Categories
ଆଞ୍ଚଳିକ

ବାଣପୁର: ସାନହନ୍ତୁଆଡ଼ ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତ ସାନହନ୍ତୁଆଡ଼ ଗ୍ରାମରେ ପୂର୍ବ ଓ ପଶ୍ଚିମ ତରଫରୁ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା।

ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ଓ ଦୀପ ପ୍ରଜ୍ଜ୍ବଳନ ସହିତ ଫୁଲରେ ସୁସଜ୍ଜିତ କରାଯାଇଥିଲା। ସଂକୀର୍ତ୍ତନ ଓ ହରି ନାମରେ ଗ୍ରାମ ଫାଟି ପଡୁଥିଲା। ପ୍ରାତଃ ୪ ଟାରୁ ତ୍ରିନାଥ ମେଳାରେ ସରୋଜ ଶାସମଲ, ପ୍ରବୋଧ କାଣ୍ଡି, ନାଟ୍ୟଗୌରବ ମହେଶ୍ୱର ଜେନାଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଥିଲା। ୮ ମେଳ ସଂକୀର୍ତ୍ତନ ମଣ୍ଡଳୀ ଦିନ ସାରା ସଂକୀର୍ତ୍ତନ ପରିବେଷଣ କରିଥିଲେ। ଗ୍ରାମର ତିନି ଠାକୁର ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ, ଶ୍ରୀ ମଦନ ମୋହନ ଦେବ ବିମାନରେ ଫୁଲରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ।

ଏହି ସମୟରେ ଗ୍ରାମରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଦଶ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସାନହନ୍ତୁଆଡ଼ ଦୁଇ ସାହିର ଯୁବଗୋଷ୍ଠୀଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା।