ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗୁଣ୍ଡୁରୁପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଗୋଷ୍ଠୀ ସଂଘର୍ଷ ଘଟି ଏକାଧିକ ଆହତ ହୋଇଥିବା ଜଣାପଡିଛି। ଖବର ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଗୁଣ୍ଡୁରୁପୁର ଗ୍ରାମରେ ମୋରମ ଟ୍ରାକ୍ଟର ଯାତାୟତକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଏବଂ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଅନୁରୂପ ଭାବେ ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ ହେବା ସହ ଦୁଇ ଗୋଟି ବାଇକ ପୋଡ଼ିଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ସାଗରିକା ନାଥ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଆଇଆଇସି ଜୟପ୍ରକାଶ ପରିଡ଼ା ଘଟଣାସ୍ଥଳରେ ଉପସ୍ଥିତ ଥାଇ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତି ଆୟତ୍ତ ଥିବାବେଳେ ଗ୍ରାମରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।