Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା

ପୁରୀ, ତିନିଠାକୁର ଆଜି ଅପରାହ୍ନରେ ତିନି ରଥରୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ନଅ ଦିନ ଧରି ସେ ନିଜ ଜନ୍ମ ବେଦୀରେ ରହିବେ। ହେଲେ ଦୁଃଖର କଥା ତିନି ଠାକରୁ ଏକା ଏକା ବସିବେ ସିନେ କୌଣସି ଭକ୍ତଙ୍କୁ ଦେଖିପାରିବେ ନାହିଁ। ଏହା ଉଭୟ ଭକ୍ତ ଏବଂ ଭଗବାନଙ୍କ ପାଇଁ ଏକ ଦୁଃଖଦାୟକ ଘଟଣା ପାଲଟି ଯାଇଛି।

କରୋନା କଟକଣା ପାଇଁ ପୁରୀରେ କର୍ଫୁ ଜାରି କରାଯାଇଛି। ସଂକ୍ରାମଣକୁ ରୋକିବା ପାଇଁ ପୁରୀ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏପରିକି ପୁରୀର ସମସ୍ତ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟ  ଦୂରତା ବଢିଯାଇଛି।

ରଥଯାତ୍ରା ଦିନ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ ରଥରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା କଥା, ହେଲେ ତାହା କରୋନା ପାଇଁ ହୋଇପାରିଲା ନାହିଁ।

ମଙ୍ଗଳବାର ସଂଧ୍ୟାରେ ତିନିଠାକୁରଙ୍କ ସଂଧ୍ୟା ଆଳତି ପରେ ଆଡପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ରଥରୁ ଘୋଡା ବାହାର କରାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ। ପ୍ରଥମେ ବଡଭାଇ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ପ୍ରଭୃ କାଳିଆ ଠାକୁର ଜନ୍ମବେଦୀକୁ ବିଜେ କରିଥିଲେ।

ଭକ୍ତ ନ ଥିବାରୁ କେବଳ ସେବକମାନେ ହରିବୋଲ ସହ ଘଣ୍ଟ ତୁରୀ ବଜାଇ ଠାକୁରଙ୍କୁ ବିଜେ କରାଇଥିଲେ। ବିଶ୍ବାସ ରହିଛି ଯେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ସେଥିପାଇଁ ଯେଉଁମାନେ ରଥରେ ଠାକୁରଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇ ନ ଥାନ୍ତି, ସେମାନେ ଆଡପ ମଣ୍ଡପ ଦର୍ଶନ କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା ସବୁକିଛି ଛାରଖାର କରିଦେଲା।