Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଗୋପାଳପୁର ବନ୍ଦରର ବିକାଶ ତଥା ସଂପ୍ରସାରଣ ପାଇଁ ସ୍ୱାକ୍ଷରିତ ହେଲା ଚୁକ୍ତିନାମା

ଭୁବନେଶ୍ୱର: ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍‌ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଗଞ୍ଜାମ ଜିଲ୍ଲାର ଅର୍ଜୀପାଲୀଠାରେ ଅବସ୍ଥିତ ଗୋପାଳପୁର ବନ୍ଦର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଥିଲା। ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ମସିହା ସେପେଫମ୍ବର ୧୪ ତାରିଖରେ ସରକାରୀ-ବେସରକାରୀ ଭାଗୀଦାରି(ପିପିପି) ମୋଡ୍‌ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଦ୍ୱାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍‌ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି।

ସମୟ କ୍ରମେ ୨୦୧୭ ମସିହା ଜାନୁଆରୀ ୧୮ ତାରିଖରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ. (ଏସ୍‌ପିଏମ୍‌ଏଲ୍‌)ର ଯୋଗଦାନ ଏବଂ ଅଂଶଧନ ପରିବର୍ତ୍ତନ ଯୋଗୁ ଏସ୍‌ପିଏମ୍‌ଏଲ୍‌ ଦ୍ୱାରା ସଂଖ୍ୟାଗରିଷ୍ଠ ଅଂଶଧନ ହାସଲ ଏବଂ ବନ୍ଦର ପରିଚାଳନା କ୍ଷମତା ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ରୁ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ.କୁ ସ୍ଥାନାନ୍ତରିତ ହୋଇଛି। ଏହି ବନ୍ଦର ପରିଚାଳନା କ୍ଷମତା ସ୍ଥାନାନ୍ତରଣ ଯୋଗୁଁ ଗୋପାଳପୁର ବନ୍ଦର ସହ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିବା ଆବଶ୍ୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ପାଇଁ ତା. ୦୭ ଡିସେମ୍ବର ୨୦୨୧ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା ଓ ଆଜି  ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ନିମନ୍ତେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରାଗଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୟ ମିଶ୍ର, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନା ରାଉଳ, ଗୋପାଳପୁର ବନ୍ଦର ସି.ଇ.ଓ କ୍ୟାପ୍‌ଟେନ୍‌ ସନ୍ଦୀପ ଅଗ୍ରୱାଲ୍‌, ବନ୍ଦର ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, କର୍ପୋରେଟ୍‌ ଆଫୟାର୍ସ ଉପସଭାପତି ଡ. ଜଗଦୀଶ ଚନ୍ଦ୍ର ରାଉତ, ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଗୋପାଳପୁର ବନ୍ଦର ପ୍ରକଳ୍ପ ବିସ୍ତାର ପାଇଁ ବିନିଯୋଗ ଯୋଜନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରକଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର ଉନ୍ନତିମୂଳକ କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଂଗକୁ ନେଇ ଅନୁଷ୍ଠିତ ଏକ ବୈଂକରେ ଅଧ୍ୟକ୍ଷତା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ, କାର୍ଯ୍ୟବିଭାଗର ସଚିବ କୃଷ୍ଣକୁମାର, ମତ୍ସ୍ୟ ଓ ଏଆର୍‌ଡ଼ି ବିଭାଗର ସଚିବ ଆର୍‌. ରଘୁ କୁମାର, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର, ଗଂଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭି.ସି. ମାଧ୍ୟମରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ। ଗୋପାଳପୁର ବନ୍ଦର ପରିଚାଳନା ନିର୍ଦ୍ଦେଶକ ଅମିତ ସାହୁ ବନ୍ଦରରେ ଚାଲିଥିବା କାର୍ଯ୍ୟ ଓ ଏହାର ପାରିପାଶ୍ୱିର୍କ ଅଂଚଳ ଓ ଶିଳ୍ପାୟନରେ ଭବିଷ୍ୟତ ପୁଂଜି ନିବେଶ ସଂପର୍କରେ ବିସ୍ତୃତ ବିବରଣୀ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ।