Categories
ଆଜିର ଖବର ଜାତୀୟ ଖବର

ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା: ‘ବେଲ୍‌’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୩୩୬.୨୫ କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି ଏହି ଚୁକ୍ତିନାମା ତାହାର ଏକ ଅଂଶବିଶେଷ । ଆତ୍ମ ନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗଗୁଡିକ ଦେଶର ସୈନ୍ୟବାହିନୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ୍‌’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ସେନାକୁ ଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ  ଆତ୍ମନିର୍ଭରଶୀଳ ହେବା ଓ ଏସବୁ ସାମଗ୍ରୀର ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ କରିବା । ଆହୁରି ମଧ୍ୟ କୌଣସି କାରଣରୁ ବାହ୍ୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେଲେ ତାହାର ପ୍ରଭାବ ଯେପରି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନ’ ପଡେ ସେଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରି ବିଭିନ୍ନ ସାମରିକ ଉପକରଣ ଯୋଗାଣ, ଗୁଳିଗୋଳା ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ଦେଶରେ ଉତ୍ପାଦନ କରି ତାହାର ମହଜୁଦ ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି ।

ଇଲେକ୍‌ଟ୍ରୋନିକ ଫ୍ୟୁଜ ଅତି ଓଜନିଆ ଓ ମଧ୍ୟମ ଧରଣର ତୋପ କମାଣରେ ବ୍ୟବହାର ହେଉଥିବା ଏକ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ସାମରିକ ଅଭିଯାନବେଳେ ଓଜନଦାର ତୋପ ଓ କମାଣର ଗୁଳିଗୋଳା ବର୍ଷଣ ଦକ୍ଷତା ବଢାଇବା ପାଇଁ ଏହି ଇଲେକ୍‌ଟ୍ରୋନିକ୍ ଫ୍ୟୁଜ୍ ମୁଖ୍ୟତଃ  ବ୍ୟବହୃତ ହୋଇଥାଏ । ଆର୍ଟିଲାରୀ ଗନ୍ ବା ତୋପଗୁଡିକୁ ସେନା ପାହାଡ ପର୍ବତ ଘୋରା ଅଞ୍ଚଳ, ବିଶେଷକରି ଦେଶର ଉତ୍ତର ସୀମାନ୍ତରେ ଅଧିକ ବ୍ୟବହାର କରିଥାଏ । ଏହା ଫଳରେ ପାହାଡର ଅଧିକ ଉଚ୍ଚରେ ଏବଂ ଗିରିଶଙ୍କଟର ଅପରପାଶ୍ୱର୍ରେ ଥିବା ଶତ୍ରୁପକ୍ଷର ସୈନ୍ୟ ଓ ଶିବିର   ଉପରେ ନିର୍ଭୁଲଭାବେ ପ୍ରଭାବଶାଳୀ ଢଙ୍ଗରେ ଗୁଳିଗୋଳା ମାଡ କରାଯାଇଥାଏ । ଏହି ଗୁଳିଗୋଳା ପ୍ରୟୋଗ କାମକୁ ଅଧିକ ନିର୍ଭୁଲ ଓ ପ୍ରଭାବଶାଳୀ କରିବାକୁ ଆର୍ଟିଲାରୀ ଗନ୍‌ରେ ଇଲେକ୍‌ଟ୍ରୋନିକ୍ସ ଫ୍ୟୁଜ ବ୍ୟବହୃତ ହୋଇଥାଏ ।

‘ବେଲ୍‌’ ଏହି ଇଲେକଟ୍ରୋନିକ ଫ୍ୟୁଜ୍ ତାହାର ପୁଣେ କାରଖାନା ଏବଂ ନୂଆକରି ତିଆରି ହେଉଥିବା ନାଗପୁର କାରଖାନାରୁ ଉତ୍ପାଦନ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ହୋଇଥିବା ଚୁକ୍ତି ଅନୁସାରେ ବେଲ୍ ଯେଉଁ ଫ୍ୟୁଜ୍ ଉତ୍ପାଦନ କରିବ ସେଥିରେ ଏକ ଲକ୍ଷ ୫୦ହଜାର ଶ୍ରମ ଦିବସ ସୃଷ୍ଟି ହେବ ଏବଂ ଉଭୟ ବୈଷୟିକ ଓ ଅଣବୈଷୟିକ ଲୋକଶକ୍ତି ଏଥିରେ ରୋଜଗାର ସୁଯୋଗ ପାଇବେ । ଆହୁରି ମଧ୍ୟ  ଭାରତୀୟ ଘରୋଇ ଉଦ୍ୟୋଗ, ବିଶେଷକରି ଏମ୍‌ଏସ୍‌ଏମଇ, ଯେଉଁମାନଙ୍କର ସାମରିକ ସାମଗ୍ରୀ ଉତ୍ପାଦନର ଅଭିଜ୍ଞତା ଓ ସୁବିଧା ରହିଛି ସେମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହୋଇ ଲାଭାନ୍ୱିତ ହୋଇପାରିବେ । ଏହା ମଧ୍ୟ ଦେଶର ଗୁଳିଗୋଳା ଓ ଆୟୁଧ (ଆମୁନେସନ୍ସ) ଉତ୍ପାଦନ ପରିବେଶକୁ ପ୍ରୋତ୍ସାହନ ଯୋଗାଇବ ।