Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ପୋଲିସ ରିଜର୍ଭ ଗ୍ରାଉଣ୍ଡ, ତରତୁରା ଠାରେ ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଯାଇଅଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଏସପି ତଥା ଜିଲ୍ଲା ଗୃହରକ୍ଷୀ କାମାଣ୍ଡାଣ୍ଟ, ରାଜକିଶୋର ଦୋରା ଯୋଗଦେଇଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି ଉକ୍ତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ପାଳନ ହୋଇଅଛି।  ଗୃହରକ୍ଷୀମାନେ ଅଭ୍ୟନ୍ତରୀଣ ନିରାପତ୍ତା, ଆଇନ ଶୃଙ୍ଖଳା, ଟ୍ରାଫିକ ପରିଚାଳନା ତଥା ବିପର୍ଯୟ ପ୍ରଶମନ କ୍ଷେତ୍ରରେ ପୋଲିସ, ଅଗ୍ନିଶମ ବାହିନୀ ତଥା ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସେବା ଦେବାରେ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଆସୁଥିବାର ଏସପି ତାଙ୍କ ଅଭିଭାଷଣରେ କହିଥିଲେ।

ଅନୁରୂପ ଭାବେ କୋଭିଡ ମହାମାରୀ ସମୟରେ ମଧ୍ୟ ଗୃହରକ୍ଷୀ ମାନେ ନିସ୍ଵାର୍ଥପର ଭାବେ ଜନସାଧାରଣଙ୍କ ସେବା କରି ଆସୁଥିବାର କହିଥିଲେ ଏସପି ଶ୍ରୀ ଦୋରା। ଏହି ଅବସରରେ କରୋନା କାଳରେ ଟାଙ୍ଗୀ ଥାନା ଅଞ୍ଚଳର ଜଣେ କୋଭିଡ ଆକ୍ରାନ୍ତଙ୍କ ଶବଦାହ କାର୍ଯ୍ୟରେ ସହଯୋଗ କରିଥିବାରୁ ଟାଙ୍ଗୀ ଥାନା ଗୃହ ରକ୍ଷୀ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଏସପି ମାନପତ୍ର ଓ ପଦକ ଦେଇ ସମ୍ମାନିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଏସପି, ଖୋର୍ଦ୍ଧା ଏସଡ଼ିପିଓ, ସମସ୍ତ ଡ଼ିଏସପି, ଟାଉନ ଥାନା ଆଇଆଇସି, ଜଙ୍କିଆ ଥାନା ଆଇଆଇସି, ବିଭିନ୍ନ ଥାନାର ହୋମଗାର୍ଡ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।