Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତ ଯୋଜନାକୁ ପଣ୍ଡ କଲା ଜଙ୍କିଆ ପୋଲିସ: ବିପୁଳ ମାରଣାସ୍ତ୍ର ସହ ୪ ଗିରଫ

ଖୋର୍ଦ୍ଧା/ଜଙ୍କିଆ: ଆଜି ଜଙ୍କିଆ ପୋଲିସକୁ ଏକ ବଡ ସଫଳତା ମିଳିଛି। ଏକ ବଡ ଧରଣର ଡକାୟତି ଯୋଜନାକୁ ଜଙ୍କିଆ ପୋଲିସ ପଣ୍ଡ କରିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୀତା ଇଞ୍ଜିନିଅରିଙ୍ଗ କଲେଜ ପଛପାର୍ଶ୍ୱରେ କିଛି ଦୁର୍ବୁତ୍ତ ଗୋଡିପଡା ଟୋଲ ଗେଟରେ ଡକାୟତି ଯୋଜନା କରୁଥିବାର ଯୋଜନା ପ୍ରସ୍ତୁତ କରୁଥିଲେ। ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏହି ଖବର ପାଇବା ମାତ୍ରେ ଖୋର୍ଦ୍ଧା ଏସପିଙ୍କୁ ଅବଗତ କରିଥିଲେ। ପରେ ଏସପିଙ୍କ ନିର୍ଦ୍ଦେଶ ମୁତାବକ ସଦର ଏସଡ଼ିପିଓଙ୍କ ତତ୍ୱାବଧାନରେ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ତେବେ ଉକ୍ତ ଚଢ଼ାଉରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା, ଖଣ୍ଡା, ୬ ଗୋଟି ମୋବାଇଲ ଫୋନ, ଲୁହା ରଡ଼, ମଦ ବୋତଲ, ବାରୂଦ, ଗୋଟାଏ ବାଇକ ଏବଂ ବିଭିନ୍ନ ମାରଣାସ୍ତ୍ର ଆଦି ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମଣ ବେହେରା, ପିତାମ୍ବର ଭୋଇ, ଲିପୁନା ନାୟକ ଏବଂ ଗଣେଶ୍ୱର ଦାସ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କେସ ନମ୍ବର ୨୧୦/୨୧ରେ ଏକ ମାମଲା ରୁଜୁ କରିବା ସହ କୋର୍ଟଚାଲାଣ କରିଥିବାର ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ଆଇଆଇସି ଶ୍ରୀ ଖୁଣ୍ଟିଆଙ୍କ ସମେତ ଏସଆଇ ଉମାକାନ୍ତ ସାହୁ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।