Categories
ଆଜିର ଖବର ଜାତୀୟ ଖବର

ତିମୋର-ଲେଷ୍ଟେ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଗାନ୍ଧୀନଗରରେ ଆୟୋଜିତ ଦଶମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ତିମୋର-ଲେଷ୍ଟର ରାଷ୍ଟ୍ରପତି ଡ. ଜୋସ୍ ରାମୋସ୍ ହୋର୍ଟା ଜାନୁଆରୀ ୮-୧୦, ୨୦୨୪ ରେ ଭାରତ ଗସ୍ତରେ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ହୋର୍ଟା ଆଜି ଗାନ୍ଧୀନଗରରେ ସାକ୍ଷାତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରଥମ ରାଷ୍ଟ୍ରମୁଖ୍ୟ କିମ୍ବା ସରକାର ସ୍ତରୀୟ ଗସ୍ତ ଅବସରରେ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ହୋର୍ଟା ଏବଂ ତାଙ୍କ ପ୍ରତିନିଧି ଦଳକୁ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ ଭାଇବ୍ରାଣ୍ଟ “ଦିଲ୍ଲୀ-ଦିଲି” ସମ୍ପର୍କ ଗଠନ ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ସେପ୍ଟେମ୍ବର ୨୦୨୩ରେ ସେ ଦେଶରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଥିଲେ। ପାରମ୍ପରିକ ଔଷଧ ଓ ଫାର୍ମା ସମେତ ଦକ୍ଷତା ବିକାଶ, ମାନବ ସମ୍ବଳ ବିକାଶ, ଆଇଟି, ଫିନଟେକ୍, ଶକ୍ତି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତିମୋର-ଲେଷ୍ଟେଙ୍କୁ ସେ ସହାୟତା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ)ରେ ଯୋଗ ଦେବା ପାଇଁ ସେ ତିମୋର-ଲେଷ୍ଟେଙ୍କୁ ନିମନ୍ତ୍ରଣ କରିଥିଲେ।

ତିମୋର-ଲେଷ୍ଟେକୁ ଏହାର ୧୧ତମ ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ଏସିଆନର ନୀତିଗତ ନିଷ୍ପତ୍ତି ପାଇଁ ସେ ରାଷ୍ଟ୍ରପତି ହୋର୍ଟାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଖୁବଶୀଘ୍ର ଏହାର ପୂର୍ଣ୍ଣ ସଦସ୍ୟତା ହାସଲ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଥିବାରୁ ରାଷ୍ଟ୍ରପତି ହୋର୍ଟା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶେଷ କରି ସ୍ୱାସ୍ଥ୍ୟସେବା ଏବଂ ଆଇଟି କ୍ଷେତ୍ରରେ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ବିକାଶ ପ୍ରାଥମିକତା ପୂରଣ କରିବା ରେ ସେ ଭାରତର ସହଯୋଗ ଲୋଡିଥିଲେ।

ଉଭୟ ନେତା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆଞ୍ଚଳିକ ପ୍ରସଙ୍ଗ ଏବଂ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ରାଷ୍ଟ୍ରପତି ହୋର୍ଟା ଦୃଢ଼ ସମର୍ଥନ ଜଣାଇଛନ୍ତି। ବହୁପାକ୍ଷିକ କ୍ଷେତ୍ରରେ ଉତ୍କୃଷ୍ଟ ସହଯୋଗ ଜାରି ରଖିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଦୁଇଟି ସଂସ୍କରଣରେ ତିମୋର-ଲେଷ୍ଟେଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଗ୍ଲୋବାଲ ସାଉଥର ଦେଶ ଗୁଡ଼ିକ ବୈଶ୍ୱିକ ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ସମନ୍ୱିତ କରିବା ଉଚିତ ବୋଲି ସେମାନେ ସହମତ ହୋଇଥିଲେ।

ଭାରତ ଏବଂ ତିମୋର-ଲେଷ୍ଟେ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଗଣତନ୍ତ୍ର ଏବଂ ବହୁବିଧତାର ମିଳିତ ମୂଲ୍ୟବୋଧରେ ଆଧାରିତ। ୨୦୦୨ରେ ତିମୋର-ଲେଷ୍ଟେଙ୍କ ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ଭାରତ ପ୍ରଥମ ଦେଶ ମଧ୍ୟରୁ ଅନ୍ୟତମ ଥିଲା।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକ

ନୂଆଦିଲ୍ଲୀ: ଗୁଜରାଟର ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ଏବଂ ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ମଧ୍ୟ ସେ ସମୀକ୍ଷା କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଗାନ୍ଧୀନଗରରେ ଶ୍ରୀ ସୋମନାଥ ଟ୍ରଷ୍ଟର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲି। ଟ୍ରଷ୍ଟର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛୁ। ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ମନ୍ଦିର କମ୍ପେ୍ଲକ୍ସର ଅଧିକ ଉପଯୋଗ ହୋଇପାରିବ ଏବଂ ତୀର୍ଥଯାତ୍ରୀଙ୍କ ଅଭିଜ୍ଞତା ଆହୁରି ସ୍ମରଣୀୟ ହେବ ତା’ ଉପରେ ସମୀକ୍ଷା କରିଛୁ। ଟ୍ରଷ୍ଟ ଦ୍ୱାରା ନିଆଯାଇଥିôବା ବିଭିନ୍ନ ପରିବେଶ ଅନୁକୂଳ ପଦକ୍ଷେପର ମଧ୍ୟ ସମୀକ୍ଷା କରାଯାଇଛି।’

Categories
ଆଜିର ଖବର

ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ।

ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ। ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର। ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର ଭିତ୍ତିଭୂମି।

ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ- ଯାହାର ଅର୍ଥ ହେଲା “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରତ୍ୟେକ କାର୍ଯ୍ୟ ହାସଲ କରିହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ଯେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀ ଆମକୁ ସବୁବେଳେ ସ୍ମରଣ କରାଇ ଦିଏ ଯେ ସ୍ୱାସ୍ଥ୍ୟ ହିଁ ଆମ ସମସ୍ତ ନିଷ୍ପତ୍ତିର ମୁଖ୍ୟ ବିଷୟ ହେବା ଆବଶ୍ୟକ । ସମୟ ମଧ୍ୟ ଆମକୁ ସଚେତନ କରି ଦେଇଛି ଯେ ସେ ଔଷଧ ହେଉ ବା ଟୀକା ଯୋଗାଣ ବା ଲୋକଙ୍କୁ ଘରକୁ ଫେରାଇ ଆଣିବା ସବୁଥିରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାରତ ସରକାରଙ୍କ ମାନବ ହିତୈଷୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୈତ୍ରୀ ଟୀକା ପଦକ୍ଷେପ ଜରିଆରେ ଭାରତ ଦକ୍ଷିଣ ଗୋଲାର୍ଦ୍ଧର କେତେକ ଦେଶ ସମେତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ୍-୧୯ ଟୀକା ମାତ୍ରା ପ୍ରଦାନ କରିଥିଲେ।

ବୈଶ୍ୱିକ ମହାମାରୀ କାଳରେ ନମନୀୟତାକୁ ଏକ ବିରାଟ ନୀତିବାଣୀ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ସ୍ୱାସ୍ଥ୍ୟ ପଦ୍ଧତି ନମନୀୟ ହେବା ଉଚିତ। ଆମକୁ ନିଶ୍ଚିତ ଭାବେ ପରବର୍ତ୍ତୀ ସ୍ୱାସ୍ଥ୍ୟ ଆପାତକାଳ ନିମନ୍ତେ ଏହାର ଦୂରୀକରଣ ଓ ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଆଜିର ଆନ୍ତଃ ସଂଯୋଗୀକରଣ ବିଶ୍ୱରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ମହାମାରୀ ବିଶ୍ୱର ଗୋଟିଏ ପଟରେ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ସମସ୍ୟା କିପରି ଦ୍ରୁତ ଭାବେ ଅନ୍ୟପଟକୁ ବ୍ୟାପିଥାଏ ତାହା ଆମେ ଅନୁଭବ କରୁଛୁ।

“ଭାରତରେ ଆମେ ଏକ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣର ପାଖାପାଖି ପଦକ୍ଷେପ ନେଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଭେଷଜ ପଦ୍ଧତିକୁ ପ୍ରୋତ୍ସାନ ଦେଉଛୁ ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ। ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟର ସାର୍ବଜନୀନ ଇଚ୍ଛାର ଏକ ଇଚ୍ଛାପତ୍ର ପାଲଟିଛି। ଚଳିତ ବର୍ଷ ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି। ଭାରତରେ ପରିଚିତ ଶ୍ରୀ ଅନ୍ନ ବା ମିଲେଟର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ବିଶ୍ୱାସ ସ୍ୱାସ୍ଥ୍ୟ ଏବଂ ସୁଧାର ପ୍ରତ୍ୟେକଙ୍କ ନମନୀୟତାକୁ ବୃଦ୍ଧି କରିବ। ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶ୍ୱ ସାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ବୈଶ୍ୱିକ ଶିଖର ବୈଠକ ଓ ତାହା ପୁଣି ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏହି ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ଉପାଦେୟ ହେବ। ପାରମ୍ପରିକ ଔଷଧର ବୈଶ୍ୱିକ ଗନ୍ତାଘର ସୃଷ୍ଟି କରିବା ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ।

ସ୍ୱାସ୍ଥ୍ୟ ଓ ପରିବେଶ ଜୈବିକ ଦୃଷ୍ଟିକୋଣରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମୁକ୍ତ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୌଷ୍ଟିକତା ଓ ନିରାପଦ ଆଶ୍ରୟସ୍ଥଳ ସ୍ୱାସ୍ଥ୍ୟ ପାଇଁ ପ୍ରଧାନ ଅବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜଳବାୟୁ ଓ ସ୍ୱାସ୍ଥ୍ୟ ଦିଗରେ ପଦକ୍ଷେପ ନେଇଥିବାରୁ ସେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଣୁ କୀଟାଣୁ ପ୍ରତିରୋଧକ ନିରୋଧୀ (ଏଏମଆର)ର ଭୟ ଉପରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଏମଆର ବୈଶ୍ୱିକ ଜନ ସ୍ୱାସ୍ଥ୍ୟ ଓ ସମସ୍ତ ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ଏକ ବିରାଟ ବିପଦ ସୃଷ୍ଟି କରିଛି। ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ‘ଗୋଟିଏ ସ୍ୱାସ୍ଥ୍ୟ’ ଓ ଆମର ଲକ୍ଷ୍ୟ ‘ଗୋଟିଏ ବିଶ୍ୱ’ ଗୋଟିଏ ସ୍ୱାସ୍ଥ୍ୟ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବ ଓ ଏ ପ୍ରକାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରିଥିଲେ। ମଣିଷ, ପ୍ରାଣୀ, ବୃକ୍ଷଲତା ଓ ପରିବେଶ ପାଇଁ ଏହି ଲକ୍ଷ୍ୟ ଉପକାରୀ। ଏପରି ସମନ୍ୱିତ ମତ କାହାରିକୁ ପଛରେ ନ ପକାଇବା ଭଳି ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେକୌଣସି ସ୍ୱାସ୍ଥ୍ୟ ଜନିତ ପଦକ୍ଷେପର ସଫଳତା ଜନ ସହଯୋଗ ଉପରେ ନିର୍ଭରଶୀଳ। ଏହାର ଗୁରୁତ୍ୱ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଆମର କୁଷ୍ଠ ନିରାକରଣ ଅଭିଯାନର ସଫଳତା ଏହାର ଏକ ଉଦାହରଣ ବୋଲି କହିଥିଲେ। ଆମର ଯକ୍ଷ୍ମା ଉନ୍ମେଳନ କାର୍ଯ୍ୟକ୍ରମ ମଧ୍ୟ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ। ସେ କହିଥିଲେ ଯେ ଆମେ ଜନସାଧାରଣଙ୍କୁ ଦେଶର ନିଃ-କ୍ଷୟ ମିତ୍ର ବା ଟିବି ଦୂରୀକରଣର ବନ୍ଧୁ, ହେବା ପାଇଁ ନିବେଦନ କରିଥିଲୁ ଓ ପ୍ରାୟ ଏକ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ।

“ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ସୁଲଭ ହେବା ନେଇ ନବୋନ୍ମେଷ ଓ ଡିଜିଟାଲ ସମାଧାନ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟମ ଏ ଦିଗରେ ଉପାଦେୟ ହୋଇଛି ଓ ଦୂରଦୂରାନ୍ତରରେ ଥିବା ରୋଗୀମାନେ ଟେଲି ମେଡିସିନ୍ ଜରିଆରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ସେ ଭାରତୀୟ ଜାତୀୟ କାର୍ଯ୍ୟକ୍ରମ ଇ-ସଞ୍ଜିବନୀର ପ୍ରଶଂସା କରିବା ସହ ଏହା ଏ ପର୍ଯ୍ୟନ୍ତ ୧୪୦ ନିୟୁତ ଟେଲି ପରାମର୍ଶ ଯୋଗାଇ ପାରିଛି ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାନବ ଇତିହାସରେ ସଫଳ ଟୀକାକରଣ ଲକ୍ଷ୍ୟ ହାସଲ କରିପାରିଛି। ଏହା ଦୁଇ ଦଶମିକ ଦୁଇ ବିଲିୟନ ଟୀକା ମାତ୍ରା ପ୍ରଦାନ କରିବା ସହ ବିଶ୍ୱବ୍ୟାପୀ ଗ୍ରହଣଯୋଗ୍ୟ ଟୀକା ପ୍ରମାଣପତ୍ର ପ୍ରଦାନ କରିଛି । ଡିଜିଟାଲ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ବୈଶ୍ୱିକ ପଦକ୍ଷେପ ବିଭିନ୍ନ ସ୍ୱାସ୍ଥ୍ୟଗତ ଡିଜିଟାଲ ପଦକ୍ଷେପକୁ ଏକ ସମଭାବାପନ୍ନ ମଞ୍ଚକୁ ନେଇ ଆସିବ।

“ଆସନ୍ତୁ ଆମେ ଆମର ନବୋନ୍ମେଷକୁ ଜନହିତରେ ଉପଯୋଗ କରିବା। ପାଣ୍ଠି ଯୋଗାଣରେ ଦୋହରା ମାନଦଣ୍ଡ ଗ୍ରହଣ କରିବା ନାହିଁ। ପ୍ରଯୁକ୍ତିବିଦ୍ୟାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା” ବୋଲି ପ୍ରଧାନମନ୍ତ୍ରୀ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ। ଏହି ପଦକ୍ଷେପ ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯତ୍ନ କ୍ଷେତ୍ରରେ କ୍ରମଶଃ ସମକ୍ଷକ ହୋଇ ଏହାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳତା ହାସଲ ଦିଗରେ ସହାୟକ ହେବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ମାନବ ଜଗତ ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭକାମନା ସଂସ୍କୃତିରେ ଆବୃତ୍ତି କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଓ ତାହାର ମର୍ମ ହେଉଛି “ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ”। ମୁଁ ଆପଣମାନଙ୍କ ଆଲୋଚନାର ସଫଳତା କାମନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ମାଇକ୍ରୋନ୍ ଟେକ୍ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରରେ ମାଇକ୍ରୋନ୍ ଟେକ୍‌ନୋଲୋଜିର ସଭାପତି ଏବଂ ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମି କଣ୍ଡକ୍‌ଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ମାଇକ୍ରୋନ୍ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରି କହିଛି ଯେ, “@ମାଇକ୍ରୋନ ଟେକର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ସଞ୍ଜୟ ମେହରୋତ୍ରା ପିଏମ @ ନରେନ୍ଦ୍ର ମୋଦୀଙ୍କ ସହିତ ଗାନ୍ଧୀ ନଗରରେ ସାକ୍ଷାତ କରିଛନ୍ତି। ସେ ଭାରତରେ ସେମିକଣ୍ଡକଟରର ଉତ୍ପାଦନ ସମ୍ପର୍କିତ ଇକୋସିଷ୍ଟମକୁ ମଜବୁତ୍ କରିବା ପାଇଁ ମାଇକ୍ରୋନ ଟେକ୍‌ନୋଲୋଜିର ଯୋଜନା ଉପରେ ଆଲୋଚନା କରିଛନ୍ତି।’’

Categories
ଆଜିର ଖବର ଜାତୀୟ ଖବର

ଆୟୁଷ କ୍ଷେତ୍ରରେ ନିବେଶ ଓ ନବୋନ୍ମେଷ ପାଇଁ ଅସୀମ ସୁଯୋଗ ରହିଛି: ସର୍ବାନନ୍ଦ ସୋନୋୱାଲ୍‌

ଗାନ୍ଧୀନଗର: ଗାନ୍ଧୀନଗରରେ ପ୍ରଥମ ଥର ବଡ଼ ସ୍ତରରେ ଆୟୋଜନ କରାଯାଇଥିବା ବିଶ୍ବ ଆୟୁଷ ନିବେଶ ଏବଂ ନବୋନ୍ମେଷ ଶିଖର ସମ୍ମିଳନୀ (ଜିଏଆଇଆଇଏସ୍) ଗତକାଲି ଉଦ୍‌ଯାପନ ହୋଇଛି। ଆୟୁଷ କ୍ଷେତ୍ର ପାଇଁ 9000 କୋଟି ଟଙ୍କାରୁ ଅଧିକ ଲେଟର ଅଫ୍ ଇଣ୍ଟେଣ୍ଟ (ଏଲଓଆଇଏସ୍‌)  ମିଳିଛି। ଏହି ନିବେଶ ପ୍ରସ୍ତାବ ଏଫଏମସିଜି, ମେଡିକାଲ୍ ଭାଲ୍ୟୁ ଟ୍ରାଭେଲ୍ (ଏମଭିଟି) ଏବଂ ସେବା,  ଫାର୍ମାସ୍ୟୁଟିକାଲ୍, ପ୍ରଯୁକ୍ତି ଏବଂ ଡାଏଗ୍ନୋଷ୍ଟିକ୍ ଏବଂ କୃଷି ପରି ପ୍ରମୁଖ ଶ୍ରେଣୀ ଅଧୀନରେ ଆସିଛି।

ଏହି ଶିଖର ସମ୍ମିଳନୀ ସମୟରେ ବିଭିନ୍ନ ଦେଶ, ପ୍ରତିଷ୍ଠାନ, ଗବେଷଣା ସଂସ୍ଥାନ, କୃଷକ ଗୋଷ୍ଠୀ ଏବଂ ଉଦ୍ୟୋଗଙ୍କ ମଧ୍ୟରେ 70 ରୁ ଅଧିକ ବୁଝାମଣା ପତ୍ରରେ ସ୍ବାକ୍ଷର କରାଯାଇଛି। ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ଆଦାନ ପ୍ରଦାନ ବ୍ୟତୀତ, ସାରା ଭାରତରେ 35 ରୁ ଅଧିକ କ୍ୟାଣ୍ଟନମେଣ୍ଟ ଏରିଆରେ ଆୟୁଷ ସୁବିଧାର ଶୁଭାରମ୍ଭ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ ରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରାଯାଇଛି।

ଉଦ୍‌ଯାପନୀ ସମାରୋହରେ ନିଜର ସମ୍ବୋଧନରେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌ କହିଛନ୍ତି ଯେ ଏହି ଶିଖର ସମ୍ମିଳନୀ ଆୟୁଷ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ପାଇଁ ସକ୍ଷମ ଢାଞ୍ଚା ବିକଶିତ କରିବାରେ ସହାୟକ ରହିଛି। ସେ କହିଛନ୍ତି ଯେ ସାରା ଦୁନିଆର ନିବେଶକ ଏବଂ ଉଦ୍ୟୋଗ ଆୟୁଷର ତୁଳନାତ୍ମକ ଲାଭ ଏବଂ ଏହାର କ୍ଷମତାକୁ ଅନୁଭବ କରିଛନ୍ତି। ଶ୍ରୀ ସୋନୋୱାଲ୍‌ କହିଛନ୍ତି ଯେ ଆୟୁଷ କ୍ଷେତ୍ରରେ ନିବେଶ ଏବଂ ନୂତନତାର ଅବସର ଅସୀମିତ ଅଟେ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆୟୁଷ ବଜାରର ବ୍ୟାପକତା 2014 ରେ 3 ବିଲିୟନ ଡଲାରରୁ ବୃଦ୍ଧି ପାଇ ଆଜି 18 ବିଲିୟନ ଡଲାର ହୋଇଯାଇଛି ଓ ଏହା 75 ପ୍ରତିଶତର ଏକ ଅଭୂତପୂର୍ବ ବାର୍ଷିକ ବୃଦ୍ଧି ଅଟେ। ଶ୍ରୀ ଅନୁରାଗ ଠାକୁର ଆଶା ପ୍ରକାଶ କରିଛନ୍ତି ଯେ ଦେଶ ଖୁବ୍ ଶୀଘ୍ର ଏହି କ୍ଷେତ୍ରରେ ଅନେକ ଷ୍ଟାର୍ଟ ଅପ୍ ଏବଂ ବ୍ୟବସାୟରେ ନିବେଶର ସାକ୍ଷୀ ରହିବ। ପ୍ରତିଯୋଗୀତାକୁ ପ୍ରୋତ୍ସାହନ ଦେବା ପାଇଁ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆମକୁ ଆମର ଉତ୍ପାଦର ଉନ୍ନତ ପ୍ୟାକେଜିଂ କରିବାର ଆବଶ୍ୟକତା ରହିଛି ଓ ଏହାକୁ ଉତ୍ସାହପୂର୍ଣ୍ଣ ବିପଣନ ଏବଂ ବ୍ରାଣ୍ଡିଂ ସହିତ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ।

ସେ କହିଛନ୍ତି ଯେ ଭାରତ ପାଇଁ ପାରମ୍ପରିକ ଚିକିତ୍ସାରେ ବିଶ୍ବ ଗୁରୁ ହେବାର ସମୟ ଆସି ଯାଇଛି। ଆମକୁ ଏକ ପୃଥିବୀ, ଏକ ସ୍ବାସ୍ଥ୍ୟର ଭାବନାରେ କାମ କରିବା ଆବଶ୍ୟକ ଏବଂ ଭାରତରେ ସ୍ବାସ୍ଥ୍ୟକୁ ବୃଦ୍ଧି କରିବା ଆବଶ୍ୟକ, ଯଦ୍ବାରା ଆମର ଦେଶ ଚିକିତ୍ସା ପର୍ଯ୍ୟଟନର କେନ୍ଦ୍ର ହୋଇ ପାରିବ।

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏହି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରହିଥିଲେ। ସମାରୋହ ସମୟରେ ପର୍ଯ୍ୟଟନ ରାଷ୍ଟ୍ର  ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ ଏବଂ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଡା. ମହେନ୍ଦ୍ର ମୁଞ୍ଜାପାରା ମଧ୍ୟ ଉପସ୍ଥିତ ରହିଥିଲେ।

ବିଶ୍ବ ଆୟୁଷ ନିବେଶ ଏବଂ ନୂତନତା ଶିଖର ସମ୍ମିଳନୀ (ଜିଏଆଇଆଇଏସ୍) 2022 ଭାରତ ସରକାର ଦ୍ବାରା ଭାରତର ପ୍ରାଚୀନ ଏବଂ ପାରମ୍ପରିକ ଜ୍ଞାନ ଏବଂ ଦୁନିଆଁର ଧ୍ୟାନ ଆକର୍ଷଣ କରିବା ଏବଂ ଏହି ଦିଗରେ ଏକ ସ୍ଥାୟୀ ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିବା ପାଇଁ ଏହାର ଲାଭ ଉଠାଇବାର ଏକ ପ୍ରମୁଖ ପ୍ରୟାସ ଅଟେ। ଶିଖର ସମ୍ମିଳନୀର ଆୟୋଜନ ‘‘ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ’’ କୁ ବୃଦ୍ଧି କରିବାର ଲକ୍ଷ୍ୟ ସଂଖ୍ୟା 3 ଅନୁରୂପ କରାଯାଇଛି।

ଶିଖର ସମ୍ମିଳନୀର ସମାପନ ଅବସରରେ ପାଞ୍ଚଟି ପ୍ଲେନାରି ସେସନ, ଆଠଟି ରାଉଣ୍ଡ ଟେବୁଲ୍, ଛଅଟି ୱାର୍କସପ୍ ଓ ଦୁଇଟି ସିମ୍ପୋଜିୟମକୁ ତିନି ଦିନର ସମୟ ସୀମା ମଧ୍ୟରେ କରାଯାଇଛି। ଶିଖର ସମ୍ମିଳନୀରେ 90 ଜଣ ପ୍ରଖ୍ୟାତ ବକ୍ତା ଏବଂ 100 ଜଣ ପ୍ରଦର୍ଶକ ଉପସ୍ଥିତ ରହିଥିଲେ। ଏଥିରେ ଅମୁଲ, ଡାବର, କାମା ଆୟୁର୍ବେଦ, ଆକର୍ଡ଼, ଆୟୁର୍ବେଦ, ନ୍ୟାଚୁରାଲ୍ ରେମେଡିଜ୍, ଆମ୍ବ୍ରୋ ଫାର୍ମା ଓ ପତଞ୍ଜଳି ସାମିଲ୍ ହୋଇଥିଲେ।

ବିଶ୍ବ ଆୟୁଷ ନିବେଶ ଏବଂ ନୂତନତା ଶିଖର ସମ୍ମିଳନୀର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 20 ଏପ୍ରିଲରେ ଗାନ୍ଧୀ ନଗର ମହାତ୍ମା ମନ୍ଦିରରେ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଓ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶକ ଡା. ଟେରଡସ୍ ଘେବ୍ରେୟେସୁସ୍ ଙ୍କ ଉପସ୍ଥିତିରେ କରାଯାଇଥିଲା।