Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ସଡକ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ପୁଅ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ମୃତକଜଣଙ୍କ କୟଥପଲା ଗ୍ରାମର ଗଣେଷ ବାରିକ ବୋଲି ଜଣାପଡିଛି। ଗଣେଷଙ୍କ ବାପା କୁହୁଡି ଫାଣ୍ଡିରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗଣେଷ ଏକ ବାଇକ୍ ଯୋଗେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ କୟଥ ପଲା ଛକ ଠାରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଗଣେଷ ଛିଟିକି ପଡିଥିଲେ। ପରେ ତାଙ୍କ ମୁଣ୍ଡ ଉପରେ ଟ୍ରଲର ଚକ ଚଢି ଯାଇଥିଲା। ଘଟଣା ସ୍ଥଳରେ ଗଣେଷଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ତାଙ୍କର ବଡ ବୋଉଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି। ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥ ଉପରେ ପ୍ରତିବାଦ କରିଛନ୍ତି।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ସେହି ସ୍ଥାନରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବାଲୁଗାଁ ଏସଡିପିଓ ଶ୍ରୀ ବାରିକଙ୍କ ଆଶ୍ଵାସନା ପରେ ଦୀର୍ଘ ୩ ଘଣ୍ଟା ଧରି ପ୍ରତିବାଦ କରୁଥିବା ଉତ୍ୟକ୍ତ ଲୋକେ ଧାରଣାରୁ ଉଠିଥିବା ଜଣାପଡିଛି।

ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯାଇଥିବା ବେଳେ ଚାଳକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।