Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ପାଇଁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ଉଠିଲା ଦାବି 

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଞ୍ଚାୟତରୁ ଲୋକସେବା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଫେସ୍‌ବୁକ୍ ଓ ସୋସିଆଲ୍ ମିଡ଼ିଆରେ ଜାହିର କରିଥିଲେ। ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କି, ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ।

ଗତକାଲି ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ସାମିଲ୍ ହୋଇନାହାଁନ୍ତି। ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ପ୍ଲାକାର୍ଡ  ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ, ତା’ ପରବର୍ତ୍ତୀ କାର୍ଯ୍ୟକ୍ରମ ହିସାବରେ କଳାବ୍ୟାଚ୍ ପିନ୍ଧି ସମସ୍ତେ କାର୍ଯ୍ୟ କରିବେ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ।  ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।

ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅବାହକ ବିଜୟ ମଲ୍ଲ, ପ୍ରଭାତ ମହାନ୍ତି, ଅଶ୍ୱିନୀ ଦାସ, ପ୍ରଦୀପ ପ୍ରଧାନ, ସୁଧାଂଶୁ ପାତ୍ର, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ସୁଭ୍ରଜିତ୍ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ରାଉତରାୟ, ପ୍ରଭାତ ତିୱାରୀ, ରାଜେଶ ମହାନ୍ତି, ବଙ୍କିମ୍ ସାଗର, ଖଗେନ୍ଦ୍ର ପାଲ୍‌, ସୁଶାନ୍ତ ବେହେରା, ବିକ୍ରମ ରଥ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅନୀତା ବେହେରା, ଶ୍ରୀକାନ୍ତ ବାରିକ, ଡ. ଅଜୟ ଜେନା,ରଶ୍ମିରଂଜନ ପାଢୀ, ଗୁରୁ ଗୋବିନ୍ଦ ଦଳାଇ, ଅନ୍ତର୍ଯ୍ୟାମୀ ଲେଙ୍କା, ମନୋଜ ଜେନା, ବିନୋଦ ବଳ, ଶିବଶଙ୍କର ସାହୁ, ବବୁଲ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ଆଜି ଲାଗୁ କଲୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍‌ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍‌ସ। ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା। ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି। ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ। ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା। ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି।

ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେବା ସହିତ ଟିବି ନିରାକରଣ ଦିଗରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ। ଏହି ଅବସରରେ ସେ ଅଧିକରୁ ଅଧିକ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହୋଇ ପାରିବେ ଏବଂ କାର୍ଡ ବନାଇବେ ସେଥିନେଇ ସଚେତନ କରିବାକୁ ପ୍ରତି ଘରୁକୁ ଯିବା ପାଇଁ ସେ ବିଧାୟକ ମାନଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଲେ ଯେ ଓଡିଶା ବିକାଶ ଇତିହାସରେ ଆଜି ଆଉ ଏକ ଅଧ୍ୟାୟ ଯୋଡିହୋଇଛି।

ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ପ୍ରାୟ ୬ ବର୍ଷ ହେଲା ରାଜନୈତିକ କାରଣରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଥିବା ଏହି ଐତିହାସିକ ଯୋଜନା ଆଜି ଆରମ୍ଭ ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସାମାଜିକ ଓ ଆର୍ଥିକ ପ୍ରଗତିର ଏକ ମୂଳଭିତ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ନାଗରିକମାନଙ୍କୁ କାର୍ଯ୍ୟକ୍ଷମ, ଆତ୍ମବିଶ୍ବାସୀ ଓ ସ୍ବାଭିମାନୀ କରିବ; ଏବଂ ସ୍ବାଭିମାନୀ ନାଗରିକମାନେ ହିଁ ସମୃଦ୍ଧିର ସ୍ବପ୍ନକୁ ସାକାର କରିବେ। ଏହି ସତ୍ୟକୁ ଅନୁଭବ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସାରା ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ଯୋଜନାରୁ ଲାଭ ପାଇଥିବା କୋଟି କୋଟି ଜନତା ସେମାନଙ୍କ ଆଶୀର୍ବାଦ ଏବଂ ଆଶିଷ ତାଙ୍କ ଉପରେ ଅଜାଡ଼ି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସମାନ ଭାବେ ଦିଲ୍ଲୀର ଜନ ସାଧାରଣଙ୍କୁ ମଧ୍ୟ ବଞ୍ଚିତ କରାଯାଇଥିବା ଏହି ଯୋଜନା, ଗତକାଲିଠାରୁ ଲାଗୁ ହୋଇସାରିଛି। ଏହା ହେଉଛି ଡବଲ ଇଞ୍ଜିନ ସରକାରର ମଡେଲ। ଏଥିରେ ବିକାଶର ଗତି ଦୁଇଗୁଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅର୍ଥ କେବେ ବାଧକ ହେବ ନାହିଁ।

ଏହି ଯୋଜନାରେ ଆଜି ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଉପକୃତ ହେବେ। ପ୍ରତି ପରିବାରଙ୍କୁ ସରାଦେଶର ବିଭିନ୍ନ ରାଜ୍ୟରେ ତାଲିକାଭୁକ୍ତ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍‍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ। ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ।

ଏହାଛଡ଼ା, ୭୦ ବା ତା’ଠୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ଠାନ ବୟୋ-ବନ୍ଦନା ଯୋଜନାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ। ପୂର୍ବରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ଅତିରିକ୍ତ ଛ ଲକ୍ଷ ଲୋକ କାର୍ଡ ପାଇବେ।

ଏ ସମସ୍ତ ମିଳିତ ଯୋଜନାରେ ୩କୋଟି ୫୨ଲକ୍ଷ ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିବାର ନୁହେଁ, ସମନ୍ୱିତ ଯୋଜନାରେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଏ ଏକକ କାର୍ଡ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବାବଦରେ ଓଡ଼ିଶା ସରକାର ୬୦:୪୦ ଅନୁପାତରେ କେନ୍ଦ୍ରୀୟ ଅଂଶଧନ ପାଇବେ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଯଥେଷ୍ଟ ବ୍ୟୟ ବରାଦ କରିଛନ୍ତି।

ସେ ପୁଣି କହିଲେ ଯେ, ଆଜିକାଲି ଅନେକ ପରିବାରର ସଦସ୍ୟ ଚାକିରି ହେଉ କିମ୍ବା ପାଠ ପଢ଼ିବା ପାଇଁ  ପରିବାର ବାହାରେ ରହୁଛନ୍ତି। ଏମିତି ବି ପରିବାର ଅଛନ୍ତି ଯାହାର ସଦସ୍ୟମାନେ ଦୁଇରୁ ଅଧିକ ସ୍ଥାନରେ ରହୁଛନ୍ତି। ତେଣୁ, ସେମାନଙ୍କୁ ଏହି ସ୍ୱାସ୍ଥ୍ୟସେବା ପାଇବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଅନେକ କ୍ଷେତ୍ରରେ ଦେଖା ଯାଇଛି ଯେ ଆର୍ଥିକ ଅନାଟନ ଯୋଗୁଁ, ସନ୍ତାନ ସନ୍ତତିମାନେ ନିଜ ପିତାମାତାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି, ଏବଂ ଅଣଦେଖା ମଧ୍ୟ କରିଥାନ୍ତି। ଆଜି ଠାରୁ ପରିବାରର ବରିଷ୍ଠ ନାଗରିକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଇବା ପାଇଁ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ।

ସେ ପୁଣି କହିଲେ ଯେ, ରାଜନୈତିକ କାରଣରୁ କେବଳ ସ୍ୱାସ୍ଥ୍ୟ ନୁହେଁ, ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାନୀତି-୨୦୨୦ରୁ ମଧ୍ୟ ଦୂରେଇ ରଖାଯାଇଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ନୂତନ ଶିକ୍ଷାନୀତିକୁ ଲାଗୁ କରିସାରିଛନ୍ତି। ଏହା ଫଳରେ ଆମ ଛାତ୍ରଛାତ୍ରୀ ବହୁଳ ଭାବେ ଉପକୃତ ହେବେ ଏବଂ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ନୂଆ ସରକାର ଗଠନ ପରେ ବର୍ତ୍ତମାନ ସୁଦ୍ଧା ୩ ଟି ପର୍ଯ୍ୟାୟରେ ବିଭିନ୍ନ ବର୍ଗର ୪ ହଜାର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଉ ଅଧିକ ୫ ହଜାର ୩୭୪ ଡାକ୍ତର ଓ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବହୁତ ଶୀଘ୍ର ଆମେ ଏହି ଲକ୍ଷ୍ୟ ହାସଲ କରିବୁ।

ସେ କହିଲେ ଯେ, ଓଡ଼ିଶା ବାହାରେ ରହୁଥ‌ିବା ହିତାଧିକାରୀମାନେ ସାରା ଭାରତର ବିଭିନ୍ନ ସ୍ଥାନରେ ଥିବା ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ହସ୍‍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ତାଲିକାଭୁକ୍ତ ହସ୍‍ପିଟାଲ ମାନଙ୍କର ନାମ ଓ ଠିକଣା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଆୟୁଷ୍ମାନ ଭାରତ ୱେବ ସାଇଟ୍ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍‍ଧ ହେବ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୩ ହଜାର ୮୮୧ କୋଟି ଟଙ୍କା ଏବଂ ଆମ ହସ୍‍ପିଟାଲ ଅଧୀନରେ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଚଳିତ ବର୍ଷ ବଜେଟ୍‌ରେ ୪ଟି ମେଡିକାଲ କଲେଜ ପାଇଁ ଅର୍ଥ ବରାଦ କରାଯାଇଛି। ଏଗୁଡିକ ହେଲା ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳ।।

ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ବର୍ଷ ଜୁନ ୧୨ ତାରିଖ ଦିନ ଓଡ଼ିଶାରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ସାଢ଼େ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସଦିଚ୍ଛା ସହିତ ତାଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟରତ। ଗତ ୨୪ ବର୍ଷରେ ଯେଉଁକାମ ହୋଇ ନ ଥିଲା ଆମେ ତାକୁ ୨୪ ମିନିଟରେ କରିବାକୁ ସମର୍ଥ ହୋଇଥିଲୁ, ସେ ସୁଭଦ୍ରା ଯୋଜନା ହେଉ, କି ଧାନ କିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ କରିବା, କି ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ, କି ଚାରିଦ୍ଵାର ଖୋଲା ହେଉ।

କେବଳ ସେତିକି ନୁହେଁ, ଗତ ଦଶ ମାସରେ ଅନେକ ନୂଆ ଯୋଜନା ଯେପରିକି ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅନ୍ତୋଦୟ ଗୃହ ଯୋଜନା ପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏସବୁ ମୂଳରେ ଗୋଟିଏ ଲକ୍ଷ୍ୟ, ସାଧାରଣ ଜନତାଙ୍କ ଜୀବନକୁ ଅଧିକ ସ୍ଵଚ୍ଛନ୍ଦ, ସାବଲୀଳ କରିବା ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା। ଆମ ସରକାର ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ସ୍ଵପ୍ନକୁ ସାକାର କରିବେ ଏବଂ ତା’ର ବହୁ ପୂର୍ବରୁ ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ଆଜି ଏହି ଅବସରରେ କଟକରେ ସାତ ମହଲା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ   ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍‌ସ ବା ଶିଶୁ ଭବନର ନୂଆ ବିଲ୍‌ଡିଙ୍ଗ ଓ ଡାକ୍ତରମାନଙ୍କ ପାଇଁ ହଷ୍ଟେଲର ଉଦ୍‌ଘାଟନ କରାଯାଇଛି। ଏହି ନୂଆ ବିଲ୍‌ଡିଙ୍ଗରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ହୋଇଛି। ଏଥିରେ ୧୪୦ଟି ICU ବେଡ୍ ରହିଛି। ହଷ୍ଟେଲରେ ପ୍ରାୟ  ୧୮୦ ଜଣ ରେସିଡେଣ୍ଟ ଡାକ୍ତର ରହିପାରିବେ।

ଏହା ସହିତ ଭୁବନେଶ୍ୱରର ରାଜ୍ୟ ମେଡିକାଲ କର୍ପୋରେସନ କ୍ୟାମ୍ପସ୍‌ରେ  ଏକ ମାଇକ୍ରୋ-ବାୟୋଲୋଜିକାଲ୍ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏହା ଦ୍ୱାରା ଖାଦ୍ୟ ଓ ପାଣି ସାମ୍ପଲ ଗୁଡିକର ପରୀକ୍ଷା କରାଯାଇ, ତା’ର ମାନ ନିର୍ଦ୍ଧାରଣ କରାଯାଇ ପାରିବ।

ଏହି ଅବସରରେ ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶା ଗଠନରେ ସହଯୋଗ କରି ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ  ଓଡ଼ିଶା ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଆମ ସରକାର ଲୋକଙ୍କ ପାଇଁ କାମ କରେ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା  ଦ୍ୱାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସବୁଠାରୁ ଅଧିକ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତ ଦେଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସାରା ଭାରତବର୍ଷରେ କାଶ୍ମୀରଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଓଡିଶାର ଲୋକମାନେ ଚିକିତ୍ସା ସେବା ପାଇ ପାରିବେ ବୋଲି ସେ କହିଥିଲେ।

ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଆୟୁଷ୍ମାନ ଭାରତ ଯୋଜନା ଓଡିଶାର ଲୋକମାନଙ୍କ ପାଇଁ କିପରି ଉପାଦେୟ ହୋଇପାରିବ ସେ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବିଭିନ୍ନ ବିଧାୟକ ଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ ପ୍ରମୁଖ ଯୋଗଦେଇଥିଲେ ଏବଂ ଆଭାଷୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାସ୍ଥ୍ୟବୀମା ଲାଗୁ ପାଇଁ ବିଭିନ୍ନ ସରକାରୀ କର୍ମଚାରୀ ସଙ୍ଗଠନ ଏକାଠି: ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦେବେ ଦାବିପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ସାମ୍ବାଦିକ ସମ୍ମିଳନୀରେ କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ମିଳିତ କର୍ମଚାରୀ ମହାସଂଘ ଦୁଃଖ ଓ ଅସନ୍ତୋଷ ଜାହିର କରିଥିଲେ। ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିବା ପାଇଁ ଯାଉଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ବାଦ୍ ପଡ଼ୁଛନ୍ତି।

ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସଂଘର ନିଷ୍ପତ୍ତି ଅନୁଯାୟୀ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ। ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। ତା’ସହିତ ଡିଜିଟାଲ୍ ଆନ୍ଦୋଳନ, ବ୍ଲାକ୍ ବ୍ୟାଚ୍‌, ପରିଧାନ କରି କର୍ମଚାରୀମାନେ ନିଜ କର୍ମ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଅସନ୍ତୋଷ ଜାହିର୍ କରିବେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅବାହକ ବିଜୟ ମଲ୍ଲ, ପ୍ରଭାତ ମହାନ୍ତି, ଅଶ୍ୱିନୀ ଦାସ, ପ୍ରଦୀପ ପ୍ରଧାନ, ସୁଧାଂଶୁ ପାତ୍ର,ରଶ୍ମିରଂଜନ ପାଢୀ, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ସୁଭ୍ରଜିତ୍ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ରାଉତରାୟ, ପ୍ରଭାତ ତିୱାରୀ, ଡ. ଅଜୟ ଜେନା, ଗୁରୁ ଗୋବିନ୍ଦ ଦଳାଇ, ଅନ୍ତର୍ଯ୍ୟାମୀ ଲେଙ୍କା, ମନୋଜ ଜେନା, ସୁନୀଲ୍ ପ୍ରଧାନ, ବିନୋଦ ବଳ, ଶିବଶଙ୍କର ସାହୁ, ବବୁଲ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମିଶିଲା ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର 16ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ 7ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି।

ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ ।

ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ । ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ ।

ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେଲେ:

(କ) ହିତାଧିକାରୀ ମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା ।
(ଖ) AB PMJAY କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଠାରୁ କେନ୍ଦ୍ରୀୟ ଅଂଶଧନ ପାଇବେ ।

ସେହିପରି, ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସର ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ପରି ଚାଲୁରହିବ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ପାଇଁ ପତ୍ର

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଅଟେ। ସ୍ବାସ୍ଥ୍ୟ ଚିକିତ୍ସା ନେଇ ଜିଲ୍ଲାବାସୀ ବିଶେଷ ରୂପେ ପଡୋଶୀ ରାଜ୍ୟ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭରଶୀଳ। ମିଶନ ସ୍ବାସ୍ଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କୁ ଖଡିଆଳ ବିଧାୟକ ଅଧିରାଜ ପତ୍ର ଲେଖିଛନ୍ତି। ଆସନ୍ତା ଦିନରେ ଦାବୀପୂର୍ଣ୍ଣ ନେଇ ପ୍ରତିଶୃତି ଦେଇଛନ୍ତି।

ଗର୍ଭବତୀ ମହିଳାଙ୍କ ପ୍ରସବ ଜନିତ ସମସ୍ୟା ଦେଖା ହେଲେ ତୁରନ୍ତ ଅସ୍ତ୍ରୋପଚାର କରି ସୁରକ୍ଷିତ ଶିଶୁ ଜନ୍ମ କରିପାରିଛନ୍ତି। ଯାହା ଫଳରେ ଖଡ଼ିଆଳ ସମେତ ନୂଆପଡା ଜିଲ୍ଲାର ସମସ୍ତ ବ୍ଳକ, କଳାହାଣ୍ଡି ଜିଲ୍ଲାର ଅନେକ ବ୍ଳକ, ବଲାଙ୍ଗୀର ଜିଲ୍ଲାର ନିକଟସ୍ଥ ବ୍ଳକ ସମେତ ଛତିଶଗଡ଼ ରାଜ୍ୟର ଦେଓଭୋଗ, ବାଗବାହାରା ଓ ମହାସମନ ଅଞ୍ଚଳ ଜନସାଧାରଣ ଆଜିବି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଭର କରିଥାନ୍ତି।

ଯାହାଫଳରେ ଅନେକ ରୋଗୀ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଲାଭ ଉଠାଇ ପାରୁଥିଲେ। ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ସମ୍ମମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ସମ୍ମମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ, ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି। ତେଣୁ ସମ୍ମମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ, ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ ଜଣ ରେଡିଓଗ୍ରାଫରଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦିଆଯିବ। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କ୍ରିୟା କରିବା ଲକ୍ଷ୍ୟରେ ଆସନ୍ତା ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକତ୍ର କରି ସାଢେ ତିନି କୋଟି ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଜନସାଧାରଣ ଦେଶର ୨୭,୦୦୦ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ କହିଥିଲେ।

ସେହିପରି ସରଭାଇକାଲ୍ କ୍ୟାନସ୍‌ର ଆଗୁଆ ନିରାକରଣ ପରିପ୍ରେକ୍ଷୀରେ କିଶୋରୀ ମାନଙ୍କ ଟୀକାକରଣ ନିମନ୍ତେ ରାଜ୍ୟ ସରକାର ଏକ ବଡ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଥିଲେ।

ସ୍କୁଲ ଓ କଲେଜ ମାନଙ୍କରେ ଏହି ଟୀକା ପ୍ରଦାନ ନେଇ ସରକାରଙ୍କ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ମମରେ ଆୟୋଜିତ ଏହି ଜାତୀୟ କର୍ମଶାଳାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ। ପ୍ରଥମ ଥର ପାଇଁ ସମ୍ମମ୍‌ରେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିକୁ ନେଇ ଏଭଳି ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଫେସର ନାୟକ କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେ୍‌ତପଦ୍ମା ଦାଶ କହିଥିଲେ ଯେ, ଇଂଟରଭେନସନାଲ୍ ରେଡିଓଲୋଜି ଚିକିତ୍ସା କ୍ଷେତ୍ରରେ ସମ୍ମମ୍ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ କି ଏହି ଚିିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଛି।

ଏହି ଚିକିତ୍ସା ଫଳରେ ଜଟିଳ ଅସ୍ତ୍ରୋପଚାର ଗୁଡିକ ମିନିମାଲ ଇନ୍‌ଭେସିଭ୍ ଅର୍ଥାତ୍ ବିନା କଟା ଛଟାରେ ସମ୍ଭବ ହୋଇପାରିବ। ସମ୍ମମ୍‌ରେ ପ୍ରଥମ ଥର ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ଡକ୍ଟର ଦାଶ ପ୍ରକାଶ କରିଥିଲେ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏସ୍‌ଭିଆଇଆର୍‌ର ସମ୍ପାଦକ ଡାକ୍ତର ଅଜିତ କୁମାର ଯାଦବ, ଓଆର୍‌ଆଇଏର ସଭାପତି ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚିବ ଡାକ୍ତର ସତ୍ୟ ସୁନ୍ଦର୍ ଗଜେନ୍ଦ୍ର ମହାପାତ୍ର, ସମ୍ମମ୍ ଆଇଆରକନ୍‌-୨୦୨୪ ର ଆୟୋଜକ ଅଧ୍ୟକ୍ଷ ଡାକ୍ତର ରଞ୍ଜନ କୁମାର ସାହୁ ଓ ଆୟୋଜକ ସମ୍ପାଦକ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ।