Categories
ଆଞ୍ଚଳିକ

ସରକାରୀ ଜମିରେ ଗୃହ ନିର୍ମାଣ ଅଭିଯୋଗ, ତହସିଲରେ ଫେରାଦ ହେଲେ ସ୍ଥାନୀୟ ଲୋକେ

କୁଜଙ୍ଗ: କୁଜଙ୍ଗ ତହସିଲ ଅଧୀନ ଖରିଗୋଠ ଗ୍ରାମରେ ଥିବା ସରକାରୀ ଜମିରେ ସ୍ଥାନୀୟ ଗ୍ରାମର ଜନୈକ ବ୍ୟକ୍ତି ବଳପୂର୍ବକ ପକ୍କା ଗୃହ ନିର୍ମାଣ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଆଜି କୁଜଙ୍ଗ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲଙ୍କ ଲିଖିତଭାବ ଅଭିଯୋଗ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ଆରଡିସି କଟକ, ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଏକ ଦାବିପତ୍ର ପଠାଇଥିବା ଜଣାପଡ଼ିଛି। ଖରିଗୋଠ ମୌଜାର ନୂଆଗଡିଆ ବନ୍ଧକୁ ଲାଗି ରହିଥିବା ସରକାରୀ ଜମିରେ ଖରିଗୋଠ ଗ୍ରାମର ସୁଶାନ୍ତ ନାୟକ ଏହି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।

ତେବେ ଗ୍ରାମର କୁନଚନ୍ଦ୍ର ପ୍ରଧାନ, ଶରତ ନାୟକ, ଦିଲ୍ଲୀପ ସ୍ୱାଇଁ, ଲଛମନ ପ୍ରଧାନ, ନିତ୍ୟାନନ୍ଦ ସ୍ୱାଇଁ, ଅମୀର ରାଉତ, ସୁରେନ୍ଦ୍ର ପ୍ରଧାନ, ଅରକ୍ଷୀତ ସ୍ୱାଇଁ, ସୁବାଷ ନାୟକ, ରଞ୍ଜନ ଜେନା, ପଦ୍ମଲାଭ ସ୍ୱାଇଁ, ସୌମ୍ୟରଞ୍ଜନ ରାଉତ (ମିଟୁ) ପ୍ରମୁଖ କୁଜଙ୍ଗ ତହସିଲଦାରଙ୍କ ନିକଟରେ ଲିଖିିତ ଭାବେ ଅଭିଯୋଗ କରିବା ସହିତ ତୁରନ୍ତ ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ସହିତ ଅଭିଯୁକ୍ତ ବିରୋଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ସୁନ୍ଦରଗଡ଼, ‘ୱାନ୍ ଷ୍ଟାର’ ମାନ୍ୟତା ପାଇଲା ରାଉରକେଲା

ସୁନ୍ଦରଗଡ଼/ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି।

ସେହିପରି ସ୍ମାର୍ଟ ସିଟି ରାଉରକେଲା ‘ଆବର୍ଜନାମୁକ୍ତ ସହର’ ବର୍ଗରେ ଓଡ଼ିଶାର ପ୍ରଥମ ସହର ଭାବେ ‘ୱାନ୍ ଷ୍ଟାର’ ମାନ୍ୟତା ହାସଲ କରିଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ୫୭ତମ ରାଙ୍କରେ ରହିଛି। ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ୧ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ଟି ସହର ଭାଗ ନେଇଥିଲେ।

ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଉରକେଲା ସହର ୨୦୨୦ରେ ୧୫୬ତମ ସ୍ଥାନରେ ଥିଲା ବେଳେ ୨୦୧୯ରେ ୩୫୩ତମ ସ୍ଥାନରେ ରହିଥିଲା। ସହରର ପରିମଳ ପରିଚାଳନା କ୍ଷେତ୍ରରେ ଗତ ଏକ ବର୍ଷ ମଧ୍ୟରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଫଳରେ ଆଜି ସ୍ମାର୍ଟ ସିଟି ରାଉରକେଲା ୫୭ତମ ରାଙ୍କରେ ପହଞ୍ଚି ପାରିଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ସହରାଞ୍ଚଳରେ ଅତ୍ୟାଧୁନିକ ପରିମଳ ପରିଚାଳନା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ୫୭.୫୪ ସ୍କୋର କରି ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସହିତ ଦେଶର ୧୩ଟି ରାଜ୍ୟର ୬୫୯ଟି ଜିଲ୍ଲା ଭାଗ ନେଇଥିଲେ।

ଜନସଂଖ୍ୟା ବୃଦ୍ଧି ସହ ଆଧୁନିକ ଜୀବନଶୈଳୀ ଲାଗି ଆଜି ସହରାଞ୍ଚଳର କଠିନ ବର୍ଜ୍ୟ ଓ ସାମଗ୍ରିକ ପରିମଳ ପରିଚାଳନା ସାରା ପୃଥିବୀରେ ସ୍ଥାନୀୟ ପ୍ରଶାସନ ପାଇଁ ଏକ ଆହ୍ୱାନ ହୋଇ ଠିଆ ହୋଇଛି। ତେବେ ଏହାର ମୁକାବିଲା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଏବଂ ଖଣି ପ୍ରଭାବିତ ଅଞ୍ଚଳରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ କରାଯାଇଛି। ପାରମ୍ପରିକ ପରିମଳ ପରିଚାଳନା ବଦଳରେ ଅତ୍ୟାଧୁନିକ ମେସିନର ପ୍ରୟୋଗ ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯିବା ଫଳରେ ଜିଲ୍ଲାରେ ପରିମଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସି ପାରିଛି।

ରାଉରକେଲା ମହାନଗର ନିଗମ ସହିତ ବୀରମିତ୍ରପୁର ପୌରପାଳିକା ଏବଯ କୋଇଡ଼ା ଓ କୁତ୍ରା ଭଳି ଖଣି ପ୍ରଭାବିତ ବ୍ଲକରେ ୧ ବର୍ଷ ତଳେ ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୪ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଖଣି ପ୍ରଭାବିତ ହେମଗିରି, ଲହୁଣୀପଡ଼ା, ରାଜଗାଙ୍ଗପୁର ଏବଂ କୁଆଁରମୁଣ୍ଡା ବ୍ଲକକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରିତ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ନୂଆ ସୋପାନକୁ ଯାଇପାରିଛି। ଏହି ସେବା ଫଳରେ ଏବେ ଲୋକଙ୍କ ଦୁଆରୁ ମୁହଁରୁ ଶୁଖିଲା ଓ ଓଦା ଆବର୍ଜନା ପୃଥକ୍ କରି ସଂଗ୍ରହ କରାଯାଉଛି। ଏହାସହ ଲୋକଙ୍କ ଘରୁ ପ୍ରତିଦିନ ବାହାରୁଥିବା କଠିନ ଆବର୍ଜନାର ପରିଚାଳନା ପାଇଁ ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) କରାଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ସେମାନେ ଲୋକଙ୍କୁ ପରିମଳ ସେବା ସମ୍ପର୍କରେ ସଚେତନ କରିବା ସହ ଏମସିସି ପରିଚାଳନା କରି ଜୀବିକାରେ ଉନ୍ନତି ଆଣି ପାରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ଏହି ଅତ୍ୟାଧୁନିକ ପରିମଳ ସେବାକୁ ସୁଦୃଢ଼ କରାଯାଇଛି। ଏହି ସେବା ଅଧୀନରେ ଲୋକଙ୍କ ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ଲାଗି ଛୋଟ ଛୋଟ ଗାଡ଼ି, ଆବର୍ଜନା ପରିବହନ ପାଇଁ ଡମ୍ପର, ଟିପ୍ପର ଓ ଟ୍ରାକ୍ଟର, ରାସ୍ତା ସଫେଇ ପାଇଁ ରୋଡ୍ ସୁଇପିଂ ମେସିନ୍, ଖୋଲା ନାଳରୁ ପଙ୍କ ଉଦ୍ଧାର ଲାଗି ଓପନ୍ ଡି-ସିଲଟିଙ୍ଗ୍ ମେସିନ୍ ଆଦି ଯୋଗାଇ ଦିଆଯାଇଛି।

ସେହିପରି ବିଭିନ୍ନ ଶିଳ୍ପାଞ୍ଚଳ ଓ ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବାୟୁମଣ୍ଡଳରେ ଧୂଳିକଣା ଓ ଧୂଆଁ ନିୟନ୍ତ୍ରଣ ପାଇଁ ୱାଟର ସ୍ପ୍ରିଙ୍କଲର ଏବଂ ମିଷ୍ଟ କ୍ୟାନନ୍ ମେସିନ୍ ବ୍ୟବହାର କରାଯାଉଛି। ସେପ୍ଟିକ୍ ଟାଙ୍କି ସଫେଇ ପାଇଁ ସେସ୍ ପୁଲ୍ ମେସିନ୍ ଓ ମଶା ଦମନ ଲାଗି ଫଗିଂ ମେସିନ୍ ଆଦି କାର୍ଯ୍ୟ କରୁଛି।

ରାଉରକେଲା, ବୀରମିତ୍ରପୁର ଏବଂ ରାଜଗାଙ୍ଗପୁର ସହରାଞ୍ଚଳ ସହିତ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ଏହି ଅତ୍ୟାଧୁନିକ ପରିମଳ ସେବା ଲାଗୁ ହେବା ଫଳରେ ବର୍ଜ୍ୟବସ୍ତୁ ପରିଚାଳନାରେ ବିଶେଷ ସଫଳତା ମିଳି ପାରିଛି। ତେଣୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲା ସହରକୁ ଏହି ସମ୍ମାନଜନକ ମାନ୍ୟତା ମିଳି ପାରିଛି।