ଏବଂ ଭାରତର ସର୍ବନିମ୍ନ କର୍ପୋରେଟ୍ ଟିକସ ହାର, ମୁଖହୀନ ଏବଂ ନିରବଚ୍ଛିନ୍ନ ଟିକସ ପ୍ରକ୍ରିୟା, ପୁରାତନ ନିୟମକୁ ରଦ୍ଦ କରିବା, ବ୍ୟବସାୟ କରିବାରେ ସହଜତା ବୃଦ୍ଧି ଏବଂ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ବିଶେଷ ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତି ଏବଂ ନୀତି ହେଉଛି ଏକ ପ୍ରତିଫଳନ ଯେ ଭାରତ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଲାଲ୍ ଗାଲିଚା ବିଛେଇବାକୁ ଯାଉଛି । “ଭାରତ ସଂସ୍କାର ପଥରେ ଆଗକୁ ବଢ଼ିବା ସହିତ ନୂତନ ସୁଯୋଗ ସୃଷ୍ଟି ହେବ । ସେମିକଣ୍ଡକ୍ଟର ନିବେଶ ପାଇଁ ଭାରତ ଏକ ଉତ୍କୃଷ୍ଟ କଣ୍ଡକ୍ଟର ପାଲଟିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା, କଞ୍ଚାମାଲ, ତାଲିମପ୍ରାପ୍ତ ମାନବ ଶକ୍ତି ଏବଂ ଯନ୍ତ୍ରପାତିର ଆବଶ୍ୟକତା ଭାରତ ବୁଝିଛି । “ଯେଉଁ କ୍ଷେତ୍ରରେ ଆମେ ଘରୋଇ ଖେଳାଳିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଛି, ତାହା ନୂତନ ଉଚ୍ଚତାକୁ ଛୁଇଁଛି । ମହାକାଶ କ୍ଷେତ୍ର ହେଉ କିମ୍ବା ଭୌଗୋଳିକ କ୍ଷେତ୍ର ହେଉ, ଆମେ ସବୁ ସ୍ଥାନରେ ଉତ୍କୃଷ୍ଟ ଫଳାଫଳ ପାଇଛୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗ୍ରହଣ କରାଯାଇଥିବା ମତାମତ ଆଧାରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି ।  ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ବର୍ଦ୍ଧିତ ପ୍ରୋତ୍ସାହନ ବିଷୟରେ ସେ କହିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଟେକ୍ନୋଲୋଜି ସଂସ୍ଥାଗୁଡ଼ିକୁ ୫୦ ପ୍ରତିଶତ ଅର୍ଥ ସହାୟତା ଦିଆଯିବ । ଦେଶର ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ନିରନ୍ତର ନୀତି ସଂସ୍କାର କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତର ଜି୨୦ ବିଷୟ  ‘ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟରେ ବିଚାର କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର କରିବା ପଛରେ ସମାନ ଭାବନା ପ୍ରୟୋଗ କରାଯାଇଛି । ସେ କହିଛନ୍ତି ଯେ ଭାରତ ଚାହୁଁଛି ଯେ ଏହାର ଦକ୍ଷତା, ସାମର୍ଥ୍ୟ ଏବଂ ସାମର୍ଥ୍ୟରୁ ସମଗ୍ର ବିଶ୍ୱ ଉପକୃତ ହେଉ । ବିଶ୍ୱର ମଙ୍ଗଳ  ଏବଂ ଏକ ଉନ୍ନତ ବିଶ୍ୱ ପାଇଁ ଭାରତର କ୍ଷମତାକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ୟମରେ ଅଂଶଗ୍ରହଣ, ପରାମର୍ଶ ଏବଂ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଶିଳ୍ପପତି ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ସରକାର ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସହ ଅଛନ୍ତି । ବକ୍ତବ୍ୟକୁ ଶେଷ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ତାଙ୍କ ବକ୍ତବ୍ୟକୁ ମନେ ପକାଇ କହିଛନ୍ତି, “ଏହା ହେଉଛି ସମୟ । ଏହା ହେଉଛି ଉପଯୁକ୍ତ ସମୟ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ୱ ପାଇଁ । ”

ଏହି ଉତ୍ସବରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି  କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର, କ୍ୟାଡେନ୍ସର ସିଇଓ ଶ୍ରୀ ଅନିରୁଦ୍ଧ ଦେବଗନ୍‌, ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ଯୁବ ଲିୟୁ ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନିଲ ଅଗ୍ରୱାଲ, ମାଇକ୍ରୋନ୍‌ର ସିଇଓ ଶ୍ରୀ ସଞ୍ଜୟ ମେହେରୋତ୍ରା, ଏଏମ୍‌ଡିର ସିଟିଓ, ଶ୍ରୀ ମାର୍କ ପେପରମାଷ୍ଟର ଏବଂ ସେମିକଣ୍ଡକ୍ଟର ପ୍ରଡକ୍ଟ ଗ୍ରୁପ୍ ଏଏମ୍‌ଏଟିର ଅଧ୍ୟକ୍ଷ ପ୍ରଭୁ ରାଜା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ।

ପୃଷ୍ଠଭୂମି

ସମ୍ମିଳନୀର ବିଷୟ ବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାକୁ ଉତ୍‌ପ୍ରେରିତ କରିବା’ । ଶିଳ୍ପ, ଏକାଡେମୀ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଶ୍ୱସ୍ତରୀୟ ନେତା ମାନଙ୍କୁ ଏକତ୍ର କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶନ କରେ ଯାହା ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍‌, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ କଳ୍ପନା କରେ । ସେମିକନ୍ ଇଣ୍ଡିଆ ୨୦୨୩ ରେ ମାଇକ୍ରୋନ୍ ଟେକ୍ନୋଲୋଜି, ଆପ୍ଲାଏଡ୍ ସାମଗ୍ରୀ, ଫକ୍ସକନ୍‌, ଏସ୍‌ଇଏମ୍‌ଆଇ, କ୍ୟାଡେନ୍ସ, ଏବଂ ଏଏମ୍‌ଡି ଭଳି ପ୍ରମୁଖ କମ୍ପାନୀ ଗୁଡିକର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରୁ ଗାନ୍ଧିନଗର ଯାଉଥିବା ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଭାରତର ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଆଜି ଏକ ଦୁର୍ଘଟଣାର ଶିକାର ହୋଇଛି। ସକାଳ ୧୧.୧୫ ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଟ୍ରେନ ଆଗରେ ଏକ ଗୋରୁ ପଲ ଆସି ଯାଇଥିଲେ। ଏହି ଦୁର୍ଘଟଣାରେ ଇଞ୍ଜିନର ଆଗ ଭାଗ ନଷ୍ଟ ହୋଇଯାଇଛି। ପଶ୍ଚିମ ରେଳବାଇର ବରିଷ୍ଠ ପିଆରଓ ଜେ.କେ ଜୟନ୍ତୀ ଏହି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏହି ଟ୍ରେନର ଉଦଘାଟନ କରିଥିଲେ। ରେଲୱେ ପିଆରଓ ପ୍ରଦୀପ ଶର୍ମା କହିଛନ୍ତି ଯେ, ଏହି ଘଟଣା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ। ଟ୍ରେନର ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଚାଲୁଛି।

ଭାରତର ସବୁଠାରୁ ଆଧୁନିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏହି ବନ୍ଦେ ଭାରତ ଟ୍ରେନ୍ ସେପ୍ଟେମ୍ବର ୩୦ ତାରିଖରେ ଆରମ୍ଭ କରାଯାଇଥିଲା। ଏହି ଟ୍ରେନର ଗତି ୧୮୦ କିଲୋମିଟର ପର୍ଯ୍ୟନ୍ତ, କିନ୍ତୁ ଏହା ବର୍ତ୍ତମାନ ୧୩୦ କିଲୋମିଟର ବେଗରେ ପରିଚାଳିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଯେଉଁ ଦିନ ଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବ, ସେଦିନ ଠୁ ଧର୍ମନିରପେକ୍ଷ ଆଉ ରହିବ ନାହିଁ: ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜୁରାଟର ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାରତରେ ଅଧିକାଂଶ ହିନ୍ଦୁ ଅଛନ୍ତି, ସେ ପର୍ଯ୍ୟନ୍ତ ଭାରତରେ ଏକ ସମ୍ବିଧାନ ଏବଂ ଧର୍ମନିରପେକ୍ଷତା ଅଛି। ଯଦି ଭାରତରେ ହିନ୍ଦୁମାନେ ଅଳ୍ପସଂଖ୍ୟକ ହାସଲ କରନ୍ତି, ତେବେ ସମ୍ବିଧାନ ଏବଂ ଧର୍ମନିରପେକ୍ଷତା କିଛି ବି ରହିବ ନାହିଁ। ଗାନ୍ଧିନଗରରେ ଭାରତ ମାତା ମନ୍ଦିରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ଗୁଜୁରାଟର ଏହା ପ୍ରଥମ ଭାରତ ମାତା ମନ୍ଦିର ବୋଲି ବିଶ୍ୱାସ କରାଯାଏ।

ଉଲ୍ଲେଖ ଯୋଗ୍ୟ ଯେ, ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଦ୍ୱାରା ଏକ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଉପ-ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ‘କିଛି ଲୋକ ଦେଶରେ ଧର୍ମନିରପେକ୍ଷତା ଏବଂ ସମ୍ବିଧାନ ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ମୋତେ ଗୋଟିଏ କଥା କହିବାକୁ ଦିଅନ୍ତୁ ଏବଂ ଏହି କଥାକୁ ରେକର୍ଡ ମଧ୍ୟ କରନ୍ତୁ। ଯେଉଁ ଦିନ ଏହି ଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିବ ଏବଂ ଅନ୍ୟମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିବ, ଏହା ପରେ ଏହି ଦେଶରେ ଧର୍ମନିରପେକ୍ଷତା, ଲୋକସଭା କିମ୍ବା ସମ୍ବିଧାନର ସୁରକ୍ଷା ରହିବ ନାହିଁ। ସବୁକିଛି ପବନରେ ଉଡ଼ିଯିବ। ଏହି ଦେଶରେ କିଛି ବି ରହିବ ନାହିଁ।

ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ‘ମୁଁ ଦେଶର ସମସ୍ତ ମୁସଲମାନମାନଙ୍କ ବିଷୟରେ କହୁନାହିଁ। ଦେଶରେ ଲକ୍ଷ ଲକ୍ଷ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଦେଶପ୍ରେମୀ ଅଛନ୍ତି। ଗୁଜୁରାଟ ପୋଲିସରେ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଲୋକ ମଧ୍ୟ ଅଛନ୍ତି। ସେମାନେ ସମସ୍ତେ ଦେଶପ୍ରେମୀ। ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆରଏସଏସର ବହୁ ବଡ ନେତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଲେ ପିସିସି ସଭାପତି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଜିଲ୍ଲାଗୁଡ଼ିକରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଗଂଜାମ ଜିଲ୍ଲାରେ ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜ ଦଳକୁ ହିଁ ଦାୟୀ କରିଥିଲେ। କାରଣ ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏକରକମ ଶୂନ କହିଲେ ଚଳେ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଦୁର୍ନିତିରେ ସାହାଯ୍ୟ କରୁଛନ୍ତି ବୋଲି ସେ ଜଣାଇଥିଲେ। ତେଣୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି କିଭଳି କଂଗ୍ରେସକୁ ସଦୃଢ଼ କରାଯିବ ଏହି କ୍ଷେତ୍ରରେ ଗଭୀର ଭାବେ ଆଲୋଚନା କରିଥିଲେ।

ତାଙ୍କ ସହ ଏଆଇସିସି ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂଘଜି, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଅନୀଲ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କ ସହ ଜିଲ୍ଲାଗୁଡ଼ିକରେ କଂଗ୍ରେସକୁ ଆହୁରି ମଜବୁତ କରିବା ଉପରେ ସମସ୍ତ ସଦସ୍ୟ ପ୍ରାଧାନ୍ୟ ଦେଇଥିଲେ। ଗଂଜାମ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀଙ୍କ ସହ ପ୍ରତିମା ମିଶ୍ର, ସୁଜ୍ଞାନୀ ପଟ୍ଟନାୟକ, ନିରୂପମା ପଟ୍ଟନାୟକ, ଆରତୀ, ରୀନା ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସଭାରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ସହ ଗଂଜାମ, କନ୍ଧମାଳ, ଗଜପତି ଏବଂ ବୌଦରୁ ଆସିଥିବା ୫୦୦ ଜଣ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ।