Categories
ବିଶେଷ ଖବର

ସୁସ୍ଥ ହେବା ପରେ ଗିରିଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁରରେ ୧୪୪ ଧାରା ଜାରୀ

ଭୁବନେଶ୍ବର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାୟକ ବର୍ତ୍ତମାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଏହି ଚିକିତ୍ସା କରାଯାଉଛି। ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ମୁକ୍ତ ହେଲେ ତାଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳ ସେ ଗାଡି ଜବରଦସ୍ତ ନିଷିଧାଞ୍ଚଳ ଭିତରକୁ ପ୍ରବେଶ କରାଇଥିଲେ। ପୋଲିସ ତାଙ୍କୁ ବାରଣ କରିବା ସତ୍ତ୍ୱେ ସେ ମାନି ନ ଥିଲେ। ଯାହା ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମି ଏବଂ ବିଜେପି କର୍ମି ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୯ ଜଣ ପୋଲିସ କର୍ମି ଥିବା ବେଳେ ୧୨ ଜଣ ବିଜେପି କର୍ମି ଅଛନ୍ତି। ସେହିପରି ୨ ଜଣ ସାମ୍ବାଦିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ତେବେ ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଜେପି କର୍ମି ଚାରିପଟୁ ଘେରି ଆକ୍ରମଣ କରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣପୁରରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି। ଏହି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଆଇଜି କହିଛନ୍ତି।