Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୋଆର ମୀରାମାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି ପ୍ରଦର୍ଶିତ

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆୟୋଜନ ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ଗତକାଲି ଗୋଆର ମୀରାମାର ବେଳାଭୂମିରେ ଏକ ଚମତ୍କାର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଭାରତୀୟ ସିନେମା ଏବଂ ସଙ୍ଗୀତର ଚାରି ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍କିନେନି ନାଗେଶ୍ୱର ରାଓ, ତପନ ସିହ୍ନା, ମହମ୍ମଦ ରଫି ଏବଂ ରାଜ କପୁରଙ୍କୁ ସମର୍ପିତ ବାଲୁକା ମୂର୍ତ୍ତିର ଲୋକାର୍ପଣ କରିଥିଲେ।

ଭାରତୀୟ ସିନେମାର ଚାରି ଜଣ କିମ୍ବଦନ୍ତୀଙ୍କୁ ଏଭଳି ସୃଜନଶୀଳ ଓ କଳାତ୍ମକ ଢଙ୍ଗରେ ସମ୍ମାନିତ କରିଥିବାରୁ ଏନଏଫଡିସି ଏବଂ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରମୋଦ ସାୱନ୍ତ କୃତଜ୍ଞତା ଜ୍ଞାପନ କରିଥିଲେ। ‘‘ଏହା ମୀରାମାର ବେଳାଭୂମିରେ ନିର୍ମିତ ବୃହତ୍ତମ ବାଲୁକା ମୂର୍ତ୍ତି ମଧ୍ୟରୁ ଅନ୍ୟତମ ଏବଂ ଏହା ଏହି ମହାନ ବ୍ୟକ୍ତିମାନଙ୍କ ପରମ୍ପରାର ଏକ ସୁନ୍ଦର ପ୍ରମାଣ ଭାବରେ ଠିଆ ହୋଇଛି। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି’’ ବୋଲି ଡ. ସାୱନ୍ତ କହିଛନ୍ତି। ଏହି ମୂର୍ତ୍ତି ଏବେ ଜନସାଧାରଣଙ୍କ ପାଇଁ ଦେଖିବା ଏବଂ ପ୍ରଶଂସା କରିବା ପାଇଁ ଖୋଲା ଅଛି ବୋଲି ସେ କହିଥିଲେ।

ମୀରାମାର ବେଳାଭୂମିର ସୁନ୍ଦର ପୃଷ୍ଠଭୂମିରେ ନିର୍ମିତ ଏହି ପ୍ରତିଷ୍ଠାନ ଚାରି ଜଣ ସିନେମା କିମ୍ବଦନ୍ତୀଙ୍କ ଅମର ଅବଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ଏହି ପ୍ରତ୍ୟେକ ଆଇକନ୍ ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଶିଳ୍ପକୁ ଆକାର ଦେଇଥିଲେ ଏବଂ ଏହି ବାଲୁକା ମୂର୍ତ୍ତି ସେମାନଙ୍କର କାଳଜୟୀ ପ୍ରଭାବପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଭାବରେ କାର୍ଯ୍ୟ କରିଥାଏ।

‘‘ଏହି କଳାକୃତି କୁ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୂଣ୍ଣ ଦୁଇ ଦିନ ଲାଗିଲା – ଗୋଟିଏ ଦିନ ପ୍ରସ୍ତୁତି ପାଇଁ ଏବଂ ଦ୍ୱିତୀୟ ଦିନ ଜଟିଳ କାରୁକାର୍ଯ୍ୟ ପାଇଁ,” ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ।  ବାଲୁକା କଳାରେ ତାଙ୍କର ଅଗ୍ରଣୀ ଅବଦାନ ପାଇଁ ଶ୍ରୀ ପଟ୍ଟନାୟକ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ। ସେ ବିଭିନ୍ନ ସାମାଜିକ ଏବଂ ପରିବେଶ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା, ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରରେ ପରିଚିତ। ସେ କହିଛନ୍ତି, ‘‘ପୂର୍ବରୁ କାନ୍ସରେ ମୋର ବାଲୁକା ମୂର୍ତ୍ତି ଉପସ୍ଥାପନ କରିସାରିଛି, କିନ୍ତୁ ପ୍ରଥମ ଥର ପାଇଁ ମୋତେ ଆଇଏଫ୍ଏଫ୍ଆଇକୁ ନିମନ୍ତ୍ରଣ କରାଯାଇଛି।’’

ବାଲୁକା କଳାର ମହତ୍ତ୍ୱ ସମ୍ପର୍କରେ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୋଆକୁ ବାଲୁକା କଳାକୃତିର ପ୍ରଶିକ୍ଷଣର କେନ୍ଦ୍ରରେ ପରିଣତ କରିବାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦର ସମୁଦ୍ର କୂଳ ଥିବା ଗୋଆରେ ଏକ ଉତ୍ସର୍ଗୀକୃତ ବାଲୁକା କଳା ପ୍ରଶିକ୍ଷଣ ଅନୁଷ୍ଠାନ ରହିବା ଦରକାର ଯେଉଁଠାରେ ସ୍ଥାନୀୟ କଳାକାର ଏବଂ ଛାତ୍ରଛାତ୍ରୀ ବାଲୁକା ମୂର୍ତ୍ତିର ଜଟିଳତା ଶିଖିପାରିବେ। ଏହା ରାଜ୍ୟର ସାଂସ୍କୃତିକ ଦୃଶ୍ୟପଟରେ ଏକ ଉତ୍ତମ ସଂଯୋଗ ହେବ ଏବଂ ସାରା ବିଶ୍ୱରୁ ଗୋଆକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଏକ ଚମତ୍କାର ଉପାୟ ହେବ।

ଗୋଆର ଅନନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ନିଜ ରାଜ୍ୟ ଓଡ଼ିଶା ବିଷୟରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ ବିଭିନ୍ନ ସମୁଦ୍ର କୂଳରେ ମିଳୁଥିବା ବିଭିନ୍ନ ପ୍ରକାରର ବାଲି ସମ୍ପର୍କରେ ନିଜର ମତ ରଖିଥିଲେ। ପ୍ରତ୍ୟେକ ବେଳାଭୂମିର ନିଜସ୍ୱ ଚରିତ୍ର ଏବଂ ବାଲିର ପ୍ରକାର ଥାଏ। କିନ୍ତୁ ଜଣେ କଳାକାରଙ୍କ ପାଇଁ ସବୁ ବାଲି ସମାନ ବୋଲି ସେ ହସିହସି କହିଥିଲେ।

ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ସମେତ ଅନେକ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରି ଶ୍ରୀ ପଟ୍ଟନାୟକଙ୍କ କୃତି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି। ଆଇଏଫଏଫଆଇରେ ତାଙ୍କର ସଦ୍ୟତମ କୃତି କେବଳ ଭାରତୀୟ ସିନେମାର କିମ୍ବଦନ୍ତୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ମହୋତ୍ସବର ସମୃଦ୍ଧ ସାଂସ୍କୃତିକ ଅଫରରେ ଏକ ଉଲ୍ଲେଖନୀୟ ସଂଯୋଜନ, କଳା ଏବଂ ସିନେମାର ମିଶ୍ରଣକୁ ପ୍ରଦର୍ଶିତ କରେ।

ମୀରାମାର ବେଳାଭୂମିରେ ଥିବା ବାଲୁକା ମୂର୍ତ୍ତି ଏବେ ଜନସାଧାରଣଙ୍କ ପାଇଁ ଖୋଲା ରହିଛି, ଯାହା ଦ୍ୱାରା ଉଭୟ ଆଇଏଫଏଫଆଇ ଅଂଶଗ୍ରହଣକାରୀ ଏବଂ ସ୍ଥାନୀୟ ଜନସାଧାରଣ ଏହି ଅସାଧାରଣ କଳାକୃତିର ଅନୁଭବ ନେଇପାରିବେ ଏବଂ ପ୍ରଶଂସା କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫଏଫଆଇ ୨୦୨୪ର ଚିତ୍ତାକର୍ଷକ କାର୍ଯ୍ୟସୂଚୀକୁ ଉନ୍ମୋଚନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ର ୫୫ତମ ସଂସ୍କରଣ ଆସନ୍ତା ନଭେମ୍ବର ୨୦ରୁ ୨୮ତାରିଖ ପର୍ଯ୍ୟନ୍ତ ମନୋରମ ସାମୁଦ୍ରିକ ବେଳାଭୂମିର ରାଜ୍ୟ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଭାରତ ସରକାର), ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ଏବଂ ଗୋଆ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍ ଗୋଆ (ଇଏସଜି) ମାଧ୍ୟମରେ ମହୋତ୍ସବ ଆୟୋଜିତ ହେଉଚି। ବିବିଧ କାହାଣୀ, ଅଭିନବ ସ୍ୱରକୁ ପ୍ରଦର୍ଶନ କରିବା ସହିତ ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷର ଆଇଏଫ୍ଏଫ୍ଆଇ ମହୋତ୍ସବ ଚମତ୍କାର ଚଳଚ୍ଚିତ୍ର ଉତ୍ସବର ଭିନ୍ନ ଅନୁଭୂତି ନେଇ ଆସିଛି।

ଆଜି ଆଇଏଫ୍ଏଫ୍ଆଇ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ, ଗୋଆର ମନୋରଞ୍ଜନ ସୋସାଇଟିର ଉପାଧ୍ୟକ୍ଷ ଡେଲିୟାଲା ଲୋବୋ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଏନ୍ଏଫଡିସିର ପରିଚାଳନା ନିର୍ଦ୍ଦେଶକ ପୃଥୁଲ କୁମାର ଯୋଗ ଦେଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବୃନ୍ଦା ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ମହାନିର୍ଦ୍ଦେଶକ ସ୍ମିତା ବତ୍ସ ଶର୍ମା; ଏବଂ ପିଆଇବି ଓ ଇଏସଜିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ।

ଚଳିତ ବର୍ଷର ମହୋତ୍ସବରେ ଆୟୋଜନ କରାଯିବାକୁ ଥିବା ନୂଆ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଡ. ସାୱନ୍ତ କହିଥିଲେ ଯେ ଆଇଏଫ୍ଏଫ୍ଆଇ ପରେଡ୍ ମାର୍ଗରେ ‘ସ୍କାଏ ଲାଣ୍ଟର୍ନ’ ବା ଆକାଶ ଦୀପ ପ୍ରତିଯୋଗିତାର ଏଣ୍ଟ୍ରିଗୁଡ଼ିକ ପ୍ରଦର୍ଶିତ ହେବ। ଆସନ୍ତା ୨୨ ତାରିଖରେ ଇଏସଜି କାର୍ଯ୍ୟାଳୟ ସ୍ଥାନ ଠାରୁ କଳା ଏକାଡେମୀ ପର୍ଯ୍ୟନ୍ତ ଆଇଏଫଏଫଆଇ ପରେଡ୍‌ ଆୟୋଜନ କରାଯିବ।

ଏହି ମହୋତ୍ସବରେ ୮୧ଟି ଦେଶର ୧୮୦ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ମହୋତ୍ସବ ସ୍ଥଳରେ ଯାତାୟାତ ର ସୁବିଧା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯିବ। ଗୋଆ ଚଳଚ୍ଚିତ୍ର ଉପରେ ସ୍ୱତନ୍ତ୍ର ବିଭାଗ ରହିବ ଯେଉଁଥିରେ ସ୍ଥାନୀୟ ପ୍ରତିଭା ଓ ସଂସ୍କୃତିକୁ ନେଇ ୧୪ଟି ସିନେମା ପ୍ରଦର୍ଶିତ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏନଏଫଡିସିର ଏମଡି ଶ୍ରୀ ପୃଥୁଲ କୁମାର କହିଛନ୍ତି ଯେ ଗୁଗଲ ଏବଂ ମାଇ ଗଭ ପ୍ଲାଟଫର୍ମ ସହିତ ଭାଗିଦାରୀ ମାଧ୍ୟମରେ ମହୋତ୍ସବରେ ୟୁଟ୍ୟୁବ ଇନଫ୍ଲୁଏସର୍‌ଙ୍କ ସହିତ ସହଭାଗିତା କରାଯାଇଛି। ଫିଲ୍ମ ବଜାରରେ ଏକ ଅଷ୍ଟ୍ରେଲୀୟ ଫିଲ୍ମ ପ୍ୟାଭିଲିୟନ୍ ପ୍ରଦର୍ଶିତ ହେବ। ଏହି ଉତ୍ସବରେ ବିଧୁ ବିନୋଦ ଚୋପ୍ରା, ଏଆର ରେହମାନ, ବିକ୍ରାନ୍ତ ମେସୀ, ଆର ମାଧବନ, ନୀଲ ନିତିନ ମୁକେଶ, କୀର୍ତ୍ତି କୁଲ୍‌ହାଡ଼ି, ଅର୍ଜୁନ କପୁର, ଭୂମି ପେଡନେକର, ରକୁଲ ପ୍ରୀତ ସିଂ, ନୁସରତ ଭରୁଚା, ସାନ୍ୟା ମାଲହୋତ୍ରା, ଇଲିଆନା ଡିକ୍ରୁଜ, ବୋମନ ଇରାନୀ, ପଙ୍କଜ କପୁର, ଅପାରଶକ୍ତି ଖୁରାନା, ମାନସୀ ପାରେଖ, ପ୍ରତୀକ ଗାନ୍ଧୀ, ସାଇ ତାମହାନକର, ବିଷ୍ଣୁ ମଞ୍ଚୁ, ପ୍ରଭୁଦେବା, କାଜଲ ଅଗ୍ରୱାଲ, ସୌରଭ ଶୁକ୍ଳାଙ୍କ ଭଳି ଚଳଚ୍ଚିତ୍ର  ତାରକାମାନେ ଯୋଗଦେବେ।

ଏନଏଫଡିସିର ଏମଡି ଆହୁରି ସୂଚନା ଦେଇଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୬୫୦୦ ଜଣ ପ୍ରତିନିଧି ପଞ୍ଜୀକୃତ ହୋଇଛନ୍ତି ଯାହାକି ୨୫ ପ୍ରତିଶତ ଅଧିକ। ଚଳଚ୍ଚିତ୍ର ମହୋତ୍ସବ ସିନେପ୍ରେମୀଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ପାଇଁ ଚଳିତ ବର୍ଷ ଆଉ ୬ଟି ସ୍କ୍ରିନ୍ ଏବଂ ୪୫ ପ୍ରତିଶତ ଅଧିକ ସ୍କ୍ରିନିଂ ଥିଏଟର ଉପଲବ୍ଧ ହେବ।

ଚଳଚ୍ଚିତ୍ର ଜଗତର ବିଭିନ୍ନ ଦିଗକୁ ଗଭୀର ଭାବରେ ବୁଝିବା ସହ ଚଳଚ୍ଚିତ୍ର ବ୍ୟବସାୟର ସମସ୍ତ ବିଭାଗ ସହ ସାମ୍ବାଦିକମାନଙ୍କୁ ପରିଚିତ କରାଇବା ପାଇଁ ଏକ ପ୍ରେସ୍ ଟୁର ଆୟୋଜନ କରାଯିବ ବୋଲି ପୃଥୁଲ କୁମାର ସୂଚନା ଦେଇଛନ୍ତି। ଆଇଏଫଏଫଆଇ ୨୦୨୪ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଗୁରୁତ୍ୱ ଦେଉଛି ଏବଂ ସିଏମଓଟି ବିଭାଗରେ ରେକର୍ଡ ୧୦୩୨ ଟି ଆବେଦନ ପାଇଛି ଯାହାକି ଗତ ବର୍ଷ  ୫୫୦ ଥିଲା ବୋଲି ଶ୍ରୀ କୁମାର କହିଛନ୍ତି।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ମହାନିର୍ଦ୍ଦେଶକ ସ୍ମିତା ବତ୍ସ ଶର୍ମା ଗଣମାଧ୍ୟମରେ ଏହି ମହୋତ୍ସବର ବଢୁଥିବା ଆକର୍ଷଣ ଏବଂ ଆଞ୍ଚଳିକ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ବହୁ ସଂଖ୍ୟାରେ ଆବେଦନ ଆସିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ମୋଟ ୮୪୦ ଟି ଆବେଦନ ରହିଛି ଏବଂ ସେଥିମଧ୍ୟରୁ ୨୮୪ ଟି ଗୋଆରୁ ଆସିଛି। ଦେଶର ସମସ୍ତ ଅଞ୍ଚଳରେ ଏହି ମହୋତ୍ସବର ବ୍ୟାପକ ପ୍ରଚାର ବଢ଼ାଇବା ପାଇଁ ପିଆଇବିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ସ୍ଥାନୀୟ ଭାଷାରେ ପ୍ରେସ ବିଜ୍ଞପ୍ତି ଜାରି କରିବେ। ସେହିପରି କୋଙ୍କଣୀ ଭାଷାରେ ମଧ୍ୟ ପ୍ରେସ ବିଜ୍ଞପ୍ତି ଜାରି କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଗୋଆ ମୁଖ୍ୟମନ୍ତ୍ରୀଙ୍କ ବଡ ଦାବି: ୩ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ବିଜେପି ଗଠନ କରିବ ସରକାର

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନର ଧାରାକୁ ନେଇ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହୋଇଛି। ଯଦିଓ ଦଳ ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୧ ଟି ସିଟ୍ ପଛରେ ଅଛି, କିନ୍ତୁ ଗୋଆ ବିଜେପି କହିଛି ଯେ, ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବ ଏବଂ ସରକାର ଗଠନ ପାଇଁ ଦାବି କରିବ।

ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତିନିଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ଘୋଷଣା କରି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରିଛନ୍ତି। ଗୋଆର ୪୦ ଟି ଆସନରୁ ବିଜେପି ବର୍ତ୍ତମାନ ୧୯ ଟି ସିଟ୍ (+୬) ରେ ଆଗୁଆ ରହିଛି। ଆଠଟି ଆସନ ହରାଇ କଂଗ୍ରେସ ୧୨ ଟି ଆସନରେ ଆଗୁଆ ରହିଛି। ତୃଣମୂଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପ୍ରତ୍ୟେକ ତିନୋଟି ଆସନରେ ଆଗୁଆ ଥିବାବେଳେ ତିନୋଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗଣଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ମନ୍ତବ୍ୟକୁ ନେଇ ବିବାଦ: ପ୍ରତିକ୍ରିୟା ରଖିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ: ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି କହିଛନ୍ତି ଯେ, ତାଙ୍କ ବିବୃତ୍ତିର ପ୍ରକୃତ ପ୍ରସଙ୍ଗ ବୁଝିବାକୁ ଚେଷ୍ଟା କରାଯାଉ ନାହିଁ। ନାବାଳିକାଙ୍କ ସୁରକ୍ଷା ଏକ ସାଧାରଣ ଦାୟିତ୍ଵ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ ଏବଂ ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ।

ଉଲ୍ଲେଖ ଯୋଗ୍ୟ ଯେ, ଗୋଆ ରାଜଧାନୀଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବେନାଲିମ୍ ବେଳାଭୂମିରେ ରବିବାର ଦିନ ଦୁଇଜଣ ଯୁବତୀଙ୍କୁ ପୋଲିସ୍ ବୋଲି ଦର୍ଶାଇ ବଳାତ୍କାର କରାଯାଇଥିଲା। ସେମାନଙ୍କ ସହିତ ଆସିଥିବା ପୁଅମାନଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାଡ଼ ମାରିଥିଲେ। ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ଥିଲେ। ସମସ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର ଦିନ ବିଧାନସଭାରେ ଗଣଦୁଷ୍କର୍ମକୁ ନେଇ ଏକ ବିବୃତ୍ତି ଦେଇଥିଲେ। ସେ ବିଧାନସଭାରେ କହିଥିଲେ ଯେ, ସେମାନଙ୍କ ପିଲାମାନେ କାହିଁକି ଏତେ ରାତି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଥିଲେ ତାହା ଅଭିଭାବକମାନେ ଅନୁସନ୍ଧାନ କରିବା ଆବଶ୍ୟକ। ସେ କହିଥିଲେ ଯେ, ସେମାନଙ୍କ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପିତାମାତାଙ୍କ ଦାୟିତ୍ଵ ଅଟେ ଏବଂ ସେମାନେ ସେମାନଙ୍କର ପିଲାମାନଙ୍କୁ, ବିଶେଷକରି ନାବାଳିକାମାନଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ। ତାଙ୍କ ମନ୍ତବ୍ୟକୁ ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଆଜି ଏକ ବିବୃତ୍ତିରେ ସାୱନ୍ତ କହିଛନ୍ତି, ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କରେ ମୋ ବିବୃତ୍ତିର ଅଲଗା ଅର୍ଥ ବାହାର କରାଯାଇଛି। ଜଣେ ଦାୟିତ୍ଵବାନ ସରକାରର ମୁଖ୍ୟ ତଥା ୧୪ ବର୍ଷୀୟ ଜଣେ ଝିଅର ପିତା ଭାବରେ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ଘଟଣାର ବର୍ଣ୍ଣନା କରାଯାଇପାରିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଆଇନ ଦ୍ୱାରା ଦିଆଯାଇଥିବା ସୁରକ୍ଷା ଅଧିକାରକୁ କେବେ ବି ଅସ୍ୱୀକାର କରିନାହାଁନ୍ତି। ବିଶେଷ କରି ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ନେଇ ଗୋଆ ପୋଲିସ ପ୍ରକୃତ ଅର୍ଥରେ ଏକ ବୃତ୍ତିଗତ ଶକ୍ତି ହୋଇପାରିଛି। ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଗିରଫ କରିଥିଲେ ଏବଂ ମୁଁ ଆପଣଙ୍କୁ ନିଶ୍ଚିତ କରିବି ଯେ, ଅପରାଧୀମାନେ ଆଇନ ଅନୁଯାୟୀ କଠୋର ଦଣ୍ଡ ପାଇବେ। ଆମ ନାଗରିକଙ୍କ ସୁରକ୍ଷା ସର୍ବଦା ମୋ ସରକାରର ସର୍ବୋଚ୍ଚ ପ୍ରାଥମିକତା ଅଟେ।

ପିଲାମାନଙ୍କର ସୁରକ୍ଷା ବିଶେଷକରି ନାବାଳିକାମାନଙ୍କର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ଅଟେ। ପିଲାମାନେ ସେମାନଙ୍କର ବଡମାନଙ୍କ ମାର୍ଗଦର୍ଶନ ଆବଶ୍ୟକ କରନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଗୋଆର ସମସ୍ତ ପିଲାଙ୍କୁ ନେଇ ଚିନ୍ତିତ ଅଛି। ”ଶିଶୁଙ୍କ ସୁରକ୍ଷା ସହ ଜଡିତ କୌଣସି ଆପୋଷ ବୁଝାମଣା ହେବ ନାହିଁ ବୋଲି ସାୱନ୍ତ କହିଛନ୍ତି। ସେ କହିଛନ୍ତି, ଭୁଲ ବୁଝାମଣା ପାଇଁ କୌଣସି ସ୍ଥାନ ଛାଡନ୍ତୁ ନାହିଁ। ଆସନ୍ତୁ, ଏକାଠି ହୋଇ ପରସ୍ପର ଉପରେ ବିଶ୍ୱାସ କରିବା। ଆସନ୍ତୁ ଗୋଆକୁ ଏକତା ସୂତରେ ବାନ୍ଧି ଆମର ଶକ୍ତି ସହିତ ଆମେ ଏହିପରି ମନ୍ଦ କାର୍ଯ୍ୟକୁ ଦୂର କରିବା।