Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ

ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ ରକ୍ତସ୍ରାବ ସମସ୍ୟା ନେଇ ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଦୀର୍ଘ ଏକ ମାସ ଧରି ତାଙ୍କ ଶରୀରକୁ ରକ୍ତ ପ୍ରଦାନ ଏବଂ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥିଲା। ରକ୍ତ କୋଷିକା ସୃଷ୍ଟି କରୁଥିବା ବୋନ୍ ମ୍ୟାରୋର ବାୟୋପ୍ସି ଟେଷ୍ଟ କରାଯାଇ ରୋଗୀଙ୍କର ରୋଗ ନିରୂପଣ କରାଯାଇଥିଲା।

ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ଗୁରୁତର ଆପ୍ଲାଷ୍ଟିକ ଏନିମିଆ, ଯାହାକି ଏକ ବିରଳ ରକ୍ତଜନିତ ସମସ୍ୟା ଏବଂ ଏଭଳି ରୋଗରେ ବୋନମ୍ୟାରୋ ନୂତନ ରକ୍ତ କୋଷିକା ସୃଷ୍ଟି କରିବାକୁ ଅକ୍ଷମ ହୋଇଥାଏ ବୋଲି ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଛନ୍ତି।

ଏଭଳି ରୋଗୀଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ୍ କମ୍ ଥିବା ବେଳେ ଟୋଟାଲ୍ ହ୍ୱାଇଟ୍ ବ୍ଲଡ କାଉଂଟ ଏବଂ ପ୍ଲେଟଲେଟ୍ କାଉଂଟ କମ୍‌ ହୋଇଥାଏ। ଏହି ରୋଗୀମାନେ ଖୁବ୍ ଦୁର୍ବଳ ଅନୁଭବ କରିବା ସହ ସେମାନଙ୍କ ଶରୀରରୁ ରକ୍ତସ୍ରାବ ହୋଇଥାଏ।

ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେବା ସହ ଏହା ବନ୍ଦ ହୋଇ ନଥାଏ ଏବଂ ଏଥି ନିମନ୍ତେ ଟ୍ରାନ୍ସଫ୍ୟୁଜନ୍‌ର ଆବଶ୍ୟକ ହୋଇଥାଏ।

ଏଭଳି ରୋଗୀମାନେ ବାରମ୍ବାର ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥାନ୍ତି ଓ ସେମାନଙ୍କୁ ଇନ୍‌ଟ୍ରା-ଭେନସ୍ ଆଂଟିବାୟୋଟିକ୍‌ ଦିଆଯାଇଥାଏ। ଅନେକ କ୍ଷେତ୍ରରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଡାକ୍ତର ସାମଲ କହିଛନ୍ତି।

ସେ କହିଛନ୍ତି ଯେ ଆପ୍ଲାଷ୍ଟିକ ଏନିମିଆର ଶିକାର ହୋଇଥିବା ଗୁରୁତର ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ ଏବଂ ମାତ୍ର କିଛି ମାସ ସେମାନେ ବଂଚିଥାନ୍ତି। ପାଶ୍ଚାତ୍ୟ ଦେଶ ଅପେକ୍ଷା ଏସିଆ ମହାଦେଶରେ ଏହି ରୋଗ ଅଧିକ ଦେଖାଯାଏ ଏବଂ କେବଳ ଷ୍ଟେମ୍‌ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାଏ ବୋଲି ସେ କହିଛନ୍ତି।

ଜୁଲାଇ ୫ ତାରିଖ ଦିନ ମହିଳାଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଏହି ଷ୍ଟେମ୍ ସେଲକୁ ତାଙ୍କର ୨୮ ବର୍ଷିୟ ଭାଇ ଦାନ କରିଥିଲେ। ଯଦିଓ ସେମାନଙ୍କ ମଧ୍ୟରେ ବ୍ଲଡଗ୍ରୁପ୍‌ର ଗୁରୁତର ସମସ୍ୟା ଥିଲା ତଥାପି ଏହାକୁ ଯତ୍ନର ସହ ପ୍ରତ୍ୟାରୋପଣ
କରାଯାଇଥିଲା। ୪ରୁ ୬ ସପ୍ତାହ ମଧ୍ୟରେ ଡୋନରଙ୍କ ଶରୀରରୁ କଢ଼ାଯାଇଥିବା ଷ୍ଟେମ୍ ସେଲ୍ ପୁଣି ସୃଷ୍ଟି ହୋଇଥାଏ ଏବଂ କୌଣସି ସମସ୍ୟା ଉପୁଜି ନଥାଏ।

ଏହି ଷ୍ଟେମ୍ ସେଲ୍‌ଗୁଡ଼ିକ ବୋନ୍‌ମ୍ୟାରୋରୁ ରକ୍ତ କୋଷିକା ସୃଷ୍ଟି କରି ରକ୍ତ ପ୍ରବାହ ମଧ୍ୟରେ ସମ୍ମିଳିତ ହେବା ନିମନ୍ତେ ୪ ରୁ ୫ ଦିନ ସମୟ ଲାଗିଥାଏ। ଏହା ପରେ ରୋଗୀଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯିବା ପରେ ଶରୀରରେ ସାଧାରଣ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପ୍ରକ୍ରିୟା ଭଳି ଡୋନରଙ୍କ ଷ୍ଟେମ୍ ସେଲ୍ ଶରୀରକୁ ଛଡା ଯାଇଥିଲା।

ଏହି ମହିଳା ଜଣକ ଯେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ ମାତ୍ର କିଛି ମାସ ବଂଚିବେ ବୋଲି ଆଶଙ୍କା କରାଯାଉଥିଲା କିନ୍ତୁ ସେ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁଲାଇ ୨୩ ତାରିଖ ଦିନ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଏବଂ ତାଙ୍କ ଶରୀରରେ ରକ୍ତଜନିତ ସମସ୍ୟା ଦୂର ହୋଇଛି ବୋଲି ଡାକ୍ତର ସାମଲ କହିଛନ୍ତି।

ବର୍ତ୍ତମାନ ରୋଗୀଜଣକ ଏହି ଚିକିତ୍ସା ପରେ ଏକ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ଜଟିଳ ପ୍ରକ୍ରିୟାକୁ ପରିଚାଳନା କରିବା ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଡାକ୍ତର ସାମଲ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ରାଜେଶ ଲେଙ୍କା, ଟ୍ରାନ୍‌ସଫ୍ୟୁଜନ୍‌
ମେଡିସିନ୍ ବିଭାଗ, ଲାବୋରାଟୋରୀ ଏବଂ ରେଡିଓଲୋଜି ଟିମ୍ ଏବଂ ନର୍ସିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ କୃତଞ୍ଜତା ଓ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆୟୋଜିତ କର୍ମଶାଳାରେ ଏହି ମତ ଦେଇଛନ୍ତି ବିଶେଷଜ୍ଞମାନେ।

ଡାକ୍ତରମାନେ ସ୍ଥାନାନ୍ତର ସମୟରେ ହସ୍ପିଟାଲ୍ ଦ୍ୱାରା ଭେଂଟିଲେଟର ବ୍ୟବହାର ସମ୍ପର୍କରେ ବୁଝାଇବା ସହ ଆଇସିୟୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ମେଡିକାଲ୍  କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ନୂତନ ବୈଷୟିକ ଉପକରଣର ବ୍ୟବହାର, ରୋଗୀମାନଙ୍କର ଚିକିତ୍ସା ଏବଂ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ନନ୍‌-ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ଏବଂ ଟ୍ରାନ୍ସପୋର୍ଟ ଭେଂଟିଲେସନ୍ ସମ୍ପର୍କିତ ଏହି କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍ (ସିଏମ୍‌ଇ) ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଂଟ ଓ ରେସ୍‌ମେଡ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ସହର ଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ, ଲକ୍ ଡାଉନ୍ ଆଡକୁ ମୁହାଁଉଥିବା ଦିଲ୍ଲୀ ସହର ଏବଂ ଏହା ଦ୍ୱାରା ଉପୁଜୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆମାଜନ୍ ଜଙ୍ଗଲକୁ ବିଶ୍ୱର ଫୁସ୍‌ଫୁସ  ବୋଲି କୁହାଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାହା ଧ୍ୱଂସ ହେବାକୁ ଲାଗିଛି। ତେଣୁ ଆମକୁ ଏହି ସମସ୍ୟା ସହିତ ଲଢ଼ିବାକୁ ଓ ରୋଗର ମାତ୍ରାକୁ କମାଇବାକୁ ନୂଆ ଜଙ୍ଗଲ ତିଆରି କରିବାକୁ ପଡିବ ବୋଲି ସେ କହିଥିଲେ।

ସମ୍ ହସ୍ପିଟାଲ୍‌ର ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ଇନ୍‌ଚାର୍ଜ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ ଯେ ଗୁରୁତର ଥିବା ରୋଗୀମାନଙ୍କର ସ୍ଥାନାନ୍ତର କରିବା ଚିକିତ୍ସାର ଏକ ପ୍ରମୁଖ ଅଂଗ ଏବଂ ଏଭଳି କର୍ମଶାଳାର ଆବଶ୍ୟକତା ରହିଛି। ଏଭଳି ଟ୍ରେନିଂ କାର୍ଯ୍ୟକ୍ରମରୁ ନର୍ସିଂ ଷ୍ଟାଫ୍‌ମାନେ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଶୈଳୀ ମଧ୍ୟ ଶିଖନ୍ତୁ ବୋଲି ଡାକ୍ତର ବେହେରା କହିଥିଲେ। ହସ୍ପିଟାଲ୍‌ର ଅନ୍ୟ ତିନିଜଣ କ୍ରିଟିକାଲ୍ କେୟାର ଏକ୍ସପର୍ଟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସନ୍ତୋଷ ସିଂହ ଓ ଡାକ୍ତର ସାଗରିକା ପଣ୍ଡା ହସ୍ପିଟାଲ୍ ମଧ୍ୟରେ ଏବଂ ଏକ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଗୁରୁତର ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସ୍ଥାନାନ୍ତର ସମୟରେ ରୋଗୀ ଗୁରୁତର ହେବାର ସଂଖ୍ୟାକୁ କିଭଳି କମ୍‌ କରାଯାଇପାରିବ ସେ ସମ୍ପର୍କରେ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟର ମନୋରମା ପରିଡା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଣବତା ବିଭାଗର ମୁଖ୍ୟ ଡାକ୍ତର ଅରୋଲିପି, ସମ୍ ଅଲ୍ଟିମେଟ୍ ମେଡିକେୟାରର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଅକ୍ଷୟ କୁମାର ସ୍ୱାଇଁ, ରେସ୍‌ମେଡ୍ ଇଣ୍ଡିଆର ଡାକ୍ତର ପୁଲ୍‌କିତ ସ୍ୱରୂପ, ସମ୍ ହସ୍ପିଟାଲ୍‌ର ଅଫିସର୍ ଅନ୍‌ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି ଏବଂ ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀଙ୍କ ପାଇଁ ୫ ହଜାର ୨-ଡିଜି ପାଉଚ ମଗାଇଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ୫ ହଜାର ୨-ଡିଜି ପାଉଚ ମଗାଇଛନ୍ତି। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ହଜାର ୨-ଡିଜି ପାଉଚ ମଗାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ଡିଆରଡିଓ ଏବଂ ଡକ୍ଟର ରେଡ୍ଡୀ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରୁଛନ୍ତି। ଏହା ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଦାବି କରାଯାଉଛି। ତେବେ ଏହି ଔଷଧ ଜୁନ ୧୦ ତାରିଖ ପରେ ଓଡିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି।