Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ସହକର୍ମୀଙ୍କୁ ଗୁଳି ଚଳାଇ ହତ୍ୟା କଲେ ଗୁଜୁରାଟ ନିର୍ବାଚନ ଡ୍ୟୁଟିରେ ଥିବା ଜବାନ୍

ନୂଆଦିଲ୍ଲୀ: ଗୁଜୁରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନର ସୈନିକଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ରହିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। କେଉଁ କାରଣରୁ ଏହି ସଂଘର୍ଷ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରିଛି। ଏଥିସହ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସର ପ୍ରାଥମିକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ, ଯେଉଁ ଜବାନଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଥିଲା, ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ଯବାନ ଏକେ୪୭ ଦ୍ଵାରା ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ଗୁଳି ବିନିମୟ ବେଳେ କୌଣସି ଯବାନ ଡ୍ୟୁଟିରେ ନଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ମୃତ ସୈନିକମାନଙ୍କ ସାଥୀମାନଙ୍କୁ ପଚରାଉଚରା କରୁଛନ୍ତି।