Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପଦାକୁ ଆସିଲା ବାଣପୁରର ବିଜେଡ଼ି ସମର୍ଥକଙ୍କ ଗୋଷ୍ଠୀ କନ୍ଦଳ : ବିଧାୟକଙ୍କ ସାମ୍ନାରେ ହାତାହାତି

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି।ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରଠାରେ ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ସମୟରେ ଆୟୋଜିତ ଏକ ଶୋଭାଯାତ୍ରାରେ ଏହି ଗୋଷ୍ଠୀ କନ୍ଦଳ ହୋଇଥିବାର ଦେଖିବାକୁ ମିଳିଛି। ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟର ଟଣାଓଟରା ଲାଗିଥିଲା। ସ୍ଥାନୀୟ ଭୀମପୁର ଗ୍ରାମରେ ଚାଲିଥିବା ଶୋଭଯାତ୍ରା ସମୟରେ ଏକ ଗୋଷ୍ଠୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ମିଟୁ ନାୟକଙ୍କ ସହ ବଚସା କରିଥିଲେ। ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଭୟଙ୍କର ରୂପ ନେବା ସହିତ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବିଧାୟକ ଓ ବିଧାୟକଙ୍କ ସୁରକ୍ଷା କର୍ମୀ ପରିବେଶକୁ ସହଜ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏହା ଫଳପ୍ରଦ ହୋଇନଥିଲା। ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ମିଟୁ ନାୟକ ଏହି ଘଟଣାରେ ଆହତ ହୋଇ ବାଣପୁର ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ।

ବିଜେଡିର ପଞ୍ଚାୟତ କର୍ମୀ ସମ୍ମିଳନୀରେ ପଞ୍ଚାୟତ କର୍ମୀଙ୍କୁ ଅଣଦେଖା କରାଯିବା ନେଇ ଏହି ଗଣ୍ଡଗୋଳଟି ଘଟିଥିବାର ସୂଚନା ମିଳିଛି। ପଞ୍ଚାୟତ କାର୍ଯ୍ୟକ୍ରମରେ ଏନ୍‌ଏସି ବିଜେଡି କର୍ମୀଙ୍କ ପ୍ରାଦୁର୍ଭାବକୁ ସହ୍ୟ କରି ନପାରି ପଞ୍ଚାୟତ କର୍ମୀମାନେ ମିଟୁ ନାୟକଙ୍କ ଉପରେ ଆକ୍ରମଣ କରିଥିବାର ସୂଚନା ରହିଛି।

ମିଟୁ ନାୟକ ଏନେଇ ସମ୍ପୃକ୍ତ ଯୁବକ ଗୋଷ୍ଠୀଙ୍କ ବିରୋଧରେ  ବାଣପୁର ଥାନାରେ ଏତଲା ଦେବା ସହିତ ଉକ୍ତ ଘଟଣାରେ ତାଙ୍କର ଦୁଇ ଭରିର ଏକ ସୁନା ଚେନ୍‌କୁ ଛିଣ୍ଡାଇ ନିଆଯାଇଥିବାର ଅଭିଯୋଗ ମଧ୍ୟ କରିଛନ୍ତି। କେସ୍‌ ନଂ ୩୦/୨୦ରେ ଏହି ମାମଲାକୁ ରୁଜୁ କରାଯାଇ ଉକ୍ତ ଗୋଷ୍ଠୀଙ୍କ ବିରୋଧରେ ଆଇପିସି ଧାରା ୩୪୧, ୩୨୩, ୩୨୪, ୨୯୪, ୩୭୯, ୫୦୬, ୩୪ ଲଗାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ।