Categories
ଆଜିର ଖବର ଜାତୀୟ ଖବର

ଆଠଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ: ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ବିଭାଗ ସହ ଜଡ଼ିତ ୮ଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି। ପୁନର୍ଗଠନରେ ହୋଇଥିବା ପରିବର୍ତ୍ତନ ସେପ୍ଟେମ୍ବର ୧୩ରୁ କାର୍ଯ୍ୟକାରୀ ହେବ। କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଛି।

କଂଗ୍ରେସ ନେତା ପି ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ଗୃହ କମିଟିରେ ସ୍ଥାନ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଚିଦାମ୍ବରମଙ୍କୁ ସାମିଲ କରାଯାଇଛି। ତିନୋଟି ଅପରାଧିକ ନ୍ୟାୟ ଆଇନ ସମ୍ବନ୍ଧୀୟ ବିଲ ପରିବର୍ତ୍ତନ ଉପରେ ଆଲୋଚନା ହେବ
ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଥିବାବେଳେ ଏହି କମିଟି ୩ଟି ବିଲରେ ପରିବର୍ତ୍ତନ ନେଇ ଆଲୋଚନା କରିବାକୁ ଯାଉଛି। ଏହି ତିନୋଟି ବିଲ ଅପରାଧିକ ଆଇନ ସହ ଜଡ଼ିତ । ଏହି ତିନୋଟି ବିଲ ଆଇପିସି ୧୮୬୦, ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ୧୮୭୨ ଏବଂ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ୧୯୭୩ର ସ୍ଥାନ ନେବ। ସେମାନଙ୍କ ସ୍ଥାନରେ ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍, ଇଣ୍ଡିଆନ୍ ଏଭିଡେନ୍ସ ଏବଂ ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍ ଲାଗୁ ହେବ। ଅଗଷ୍ଟ ୧୧ ରେ ଗୃହମନ୍ତ୍ରୀ ଅମିତ ଶାହା ଏହି ତିନୋଟି ବିଲ୍ ସଂସଦରେ ଆଗତ କରିଥିଲେ ।

କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଗୃହ କମିଟିର ସଦସ୍ୟ ଅଛନ୍ତି

ସମୁଦାୟ ୨୪ଟି ଷ୍ଟାଣ୍ଡିଂ କମିଟି ରହିଛି। ପ୍ରତି କମିଟିରେ ୩୧ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଲୋକସଭାର ୨୧ ଜଣ ଓ ରାଜ୍ୟସଭାର ୧୦ ଜଣ ସଦସ୍ୟ ଅଛନ୍ତି। ଚିଦାମ୍ବରମଙ୍କ ବ୍ୟତୀତ କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ମଧ୍ୟ ଗୃହ କମିଟିର ସଦସ୍ୟ ଅଛନ୍ତି। ବିଜେପି ସାଂସଦ ବ୍ରଜ ଲାଲଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି।

ଗୃହ, ଆଇଟି, ପ୍ରତିରକ୍ଷା ଭଳି ପ୍ରମୁଖ କମିଟି ବିଜେପି ହାତରେ

ଅଗଷ୍ଟ ୨୮ରେ ରାଜ୍ୟସଭାରେ ନୋଟିସ୍ ଜାରି କରାଯାଇଥିଲା। ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ରାଜ୍ୟସଭା ଅଧ୍ୟକ୍ଷ ୮ଟି ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି। ଏହା ସେପ୍ଟେମ୍ବର ୧୩ରୁ ଲାଗୁ ହେବ। ସେପଟେ ୬ଟି ମୁଖ୍ୟ ଷ୍ଟାଣ୍ଡିଂ କମିଟିର ନେତୃତ୍ୱ ନେଉଛି ବିଜେପି। ଏହି ୬ଟି କମିଟି ହେଉଛି ଗୃହ, ଆଇଟି, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ସ୍ୱାସ୍ଥ୍ୟ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦୁ୍ୟତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତସେବା ପାଇବା ତାଙ୍କର ନ୍ୟାର୍ଯ୍ୟ ଅଧିକାର ବୋଲ ସେ ପ୍ରକାଶ କରିଛନ୍ତି ।

ବିଗତ ଦିନମାନଙ୍କରେ ବିଭାଗ କ୍ଷତି କରୁଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି । ତେଣୁ ଆଗାମୀ ଦିନରେ ବିଦୁ୍ୟତ ଦେୟ ନିଶ୍ଚିତ ଭାବରେ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ । ସଂପ୍ରତି ୩୩/୧୧ କେଭି କ୍ଷମତାସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି । ତା’ଠାରୁ କମ ଶକ୍ତିସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳ ବିଦୁ୍ୟତ ସମସ୍ୟାର ଆଶୁ ସମାଧାନ କରାଯାଇପାରିବ ।

ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ଡଃ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବବତ୍‌ ୪ଟି ସବ୍‌କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ବାରମ୍ବାର ବିଜୁଳି କାଟ, ଲୋ-ଭୋଲ୍‌ଟେଜ୍‌, ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ସ୍ଥାପନା ଓ ବିଜୁଳିବତି ସମସ୍ୟା ଉପରେ ସଦସ୍ୟମାନେ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।

ରାଜ୍ୟବାସୀଙ୍କ ସହଯୋଗ ଫଳରେ ବିଦୁ୍ୟତ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି ଏବଂ ବିଦୁ୍ୟତ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି, ଦୁର୍ଘଟଣା କମିଛି, କର୍ମନିଯୁକ୍ତି ବଢ଼ିଛି, ଏହାର ପ୍ରଶଂସା କରାଯିବା ଉଚିତ । ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି ।

ଅନେକ ସମୟରେ ବିଦୁ୍ୟତ ଯୋଗାଣକୁ ନେଇ ବିଦ୍ୟୁତ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଓ ବିଦୁ୍ୟତ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଅସମ୍ମତି ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ବିଦୁ୍ୟତ ଓ ଶକ୍ତି ବିଭାଗ ଉପକମିଟି ନିକଟରେ ଉପସ୍ଥାପନା କରିବାକୁ ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ର ପରାମର୍ଶ ଦେଇଛନ୍ତି । ଏହା ସହିତ ବିଜୁଳି କାଟ ସମ୍ବନ୍ଧୀୟ ସଠିକ୍‌ ଓ ସବିଶେଷ ତଥ୍ୟ ଉପକମିଟିକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଲୋକମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ସମୟରେ ବିଦୁ୍ୟତ କାଟ କରିବା ଉଚିତ ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିବା ସହିତ ସମସ୍ତ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳରେ ପୂର୍ବନିର୍ଦ୍ଧାରିତ ବିଦୁ୍ୟତ ଖୁଣ୍ଟି, ତାର ବିଛାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କେତେଦୂର ଅଗ୍ରଗତି କଲାଣି ସେ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ କରିଛନ୍ତି ।

ପାଖାପାଖି ୪୪୦ ମେଗାୱାଟ୍‌ କ୍ଷମତା ସଂପୂର୍ଣ୍ଣ ଦରଲିପାଲି ପ୍ରକଳ୍ପରୁ ବିଦୁ୍ୟତ ଉତ୍ପନ୍ନ ନହେବା, ଅନେକ ପ୍ରଚେଷ୍ଟା ସତ୍ତେ୍ୱ ସେବା ଅଦଳବଦଳ କରି ବିଦୁ୍ୟତ ସଂଗ୍ରହ କରାଯାଇ ନପାରିବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବନିର୍ଦ୍ଧାରଣଠାରୁ କମ୍‌ ବିଦୁ୍ୟତ ପ୍ରଦାନ କରିବା ଯୋଗୁଁ ଅନିଚ୍ଛା ସତ୍ତେ୍ୱ ବିଜୁଳି କାଟ କରାଯାଉଥିଲା । ବିଦୁ୍ୟତ ଓ ଶକ୍ତି ବିଭାଗର ଉନ୍ନତିକରଣ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଛି । ଓଡ଼ିଶା ସରକାର ଫେଜ୍‌-୪ରେ ୧୭୯୯.୭୩ କୋଟି ଟଙ୍କା ବ୍ୟୟରେ ଡିସେମ୍ବର ୨୦୨୩ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଇବା କାର୍ଯ୍ୟ ସମାପ୍ତ କରି ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

୨୦୨୦/୨୧ ଆର୍ଥିକ ବର୍ଷରେ ୨୦୫ଟି ବିଦୁ୍ୟତଜନିତ ଦୁର୍ଘଟଣା ହୋଇଥିବାବେଳେ ୨୦୨୧/୨୨ରେ ଏହା ୧୬୧କୁ ହ୍ରାସ ପାଇଛି । ଟାଟା ପାୱାର (ମଧ୍ୟ) ବର୍ଷକୁ ୬୦୦ ଥରରେ ୪୨୪ ଘଣ୍ଟା ବିଦୁ୍ୟତ କାଟୁଛି ଏବଂ ଟାଟା ପାୱାର (ଦକ୍ଷିଣ) ବର୍ଷକୁ ୨୩୩ ଥରରେ ୧୫୫ ଘଣ୍ଟା ବିଦୁ୍ୟତ କାଟ କରୁଛି ।

ସୂଚନାଯୋଗ୍ୟ ଯେ, ବିଦୁ୍ୟତ ଓ ଆନୁଷଙ୍ଗିକ ଦେୟ ବାବଦରେ ୨୦୨୦/୨୧ ଆର୍ଥିକ ବର୍ଷରେ ୩୧୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିଲାବେଳେ ୩୯୩୯.୦୮ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୧/୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୩୩୦୦ କୋଟି ଟଙ୍କା ଥିଲା ଏବଂ ୩୭୧୬.୯୯ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ୨୦୨୨/୨୩ ବର୍ଷ ପାଇଁ ୩୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ବିଦୁ୍ୟତ ସଂଯୋଗୀକରଣ ଓ ଆନୁଷଙ୍ଗିକ ବାବଦରେ ୫୫,୮୩୫ଟି ଆବେଦନ ଆସିଥିଲାବେଳେ ୪୩୮୦୩ଟି ଆବେଦନ ମଞ୍ଜୁର, ୩୦୨୯ଟି ଆବେଦନ ଅଗ୍ରାହ୍ୟ ଏବଂ ୯୦୦୩ଟି ପ୍ରକ୍ରିୟା ଅବସ୍ଥାରେ ଅଛି ।

ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟାଟା ପାୱାର ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ମଧ୍ୟ କର୍ତ୍ତୃପକ୍ଷ, ଓପିଜିସି, ଓଇଆର୍‌ସି, ଓଏଚ୍‌ପିସି, ଓପିଟିସିଏଲ୍‌ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ, କୋଟିଆକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ  କ୍ରମ ଏହି ଗ୍ରାମଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି କରାଯାଇଛି । ସରକାରୀ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ ।

ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗଦେଇଥିବାବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।କୋଟିଆକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କମିଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ, ବିଧାନ ସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।