Categories
ଆଜିର ଖବର ରାଜ୍ୟ ଖବର

ପୁଣି ବିରୋଧୀ ବିଜେପିର ହଟ୍ଟଗୋଳ, ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହି ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ଆଜି ଗୃହର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହାଙ୍ଗାମା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ।

ଏଥିରେ ସେମାନେ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାଙ୍କୁ ଯେଉଁ ଅଶାଳିନ ମନ୍ତବ୍ୟ ପ୍ରଦାନ କରାଯାଇଛି ତାହାକୁ ବିବରଣୀରୁ ବାଦ ଦେବା ପାଇଁ ସେମାନେ ଦାବୀ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ଗଣତନ୍ତ୍ର ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ, ଗୃହ ମୁଲତବୀ

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବିବୃତ୍ତି ଉପରେ ଭାରତୀୟ ଜନତା ପାର୍ଟିର ହଙ୍ଗମା ଏବଂ ବିରୋଧୀ ଦଳର ଆଦାନୀ-ହିନ୍ଦନବର୍ଗ ମାମଲାରେ ମିଳିତ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଗୁରୁବାର ଦିନ କ୍ରମାଗତ ଚତୁର୍ଥ ଦିନ ସଂସଦର ଉଭୟ ଗୃହର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।

ଆଶା କରାଯାଉଛି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ସଂସଦର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ଏବଂ ତାଙ୍କ ମନ୍ତବ୍ୟରୁ ଆସିଥିବା ବିବାଦ ଉପରେ କହିବେ। ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ପାଇଁ ବିଜେପିର ଦାବିକୁ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

ସଂସଦରେ ପ୍ରବଳ ହଟ୍ଟଗୋଳ ପୂର୍ବରୁ ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଚାପ ବଢାଇ କଂଗ୍ରେସ ନେତାଙ୍କୁ ଲଣ୍ଡନରେ ମିଛ କହିବା ସହ ଦେଶକୁ ସମାଲୋଚନା କରିଥିବା ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କିରେନ ରିଜିଜୁ କହିଛନ୍ତି ଯେ, ଦେଶରେ ସର୍ବାଧିକ କଥା ହେଉଥିବା ତଥା ଦିନରାତି ସରକାରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତି ବିଦେଶ ଯାଇ କହିଛନ୍ତି ଯେ ଭାରତରେ ବାକ ସ୍ୱାଧୀନତା ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ରାହୁଲ ଗାନ୍ଧୀ କଂଗ୍ରେସକୁ ବୁଡ଼ାଇ ପାରନ୍ତି, ଆମେ ସେଥିପ୍ରତି ଧ୍ୟାନ ଦେଉନାହୁଁ। କିନ୍ତୁ ଯଦି ସେ ଦେଶର କ୍ଷତି କରିବାକୁ କିମ୍ବା ଅପମାନିତ କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ଦେଶର ନାଗରିକ ଭାବରେ ଚୁପ୍ ରହିପାରିବା ନାହିଁ। କଂଗ୍ରେସକୁ ଦେଶ ପ୍ରତ୍ୟାଖ୍ୟାନ କରିଛି ଏହାର ଅର୍ଥ ନୁହେଁ ଯେ ଏହା ବିଦେଶ ଯାଇ ଦେଶର ଭାବମୂର୍ତ୍ତିକୁ ନଷ୍ଟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଧାନସଭାରେ ବଜେଟ ଅଧିବେଶନ: ପ୍ରଥମ ଦିନରୁ ହୋହାଲ୍ଲା, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜିଠୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ହଟ୍ଟଗୋଳ କରିଥିବା ବେଳେ ବିଜେପି ଦଳ କକ୍ଷ ତ୍ୟାଗ କରିଥିଲେ। କିଛି ସମୟ ପରେ କଂଗ୍ରେସ ମଧ୍ୟ କକ୍ଷ ତ୍ୟାଗ କରିଥିଲା।

ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ଉଭୟ ବିରୋଧୀ ଦଳ ଶୋକ ପ୍ରସ୍ତାବ ପାଇଁ କକ୍ଷକୁ ଆସିଥିଲେ। ଶୋକ ପ୍ରସ୍ତାବ ପରେ ପୁଣି ଥରେ ବିରୋଧୀ ଦଳ କକ୍ଷରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଯାହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ହଟ୍ଟଗୋଳ ହେବ ବୋଲି ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ: ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ରହିଛି। ଆଜି ଏହି ଅଧିବେଶନର ପଞ୍ଚମ ଦିନ। କିନ୍ତୁ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିପାରୁନି। ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳ ହଟ୍ଟଗୋଳ କରିଛନ୍ତି।

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିହିଷ୍କାର କରିବା ଲାଗି ବିରୋଧୀ ଦାବି କରିଥିଲେ। କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବାଚସ୍ପତିଙ୍କ ପୋଡିୟମକୁ ଘେରାଯାଇଛି। ଏହାପରେ ବାଚସ୍ପତି ଡା. ସୂର୍ଯ୍ୟନାରୟାଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲା ସହ ବିଭିନ୍ନ ପ୍ରସଂଗ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ ଗୁପ୍ତଚର ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଲୋକସଭା କାର୍ଯ୍ୟ ଅନେକ ଥର ବ୍ୟାହତ ହୋଇଥିଲା ଏବଂ ଶେଷରେ ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର କାର୍ଯ୍ୟ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।

ଲୋକସଭା ଦୁଇଥର ସ୍ଥଗିତ ହୋଇ ଆରମ୍ଭ ହେବା ମାତ୍ରେ ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ।

ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ୱାଇଏସଆର କଂଗ୍ରେସ ସଦସ୍ୟ ବିଶାଖାପାଟନମ୍ ଇସ୍ପାତ କାରଖାନାର ଘରୋଇକରଣକୁ ବିରୋଧ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ।

ରାଜ୍ୟସଭାର କାର୍ଯ୍ୟ ମଧ୍ୟ ଦୁଇଥର ବ୍ୟାହତ ହୋଇଥିଲା। ଅପରାହ୍ନ 1 ଟାରେ ପୁଣିଥରେ ଆଲୋଚନା ଆରମ୍ଭ ହେବା ମାତ୍ରେ ୱାଇଏସର କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଷ୍ଟାଟସ ମାନ୍ୟତା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ଗୃହର ନେତା ପୀୟୁଷ ଗୋୟଲ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା କୋଭିଡ ମହାମାରୀ ଉପରେ ଗୃହରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ କୋଭିଡଙ୍କ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ୱାଇଏସଆର କଂଗ୍ରେସର ସଦସ୍ୟମାନେ ଶାନ୍ତ ହୋଇନଥିଲେ ଏବଂ ହୋହାଲ୍ଲା ଜାରି ରଖିଥିଲେ। ଫଳରେ ବାଚସ୍ପଚି ଗୃହ କାର୍ଯ୍ୟକୁ ଅପରାହ୍ନ 2.45 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହାପୂର୍ବରୁ, ଯେତେବେଳେ ମଧ୍ୟାହ୍ନ 12 ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା, ସେତେବେଳେ ପେଗାସସ୍ ଗୁପ୍ତଚର କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ, ଟିଏମସି , ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ପୁନର୍ବାର ଗୃହର ମଧ୍ୟଭାଗକୁ ଆସିଥିଲେ। ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ବାମପନ୍ଥୀ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଡେପୁଟି ଚେୟାରମ୍ୟାନ୍ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଗୃହର କାର୍ଯ୍ୟକୁ ଦିନ 1 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସକାଳେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ଗତକାଲି 17 ଟି ମୁଲତବୀ ପ୍ରସ୍ତାବ ଆସିଛି ଏବଂ ଆଜି ମଧ୍ୟ 15 ଟି ପ୍ରସ୍ତାବ ଆସିଛି। ଏକାସାଙ୍ଗରେ ଏତେଗୁଡିଏ ପ୍ରସ୍ତାବକୁ କିପରି ଅନୁମତି ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ ଏବଂ ଏହାକୁ ଗୃହରେ ଉଠାଇବାକୁ ଦିଆଯାଉ। ତେବେ ଦିନ ତମାମ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠିକରେ ଚାଲିପାରି ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା: ୧୧ ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିଧାନସଭାରେ ଆଜି ପୁଣି ବିରୋଧୀ ଦଳର ହୋହଲ୍ଲା ଦେଖିବାକୁ ମିଳିଛି। ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ବିଜେପି ପୋଷ୍ଟର ଧରି ଗୃହ ମଧ୍ୟକୁ ଆସି ହୋହାଲ୍ଲ କରିଛି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦ ତାରିଖରେ ବିଜେପି ମାହାଙ୍ଗା ହତ୍ୟାକାଣ୍ଡ ଘୋଷଣାରେ ବିଧାନସଭା ଘେରାଉ କରିଥିଲା। ମାହାଙ୍ଗାରୁ ଏକ ଶୋଭାଯାତ୍ରା ବାହାରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ପ୍ରତିବାଦ କରାଯାଇଥିଲା।