Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବିଧାନସଭା ଭିତରେ ପଶିଗଲେ ଜଣେ ପୂଜାରୀ, ସୁରକ୍ଷା କର୍ମି ହେଲେ ବାଉଳା

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ ବିଧାନସଭା ଗୃହ ଭିତରକୁ ଜଣେ ବ୍ରାହ୍ମଣ ପଶିଗଲେ। ସୁରକ୍ଷା କର୍ମି ଟିକିଏ ହଡବଡେଇ ଗଲେ। କାରଣ ହଠାତ୍ ସେମାନେ ଏହି ବ୍ରାହ୍ମଣଙ୍କୁ ଚିହ୍ନିପାରିଲେ ନାହିଁ। କିଛି ମୁର୍ହୁତ ପରେ ଜାଣିଲେ ଯେ ସେ ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଆଜି କଂଗ୍ରେସ ବିଧାୟକ ଏକ ଅଭିନବ ଢଙ୍ଗରେ ବିଧାନସଭାରେ ପ୍ରତିବାଦ କରିବାକୁ ଆସିଥିଲେ। ସେ ବ୍ରାହ୍ମଣ ବା ପୂଜାରୀ ବେଶଧାରଣ କରି ବିଧାନସଭାରେ ପ୍ରବେଶ କରିଥିଲେ। ତାଙ୍କର ସହିକ କଥା ହେଲା ଯେ, ଏହି ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ତେଣୁ ତାହାକୁ ପୂଜାପାଠ କରି ପବିତ୍ର କରାଯିବ। ସେଥିପାଇଁ ସେ ପୂଜା କରିବା ପାଇଁ ଆସିଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟକୁ ଉଠି ଆସି ମମିତା ମେହେରଙ୍କ ନ୍ୟାୟ ଦାବୀ କରିଥିଲେ। ପୂଜକ ବେଶରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଗୃହରେ ପୂଜାର୍ଚ୍ଚନା କରିବା ସହ ତୁଳସୀ, ଗୋମୂତ୍ର, ଗଙ୍ଗାଜଳ ଛିଞ୍ଚିଥିଲେ।

ସେହିପରି ବିଧାୟକ ମହମ୍ମଦ ମୋକ୍କିମ ନମାଜ ପଢିଥିବା ବେଳେ ବିଧାୟକ ଏସ ରାଜନ ଏକ୍କା ବାଇବେଲ ଗ୍ରନ୍ଥ ପାଠ କରିଥିଲେ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶିଖ ଧର୍ମ ଗ୍ରନ୍ଥ ପାଠ କରିଥିଲେ। ଅନ୍ୟ ବିଧାୟକ ମାନେ ଘଣ୍ଟ ବଜେଇ ଓ ପ୍ଲା କାର୍ଡ ପ୍ରଦର୍ଶନ କରି ଅଭିନବ ଉପାୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହରେ ପ୍ରତିବାଦ କରିଥିଲେ।