Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟରେ ଭାରତୀୟ ନାଗରିକତ୍ୱ ପାଇଲେ ୪୦ ପାକିସ୍ତାନୀ ହିନ୍ଦୁ, ଗୃହମନ୍ତ୍ରୀ ଦେଲେ ପ୍ରମାଣପତ୍ର

ନୂଆଦିଲ୍ଲୀ: ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଅହମ୍ମଦାବାଦ କଲେକ୍ଟରେଟରେ ୪୦ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏକ ସରକାରୀ ପ୍ରକାଶନରେ କୁହାଯାଇଛି ଯେ, ୨୦୧୭ ପରଠାରୁ ମୋଟ ୧ ହଜାର ୩୨ ପାକିସ୍ତାନୀଙ୍କୁ ଜିଲ୍ଲା କଲେକ୍ଟର ନାଗରିକତ୍ୱ ପ୍ରଦାନ କରିଛନ୍ତି। ୨୦୧୬ ଏବଂ ୨୦୧୮ ର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଅହମ୍ମଦାବାଦ, ଗାନ୍ଧିନଗର ଏବଂ କଚ୍ଛ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କ୍ଷମତା ଦିଆଯାଇଛି।

ନାଗରିକତ୍ୱ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଇଣ୍ଟେଲିଜେନ୍ସ ବ୍ୟୁରୋ ଦଳ ଦ୍ୱାରା ଯାଞ୍ଚ କରାଯାଇଥାଏ। ପ୍ରକାଶ ଯେ, ୨୦୨୨ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୭ ପାକିସ୍ତାନୀ ହିନ୍ଦୁଙ୍କୁ ଅହମ୍ମଦାବାଦର ଜିଲ୍ଲାପାଳଙ୍କ ଦ୍ୱାରା ଭାରତୀୟ ନାଗରିକତା ଦିଆଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ମାର୍ଚ୍ଚ ମାସ ଆରମ୍ଭରେ ମଧ୍ୟ ଗୁଜୁରାଟ ସରକାର ପାକିସ୍ତାନର ୪୧ ହିନ୍ଦୁଙ୍କୁ ଭାରତର ନାଗରିକତ୍ୱ ହସ୍ତାନ୍ତର କରିଥିଲେ। ରାଜ୍ୟ ସରକାରଙ୍କ ଏକ ସରକାରୀ ପ୍ରକାଶନରେ ଏହି ସୂଚନା ଦିଆଯାଇଛି। ଅହମ୍ମଦାବାଦ ଜିଲ୍ଲାପାଳ ସନ୍ଦିପ ସାଗଲେଙ୍କ କାର୍ଯ୍ୟାଳୟରେ ୪୧ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଥିଲା। ଭାରତୀୟ ନାଗରିକତ୍ୱ ପାଇବା ପରେ ପାକିସ୍ତାନୀ ହିନ୍ଦୁମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ। ଏବଂ ଭାରତର ନାଗରିକତ୍ୱ ପାଇ ଖୁସି ବ୍ୟକ୍ତ କରିଥିଲେ। ଅହମ୍ମଦାବାଦ ଜିଲ୍ଲାପାଳ ସନ୍ଦୀପ ସାଗଲେ କହିଛନ୍ତି ଯେ, ଯେଉଁମାନେ ନାଗରିକତ୍ୱ ପାଇଛନ୍ତି ସେମାନେ ୧୪ ରୁ ୭୦ ବର୍ଷ ବୟସ ବର୍ଗର ଅଟନ୍ତି।